Unknown

 

 

 

 

 

 

 

 

 

 

 

ବିଜ୍ଞାନର ଗୌରବ

ଅଧ୍ୟାପକ ଅମୂଲ୍ୟକୃଷ୍ଣ ମିଶ୍ର

 

ପଦେଅଧେ

 

ବିଜ୍ଞାନସମ୍ବନ୍ଧୀୟ କେତେକ ଜ୍ଞାତବ୍ୟ ବିଷୟ ଏହି ସଂକଳନରେ ସନ୍ନିବେଶିତ । ଆଜି ବିଜ୍ଞାନ ଯେତେ ସୁଦୂରପ୍ରସାରୀ ହେଲାଣି, ସବୁ ବିଷୟରେ ଜ୍ଞାନ ହାସଲ କରିବା ଅସମ୍ଭବ କହିଲେ ଚଳେ । କିନ୍ତୁ ଲୋକପ୍ରିୟ ବିଜ୍ଞାନ ସାହାଯ୍ୟରେ ଜଟିଳ ବୈଜ୍ଞାନିକ ତଥ୍ୟ ସବୁକୁ ସରଳ ଭାବରେ ପରିବେଷଣ କରାଗଲେ ସାଧାରଣ ଲୋକମାନେ ମଧ୍ୟ ସୁବିଧାରେ ବିଜ୍ଞାନର ଜ୍ଞାତବ୍ୟ ବିଷୟ ସମ୍ବନ୍ଧରେ ସମ୍ୟକ୍ ଧାରଣା କରିବା ସମ୍ଭବପର । ସେହି ଉଦ୍ଦେଶ୍ୟରେ ଏ ସଂକଳନ ଏକ ଉଦ୍ୟମ ।

 

ବର୍ତ୍ତମାନ ଯୁଗରେ ବିଜ୍ଞାନର ଅଗ୍ରଗତି ସଙ୍ଗେ ମଣିଷ ଜୀବନର ସୁଖ ଓ ଶାନ୍ତି ନିର୍ଭର କରୁଛି । ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାରର ସଦୁପଯୋଗ ନୂତନ ସୁଖର ସନ୍ଧାନ କରିବା ପାଇଁ ଆଶାର ଆଲୋକ ରୂପେ ବ୍ୟବହୃତ ହୁଏ । କିନ୍ତୁ ଏହାର ଦୁରୁପଯୋଗ କଲେ ସମାଜର ଅଶେଷ କ୍ଷତି ହୁଏ । ତେଣୁ ବିଜ୍ଞାନର ଭଲମନ୍ଦକୁ ହୃଦୟଙ୍ଗମ କରି ବୈଜ୍ଞାନିକ ଉପକରଣର ସଦୁପଯୋଗ କରିବା ଦିଗରେ ଉଦ୍ୟମୀ ହେବା ଆଜି ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିର କର୍ତ୍ତବ୍ୟ । ଏହି ସଂକଳନ ବିଜ୍ଞାନର ଭଲମନ୍ଦ ସମ୍ବନ୍ଧରେ ପାଠକମାନଙ୍କ ମନରେ କିଛି ଧାରଣା ଦେଇ ପାରିଲେ ମୋର ଶ୍ରମ ସାର୍ଥକ ହେବ ।

 

୧୯୫୬ରୁ ୧୯୬୫ ମଧ୍ୟରେ ଲିଖିତ ଓ କଟକର ବିଜ୍ଞାନ ପ୍ରଚାର ସମିତି, ପାରଳାଖେମୁଣ୍ଡିର ବିଜ୍ଞାନ ପ୍ରଚାର ପରିଷଦ ଏବଂ ସମ୍ବଲପୁରର ବିଜ୍ଞାନ ପ୍ରଚାର ସଂସଦରେ ବିଭିନ୍ନ ସମୟରେ ପଠିତ ତଥା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ପ୍ରବନ୍ଧ ମଧ୍ୟରୁ କେତେଗୋଟି ବାଛି ପୁସ୍ତକ ଆକାରରେ ପ୍ରକାଶ କରିବା ପାଇଁ ମୋର ଅନ୍ତରଙ୍ଗ ବନ୍ଧୁ ଗ୍ରନ୍ଥମନ୍ଦିରର ଶ୍ରୀ ଅଭିରାମ ମହାପାତ୍ର ପ୍ରସ୍ତାବ ଦେଇଥିବାରୁ ଏବଂ ସେହି ପୁସ୍ତକ ପ୍ରକାଶନର ଦାୟିତ୍ୱ ନିଜେ ନେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଏହି ପ୍ରବନ୍ଧଗୁଡ଼ିକୁ ସାଇତି ରଖିଥିବାରୁ ମୋର ସ୍ତ୍ରୀ ମୀନାଙ୍କୁ ଧନ୍ୟବାଦ ଦେଉଛି । ମୋର ପୁଅଝିଅମାନେ ତତ୍ପରତାର ସହିତ ପ୍ରବନ୍ଧଗୁଡ଼ିକ ଉତାରିବାରେ ସାହାଯ୍ୟ କରିଥିବାରୁ ସେମାନେ ମଧ୍ୟ ଧନ୍ୟବାଦାର୍ହ ।

 

ପୁଷପୁନି

ଅମୂଲ୍ୟ କୃଷ୍ଣ ମିଶ୍ର

ତା ୨। ୧ । ୧୯୮୦

 

Image

 

ସାହିତ୍ୟ ସେବାରେ ମୋତେ ଅନୁରାଗୀ କରିବା ପାଇଁ ଅବିରତ ସ୍ନେହମିଶା ଆଗ୍ରହ ପ୍ରକାଶକରି ମୋର ମନରେ ଉତ୍ସାହ ସୃଷ୍ଟି କରିଛନ୍ତି ମୋର ଶ୍ୱଶୁର ଶ୍ରୀଯୁକ୍ତ ବିଶ୍ୱମୋହନ ମିଶ୍ର ଏବଂ ମୋର ଶାଶୂ ଶ୍ରୀମତୀ ସୌଭାଗିନୀ ଦେବୀ । ସେମାନଙ୍କ କରକମଳରେ ସଶ୍ରଦ୍ଧ ଭକ୍ତିର ନିଦର୍ଶନରୂପେ ଏ ପୁସ୍ତକଟି ଅର୍ପଣ କରୁଛି ।

 

ଅମୂଲ୍ୟ

Image

 

ବୈଜ୍ଞାନିକ ସାହିତ୍ୟ

 

ବୈଜ୍ଞାନିକ ସାହିତ୍ୟ ବିଜ୍ଞାନ ଓ ସାହିତ୍ୟର ଏକ ମଧୁର ସମନ୍ୱୟ । ବୈଜ୍ଞାନିକ ସାହିତ୍ୟର ଅଗ୍ରଗତି ଗୋଟିଏ ଜାତିର ଉନ୍ନତିର ସୂଚକ । ସାଧାରଣ ଜୀବନରେ ବୈଜ୍ଞାନିକ ଉପକରଣ ତଥା ବୈଜ୍ଞାନିକ ତଥ୍ୟର ବହୁଳ ବ୍ୟବହାର ଜାତୀୟ ପ୍ରଗତିର ମାନଦଣ୍ଡ ନିରୂପଣ କରେ । ବିଜ୍ଞାନର ତାଣ୍ଡବମୂର୍ତ୍ତି ତଥା ଲାସ୍ୟମୟୀ ରୂପ ସମସ୍ତଙ୍କର ଅଳ୍ପ ବହୁତ ଜାଣିବା ଉଚିତ । ବୈଜ୍ଞାନିକ ଗବେଷଣାଗାରମାନଙ୍କରେ ପ୍ରକୃତିର ଯେଉଁ ନିଗୂଢ଼ ରହସ୍ୟମାନ ଉଦ୍‌ଘାଟିତ ହେଉଛି, ସେ ବିଷୟରେ ସମ୍ୟକ୍ ଧାରଣା ପୋଷଣ କରିବା ସାଧାରଣ ଜୀବନରେ ଜରୁରୀ, କାରଣ ମାନବଜାତିର ଭଲମନ୍ଦ ବିଜ୍ଞାନର ପ୍ରୟୋଗରେ ନିହିତ ।

 

ବୈଜ୍ଞାନିକ ସାହିତ୍ୟ, ତେଣୁ କୌଣସି ଜାତିର ଅଗ୍ରଗତି ପାଇଁ ନିତାନ୍ତ ଆବଶ୍ୟକ । କିନ୍ତୁ ଦୁଃଖର ବିଷୟ, ଏ ଦିଗରେ ଅନେକ ଦିନ ପର୍ଯ୍ୟନ୍ତ କେହି ଦୃଷ୍ଟିପାତ କରିନଥିଲେ । ଫଳତଃ, ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଜ୍ଞାନ ସାଧାରଣ ଜୀବନରେ ଅବୋଧ୍ୟ ହୋଇ ରହିଲା । ତା’ ସହିତ ରହିଲା ଆଉ ଗୋଟିଏ ବାଧା । ସେ ହେଲା ବିଜ୍ଞାନ ଏବଂ ସାହିତ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାର ଅସୁବିଧା । କେତେକ ସାହିତ୍ୟିକଙ୍କ ମତ ହେଲା ଯେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଗୌଣ ଓ ସାହିତ୍ୟ-ଜ୍ଞାନ ମୁଖ୍ୟ । ସେମାନେ ଯୁକ୍ତି ଦର୍ଶାନ୍ତି ଯେ ସାହିତ୍ୟ ସୃଷ୍ଟିରେ କଳ୍ପନାର ଯେଉଁ ସ୍ୱାଧୀନତା ଅଛି, ବିଜ୍ଞାନର ପରିବେଷ୍ଟନୀରେ ତାହା ପରିଦୃଷ୍ଟ ହୁଏ ନାହିଁ । ଏହି ଧାରଣା ପ୍ରକୃତରେ ଭ୍ରମାତ୍ମକ । ଆପେକ୍ଷିକତତ୍ତ୍ୱ ହେଉ ବା ବିବର୍ତ୍ତନବାଦ, ପରମାଣୁବାଦ ହେଉ ବା କ୍ୱାଣ୍ଟମ୍‌ବାଦ– ଏ ସବୁ କ୍ଷେତ୍ରରେ ଗବେଷଣା ଏବଂ ଉଦ୍ଭାବନ କରିବାରେ କଳ୍ପନାକୁ ଯେପରି ବଳିଷ୍ଠ ଅଥଚ ସ୍ୱାଧୀନ ରଖିବାକୁ ହୁଏ, ଅନ୍ୟ କୌଣସି ଅଭିନବ ସୃଷ୍ଟିରେ ତା’ର ପଟାନ୍ତର ନାହିଁ ।

 

ବିଜ୍ଞାନ ଏବଂ ସାହିତ୍ୟର ଆପେକ୍ଷିକ ସ୍ଥାନ ନିରୂପଣ ପାଇଁ ଊନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ତୁମୁଳ ତର୍କ ଦେଖାଦେଇଥିଲା । ଗୋଟିଏ ପକ୍ଷରେ ଥିଲେ ବିଖ୍ୟାତ ବୈଜ୍ଞାନିକ, ତତ୍‌କାଳୀନ ରୟେଲ୍ ସୋସାଇଟିର ସଭାପତି ଥୋମାସ୍ ହେନେରୀ ହକ୍‌ସଲି ଏବଂ ଅନ୍ୟ ପକ୍ଷରେ ସୁପରିଚିତ ସାହିତ୍ୟିକ ମେଥ୍ୟୁ ଆର୍ନୋଲଡ଼ । ହକ୍‌ସଲି ତାଙ୍କର “ସଂସ୍କୃତି ଓ ଶିକ୍ଷା’’ ବକ୍ତୃତାରେ କହିଥିଲେ ଯେ, ବର୍ତ୍ତମାନର ଶିକ୍ଷା ସାହିତ୍ୟାଭିମୁଖୀ ନ ହୋଇ ବିଜ୍ଞାନାଭିମୁଖୀ ହେବା ଉଚିତ, କାରଣ ଜାତୀୟ ସଂସ୍କୃତି କେବଳ କଳ୍ପନା ଉପରେ ନିର୍ଭର କରେନା -ଏହା ସତ୍ୟର ସନ୍ଧାନ ଏବଂ ବାସ୍ତବତା ଉପରେ ନିର୍ଭର କରେ । ୧୮୮୩ରେ ମେଥ୍ୟୁ ଆର୍ନୋଲଡ଼ ‘‘ସାହିତ୍ୟ ଓ ବିଜ୍ଞାନ’’ ନାମକ ଆମେରିକାରେ ପ୍ରଦତ୍ତ ତାଙ୍କର ବକ୍ତୃତାରେ ହକ୍‌ସିଲିଙ୍କୁ ଘୋର ବିରୋଧ କରି ଶିଳ୍ପପ୍ରଧାନ-ଗଣତନ୍ତ୍ର କିପରି ସାହିତ୍ୟ-ବହୁଳ-ଶିକ୍ଷାର କୁଳୀନତା ଉପରେ ଆଞ୍ଚ ଆଣିବାକୁ ଯାଉଛି ସେ ବିଷୟରେ ଶ୍ରୋତାମାନଙ୍କୁ ସତର୍କ କରେଇ ଦେଇଥିଲେ । ହକ୍‌ସଲି ଏବଂ ଆର୍ନୋଲଡ଼ ବ୍ୟକ୍ତିଗତ ଜୀବନରେ ଘନିଷ୍ଠ ବନ୍ଧୁ ଥିଲେ ମଧ୍ୟ, ସାଧାରଣ ଜୀବନରେ ପରସ୍ପର ଚିନ୍ତାଧାରାକୁ ଘୋର ବିରୋଧ କରୁଥିଲେ । ଜଣେ ଥିଲେ ବିଜ୍ଞାନର କର୍ଣ୍ଣଧାର– ଅନ୍ୟ ଜଣକ ସାହିତ୍ୟର ମୁଖ୍ୟପାତ୍ର ।

 

ସେ ତ ଗତ ଶତାବ୍ଦୀର କଥା; କିନ୍ତୁ ବିଂଶଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସ୍ଥାନେ ସ୍ଥାନେ ବିଜ୍ଞାନ ଏବଂ ସାହିତ୍ୟର କ୍ଷତିକାରକ ଦ୍ୱନ୍ଦ୍ୱ ପରିଲକ୍ଷିତ ହୁଏ । ଇଂଲଣ୍ଡର ବିଖ୍ୟାତ ଔପନ୍ୟାସିକ ତଥା ସାହିତ୍ୟିକ ସାର ଚାର୍ଲସ ସ୍ନୋ ୧୯୫୯ରେ ତାଙ୍କର ରିଡ୍‌ ବକ୍ତୃତା ‘‘ଦୁଇଟି ସଂସ୍କୃତି ଏବଂ ବୈଜ୍ଞାନିକ ବିପ୍ଳବ’’ରେ ବିଜ୍ଞାନ ଏବଂ ବୈଜ୍ଞାନିକ ପ୍ରାଧାନ୍ୟକୁ ବ୍ୟାଖ୍ୟା କରି ଅନେକ ସାହିତ୍ୟିକଙ୍କର କଟୁ ସମାଲୋଚନାର ପାତ୍ର ହୋଇଥିଲେ । ଇଂଲଣ୍ଡର ବିଖ୍ୟାତ ସମାଲୋଚକ ଡକ୍‌ଟର ଏଫ୍‌. ଆର୍, ଲିଭିସ୍ ତାଙ୍କର ରିଚ୍‌ମଣ୍ଡ ବକ୍ତୃତାରେ କେବଳ ସ୍ନୋଙ୍କ ମତ ଖଣ୍ଡନ କରିବା ପାଇଁ ଚେଷ୍ଟା କରି ନ ଥିଲେ, ସ୍ନୋଙ୍କ ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ତିକ୍ତ ସମାଲୋଚନା କରିଥିଲେ । ଏ ବିଷୟ ନେଇ ଅନେକ ଦିନ ପର୍ଯ୍ୟନ୍ତ ୟୁରୋପ ଏବଂ ଆମେରିକାର ପ୍ରସିଦ୍ଧ ଖବରକାଗଜ ଏବଂ ପତ୍ରିକାମାନଙ୍କରେ ଅନେକ ବାଦାନୁବାଦ ଲାଗିଥିଲା ।

 

ବଡ଼ ଦୁଃଖର ବିଷୟ, ଏ ପର୍ଯ୍ୟନ୍ତ ଅନେକଙ୍କର ବଦ୍ଧମୂଳ ଧାରଣା ଅଛି ଯେ ବୈଜ୍ଞାନିକ ସଂସ୍କୃତି ଏବଂ ସାହିତ୍ୟଭିତ୍ତିକ ସଂସ୍କୃତି ସମ୍ପୂର୍ଣ୍ଣ ପୃଥକ୍‌ । ଏହି ପାର୍ଥକ୍ୟକୁ ମୂଳଧନ କରି ଅତି ପୁରାକାଳରୁ ବୈଜ୍ଞାନିକ ଏବଂ ସାହିତ୍ୟିକମାନଙ୍କ ମଧ୍ୟରେ ତୁମୁଳ ବାଦାନୁବାଦ ହୋଇଆସିଛି । ହକ୍‌ସଲିହୁଅନ୍ତୁ ବା ଆର୍ନୋଲଡ଼, ସ୍ନୋ ହୁଅନ୍ତୁ ବା ଲିଭିସ୍‌, ସେମାନେ ନିଜ କ୍ଷେତ୍ରରେ ପ୍ରତିଷ୍ଠାବାନ୍ ବ୍ୟକ୍ତି ହେଲେ ମଧ୍ୟ, ବିଜ୍ଞାନ ଏବଂ ସାହିତ୍ୟ ସମ୍ବନ୍ଧୀୟ ଚର୍ଚ୍ଚାରେ ସେମାନେ ଏକପକ୍ଷଭୁକ୍ତ, ତେଣୁ ପ୍ରମାଦପୂର୍ଣ୍ଣ । ସାହିତ୍ୟ କଳ୍ପନା ରାଜ୍ୟରେ ମାନସିକ ତଥା ଆଧ୍ୟାତ୍ମିକ ସଚେତନତାର ଦୃଷ୍ଟିଭଙ୍ଗି ସୃଷ୍ଟି କରିଛି ସତ; ବିଜ୍ଞାନ କେବଳ ମାନବ ସଭ୍ୟତାର ପ୍ରତୀକ ହୋଇ ଆଜି ଛିଡ଼ା ହୋଇନି, ନୂତନ ନୂତନ ତଥ୍ୟ ସନ୍ଧାନରେ ମଣିଷର ମାନସିକ ଗଭୀରତା ତଥା ସ୍ୱାଧୀନ ଚିନ୍ତାର ପରିଚୟ ପ୍ରଦାନ କରୁଛି, ଏହା ମଧ୍ୟ ବାସ୍ତବ । ଆଜି ବିଜ୍ଞାନ ଓ ସାହିତ୍ୟ ଉଭୟକୁ ହାତ ମିଳାଇ ଚାଲିବାକୁ ହେବ । ବିଜ୍ଞାନ ବିନା ସାହିତ୍ୟ ଅନ୍ଧ-ସାହିତ୍ୟ ବିନା ବିଜ୍ଞାନ ଅଥର୍ବ । ଉଭୟେ ଉଭୟଙ୍କର ପରିପୂରକ । ବିଜ୍ଞାନଜନିତ ଜ୍ଞାନ ସାହିତ୍ୟର ନିଜତ୍ୱ ଭିତରେ ପରିଷ୍ଫୁଟ କରିବା ହେଲା ଆଜିକାଲିର ସାହିତ୍ୟିକର କର୍ତ୍ତବ୍ୟ ଏବଂ ସାହିତ୍ୟ ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରି ବିଜ୍ଞାନର ଜଟିଳ ତଥ୍ୟକୁ ସରଳ କରିବା ହେଲା ବୈଜ୍ଞାନିକର କର୍ତ୍ତବ୍ୟ । ଅନେକ ବିଜ୍ଞାନବିତ୍‌ ବୈଜ୍ଞାନିକ ସାହିତ୍ୟ ସୃଷ୍ଟି କରି ବିଜ୍ଞାନ ଏବଂ ସାହିତ୍ୟ ଉଭୟ କ୍ଷେତ୍ରରେ ନୂତନ ଆଭିମୁଖ୍ୟ ସୃଷ୍ଟି କରିଛନ୍ତି । ଏର୍ ଜି, ଓ୍ୟେଲସଙ୍କ ବୈଜ୍ଞାନିକ ଉପନ୍ୟାସ, ଆଇନ୍‌ଷ୍ଟାଇନ୍, ଡି ବ୍ରଗ୍‌ଲି, ହାଇଜିନ୍‌ବର୍ଗ, ସ୍ରୋଡ଼ିଞ୍ଜର, ବାର୍ଟ୍ରାଣ୍ଡ ରସେଲ, ଜର୍ଜ ଗେମୋ ପ୍ରଭୃତି ପୃଥିବୀ ବିଖ୍ୟାତ ବୈଜ୍ଞାନିକମାନଙ୍କ ସରସ ଏବଂ ସରଳ ବୈଜ୍ଞାନିକ ସାହିତ୍ୟ ସୃଷ୍ଟି କେବଳ ସାହିତ୍ୟକୁ ସମୃଦ୍ଧ କରିନାହିଁ, ବିଜ୍ଞାନକୁ ଜନସମାଜରେ ଆଦୃତ କରିପାରିଛି । ବିଜ୍ଞାନ ଓ ସାହିତ୍ୟ ମଧ୍ୟରେ ଥିବା ଭୁଲ୍ ବୁଝାମଣା ଆଜି ଅପସରି ଯାଇଛି । ସାହିତ୍ୟ ହୋଇଛି ବିଜ୍ଞାନାଭିମୁଖୀ ଓ ବିଜ୍ଞାନ ହୋଇଛି ସାହିତ୍ୟର ସହଚର । ନୂତନ ଉଦ୍ଭାବନର କ୍ଳିଷ୍ଟତା ଆଜି ଗବେଷଣାଗାରର ଚାରିକାନ୍ଥ ଭିତରେ ଆବଦ୍ଧ ରହି କେତେଜଣ ମେଧାବୀ ବ୍ୟକ୍ତିଙ୍କର ଏକଚାଟିଆ ଅଧିକାର ହୋଇ ଆଉ ରହିବ ନାହିଁ । ଆପେକ୍ଷିକ ତଥ୍ୟ, କ୍ୱାଣ୍ଟମ୍‍ବାଦ ଏବଂ ପରମାଣୁବାଦ ପରି ଜଟିଳ ତଥ୍ୟ ଆଜି ସରସ ସାହିତ୍ୟ ମାଧ୍ୟମରେ ରୋମାଞ୍ଚକର କାହାଣୀ ସୃଷ୍ଟିକରିଛି ।

 

ତଥାପି ଓଡ଼ିଶାର ବୈଜ୍ଞାନିକ ସାହିତ୍ୟ ଆଜିସୁଦ୍ଧା ତା’ର ଶୈଶବାବସ୍ଥା ଅତିକ୍ରମ କରିନି-। କହିବାକୁ ଲଜ୍ଜା ବୋଧହୁଏ ଯେ, ସରସ ବୈଜ୍ଞାନିକ ସାହିତ୍ୟର ସାଧନା ଅର୍ଦ୍ଧ ଶତାବ୍ଦୀ ତଳେ ଆରମ୍ଭ ହୋଇଥିଲେ ସୁଦ୍ଧା, ଆଜି ପର୍ଯ୍ୟନ୍ତ ଅବହେଳିତ । ୧୯୧୩-୧୫ ବେଳର କଥା । କଲିକତା ପ୍ରେସିଡ଼େନ୍‌ସି କଲେଜର ତତ୍‌କାଳୀନ ମେଧାବୀ ଛାତ୍ର ଶ୍ରୀ ପ୍ରାଣକୃଷ୍ଣ ପରିଜାଙ୍କ ଯୁବକସୁଲଭ ଲେଖନୀ ଚାଳନା ପ୍ରଥମେ ଦେଇଥିଲା ଓଡ଼ିଆ ସାହିତ୍ୟରେ ବିଜ୍ଞାନ ପ୍ରଚାରର ମୂଳଦୁଆ । ସେତେବେଳେ ବିଜ୍ଞାନ ଚର୍ଚ୍ଚାର ଅନୁକୂଳ ପରିସ୍ଥିତି ଭାରତରେ ଦେଖାଦେଇଥାଏ ଏବଂ ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାରେ ବୈଜ୍ଞାନିକ ସାହିତ୍ୟ ସୃଷ୍ଟି କରିବାର ଉଦ୍ୟମ ଚାଲିଥାଏ ।

 

ତା’ ପରେ ଗବେଷଣାରତ ଡକ୍‌ଟର ପରିଜା ନୂତନ ତଥ୍ୟର ସନ୍ଧାନରେ ବ୍ୟସ୍ତ ରହିଲେ-। ତାଙ୍କର ସାହିତ୍ୟିକ ପ୍ରଚେଷ୍ଟା ଓଡ଼ିଆ ଭାଷାରେ ବୈଜ୍ଞାନିକ ସାହିତ୍ୟର ଅଙ୍କୁରୋଦ୍‌ଗମ କରିଥିଲା ସତ; କିନ୍ତୁ ଓଡ଼ିଶାର ଲେଖକ ବୈଜ୍ଞାନିକ ସାହିତ୍ୟ ସୃଷ୍ଟି କରିବା ପାଇଁ ନିଶ୍ଚେଷ୍ଟ ହୋଇପଡ଼ିଲେ । ଅନେକ ଦିନ ବିତିଗଲା । ୧୯୨୭-୨୯ ବେଳକୁ ଓଡ଼ିଶାର ଉଦୀୟମାନ ଲେଖକ ଶ୍ରୀ ଦୟାନିଧି ମିଶ୍ର ‘ନବଯୁଗ’ ପତ୍ରିକାରେ ଧାରାବାହିକ ଭାବରେ କେତୋଟି ବୈଜ୍ଞାନିକ ପ୍ରବନ୍ଧ ଛପେଇଥିବାର ଦୃଷ୍ଟିଗୋଚର ହୁଏ । ତା’ପରେ ସ୍ୱାଧୀନତା ଲାଭର ଅବ୍ୟବହିତ ପର୍ଯ୍ୟନ୍ତ ଓଡ଼ିଆରେ କାଁ ଭାଁ ବୈଜ୍ଞାନିକ ପ୍ରବନ୍ଧ ପ୍ରକାଶ ପାଇଛି ମାତ୍ର ।

 

ସ୍ୱାଧୀନତା ପ୍ରାପ୍ତି ପରେ, ଡକ୍‌ଟର ପରିଜାଙ୍କ ରୋପିତ ବୈଜ୍ଞାନିକ ସାହିତ୍ୟର ଚାରାଗଛକୁ ବଳୀୟାନ୍ କରିବାକୁ ପୁଣି ପ୍ରଚେଷ୍ଟା ଚାଲିଛି । କଟକର ବିଜ୍ଞାନ ପ୍ରଚାର ସମିତି, ସମ୍ବଲପୁରର ବିଜ୍ଞାନ ପ୍ରଚାର ସଂସଦ ତଥା କଳାହାଣ୍ଡି, ପୁରୀ, ବଲାଙ୍ଗୀର ଏବଂ ରାଉଲକେଲାର ବିଜ୍ଞାନ ପ୍ରଚାର ଅନୁଷ୍ଠାନମାନେ ଆଜି ତତ୍ପରତାର ସହିତ ବୈଜ୍ଞାନିକ ସାହିତ୍ୟ ସୃଷ୍ଟି କରିବାରେ ଲାଗିଛନ୍ତି । ତଥାପି ଏହି ପ୍ରଚାର ପାଇଁ ଅନୁକୂଳ ବାତାବରଣ ଓଡ଼ିଶାରେ ସୃଷ୍ଟି ହୋଇଛି ବୋଲି ମନେହୁଏ ନାହିଁ ।

 

ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି–

 

‘କର୍ମଣ୍ୟେବାଧିକାରସ୍ତେ ମାଫଳେସୁ କଦାଚନ

ମାକର୍ମଫଳ ହେତୁର୍ଭୁର୍ମାତେ ସଙ୍ଗୋଽସ୍ତକର୍ମଣି ।’

 

କର୍ମରେ ହିଁ ଆମର ଅଧିକାର ଅଛି- ଫଳାଫଳର ଚିନ୍ତା ଅର୍ଥହୀନ । ବୈଜ୍ଞାନିକ ସାହିତ୍ୟ ସୃଷ୍ଟି ଯେ ବିଜ୍ଞାନ ଏବଂ ସାହିତ୍ୟ ଉଭୟ ପାଇଁ ଆବଶ୍ୟକ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ । ନୂତନ ନୂତନ ପନ୍ଥା ଅନୁସରଣ କରି ବୈଜ୍ଞାନିକ ସାହିତ୍ୟକୁ ସରଳ, ସରସ ଓ ରୋମାଞ୍ଚକର କରିବା ପ୍ରତ୍ୟେକ ବିଜ୍ଞାନପ୍ରେମୀ ତଥା ସାହିତ୍ୟପ୍ରେମୀର କର୍ତ୍ତବ୍ୟ । ନୂତନ ନୂତନ ବୈଜ୍ଞାନିକ ତଥ୍ୟ ଆଜି ଦର୍ଶନ ଶାସ୍ତ୍ରରେ ଖୋଲିଛି ନିତ୍ୟନୂତନ ଆଭିମୁଖ୍ୟ । ଜଡ଼ପଦାର୍ଥର ନୂତନ ତଥ୍ୟ ହେଉ ବା ଜୀବନ ସମ୍ବନ୍ଧୀୟ ନୂତନ ଆଲୋକପାତ ହେଉ, କେଉଁ ଏକ ଦୁର୍ବୋଧ୍ୟ ଗାଣିତିକ ସମୀକରଣ ହେଉ ବା କ୍ଳିଷ୍ଟ ରାସାୟନିକ ପ୍ରକିୟା ହେଉ–ଏ ସବୁର ପ୍ରଭାବ ସାହିତ୍ୟ ଏବଂ ଦର୍ଶନ ଉପରେ ପଡ଼ିଆସିଛି ଅତି ଅଜଣା ଭାବରେ, ଅଥଚ ଅତି ନିଶ୍ଚିତ ଭାବରେ । ବିଜ୍ଞାନ ଓ ସାହିତ୍ୟ ମଧ୍ୟରେ ଥିବା କୃତ୍ରିମ ପ୍ରଭେଦକୁ ଆଜି ଦୂର କରିପାରିଛି ସରଳ ଓ ସରସ ବୈଜ୍ଞାନିକ ସାହିତ୍ୟ ।

 

ସେଥିପାଇଁ ଉତ୍କଳ ଭାରତୀଙ୍କୁ ବୈଜ୍ଞାନିକ ସାହିତ୍ୟରେ ସୁସଜ୍ଜିତ କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ତଥା ଓଡ଼ିଶାର ଜନସାଧାରଣଙ୍କର କଲ୍ୟାଣ କରିବା ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିର ଦାୟିତ୍ୱ ।

Image

 

ସୂଚୀପତ୍ର

 

୧.

ଆଲମାରି ଭିତରେ ମେରୁପ୍ରଦେଶ

୨.

କିଏ ଗୋ ତୁ ଜ୍ୟୋତିର୍ମୟୀ ?

୩.

ରୂପେଲି ପର୍ଦ୍ଦାର ମୂଳକଥା

୪.

ଆଧୁନିକ ବାର୍ତ୍ତାବହ ବେତାର ତରଙ୍ଗ

୫.

ସୂର୍ଯ୍ୟର ବିଲୟ କେବେ ?

୬.

ସୃଷ୍ଟିର ଅନ୍ତିମ ଯାମିନୀ

୭.

ପୃଥିବୀର ଛାତ

୮.

ନକ୍ଷତ୍ର ପର୍ଯ୍ୟବେକ୍ଷଣ

୯.

ଆପେକ୍ଷିକ ତତ୍ତ୍ୱ

୧୦.

ପରମାଣୁର ରୂପ

୧୧.

ବିଜ୍ଞାନ ଜଗତର ଭଦ୍ରଚୋର

୧୨.

ରେଣୁ ନା ତରଙ୍ଗ ?

୧୩.

ଏଲ୍‌କେମିଷ୍ଟର ସ୍ୱପ୍ନ

୧୪.

ରକେଟ ବିଜ୍ଞାନ ଓ ସମରସଜ୍ଜା

୧୫.

ପରିତ୍ୟକ୍ତା ପୃଥିବୀ

୧୬.

ତେଜସ୍କ୍ରିୟତା ଓ ବିଶ୍ୱଶାନ୍ତି

୧୭.

ଆଶାର ଆଲୋକ ନା ମୃତ୍ୟୁର ରଶ୍ମି ?

୧୮.

ସର୍ବେ ଭବନ୍ତୁ ସୁଖିନଃ

Image

 

ଆଲମାରି ଭିତରେ ମେରୁପ୍ରଦେଶ

 

(ସୂର୍ଯ୍ୟର ପ୍ରଖର କିରଣରୁ ରକ୍ଷା ପାଇବା ପାଇଁ ମଣିଷ ସବୁବେଳେ ଚେଷ୍ଟା କରିଛି । କୃତ୍ରିମ ଉପାୟରେ ଶୀତଳୀକରଣ ପାଇଁ ସେ ବହୁତ ଦିନରୁ ଗବେଷଣାରତ ହୋଇଛି । ଘର୍ମାକ୍ତ ଶରୀରରେ ଗରମ ପବନ ଝଲକାଏ ବାଜିଲେ ବି ଥଣ୍ଡାଲାଗେ । ବାଷ୍ପୀକରଣରୁ ଶୀତଳି-କରଣ, ଏ ତଥ୍ୟକୁ ନେଇ ଉଦ୍ଭାବିତ ହୋଇଛି ଆଜିକାର ରିଫ୍ରିଜେରେଟର୍‌, ଯାହା ଆଧୁନିକ ସମାଜର ଏକ ଅପରିହାର୍ଯ୍ୟ ଉପକରଣ ହୋଇଯାଇଛି । ଆଲମାରି ଆକାରର ଏହି ଶୀତଳୀକରଣ ଯନ୍ତ୍ରର ତଥ୍ୟ ଏହି ପ୍ରବନ୍ଧରେ ସନ୍ନିବେଶିତ ।)

 

“ଚିଲିକା ମାଛ, ଆକାଶ କୟାଁ’’– ଯାହା ପାଇଁ ସତ ହୋଇପାରିଛି, ତାହା ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ହେବ ନିଶ୍ଚୟ । ପ୍ରଚଣ୍ଡ ଗ୍ରୀଷ୍ମର ତାପରେ ମଣିଷ ମଉଳିପଡ଼େ । ଝଲକାଏ ଥଣ୍ଡା ପବନ ପାଇଁ ମନ ବ୍ୟାକୁଳହୁଏ । ଆଉ କିଏ ବା ଆଧୁନିକ ଶୀତ ତାପ ନିୟନ୍ତ୍ରିତ କୋଠରିରେ ରହି ବାହାରର ଉତ୍ତାପ ସମ୍ବନ୍ଧରେ ଅଜ୍ଞ ରହେ । ଘର୍ମାକ୍ତ ପଥିକ କେବେକେବେ ଆଇସ୍‌ କ୍ରିମ୍‌ଟାଏ ଖାଇ ଶରୀରକୁ ଥଣ୍ଡା କରେ–ଆଉ କିଏ ବା ରିଫ୍ରିଜେରେଟର୍‌ରରୁ କାଢ଼ି ଶୀତଳ ଫଳରସ ପାନ କରେ । ଧନୀ ହେଉ ବା ଦରିଦ୍ର, ଗ୍ରୀଷ୍ମର ଦାଉରୁ ନିଜକୁ ରକ୍ଷା କରିବାପାଇଁ ମଣିଷ ଶୀତଳିକରଣର ଉପାୟ ପାଞ୍ଚେ । ଘର୍ମାକ୍ତ ଶରୀରରେ ଝଲକାଏ ଗରମ ପବନ ବାଜିଲେ ବି ଥଣ୍ଡା ଲାଗେ । ସମାଜ ଗରିବ ପାଇଁ ବୈଜ୍ଞାନିକ ଉପକଣ ଯୋଗେଇ ନ ଦେଲେ ବି, ପ୍ରକୃତି ତାକୁ ନିରାଶ କରେନା । ପବନର ସଂସ୍ପର୍ଶରେ ଆସି ସ୍ୱେଦ ବିନ୍ଦୁ ବାଷ୍ପରେ ପରିଣତ ହୁଏ ଏବଂ ବାଷ୍ପୀକରଣ ସମୟରେ ବାତାବରଣରୁ ତାପ ସଂଗ୍ରହ କରି ଶରୀରର ଉତ୍ତାପ ଟିକିଏ କମେଇଦିଏ ।

 

ଏହି ଶୀତଳୀକରଣର ମୂଳମନ୍ତ୍ର ହେଲା ବାଷ୍ପୀକରଣ । ବିଭିନ୍ନ ଯନ୍ତ୍ରରେ ଭିନ୍ନ ଭିନ୍ନ ଉପାୟରେ ବିଭିନ୍ନ ତରଳ ପଦାର୍ଥର ବାଷ୍ପୀକରଣ କରାଯାଇ ତାପମାତ୍ରାର ହ୍ରାସ କରାହୋଇଥାଏ । ମୋଟାମୋଟିରେ ୟେ ହେଲା ଆମ ଘର ଭିତରର ମେରୁ ପ୍ରଦେଶର ସରଳ ବୈଜ୍ଞାନିକ ତଥ୍ୟ ।

 

ହାତ ପାପୁଲିରେ ଅଳ୍ପ ସୁରାସାର (alcohol) ନେଇ ଫୁଙ୍କିଲେ ହାତକୁ ଥଣ୍ଡା ଲାଗେ-। କିନ୍ତୁ ଖାଲି ହାତ ପାପୁଲିକୁ ଫୁଙ୍କିଲେ ନିଶ୍ୱାସର ଉଷ୍ଣତା ହେତୁ ଗରମ ଲାଗେ । ୟେ ହେଲା ଗରମରୁ ଥଣ୍ଡା ପାଇବା ବିଷୟରେ ଏକ ସରଳ ଉଦାହରଣ । ସୁରାସାର ନିଶ୍ୱାସର ଉଷ୍ଣତା ଗ୍ରହଣ କରି ବାଷ୍ପ ଆକାରରେ ପରିଣତ ହୁଏ ଏବଂ ଥଣ୍ଡା ପବନ ହାତରେ ବାଜିଲେ ଶୀତଳ ଲାଗେ । ଯଦି କୌଣସି ନଳୀ ବାଟରେ ସୁରାସାର ଭଳିଆ ତରଳ ପଦାର୍ଥ ରଖି, ସେହି ତରଳ ପଦାର୍ଥକୁ ଏକ ପବନ ସ୍ରୋତରେ ବାଷ୍ପ ଆକାରରେ ପରିଣତ କରାଯାଏ, ତାହାହେଲେ ନଳୀ ଥଣ୍ଡା ହେବାକୁ ଲାଗେ । ଏହି ନଳୀକୁ କୌଣସି ବାକ୍‌ସ ଭିତରେ ରଖିଲେ ତାହା ଏକ ପ୍ରଶୀତକ (refrigerator)ର କାର୍ଯ୍ୟ କରିପାରିବ । କିନ୍ତୁ ଏହାଦ୍ୱାରା ବାକ୍‌ସ ଭିତରେ ସୁରାସାର ବାଷ୍ପ ଜମିଯିବ ଏବଂ ସେଥିପାଇଁ ସାଧାରଣ ବ୍ୟବହାର ପାଇଁ ତାହା ଅଯୋଗ୍ୟ । ଏତଦ୍‌ଭିନ୍ନ, ସୁରାସାରକୁ ଆଉ ଥରେ ବ୍ୟବହାର କରିବା ପାଇଁ, ସୁରାସାର ବାଷ୍ପ ଏବଂ ପବନକୁ ଭିନ୍ନ ଭିନ୍ନ କରିବା ଦରକାର । ଏହା ଜଳ ଦ୍ୱାରା କରାଯାଇପାରେ, କାରଣ ସୁରାସାର ବାଷ୍ପ ଜଳରେ ଦ୍ରବଣୀୟ, କିନ୍ତୁ ପବନ ଦ୍ରବଣୀୟ ନୁହେଁ ।

 

ପରୀକ୍ଷା ଦ୍ୱାରା ଜଣାଯାଇଛି ଯେ, କୌଣସି ହାଲୁକା ବାଷ୍ପ ମାଧ୍ୟମକୁ ସୁରାସାରର ଚଞ୍ଚଳ ବାଷ୍ପୀକରଣ ହୁଏ । ଉଦ୍‌ଜାନ ସବୁଠୁ ହାଲୁକା । ଏହା କୌଣସି ଧାତୁରେ କଳଙ୍କି ଲଗାଏ ନାହିଁ ଏବଂ ଜଳରେ ଦ୍ରବଣୀୟ ନୁହେଁ । ତେଣୁ ଉଦ୍‌ଜାନ ମାଧ୍ୟମରେ ବାଷ୍ପୀକରଣ କରିବା ଅନେକ ସ୍ଥାନରେ ବ୍ୟବହୃତ ହୁଏ । ପବନ ବ୍ୟବହାର କଲାବେଳେ ତାହା ବାୟୁମଣ୍ଡଳକୁ ଛାଡ଼ି ଦିଆହୁଏ । କାରଣ ପବନ ପାଇଁ କିଛି ଅର୍ଥ ବ୍ୟୟ ହୁଏନା, କିନ୍ତୁ ଉଦ୍‍ଜାନ ବ୍ୟବହାର କଲେ ତାକୁ ପୁଣି ଥରେ ବ୍ୟବହାର କରିବାର ଉପାୟ ଚିନ୍ତା କରିବା କଥା । ସେଥିପାଇଁ ଉଦ୍‌ଜାନକୁ ସୁରାସାରଠାରୁ ଅଲଗା କରେଇ ଗୋଟିଏ ନଳୀ ବାଟରେ ନେଇ ଆଉ ଥରେ ବ୍ୟବହାର କରାଯାଏ ।

 

ମୋଟାମୋଟିରେ କହିବାକୁ ଗଲେ, ପ୍ରଶୀତକମାନଙ୍କରେ ଯେ କୌଣସି ଗୋଟିଏ ପ୍ରଶୀତକାରୀ (refrigerant) ତରଳ ପଦାର୍ଥ ବ୍ୟବହାର କରାଯାଏ । ଯଥା- ଆମୋନିଆ, ଅଙ୍ଗାରକାମ୍ଳ, ଫ୍ରିଅନ, ସୁରାସାର ଇତ୍ୟାଦି । ଏହି ପ୍ରଶୀତକାରୀ ତରଳ ପଦାର୍ଥମାନଙ୍କର ନିମ୍ନଲିଖିତ ଧର୍ମ ଥିବା ଅବଶ୍ୟକ ।

 

(୧)

ସେମାନଙ୍କର ବାଷ୍ପୀକରଣ ଗୁପ୍ତ ଉଷ୍ଣତା (Latent heat of vapourisation) ବେଶି ହୋଇଥିବ । ଗୁପ୍ତ ଉଷ୍ଣତା ବେଶି ହୋଇଥିଲେ ଏହା ବାଷ୍ପୀକରଣ ସମୟରେ ବେଶି ଉଷ୍ଣତା ଦରକାର କରେ । ତେଣୁ ଏହା ଚାରିପାଖକୁ ଚଞ୍ଚଳ ଥଣ୍ଡା କରିପାରେ ।

(୨)

ସେମାନଙ୍କ ବାଷ୍ପର ଆପେକ୍ଷିକ ଆୟତନ (specific volume) ଅଳ୍ପ ହୋଇଥିବ ! ଆପେକ୍ଷିକ ଆୟତନ ଅଳ୍ପ ହେଲେ ଛୋଟ ଜାଗାରେ ଶୀତଳିକରଣ କରାଯାଇପାରିବ ।

(୩)

ବାଷ୍ପୀକରଣ ସମୟରେ ତା’ର ବାଷ୍ପୀୟ ଚାପ ଯଥେଷ୍ଟ ଥିବା ଦରକାର, ଯେପରିକି ନଳୀରେ କଣା ହୋଇଗଲେ ନଳୀ ଭିତରକୁ ପବନ ପ୍ରବେଶ କରି ପାରିବ ନାହିଁ ।

(୪)

ସେମାନଙ୍କର ତରଳୀକରଣ ସହଜସାଧ୍ୟ ହୋଇଥିବ । ପ୍ରଶୀତକମାନଙ୍କରେ ସାଧାରଣତଃ ନିମ୍ନଲିଖିତ କାର୍ଯ୍ୟ ପ୍ରଣାଳୀ ସଂଘଟିତ ହୋଇଥାଏ ।

 

(୧)

ଗୋଟିଏ ବାଷ୍କକ (evaporator)ରେ ପ୍ରଶୀତକାରୀ ତରଳ ପଦାର୍ଥର ବାଷ୍ପୀକରଣ ହୁଏ । ଏହି ବାଷ୍ପୀକରଣ ଲଘୁଚାପରେ ହୋଇଥାଏ । ବାଷ୍ପୀକରଣ ସମୟରେ ଯେଉଁ ଶୀତଳତା ମିଳେ, ତାହାର ବ୍ୟବହାର କରାଯାଏ । ବର୍ତ୍ତମାନ ବାଷ୍ପୀକୃତ ତରଳ ପଦାର୍ଥର ପୁନର୍ବାର ବ୍ୟବହାର ପାଇଁ ଚିନ୍ତା କରିବା କଥା ।

 

(୨)

ଗୋଟିଏ ସଂପୀଡ଼କ (Compressor) ସାହାଯ୍ୟର ବାଷ୍ପକରୁ ନିର୍ଗତ ବାଷ୍ପକୁ ସଂପୀଡ଼ିତ କିମ୍ବା ଘନୀଭୂତ କରାଯାଏ । ଘନୀଭୂତ କଲାବେଳେ ସ୍ଥିରୋଷ୍ମ (adiabatic) ଉପାୟ ଅବଲମ୍ବନ କରାଯାଏ । ତେଣୁ ଘନୀଭୂତ ବାଷ୍ପର ଉତ୍ତାପ ବୃଦ୍ଧି ହୁଏ ।

 

(୩)

ଏହି ଉତ୍ତପ୍ତ ଏବଂ ଘନୀଭୂତ ବାଷ୍ପ ଗୋଟିଏ ସଂଘନିତ୍ର (condensor)କୁ ଆସେ । ସଂଘନିତ୍ରର ଚାରି ପାଖରେ ସାଧାରଣତଃ ଥଣ୍ଡା ପାଣି କିମ୍ବା ପବନର ସଞ୍ଚାଳନ କରାଯାଇଥାଏ । ବାଷ୍ପର ଉଷ୍ଣତା ଥଣ୍ଡା ପାଣି କିମ୍ବା ପବନ ନେଇଯାଏ ଏବଂ ବାଷ୍ପର ତରଳୀକରଣ ହୁଏ ।

 

(୪)

ଏହି ତରଳ ପଦାର୍ଥକୁ ଗୋଟିଏ ଭାଲ୍‌ଭ (valve) ବାଟରେ ବାଷ୍ପକକୁ ପଠାଯାଏ ଯେଉଁଠି ଏହା ବାଷ୍ପ ଆକାରରେ ପରିଣତ ହୋଇ ବାଷ୍ପକକୁ ଶୀତଳ କରେ ।

 

ଏହିପରି ଭାବରେ ଏହି ବାଷ୍ପକୁ ଉପରଲିଖିତ ଉପାୟରେ ତରଳ କରି ପୁଣି ବ୍ୟବହାର କରାଯାଏ । ବାଷ୍ପକକୁ ବିଭିନ୍ନ ଆକାରର ବାକ୍‌ସ କିମ୍ବା ଆଲମିରା ଭିତରେ ଆବଦ୍ଧ କରାଯାଇଥାଏ, ଯାହା ଫଳରେ ସେ ସବୁର ତାପ ହ୍ରାସ କରାଯାଏ ।

 

ଏହି ପ୍ରକାରର ବିଭିନ୍ନ ରକମର ପ୍ରଶୀତକ ଦ୍ୱାରା ଘରେ ବସି ମେରୁ ପ୍ରଦେଶର ଶୀତଳତା ଅନୁଭବ କରାଯାଇପାରେ । ପ୍ରଶୀତକର ପ୍ରଧାନ ବ୍ୟବହାର ହେଲା ଖାଦ୍ୟ ସାମଗ୍ରୀ ସଂରକ୍ଷଣ । ପ୍ରଥମେ ଖାଦ୍ୟସାମଗ୍ରୀକୁ ବେଶି ଦିନ ରଖିଲେ ପଚିଯାଉଥିଲା, କିନ୍ତୁ ଶୀତଳକାରୀ ଯନ୍ତ୍ରପାତି ସାହାଯ୍ୟରେ ଖାଦ୍ୟ ସାମଗ୍ରୀ ବର୍ଷ ବର୍ଷ ଧରି କୀଟମାନଙ୍କ ପ୍ରକୋପରୁ ରକ୍ଷା କରାଯାଇ ପାରୁଛି, କାରଣ ଥଣ୍ଡାରେ ରଖିଲେ ଖାଦ୍ୟ ସାମଗ୍ରୀ ପଚେ ନାହିଁ । ଯଦିଓ ଆମ ଦେଶରେ ଏହାର ବହୁଳ ପ୍ରଚାର ହୋଇନାହିଁ, ପାଶ୍ଚାତ୍ୟ ଦେଶମାନଙ୍କରେ ଘରେ ଘରେ ଏ ସବୁ ଯନ୍ତ୍ରପାତି ଅଛି । ସେଥିପାଇଁ ବିଶେଷତଃ ଗୃହିଣୀମାନେ, ପ୍ରଶୀତକର ଉଦ୍ଭାବକଙ୍କୁ ମନେମନେ ଧନ୍ୟବାଦ ଦିଅନ୍ତି । ଆଜିକାଲି ବଜାରରୁ ଏକା ଥରକେ ଅନେକ ଜିନିଷ କିଣି ରଖାଯାଇପାରୁଛି ଏବଂ ଇଚ୍ଛା ଓ ସୁବିଧାନୁସାରେ ଅଳ୍ପ ସମୟରେ ମଧୁର ଓ ରୁଚିକର ଖାଦ୍ୟ ସାମଗ୍ରୀ ଦେଇ ଅତିଥିଙ୍କୁ ସନ୍ତୁଷ୍ଟ କରାଯାଇପାରୁଛି ।

 

କେବଳ ସେତିକି ନୁହେଁ, ଏହି ପ୍ରଣାଳୀରେ ଶୀତତାପ ନିୟନ୍ତ୍ରଣ କରାଯାଇପାରୁଛି । ଗରମ ଦିନରେ ଥଣ୍ଡା ଓ ଶୀତ ଦିନରେ ଗରମ ପାଇବା ପାଇଁ କୋଠରି ଭିତରେ ଯଥାକ୍ରମେ ବିଜୁଳି ପଙ୍ଖା ଓ ଇଲେକ୍‌ଟ୍ରିକ୍‌ ହିଟର ଦରକାର ହେଉନି । ସାଧାରଣତଃ ବଡ଼ ବଡ଼ ସହରର ସିନେମା ଘରମାନଙ୍କରେ, ବଡ଼ ବଡ଼ ଅଫିସ୍‌ମାନଙ୍କରେ ଏବଂ ଧନୀଲୋକଙ୍କ ଘରେ ଶୀତ ତାପ ନିୟନ୍ତ୍ରଣ ହେଉଥିବା ଦେଖାଯାଏ ।

 

ଶୀତଳିକରଣ ହେତୁ ବିଭିନ୍ନ ପ୍ରକାରର ଦାମିକା ଔଷଧ ମଧ୍ୟ ସଂରକ୍ଷିତ ହୋଇପାରୁଛି । ଯେଉଁ ଦେଶରେ ପ୍ରଚୁର ଖାଦ୍ୟ ଉତ୍ପାଦନ ହେଉଛି, ସେଇଠୁ ଏହି ଉପାୟରେ ସଂରକ୍ଷିତ ଖାଦ୍ୟବସ୍ତୁ ଅନ୍ୟାନ୍ୟ ଅଭାବଗ୍ରସ୍ତ ଦେଶମାନଙ୍କୁ ପଠାଯାଇ ପାରୁଛି । ଚିଲିକାରୁ ମାଛ ମରାହୋଇ ତାହା ଅନେକ ଦୂରକୁ ପଠେଇ ଦିଆଯାଇ ପାରୁଛି ।

 

ଏ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରଶୀତକ ମାନବ ସମାଜର ବହୁତ ଉପକାର କରୁଛି-। ବର୍ତ୍ତମାନ ଏହା ଆଉ ବିଳାସ ସାମଗ୍ରୀ ହେଇ ରହିନି–ଜୀବିକା ନିର୍ବାହର ଏହା ଅନ୍ୟତମ ସାଥୀ ହୋଇଗଲାଣି । ସଭ୍ୟତା ସଙ୍ଗରେ ତାଳଦେଇ ଚାଲିବାକୁ ହେଲେ ମନେହେଉଛି ପ୍ରଶୀତକର ସ୍ଥାନ ନ୍ୟୂନ ନୁହେଁ । ଭାରତରେ ଏହାର ବହୁଳ ପ୍ରଚାର ନ ହେଲେ ବି ଅନ୍ତତଃ ଏତିକି ସାନ୍ତ୍ୱନା ଆସୁଛି ଯେ ଉଷ୍ଣତା ଆଉ ଅଜେୟ ହୋଇ ରହିନି । ଆଲମିରା ଭିତରେ ମେରୁ ପ୍ରଦେଶକୁ ବାନ୍ଧିରଖି ଆଜି ମଣିଷ ଭାବୁଛି ମେରୁପ୍ରଦେଶ ଦୂରରେ ହେଲେ ବି ଅତି ପାଖରେ ।

Image

 

କିଏ ଗୋ ତୁ ଜ୍ୟୋତିର୍ମୟୀ

 

(ଯେଉଁ ଜାଗାରେ ଦୀର୍ଘ ଛଅମାସ ଧରି ସୂର୍ଯ୍ୟକିରଣ ପଡ଼େ ନାହିଁ ସେ ଜାଗା କୁମ୍ଭକର୍ଣ୍ଣ ଭଳିଆ ଲୋକଙ୍କ ବାସସ୍ଥଳି ବୋଲି ମନେହେବ । କିନ୍ତୁ ସୂର୍ଯ୍ୟୋଦୟ ହୁଏ ନାହିଁ ବୋଲି, ସେ ଜାଗାରେ ଦୀର୍ଘ ଛଅମାସ ଅମା ଅନ୍ଧକାର ରାଜତ୍ୱ କରେ ନାହିଁ । ଯେଉଁ ପ୍ରକୃତି ମେରୁ ପ୍ରଦେଶରେ ଏହି ଦୀର୍ଘ ରଜନୀର କାରଣ, ସେହି ପ୍ରକୃତି ସୂର୍ଯ୍ୟଠୁ ବଳି ସୌନ୍ଦର୍ଯ୍ୟର ସମ୍ଭାର ମେଲି ଦେଇଛି ଏହି ମେରୁ ଦେଶରେ । ସୌନ୍ଦର୍ଯ୍ୟର ସେହି ସମ୍ଭାରକୁ ମେରୁ ଜ୍ୟୋତି ବା ମେରୁ ପ୍ରଭା କହନ୍ତି । ସୂର୍ଯ୍ୟଙ୍କର ଅନୁପସ୍ଥିତିରେ ଏହି ଜ୍ୟୋତିର୍ମୟୀ ବସ୍ତୁ ଯାହା ମେରୁ ପ୍ରଦେଶରେ ଚଳାଚଳ ସମ୍ଭବ କରାଏ, ତା’ଉପରେ ଆଲୋକପାତ କରିବା ଏ ପ୍ରବନ୍ଧର ଲକ୍ଷ୍ୟ ।)

 

ଉଷାର କ୍ଷୀଣ ଆଲୋକ ରେଖା ଦିବସର ଆଗମନୀ ବାର୍ତ୍ତା ଦିଏ । ତା’ପରେ ପ୍ରାଚୀ ଗଗନରେ ରୂପ ଓ ରଙ୍ଗର ସମ୍ଭାର ନେଇ ସୂର୍ଯ୍ୟ ଦେବତା ପୃଥିବୀବାସୀଙ୍କୁ ଦର୍ଶନ ଦିଅନ୍ତି । ସୂର୍ଯ୍ୟ ଦେବତାଙ୍କ ଆଗମନୀବାର୍ତ୍ତା ଦିଏ ବୋଲି ବୈଦିକ ନୀତିରେ ଉଷା ମଧ୍ୟ ପୂଜାର ଅଧିକାର ପାଇଛି । ରୋମାନ୍ ପୁରାଣରେ ଅରୋରା (Aurora) ଏବଂ ଗ୍ରୀକ୍‌ ପୁରାଣରେ ଇଓସ୍ (Eos) ମଧ୍ୟ ଉଷାର ଦେବୀ ବୋଲି ପରିଗଣିତ । ମେରୁ ଜଗତର ଅମା ଅନ୍ଧକାର ସମୟରେ ଆଲୋକର ସମ୍ଭାର ନେଇ ଆସୁଥିବାରୁ ମେରୁଜ୍ୟୋତିକୁ ଦେବପ୍ରେରିତ ବୋଲି ମନେକରାଯାଉଥିଲା - ତେଣୁ ତା’ର ନାମକରଣ ହେଲା ଅରୋରା ବୋଲି । ଉତ୍ତରମେରୁରେ ଏହାକୁ ଆରୋରା ବୋରାଲିସ୍ (Aurora Boralis) ବା ଉତ୍ତରାଲୋକ ଏବଂ ଦକ୍ଷିଣ ମେରୁରେ ଏହାକୁ ଅରୋରା ଅଷ୍ଟ୍ରେଲିସ୍ (Aurora Australis) ବା ଦକ୍ଷିଣାଲୋକ କୁହାଯାଏ ।

 

ମେରୁ ଜ୍ୟୋତି ସାଧାରଣତଃ ଉଚ୍ଚଅକ୍ଷାଂଶରେ ପରିଲକ୍ଷିତ ହୁଏ । ଏହାର ବର୍ଣ୍ଣ ଓ ରୂପ ଏତେ ମନୋମୁଗ୍ଧକର ଯେ ଭୂମଧ୍ୟସାଗରୀୟ କବି ଓ ଲେଖକମାନେ ପୁରୁାକାଳରେ ଏହାର ପ୍ରଶସ୍ତି ଗାନ କରିଛନ୍ତି । ଏହା ନିମ୍ନ ଅକ୍ଷାଂଶରେ ସାଧାରଣତଃ ଦେଖାଯାଏ ନାହିଁ ବୋଲି ପୁରାକାଳରେ ଯଦି ଅକସ୍ମାତ୍ ଏହା ନିମ୍ନ ଅକ୍ଷାଂଶରେ ପରିଲକ୍ଷିତ ହେଉଥିଲା, ଏହାକୁ ଏକ ଅଶୁଭ ଲକ୍ଷଣ ବୋଲି ଦକ୍ଷିଣ ୟୁରୋପୀୟ ଲୋକ ବିଶ୍ୱାସ କରୁଥିଲେ ।

 

ମେରୁ ଜ୍ୟୋତି ଯେଉଁ ସବୁ ଅଞ୍ଚଳରେ ଦେଖାଯାଏ, ତାକୁ ଯୋଗକଲେ ଗୋଟିଏ ବୃତ୍ତାଭାସ (ellipse)ର ଆକାର ହୁଏ । ଉତ୍ତର ଗୋଲାର୍ଦ୍ଧରେ ଏହି ବୃତ୍ତାଭାସର ମଧ୍ୟବିନ୍ଦୁ, ଭୂଗୋଳୀୟ ମେରୁର ୧୦ ଡିଗ୍ରୀ ବ୍ୟବଧାନରେ, ଅର୍ଥାତ୍ ଗ୍ରୀନ୍‌ଲାଣ୍ଡରେ ଅବସ୍ଥିତ । ବୃତ୍ତାଭାସଟି ପଶ୍ଚିମରେ କାନାଡାର ୫୭ ଡିଗ୍ରୀ ଅକ୍ଷାଂଶ ଏବଂ ପୂର୍ବରେ ସାଇବେରିଆର ୭୭ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବିସ୍ତୃତ । ଅନ୍ଧକାର ରାତ୍ରରେ ଏସବୁ ଅଞ୍ଚଳରେ ମେରୁ ଜ୍ୟୋତି ଅତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ।

 

ମେରୁ ଜ୍ୟୋତି ସାଧାରଣତଃ ବିଶେଷ ତେଜିୟାନ୍‌ ନୁହେଁ । ଏହାର ଶ୍ରେଷ୍ଠ ଆଲୋକିତ ସମୟରେ ଜଣେ ଏହି ଆଲୋକରେ ପଢ଼ିପାରିବ । ଏହା ଚନ୍ଦ୍ରକିରଣଠାରୁ ବିଶେଷ ତେଜିୟାନ ଦିଶେ ନାହିଁ । କିନ୍ତୁ ଏହାର ସ୍ଥାନପରିବର୍ତ୍ତନ, ରୂପପରିବର୍ତ୍ତନ ଏବଂ ସର୍ବୋପରି ବର୍ଣ୍ଣପରିବର୍ତ୍ତନ ହେତୁ ଏହା ଅତୀବ ମନୋରମ ।

 

ଦୁଇ ଶତାବ୍ଦୀ ପୂର୍ବରୁ ଆକାଶ ମାର୍ଗର ଏହି ସୁନ୍ଦର ବସ୍ତୁର ଉଚ୍ଚତା ନିରୂପଣ କରିବା ପାଇଁ ଅନେକ ଚେଷ୍ଟା ଚାଲିଛି । କିଛି ମାଇଲ ବ୍ୟବଧାନରେ ଥିବା ଦୁଇଟି ସ୍ଥାନରୁ ଏହାର ଦିଗ ନିର୍ଣ୍ଣୟ କରି ଏହାର ଉଚ୍ଚତା ବାହାର କରାହେଉଥିଲା । ଏବେ ଟେଲିଫୋନ୍‍ ଦ୍ୱାରା ସଂଯୁକ୍ତ ଦୁଇଟି ଜାଗାରୁ ଏକାବେଳକେ ଫଟୋ ଉଠାଇ ଏହାର ଉଚ୍ଚତା ସ୍ଥିର କରାଯାଉଛି । ଏହାର ତଳ ଅଂଶଟି ପୃଥିବୀ ପୃଷ୍ଠରୁ ୬୦ମାଇଲ ଉପରେ ବା ଊର୍ଦ୍ଧ୍ୱରେ ଅବସ୍ଥିତ । ଏହାର ଉପର ଅଂଶ ତଳଅଂଶଠାରୁ କୋଡ଼ିଏ, ତିରିଶ ମାଇଲଠାରୁ ଆରମ୍ଭ କରି ଚାରିଶହ ପାଞ୍ଚଶହ ମାଇଲ ଉପରେ ଅବସ୍ଥିତ ।

 

ଯଦିଓ ସମୟସମୟରେ ଏହା ଆକାର ବିହୀନ ଆଲୋକିତ ବସ୍ତୁପରି ଜଣାପଡ଼େ, ଏହା ବେଳେବେଳେ ଅନେକ ସୁନ୍ଦର ରୂପରେ ମଧ୍ୟ ଦେଖାଦିଏ । ସେମାନଙ୍କ ମଧ୍ୟରୁ ତରଙ୍ଗାୟିତ ଆକାର, ଧନୁର ଆକାର ଏବଂ ପର୍ଦ୍ଦାର ଆକାର ପ୍ରଧାନ । ସେମାନେ ନିଜନିଜର ଆକାର ପରିବର୍ତ୍ତନ କରନ୍ତି, ଦେଖାଦେଇ ପୁଣି ହଠାତ୍ ଅଦୃଶ୍ୟ ହୋଇଯାଆନ୍ତି ଏବଂ ବେଳେବେଳେ ଆକାଶର ଗୋଟିଏ ପାର୍ଶ୍ୱରୁ ଧୀରେ ଧୀରେ ଅନ୍ୟ ପାର୍ଶ୍ୱକୁ ଗତି କରନ୍ତି ।

 

ଅଳ୍ପ ଆଲୋକିତ ମେରୁ ଜ୍ୟୋତି ସାଧାରଣତଃ ରଙ୍ଗହୀନ ଦେଖାଯାଏ, କିନ୍ତୁ ତେଜିୟାନ୍ ମେରୁଜ୍ୟୋତିର ବର୍ଣ୍ଣ ହରିତ୍-ସବୁଜ । ବେଳେବେଳେ ଲୋହିତ, ମାଟିଆ ଓ ବାଇଗଣୀ ବର୍ଣ୍ଣ ମଧ୍ୟ ପରିଦର୍ଶିତ ହୁଏ । ଏହା ନୀଳବର୍ଣ୍ଣରେ କ୍ୱଚିତ୍ ଦେଖାଯାଏ । ଥରେ ଥରେ ହରିତ୍ ସବୁଜ ବର୍ଣ୍ଣ ପର୍ଦ୍ଦାର ନିମ୍ନପାର୍ଶ୍ୱରେ ଲୋହିତ ବର୍ଣ୍ଣର ସମନ୍ୱୟ ହୋଇ ଏହା ଦର୍ଶକର ମନ ହରଣ କରେ ।

 

ଏତ ଗଲା ମେରୁ-ଜ୍ୟୋତିର ରୂପ ଓ ରଙ୍ଗର ବର୍ଣ୍ଣନା । କିନ୍ତୁ କେଉଁ କାରଣରୁ ମେରୁ-ଜ୍ୟୋତିର ଆବିର୍ଭାବ ହୁଏ ଏବଂ କାହିଁକି ଏହା ବିଭିନ୍ନ ରଙ୍ଗରେ ପରିଲକ୍ଷିତ ହୁଏ, ତାହା ଅଳ୍ପ ବହୁତ ସମସ୍ତେ ଜାଣିବା ଉଚିତ । ମେରୁଜ୍ୟୋତିର ପଛରେ ଅଛି ପୃଥିବୀର ଚୁମ୍ବକତ୍ୱ । ପୃଥିବୀ-ଚୁମ୍ବକର ମେରୁଦ୍ୱୟ ଭୂଗୋଳୀୟ ମେରୁଦ୍ୱୟର ସାମାନ୍ୟ ବ୍ୟବଧାନରେ ଅବସ୍ଥିତି । ସୂର୍ଯ୍ୟ ଦ୍ୱାରା ପ୍ରେରିତ ବେଗମାନ ଆବେଶପୂର୍ଣ୍ଣ କଣିକା ପୃଥିବୀ ପୃଷ୍ଠକୁ ଆସିଲାବେଳେ ପୃଥିବୀର ଚୁମ୍ବକକ୍ଷେତ୍ରଦ୍ୱାରା ମେରୁ ଆଡ଼କୁ ବିକ୍ଷେପିତହୁଅନ୍ତି । ଏହି ବେଗମାନ କଣିକା ଏବଂ ବାୟୁମଣ୍ଡଳର ଘର୍ଷଣ ଫଳରେ ବାୟୁମଣ୍ଡଳର ବିଭିନ୍ନ ଗ୍ୟାସ୍ ଉତ୍ତେଜିତ ହୁଅନ୍ତି । ମେରୁଜ୍ୟୋତିର ପଟ୍ଟ (band)ର ଅବସ୍ଥିତି ଏବଂ ନତି (inclination)ରୁ ଜଣାପଡ଼େ ଯେ ଏସବୁ ପୃଥିବୀର ଚୁମ୍ୱକତ୍ୱ ସହିତ ଘନିଷ୍ଟ ଭାବରେ ଜଡ଼ିତ । ଚୁମ୍ୱକ ଝଡ଼ (magnetic storm) ସମୟରେ ପୃଥିବୀର ଚୁମ୍ୱକତ୍ୱରେ ଯେତେବେଳେ ବ୍ୟଘାତ ଆସେ, ସେତେବେଳେ ନିମ୍ନ ଅକ୍ଷାଂଶରେ ମଧ୍ୟ ମେରୁ ଜ୍ୟୋତି ପରିଲକ୍ଷିତ ହୁଏ । ଚୁମ୍ବକ ଝଡ଼ ସମୟରେ ଟେଲିଫୋନ, ତାର ଏବଂ ବିଦ୍ୟୁତ ସରବରାହରେ ମଧ୍ୟ ବ୍ୟାଘାତ ଘଟେ । ଅମ୍ଳଜାନ ଏବଂ ଯବକ୍ଷାରଜାନର ବର୍ଣ୍ଣ କ୍ରମ ସହିତ ମେରୁ ଜ୍ୟୋତିର ବର୍ଣ୍ଣର ସମ୍ପର୍କ ଅଛି । ମେକ୍‌ଲେନାନ୍ (melenhan)ଙ୍କ ମତରେ ପାରମାଣବିକ ଅମ୍ଳଜାନ ମେରୁଜ୍ୟୋତିର ହରିତ୍‌ସବୁଜ ରଙ୍ଗ ପାଇଁ ଦାୟୀ । ସୂର୍ଯ୍ୟର ଅଲ୍‌ଟ୍ରାଭାୟୋଲେଟ୍‌ ରଶ୍ମିର ପତନରେ ଅମ୍ଳଜାନ ଅଣୁ ତା’ର ପରମାଣୁ ଅବସ୍ଥାକୁ ପ୍ରରିବର୍ତ୍ତିତ ହୁଏ । ଲୋହିତ ରଙ୍ଗ ପାଇଁ ପାରମାଣବିକ ଅମ୍ଳଜାନ କିମ୍ୱା ଆଣବିକ ଯବକ୍ଷାରଜାନ ଦାୟୀ ।

 

ଆଜି ସୁଦ୍ଧା ମେରୁଜ୍ୟୋତି ଉପରେ ନାନାଦି ଗବେଷଣା ଚାଲିଛି । ମେରୁଜ୍ୟୋତିର ବିଭିନ୍ନ ରୂପ ସମ୍ବନ୍ଧରେ ବର୍ତ୍ତମାନ ସୁଦ୍ଧା କିଛି ସଠିକ୍ ଭାବରେ ଜଣାପଡ଼ିନାହିଁ । ନ୍ୟୁୟର୍କ ନଗରୀରେ ମେରୁ ପ୍ରଭା ଉଷା ସଦୃଶ ଚକ୍ରବାଳରେ ତେଜିୟାନ ହୋଇ ଆବିର୍ଭୂତ ହୁଏ ଏବଂ ଉପରକୁ ଧୀରେ ଧୀରେ ତା’ର ଆଲୋକ ହ୍ରାସପାଏ । ଗୋଟିଏ ଜାଗାରେ ବର୍ଷକରେ ଏହି ରଙ୍ଗ ବେରଙ୍ଗ ପ୍ରାକୃତିକ ଉପହାରର କେତେ ଥର ଆବିର୍ଭାବ ହୁଏ । ସେ ବିଷୟରେ ବିଜ୍ଞାନବିତ୍‌ ଫ୍ରିଜ୍‌ (Fritz) ଗବେଷଣା କରିଛନ୍ତି । ମେରୁଜ୍ୟୋତିର ରଙ୍ଗରୁ ଉଚ୍ଚରେ ଅବସ୍ଥିତ ବାୟୁମଣ୍ଡଳର ବିଭିନ୍ନ ଗ୍ୟାସ୍‌ର ଅନୁପାତ ବିଷୟରେ ଜାଣିହେଉଛି ।

 

ଏହି ମେରୁଜ୍ୟୋତିର ବର୍ଣ୍ଣ ଓ ରୂପ ଯେତେ କମନୀୟ ଏହାର ବୈଜ୍ଞାନିକ ଗବେଷଣା ମଧ୍ୟ ସେତେ ଆବଶ୍ୟକୀୟ । ପୃଥିବୀର ଚୁମ୍ବକତ୍ୱ ଏବଂ ଉଚ୍ଚ ବାୟୁମଣ୍ଡଳର ଗଠନ ଉପରେ ମେରୁଜ୍ୟୋତି ବହୁତ ଆଲୋକପାତ କରିଛି । ଆଧୁନିକ ଗବେଷଣା ମେରୁଜ୍ୟୋତି ତଥା ତତ୍‌ସମ୍ପର୍କୀୟ ଅନେକ ରହସ୍ୟ ଉଦ୍‌ଘାଟନ କରିପାରିଛି । ତେଣୁ ମେରୁଜ୍ୟୋତି କେବଳ ଏକ ଜ୍ୟୋତିର୍ମୟୀ ସୁସଜ୍ଜିତ ସୁନ୍ଦର ବସ୍ତୁ ନୁହେଁ, ଏହା ବିଜ୍ଞାନବିତ୍‌ମାନଙ୍କର ଗବେଷଣାର ଆଧାର ମଧ୍ୟ-

Image

 

ରୂପେଲି ପର୍ଦ୍ଦାର ମୂଳକଥା

 

(ଶୀତତାପନିୟନ୍ତ୍ରିତ ସିନେମା ହଲ୍‌ରେ ବସି ମଣିଷ ଦୈହିକ ଶ୍ରାନ୍ତି ଏବଂ ମାନସିକ କ୍ଲାନ୍ତି ଭୁଲି ଯିବାକୁ ସମର୍ଥ ହୁଏ । ଆଖି ସାମନାରେ ରୂପେଲି ପର୍ଦ୍ଦାରେ ନିଜର ଈପ୍‌ସିତ ନାୟକ ନାୟିକାର ଅଙ୍ଗଭଙ୍ଗୀ ଦେଖି ଏବଂ କେଉଁ ବିଖ୍ୟାତ ଗାୟିକାର ବୀଣାଜିଣା କଣ୍ଠସ୍ୱର ଶୁଣି ସେ ଭୁଲିଯାଏ ନିଜର ଦୁଃଖ । ସିନେମା ମାଧ୍ୟମରେ ରାଜନୈତକ ପ୍ରଚାର ଚାଲେ, ବ୍ୟବସାୟୀର ବିଜ୍ଞାପନର ସୁଅ ଛୁଟେ, ସୁନ୍ଦର ସାମାଜିକ ସମସ୍ୟା କେବେ କେବେ ରୂପେଲି ପର୍ଦ୍ଦାରେ ଫୁଟିଉଠି ଦର୍ଶକକୁ ଶିକ୍ଷା ବିତରଣ କରେ, ଆଉ କେବେ ବା କେଉଁ ଏକ କୁତ୍ସିତ ମନୋଭାବର ପ୍ରଚାର କରି ସମାଜର କ୍ଷତି ଘଟାଏ । ସାମାଜିକ ଭଲମନ୍ଦର ଅବତାରଣା ନକରି ଚଳଚ୍ଚିତ୍ର-ବିଜ୍ଞାନ ଆଗେଇ ଚାଲିଛି । ଆଧୁନିକ ଜୀବନରେ ବିଶେଷ ପ୍ରାଧାନ୍ୟ ଲାଭ କରିଥିବା ସେହି ଚଳଚ୍ଚିତ୍ରର କ୍ରମବିକାଶ ଉପସ୍ଥାପନ କରିବା ଏ ପ୍ରବନ୍ଧର ଲକ୍ଷ୍ୟ ।)

 

ମଣିଷ ମନର ଆବେଗକୁ ପ୍ରଦର୍ଶନ କରିବା ପାଇଁ ଲିଖିତ ଏବଂ କଥିତ ଭାଷା ସଙ୍ଗେ ସଙ୍ଗେ କାବ୍ୟ, ଉପନ୍ୟାସ, ନାଟକ, ଚିତ୍ରଣ ଇତ୍ୟାଦିର କ୍ରମବିକାଶ ହେବାକୁ ଲାଗିଲା । ଏବେ ସେହି ଆବେଗ ପ୍ରଦର୍ଶନ ପାଇଁ ଆଉ ଏକ ଉପାଦାନ ବ୍ୟବହୃତ ହେଉଛି । ତାହା ହେଲା ରୂପେଲି ପର୍ଦ୍ଦା ।

 

ଚଳଚ୍ଚିତ୍ର ବିଷୟ ବୁଝିବା ପାଇଁ ପ୍ରଥମେ ଚିତ୍ରର ଚଳାଚଳ ବିଷୟ ବିଚାର କରିବା ଉଚିତ-। କୌଣସି ବସ୍ତୁକୁ ଆମ ଆଖି ସାମନାରୁ ଦୂରେଇ ନେଲା ପରେ ମଧ୍ୟ ତା’ର ପ୍ରତିବିମ୍ବ ଆମ ଆଖି ଭିତରେ ସେକେଣ୍ଡର ଏକ ଦଶମାଂଶ ପର୍ଯ୍ୟନ୍ତ ରହେ । ଏହାକୁ ଦୃଷ୍ଟି ଅବଲମ୍ବନ (Persistance of vision) ବୋଲି କହନ୍ତି । ତେଣୁ ପ୍ରଥମ ଚିତ୍ର ଦେଖିବାର ୧/୧୦ ସେକେଣ୍ଡ ପୂର୍ବରୁ ଯଦି ଦ୍ୱିତୀୟ ଚିତ୍ର ଦେଖାଯାଏ ତାହାହେଲେ ଉଭୟ ଚିତ୍ର ମଧ୍ୟରେ ନିରନ୍ତରତା ଥିଲା ଭଳି ଜଣାଯିବ । ଏ ସମ୍ବନ୍ଧୀୟ ବୈଜ୍ଞାନିକ ତଥ୍ୟ ପ୍ରଥମେ ଲଣ୍ଡନର ରୟେଲ୍‌ ସୋସାଇଟିରେ ଉପସ୍ଥାପନ କରିଥିଲେ ପିଟର ମାର୍କ ରୋଗେଟ୍‌ ୧୮୨୪ରେ । ତା’ପରେ ଗବେଷଣାର ସୁଅ ଛୁଟିଲା ଚିତ୍ରର ଚଳାଚଳ ଅବସ୍ଥା ଫୁଟାଇବା ପାଇଁ ।

 

ଲିଓନାର୍ଡୋ ଡାଭିନ୍‌ସିଙ୍କ ସମୟରୁ ଫଟୋଗ୍ରାଫ ବିଦ୍ୟାର ଧୀର କ୍ରମବିକାଶ ଆରମ୍ଭ ହୋଇଥିଲା । ୧୮୭୦ରେ କୋଲେମାନ୍‌ ସେଲର୍ସ ନାମକ ଜଣେ ପିଲାଡ଼େଲ୍‌ ଫିଆର ମେକାନିକେଲ୍‌ ଇଞ୍ଜିନିୟର ନିଜର ପୁଅମାନଙ୍କର ଫଟଶ୍ରେଣୀ (series of photograph) ନେଇ ଚିତ୍ରର ଚଳନ୍ତି ଅବସ୍ଥା ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ । ସେହି ଫଟୋ ଗୁଡ଼ିକ ଗୋଟିଏ ଚକର ବିଭିନ୍ନ ପାତିଆରେ ବନ୍ଧା ହୋଇଥିଲା । ଚକ ଘୂରିଲାବେଳେ ଚିତ୍ରର ଚଳନ୍ତି ପ୍ରଭାବ ସୃଷ୍ଟି ହେଉଥିଲା । ଏହି ଯନ୍ତ୍ରକୁ ଚଳଚ୍ଚିତ୍ର ପ୍ରଦର୍ଶକ ବୋଲି ପେଟେଣ୍ଟ କରାଗଲା । ଫଟୋଗ୍ରାଫି ସେତେବେଳେ ନ୍ୟୂନ ଧରଣର ଥିଲା । ଫଟୋ ଉଠାଇବା ପାଇଁ ପ୍ଲେଟ୍‍କୁ ଅନେକ ସମୟ ପର୍ଯ୍ୟନ୍ତ ଆଲୁଅରେ ବସ୍ତୁ ସାମନାରେ ରଖିବାକୁ ପଡ଼ୁଥିଲା, ତେଣୁ ଚଳାଚଳର ସଠିକ୍‌ ଧାରଣା କରି ହେଉନଥିଲା । ଏପରି ଭାବରେ ଚଳଚ୍ଚିତ୍ରର କ୍ରମବିକାଶ ହେବାକୁ ଲାଗିଲା । ଫଟୋଗ୍ରାଫିର ଅଗ୍ରଗତି ସଙ୍ଗେ ସଙ୍ଗେ ଚଳଚ୍ଚିତ୍ରର ଉନ୍ନତି ମଧ୍ୟ ହେବାକୁ ଲାଗିଲା । ୧୮୮୭ରେ ଥୋମାସ୍‌ ଏଡ଼ିସନ୍‌ ଗୋଟିଏ ଢୋଲରେ ସର୍ପିଳ (Spiral) ଆକାରରେ ଅନେକ ଛୋଟ ଛୋଟ ଚିତ୍ର ରଖି ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ । ଢୋଲର ଘୂର୍ଣ୍ଣନରେ ଚିତ୍ରର ଚଳନ୍ତି ଅବସ୍ଥା ପ୍ରଦର୍ଶନ ଅନୁମେୟ ହେଲେ ସୁଦ୍ଧା ଏହା ବିଶେଷ ଫଳପ୍ରଦ ହେଲାନାହିଁ । ପରେ ସେ ଜର୍ଜ ଇଷ୍ଟମେନ୍‌ଙ୍କ ଫଟୋଗ୍ରାଫି ଫିଲ୍ମ ବ୍ୟବହାର କରି ଫଟୋ ଉତ୍ତୋଳନ କଲେ ଏବଂ ଚିତ୍ରର ଚଳନ୍ତି ପ୍ରଭାବ ଦକ୍ଷତାର ସହିତ ପ୍ରଦର୍ଶନ କରିପାରିଲେ ।

 

ଏହି ସବୁ ପ୍ରଦର୍ଶକ ଯନ୍ତ୍ରରେ ଥରକେ କେବଳ ଜଣେ ଦେଖିବାର ସୁବିଧା ଥିଲା । ଗୋଟିଏ ଯବକାଚ ଏବଂ ଆଲୋକ ବର୍ତ୍ତିକା ଭିତର ଦେଇ ଫଟୋ ରିଲ୍‌ ଗତି କଲାବେଳେ ଚଳଚ୍ଚିତ୍ରର ଧାରଣା ହେଉଥିଲା ।

 

ଧୀରେ ଧୀରେ ଗୋଟିଏ ନାଟକକୁ ଚଳଚ୍ଚିତ୍ର ମାଧ୍ୟମରେ ରୂପେଲି ପର୍ଦ୍ଦାରେ ପ୍ରକ୍ଷେପ କରିବାପାଇଁ ଲୋକଙ୍କର ଇଚ୍ଛା ହେଲା । ୧୯୦୭ରେ ଡେଭିଡ୍‌ ଓ୍ୟାର୍କ ଗ୍ରିଫିଥ୍‌ ନାମକ ଜଣେ ଆମେରିକାନ୍ ନିର୍ଦ୍ଦେଶକ ଚଳଚ୍ଚିତ୍ରକୁ ରୂପେଲି ପର୍ଦ୍ଦାରେ ପ୍ରଦର୍ଶନ କରିବା ଦିଗରେ ଗୋଟିଏ ନୂତନ ପ୍ରଣାଳୀ ବାହାରକଲେ । ବେନ୍‌ହୁର’ ନାମକ ଏକ ଷୋଳରିଲ୍‌ ବିଶିଷ୍ଟ ଚଳଚ୍ଚିତ୍ର ୧୯୦୭ରେ ନିର୍ମିତ ହୋଇ ରୂପେଲି ପର୍ଦ୍ଦାରେ କାହାଣୀସମ୍ପନ୍ନ ଚଳଚ୍ଚିତ୍ରର ଇତିହାସ ସୃଷ୍ଟି କଲା । ଏସବୁ ଚଳଚ୍ଚିତ୍ରରେ କଥାବାର୍ତ୍ତା ଫୁଟେଇ ହୋଇ ପାରୁ ନ ଥିଲା, ତେଣୁ ଏହା ରଙ୍ଗମଞ୍ଚପରି ଲୋକପ୍ରିୟ ହୋଇ ପାରି ନଥିଲା । ଭାରତର ପ୍ରଥମ ନିର୍ବାକ ଚଳଚ୍ଚିତ୍ର ହେଉଛି, ‘ରାଜା ହରିଶ୍ଚନ୍ଦ୍ର’, ଯାହା ୧୯୨୨ରେ ପ୍ରସ୍ତୁତ ହୋଇଥିଲା ।

 

ଏହିପରି ନିର୍ବାକ ଚଳଚ୍ଚିତ୍ର ପ୍ରଦର୍ଶନ ୧୯୨୬ ପର୍ଯ୍ୟନ୍ତ ଚାଲୁ ରହିଲା । ଆମେରିକାର ଓ୍ୟାର୍‌ନର୍‌ ବ୍ରଦର୍ସ ଚଳଚ୍ଚିତ୍ର ଅନୁଷ୍ଠାନ ଡନ୍‌ଜୁଆନ୍‌ ନାମକ ଚିତ୍ରରେ ୧୯୨୬ରେ ପ୍ରଥମ ଥର ପାଇଁ ସଙ୍ଗୀତ ଫୁଟେଇଥିଲେ । ଏହି ସଙ୍ଗୀତ ସବୁ ଗ୍ରାମୋଫୋନ୍‌ ରେକର୍ଡରେ ଅଲଗା ବାଜୁଥିଲେ ମଧ୍ୟ ଚିତ୍ରସହିତ ସମକ୍ରମିକ ଭାବରେ ଚାଲୁଥିଲା । ତା’ ପରବର୍ଷ ‘ଦି ଜାଜ୍‌ସିଙ୍ଗର’ ନାମକ ଚଳଚ୍ଚିତ୍ରରେ ବାର୍ତ୍ତାଳାପ ମଧ୍ୟ ଫୁଟେଇ ହୋଇଥିଲା । ଭାରତର ପ୍ରଥମ ବାର୍ତ୍ତାଳାପ ସଂଯୁକ୍ତ ଚଳଚ୍ଚିତ୍ର ହେଉଛି ‘ଆଲମ୍‌ଆରା’ ।

 

କ୍ରମେ କ୍ରମେ ପୃଥିବୀର ବିଭିନ୍ନ ରାଜ୍ୟରେ ଚଳଚ୍ଚିତ୍ରର ଉନ୍ନତି ହେବାକୁ ଲାଗିଲା । ଚଳଚ୍ଚିତ୍ରର ଉନ୍ନତି ପାଇଁ ଫଟୋ ଉତ୍ତୋଳନ, ଶବ୍ଦ ଗ୍ରହଣ, ଆଲୋକପାତ, ରୂପସଜ୍ଜା, ଅଭିନୟ, କାହାଣୀ ଏବଂ ସର୍ବୋପରି ନିର୍ଦ୍ଦେଶନାର ଉନ୍ନତି ନିହାତି ଦରକାର । ଫଟୋ ଉଠେଇବା ପାଇଁ ଅତ୍ୟାଧୁନିକ ଧରଣର କ୍ୟାମେରା ବାହାରିଲାଣି; ତା’ ସାଙ୍ଗକୁ ରଙ୍ଗବେରଙ୍ଗ ଛବି ଉଠେଇବା ସମ୍ଭବ ହେଲାଣି । ଆହୁରି ମଧ୍ୟ ଫଟୋ ଉଠାଇବା ସମୟରେ କ୍ୟାମେରାକୁ ଗତିଶୀଳ କରି ନୂତନ ସଫଳତା ଲାଭ କରାହୋଇଛି । ଏହାଦ୍ୱାରା ବିଭିନ୍ନ ଅଭିନେତା ଅଭିନେତ୍ରୀଙ୍କର ବିଭିନ୍ନ ଦୂରତ୍ୱକୁ ପ୍ରତିପାଦନ କରିବାକୁ ଯଥେଷ୍ଟ ସୁବିଧା ହେଉଛି । ଆଲୋକ ସଜ୍ଜା ଏବଂ ରୂପ ସଜ୍ଜା ମଧ୍ୟ ଫଟୋ ଉତ୍ତୋଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏ ସବୁ ଦିଗରେ ମଧ୍ୟ ଯଥେଷ୍ଟ ଉନ୍ନତି ହୋଇଛି ଏବଂ ଜଣେ ପ୍ରକୃତ ଲୋକର ଅଂଶ କରିଥିବା ଜଣେ ଅଭିନେତା ଅବିକଳ ପ୍ରକୃତ ଲୋକ ଭଳି ସଜେଇବାରେ ଦକ୍ଷତା ହାସଲ କରାଯାଇ ପାରିଛି । ନାଟକ ଏବଂ ସିନେମାରେ କ୍ୟାମେରାର ଆଖିରେ ଯେମିତି ଦିଶେ ସେମିତି ଦେଖାଯାଏ–ତେଣୁ ଗୋଟିଏ ଦୃଶ୍ୟ କିମ୍ବା ଘଟଣାର ସତ୍ୟତା ରୂପେଲି ପର୍ଦ୍ଦାରେ ପ୍ରତିପାଦନ କରିବାକୁ ହେଲେ ଫଟୋ ଉତ୍ତୋଳନ ପ୍ରତି ବିଶେଷ ଦୃଷ୍ଟିଦେବା ଉଚିତ୍‌ ।

 

ଫଟୋ ଉତ୍ତୋଳନ ଭଳି ଶବ୍ଦ ଗ୍ରହଣ ମଧ୍ୟ ସିନେମାର ଏକ ପ୍ରଧାନ ଅଙ୍ଗ । ଏବେ ଫିଲ୍ମରେ ଫଟୋ ଉଠାହୋଇ ଶବ୍ଦଗ୍ରହଣ କରାଯାଉଛି । ନେପଥ୍ୟରୁ ଗୀତ ଗାଇ ମଧ୍ୟ ପର୍ଦ୍ଦା ଉପରେ ଗାଇବାର ପ୍ରଭାବ ଦେଖେଇ ହେଉଛି । ଫିଲ୍ମରେ ଶବ୍ଦର ଫଟୋ ଉଠାଇବା ନିମ୍ନଲିଖିତ ଆକାରରେ ବୁଝାଯାଇପାରେ । ମାଇକ୍ରୋଫୋନ୍‌ ସାମନାରେ କଥାବାର୍ତ୍ତା କଲେ ବାର୍ତ୍ତାବିଦ୍ୟୁତ୍‌ (Speech Current) ଉତ୍ପାଦନ ହୁଏ । ତାକୁ ଗୋଟିଏ ବିଦ୍ୟୁତ୍‌ ଚୁମ୍ବକରେ ବ୍ୟବହାର କରି ସେଇଠି ତାରତମ୍ୟ ଜନିତ ଚୁମ୍ବକତ୍ୱ ଉତ୍ପାଦନ କରାଯାଏ । ଗୋଟିଏ ଫାଟ (Sit)ର ଗୋଟିଏ ଅଙ୍ଗରେ ଏହି ତାରତମ୍ୟଜନିତ ଚୁମ୍ବକତ୍ୱ କମ୍ପନ ସୃଷ୍ଟି କରେ । ତେଣୁ ଫାଟ ବାଟରେ ବିଭିନ୍ନ ସମୟରେ ବିଭିନ୍ନ ପରିମାଣର ଆଲୋକ ନିଃସୃତ ହୋଇ ଗତିଶୀଳ ଫିଲ୍ମରେ ପଡ଼େ । ତେଣୁ ଏହି ଗତିଶୀଳ ଫିଲ୍ମରେ ଶବ୍ଦପଥ (Sound track)ର ଛବି ଅଙ୍କିତ ହୁଏ । ସିନେମା ଫିଲ୍ମର କଡ଼ରେ ଅଙ୍କାବଙ୍କା ଭାବରେ ଥିବା ରେଖା ତା’ର ଶବ୍ଦପଥ ଅଟେ । ଏହି ଶବ୍ଦପଥ ବିଭିନ୍ନ ଜାଗାରେ ବିଭିନ୍ନ ମାତ୍ରାରେ ସ୍ୱଚ୍ଛ । ତେଣୁ ଫିଲ୍ମକୁ ସିନେମା ହଲ୍‌ରେ ଦେଖାଇଲାବେଳେ ଏହି ଗତିଶୀଳ ତାରତମ୍ୟଜନିତ ସ୍ୱଚ୍ଛ ଶବ୍ଦପଥ ଦେଇ ଯେତେବେଳେ ଆଲୋକପାତ ହୁଏ, ବିଭିନ୍ନ ସମୟରେ ବିଭିନ୍ନ ମାତ୍ରାର ଆଲୋକ ନିଃସୃତ ହୁଏ । ଏହି ଆଲୋକ ଏକ ଆଲୋକ ବିଦ୍ୟୁତ୍‌ କୋଷରେ ନିପତିତ ହୁଏ ଏବଂ ବିଦ୍ୟୁତ୍‌ ପ୍ରବାହ ସୃଷ୍ଟି କରେ । ଏହି ବିଦ୍ୟୁତ୍‌ ପ୍ରବାହ ଆମର ପୂର୍ବ ଆଲୋଚିତ ବାର୍ତ୍ତାବିଦ୍ୟୁତ୍‌ର ଅନୁରୂପ । ଏହି ବାର୍ତ୍ତାବିଦ୍ୟୁତ୍‌କୁ ଡାକବାଜି ଯନ୍ତ୍ରରେ ବଜେଇ ଶବ୍ଦର ପୁନରୁତ୍ପାଦନ କରାଯାଏ । ଏ ହେଲା ଶବ୍ଦ ଗ୍ରହଣ ଓ ପୁନରୁତ୍ପାଦନର ଏକ ସରଳ ବିନ୍ୟାସ । ଏଣୁ ଆଲୋକ ରୂପେଲି ପର୍ଦ୍ଦାରେ ପଡ଼ି ଚଳଚ୍ଚିତ୍ରର ଆଭାସ ଦେଲାବେଳେ ଶବ୍ଦପଥରୁ ନିଃସୃତ ଆଲୋକ ତତ୍‌ ସଙ୍ଗେ ସଙ୍ଗେ ଶବ୍ଦର ପୁନରୁତ୍ପାଦନ କରୁଥିବାରୁ ଦର୍ଶକ ଏବଂ ଶ୍ରୋତା ଉଭୟଙ୍କ କାର୍ଯ୍ୟ ଏକା ସାଙ୍ଗରେ ସମ୍ପାଦିତ ହୁଏ ।

 

ଏହା ସଙ୍ଗେ ସଙ୍ଗେ ଅଭିନୟ, କାହାଣୀ, ସଂଳାପ ଏବଂ ନିର୍ଦ୍ଦେଶନାର ସମନ୍ୱୟ ହୋଇ ଚଳଚ୍ଚିତ୍ର ପୂର୍ଣ୍ଣାଙ୍ଗ ହୋଇଉଠେ । ରଙ୍ଗମଞ୍ଚରେ ଅଭିନୟ ଏବଂ ସିନେମାରେ ଅଭିନୟ କରିବା ଭିତରେ ଯଥେଷ୍ଟ ପାର୍ଥକ୍ୟ ରହିଛି । ରଙ୍ଗମଞ୍ଚରେ ଥରେ ବାହାରିଲା ପରେ ଯଦି କୌଣସି ଭୁଲ୍ ହୁଏ ତାହା ଭୁଲ୍ ହୋଇ ରହିଯାଏ । କିନ୍ତୁ ଚଳଚ୍ଚିତ୍ରରେ ଗୋଟିଏ ଦୃଶ୍ୟର ପ୍ରତ୍ୟେକ ଅଂଶ ଭଲ ନ ହେବା ପର୍ଯ୍ୟନ୍ତ ଫଟୋ ଉଠା ହେଉଥାଏ, କଟା ହେଉଥାଏ । ତେଣୁ ଅକସ୍ମାତ ଭୁଲ୍ ହେବାର ସମ୍ଭାବନା ଚଳଚ୍ଚିତ୍ରରେ ଉଠେନାହିଁ । ସେଥିପାଇଁ ଚଳଚ୍ଚିତ୍ର ଦେଖିବାକୁ ଯେତେ ଭଲଲାଗେ, ଚଳଚ୍ଚିତ୍ର ଉଠା ହେଉଥିବା ଦେଖିବାକୁ ସେତିକି କଦର୍ଯ୍ୟ ଲାଗେ, କାରଣ ସେହି ସେହି ଜିନିଷ ବେଳେବେଳେ କୋଡ଼ିଏ ପଚିଶଥର ନାକଚ ହୋଇଥିବାର ଦୃଷ୍ଟାନ୍ତ ଅଛି ।

 

ଚଳଚ୍ଚିତ୍ର ଜଗତରେ ଉନ୍ନତିର ବାରିଧାରା ବର୍ଷଣ ହେଲା ବେଳେ, ତାକୁ କ୍ଷାନ୍ତ କରିବାପାଇଁ ବାହାରିଲା ଟେଲିଭିଜନ । ସେଥିପାଇଁ ସିନେମାର ଉନ୍ନତି ବିଭିନ୍ନ ଦୃଷ୍ଟି କୋଣରୁ ଲାଗିଲା ଟେଲିଭିଜନ ସହିତ ପ୍ରତିଯୋଗିତା କରିବା ପାଇଁ । ଗୋଟିଏ ପର୍ଦ୍ଦାରେ କେବଳ ଦୁଇଟି ପ୍ରସାର (dimension) ପ୍ରତିପାଦିତ ହୋଇପାରେ; କିନ୍ତୁ ରଙ୍ଗମଞ୍ଚରେ ତିନୋଟି ପ୍ରସାର ପ୍ରତିପାଦିତ ହୁଏ । କାରଣ ରଙ୍ଗମଞ୍ଚରେ ଦୁଇଟି ଆଖି ସାହାଯ୍ୟରେ ଧାରଣା ମିଳେ, କିନ୍ତୁ ପର୍ଦ୍ଦାର କ୍ୟାମେରାର ଗୋଟିଏ ଆଖି ବାଟରେ ଯାହା ଗ୍ରହଣ କରାହୋଇଛି ସେହି ଧାରଣା ମିଳେ । ତିନି ପ୍ରସାର ଯୁକ୍ତ ସିନେମା ପ୍ରଦର୍ଶନ ପାଇଁ ଗବେଷଣା ଚାଲିଲା । ଦୁଇଟି କ୍ୟାମେରାକୁ ଚକ୍ଷୁର ବ୍ୟବଧାନରେ ରଖି ଗୋଟିଏ ଜିନିଷର ଫଟ ଉଭୟ ଦ୍ୱାରା ଏକ ସାଙ୍ଗରେ ବିଭିନ୍ନ ରଙ୍ଗର ଆଲୁଅରେ କିମ୍ବା ବିଭିନ୍ନ ଧ୍ରୁବିତ (polarised) ଆଲୁଅରେ ଉଠାହୁଏ । ଉଦାହରଣ ସ୍ୱରୂପ ଗୋଟିଏ ଛବି ହଳଦିଆ ଏବଂ ଅନ୍ୟଟି ନାଲିଆ ରଙ୍ଗରେ ଉଠାହୁଏ । ଏହି ଯୁଗ୍ମ ଚିତ୍ରର ତିନି ପ୍ରସାର ଯୁକ୍ତ ଅନୁଭୂତି ପାଇବା ପାଇଁ ଦର୍ଶକକୁ ଗୋଟିଏ ଚଷମା ବ୍ୟବହାର କରିବାକୁ ପଡ଼େ, ଯାହାର ଗୋଟିଏ ପଟରେ ହଳଦିଆ କାଚ ଏବଂ ଅନ୍ୟ ପଟରେ ଲାଲ୍‍କାଚ । ସେ ଗୋଟିଏ ଆଖିରେ କେବଳ ନାଲିଆ ରଙ୍ଗରେ ଉଠାହୋଇଥିବା ଛବି ଏବଂ ଅନ୍ୟ ଆଖିରେ ହଳଦିଆ ରଙ୍ଗର ଛବି ଦେଖିପାରେ । ଉଭୟ ଆଖିର ଅନୁଭୂତିର ସମ୍ମିଶ୍ରଣ ତିନିପ୍ରସାର ଯୁକ୍ତ ଅନୁଭୂତି ସୃଷ୍ଟି କରେ । ଧୃବିତ ଆଲୋକ ବ୍ୟବହାର କରି ଏହିପରି ତିନି ପ୍ରସାର ବିଶିଷ୍ଟ ଫଟୋ ଉତ୍ତୋଳନ ଯଥେଷ୍ଟ ଉନ୍ନତ ଧରଣର ହେଲାଣି ।

 

ଉପରୋକ୍ତ ଉପାୟରେ ତିନିପ୍ରସାରର ଅନୁଭୂତି ଆସିଲେ ମଧ୍ୟ ପ୍ରତ୍ୟେକଙ୍କୁ ଚଷମା ପିନ୍ଧିବାକୁ ପଡ଼ୁଥିବାରୁ ଅସୁବିଧା ମନେହୁଏ । ତେଣୁ ଏହି ତିନିପ୍ରସାରର ଅନୁଭୂତି ପାଇଁ ସିନେରାମା (Cinerama) ବ୍ୟବହୃତ ହେଲାଣି । ସାଧାରଣ ଚଳଚ୍ଚିତ୍ରକୁ ଯଦି କୋଠରିକୁ ଗୋଟିଏ ଛିଦ୍ର ଦେଇ ଦେଖିବା ସହିତ ତୁଳନା କରାଯାଏ, ସିନେମା ହେଲା କୋଠରି ଭିତରେ ଥାଇ କୋଠରିକୁ ଦେଖିବା ସଦୃଶ । ଏହା ପ୍ରଥମେ ଫ୍ରେଡ୍‌ଓ୍ୟାଲର ନାମକ ସ୍ୱନାମଧନ୍ୟ ଚଳଚ୍ଚିତ୍ର ବିଜ୍ଞାନବିତ୍‌ କଳ୍ପନା କରିଥିଲେ । ତିନୋଟି ସମକ୍ରମିକ (Synchronised) କ୍ୟାମେରାରେ ଏକା ସଙ୍ଗରେ ତିନୋଟି ଅଲଗା ଅଲଗା ଫିଲ୍ମରେ ଫଟ ଉଠାହୁଏ ଏବଂ ତିନୋଟି କ୍ଷେପକ (Projector)ଦ୍ୱାରା ଏକାସାଙ୍ଗରେ ଗୋଟିଏ ଅବତଳ ପର୍ଦ୍ଦାରେ ନିକ୍ଷେପ କରାଯାଏ । ପର୍ଦ୍ଦାର ବକ୍ରତା ଦର୍ଶନେନ୍ଦ୍ରିୟରେ ତିନିପ୍ରସାରର ପ୍ରଭାବ ପକାଏ । ଏହି ପଦ୍ଧତିରେ ନିର୍ମିତ ପ୍ରଥମ ଚିତ୍ର ‘ଦିସ୍‌ ଇଜ୍‌ ସିନେରାମା’ (This is Cinerama) ନ୍ୟୁୟର୍କରେ ସେପ୍‌ଟେମ୍ବର ୩୦, ୧୯୫୨ରେ ପ୍ରଦର୍ଶିତ ହୋଇଥିଲା-। ଏହି ପଦ୍ଧତିରେ ନିର୍ମିତ ଚିତ୍ର ପ୍ରକୃତ ଜିନିଷଠାରୁ ମଧ୍ୟ ପ୍ରକୃତତର ଦେଖାଯାଏ । ଏହା ହେଲା ସିନେରାମାର ବିଶେଷତ୍ୱ ।

 

ତା’ ସାଙ୍ଗକୁ ବାହାରିଲା ସିନେମାସ୍କୋପ୍‌ (Cinema Scope) ଏହି ପ୍ରଣାଳୀରେ ସିଲିଣ୍ଡିକେଲ ଯବକାଚ ବ୍ୟବହାର କରି ଗୋଟିଏ ବଡ଼ ଦୃଶ୍ୟକୁ ସଙ୍କୁଚିତ କରି ଫଟୋ ଉଠାହୁଏ । ଏହି ସଙ୍କୁଚିତ ଛବିକୁ କ୍ଷତିପୂରକ (Compensting) ଯବକାଚ ବ୍ୟବହାର କରି କ୍ଷେପକଦ୍ୱାରା ୬୮ ଫୁଟ୍ ଓସାର ଏବଂ ୨୪ ଫୁଟ୍ ଉଚ୍ଚ ସାମାନ୍ୟ ଅବତଳ ପର୍ଦ୍ଦାରେ ନିକ୍ଷେପ କରି ପରିବର୍ଦ୍ଧିତ କରାହୁଏ । ନିଜ ଆଖିରେ ଦେଖିଲେ ଗୋଟିଏ ଘଟଣା ଯେମିତି ପ୍ରକୃତ ଜଣାଯାଏ, ସିନେମାସ୍କୋପ୍‌ ସାହାଯ୍ୟରେ ସେହି ଅନୁଭୂତି ମିଳେ । ଏହି ପଦ୍ଧତିରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ର ‘ଦି ରୋବ୍‌’ (The Robe) ନ୍ୟୁୟର୍କର ରକ୍‌ସି ପ୍ରେକ୍ଷାଳୟରେ ସେପ୍‌ଟେମ୍ବର ୧୬, ୧୯୫୩ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ।

 

ଏସବୁ ସହିତ ସମ୍ମିଳିତ ହେଲା ଦୂରତ୍ୱଭେଦୀ ଶବ୍ଦପ୍ରଣାଳୀ (Sterophonic sound system) । ଏହି ପ୍ରଣାଳୀରେ ତିନିପ୍ରସାର ବିଶିଷ୍ଟ ଶବ୍ଦ ଗ୍ରହଣର ଅନୁଭୂତି ମିଳେ । ବିଭିନ୍ନ ମାଇକ୍ରୋଫୋନ୍‌ରେ ଶବ୍ଦ ଗ୍ରହଣ କରି ବିଭିନ୍ନ ଦୂରତ୍ୱରେ ରଖା ହୋଇଥିବା ଡାକବାଜି ଯନ୍ତ୍ରମାନଙ୍କରେ ଶବ୍ଦ ପ୍ରଚାର କରିବା ହେଲା ଏ ପ୍ରଣାଳୀର ସାରକଥା । ନାଟକ ଦେଖିଲାବେଳେ ପାଖର ଓ ଦୂରର ଶବ୍ଦ ଭିତରେ ଯେମିତି ପାର୍ଥକ୍ୟ ଜଣାପଡ଼େ, ଏହି ପ୍ରଣାଳୀରେ ମଧ୍ୟ ସେମିତି ଜଣାପଡ଼େ ।

 

ଏସବୁ ସଙ୍ଗେ ସଙ୍ଗେ ଓ୍ୟାଲଟ ଡିସ୍‌ନିଙ୍କ ନେତୃତ୍ୱରେ କାର୍ଟୁନ ଚିତ୍ରର ମଧ୍ୟ ବହୁଳ ପ୍ରଚାର ଚାଲିଛି । ଏସବୁ କାରଣରୁ ଚଳଚ୍ଚିତ୍ର ଆଧୁନିକ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିବସିଛି । ଚଳଚ୍ଚିତ୍ର ମାଧ୍ୟମରେ ଧନୀ ଦରିଦ୍ର ସମସ୍ତେ ନିଜନିଜର ଇପ୍‌ସିତ ଆମୋଦର ସନ୍ଧାନ ପାଇ ପାରୁଛନ୍ତି । ପୃଥିବୀର ବିଭିନ୍ନ ଦେଶ ସେମାନଙ୍କ କଳା ସ୍ଥାପତ୍ୟ ଅନ୍ୟମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିପାରୁଛନ୍ତି । ଚଳଚ୍ଚିତ୍ର ମାଧ୍ୟମରେ ସାହିତ୍ୟର ସେବା ମଧ୍ୟ କରାଯାଇପାରୁଛି । କାର୍ଯ୍ୟବହୁଳ ଆଧୁନିକ ସମାଜରେ ମଣିଷର ସାହିତ୍ୟ ଚର୍ଚ୍ଚା କରିବାର ସମୟ ନ ଥିଲେ ବି ଚଳଚ୍ଚିତ୍ର ସାହାଯ୍ୟରେ ତାହା କରିବାକୁ ସକ୍ଷମ ହେଉଅଛି । ତା’ ସଙ୍ଗେ ସଙ୍ଗେ ବିଜ୍ଞାପନର ବହୁଳ ଅପପ୍ରଚାର ମଧ୍ୟ ଚାଲିଛି ।

 

ଆଜି ବାଟରେ ଘାଟରେ ରୂପେଲି ପର୍ଦ୍ଦାର ଚର୍ଚ୍ଚା ଚାଲିଛି । କିଏ କହୁଛି ଭଲ, କିଏ କହୁଛି ମନ୍ଦ । କିନ୍ତୁ ଚଳଚ୍ଚିତ୍ର ବିଜ୍ଞାନ ଏକମୁହାଁ ହୋଇ ତା’ର ଉନ୍ନତି ପଥରେ ଚାଲି ଲାଗିଛି । ଚଳଚ୍ଚିତ୍ର ସଦୁପଯୋଗ ହେଉ ବା ଦୁରୁପଯୋଗ ହେଉ ଗବେଷଣାଗାରରେ ଚଳଚ୍ଚିତ୍ରର ଉନ୍ନତି ଲାଗି ଗବେଷଣା ଚାଲିଛି – ଚାଲିବ ମଧ୍ୟ ।

Image

 

ଆଧୁନିକ ବାର୍ତ୍ତାବହ: ବେତାର ତରଙ୍ଗ

 

(ଚା ସହିତ ସିଗାରେଟ୍‌–ତା’ ସହିତ ରେଡ଼ିଓର ମଧୁର ସଙ୍ଗୀତ ଶୁଣିଲା ବେଳେ ଆମେ ହଠାତ୍‌ ଅନୁଭବ କରିପାରୁନାହିଁ ଯେ ରେଡ଼ିଓ ବିଂଶଶତାବ୍ଦୀର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଭାବନ । ଆହୁରି ମଧ୍ୟ ରେଡ଼ିଓରୁ ମଧୁର ସଙ୍ଗୀତ ଶୁଣିଲାବେଳେ ସାଧାରଣ ମଣିଷ ବେତାର ତରଙ୍ଗର ଜଟିଳତା ବିଷୟରେ ଅଜ୍ଞ ଥାଏ । ସେହି ଜଟିଳତାକୁ ଭେଦକରି ରେଡ଼ିଓର ରହସ୍ୟକୁ ହୃଦୟଙ୍ଗମ କରିବାକୁ ଇଚ୍ଛା କଲେ ମଧ୍ୟ ସେ ହଠାତ୍‌ ଉପାୟହୀନ ହୋଇପଡ଼େ, କାରଣ ରେଡ଼ିଓର ଜଟିଳତାକୁ ସରଳ କରିବା ପାଇଁ ଉପାଦାନ ତା’ର ପାଖରେ ନ ଥାଏ । ଯେଉଁ ଲକ୍ଷ ଲକ୍ଷ ରେଡ଼ିଓ ଶ୍ରୋତା ବେତାର ତରଙ୍ଗର ଜଟିଳତା ସମ୍ବନ୍ଧରେ ଜାଣନ୍ତି ନାହିଁ ସେମାନଙ୍କୁ କିଛି ଧାରଣା ଦେବା ଏ ପ୍ରବନ୍ଧର ଲକ୍ଷ୍ୟ ।)

 

ପୁରାକାଳରୁ ବାର୍ତ୍ତାବହର କାର୍ଯ୍ୟ ଏକ ଆବଶ୍ୟକୀୟ କାର୍ଯ୍ୟ ବୋଲି ବିବେଚିତ ହୋଇଆସିଛି । ରାଜ୍ୟ ରାଜ୍ୟ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ବାର୍ତ୍ତାବହର କାର୍ଯ୍ୟ କରୁଥିଲା ରାଜଦୂତ । କେବେ ଅବା ବିରହବିଧୁର ଯକ୍ଷ ମେଘମାଳା ମାଧ୍ୟମରେ ତା’ର ପ୍ରେୟସୀ ପାଖକୁ ପ୍ରେରଣ କରୁଥିଲା ପ୍ରଣୟ ଚିଟାଉ । ସେ କାଳରେ ବିଜ୍ଞାନର ଅଗ୍ରଗତି ଘଟିନଥିଲା - ତେଣୁ ବାର୍ତ୍ତାବହର କାର୍ଯ୍ୟ ସାଧାରଣତଃ ମଣିଷକୁ କରିବାକୁ ହେଉଥିଲା । ବାର୍ତ୍ତାବହର କାର୍ଯ୍ୟ କୁକୁର, ପାରା ପ୍ରଭୃତି ଗୃହପାଳିତ ପଶୁପକ୍ଷୀମାନେ କରୁଥିବାର ଦୃଷ୍ଟାନ୍ତ ବି ଅଛି । ଏସବୁ ପୁରୁଣାକାଳିଆ ବାର୍ତ୍ତା ପ୍ରେରଣ ପନ୍ଥା ଏବେ ବି ବେଳେବେଳେ ଅନୁସରଣ କରାହେଉଛି । କିନ୍ତୁ ବହୁତ ଦୂରକୁ ଅତି ଅଳ୍ପ ସମୟରେ ବାର୍ତ୍ତା ପ୍ରେରଣ କରିବା ପୁରାକାଳରେ ସମ୍ଭବ ହୋଇ ପାରୁନଥିଲା । ବାର୍ତ୍ତାପ୍ରେରଣର କ୍ରମବିକାଶ ପ୍ରାୟ ସମସ୍ତଙ୍କୁ ଜଣା । ଶେରସାହଙ୍କ ଘୋଡ଼ାପିଠିରେ ଚିଠି ପଠେଇବାଠୁ ଆରମ୍ଭକରି ଆଜିକାଲିର ଡାକଘର ଦେଇ ବାର୍ତ୍ତାପ୍ରେରଣ ପ୍ରଣାଳୀର ଯଥେଷ୍ଟ ଉନ୍ନତି ଘଟିଛି । କିନ୍ତୁ ଘୋଡ଼ା ପିଠିରେ ହେଉ ବା ବ୍ୟୋମଯାନରେ ହେଉ, ଚିଠି ପଠେଇବା କିମ୍ବା ବାର୍ତ୍ତା ପଠେଇବା ସାଧାରଣ ସମ୍ବାଦ ପାଇଁ ଚଳନୀୟ ହେଲେ ମଧ୍ୟ; ଜରୁରି ସମ୍ବାଦ ପାଇଁ ଉପଯୋଗୀ ନୁହେଁ । ସେଥିପାଇଁ ବାହାରିଲା ତାର (Telegraph) ଏବଂ ତାର ବ୍ୟବହାରକରି ଗୋଟାଏ ଜାଗାରୁ ଅନ୍ୟ ଏକ ଜାଗାକୁ ବିଦ୍ୟୁତ୍‌ ବେଗରେ ବାର୍ତ୍ତାପ୍ରେରଣ କରିବା ସମ୍ଭବ ହେଲା । ଏହି ଉପାୟରେ ଖବର ପଠାଇ ବିଦ୍ୟୁତ୍‌ର ବେଗ ହାସଲ କରିପାରିଲେ ମଧ୍ୟ ଗୋଟିଏ ଜାଗାରୁ ଆଉ ଗୋଟିଏ ତାରଦ୍ୱାରା ସଂଯୋଗ କରାହେଉଥିବାରୁ ଏହା ଶ୍ରମ ଓ ବ୍ୟୟସାପେକ୍ଷ ହେଲା । ତଥାପି ଏହାର ଦକ୍ଷ କାର୍ଯ୍ୟକାରିତା ହେତୁ ଏହା ଏ ପର୍ଯ୍ୟନ୍ତ ବହୁଳ ଭାବରେ ଡାକ ବିଭାଗରେ ବ୍ୟବହୃତ ହେଉଛି ।

 

ଅନେକ ଦିନ ପର୍ଯ୍ୟନ୍ତ ଗବେଷଣା ଚାଲିଲା ତାରର ବିନା ସାହାଯ୍ୟରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଖବର ପଠେଇବାପାଇଁ । ଏ ଦିଗରେ ପ୍ରଥମେ ବିଜୟଲାଭ କଲେ ଭାରତୀୟ ବିଜ୍ଞାନବିତ୍‌ ଜଗଦୀଶ ଚନ୍ଦ୍ର ବୋଷ ଏବଂ ଇତାଲୀୟ ବିଜ୍ଞାନବିତ୍‌ ମାର୍କୋନି । ଉଭୟେ ସ୍ୱାଧୀନତାଭାବରେ ଗବେଷଣା କରି ପ୍ରମାଣ କରି ଦେଖେଇଦେଲେ ଯେ ବେତାର ତରଙ୍ଗ ସାହାଯ୍ୟରେ ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଖବର ପଠାଯାଇପାରେ ।

 

ଏହି ନୂତନ ଧରଣର ବାର୍ତ୍ତାବହ ବିଷୟରେ ଜାଣିବାକୁ ହେଲେ ଆମକୁ ଦୁଇଟା ଜିନିଷ ଜାଣିବାକୁ ହେବ– ବାର୍ତ୍ତାପ୍ରେରଣ ପ୍ରଣାଳୀ ଏବଂ ବେତାର ତରଙ୍ଗ ଜରିଆରେ ପ୍ରେରିତ ବାର୍ତ୍ତାକୁ ଗ୍ରହଣ କରିବା ପ୍ରଣାଳୀ । କେବଳ ସେତିକି ନୁହେଁ, ତା’ ସାଙ୍ଗକୁ ବେତାର ତରଙ୍ଗ ପ୍ରେରକ ପାଖରୁ ଯାଇ କିପରି ଭାବରେ ଗ୍ରାହକ ପାଖରେ ପହଞ୍ଚେ ସେ ବିଷୟ ମଧ୍ୟ ଜାଣିବାକୁ ପଡ଼ିବ ।

 

କୌଣସି ରେଡ଼ିଓ ଷ୍ଟେସନରେ ଯାହା ଘଟେ ତାକୁ ନିମ୍ନଲିଖିତ ଭାବରେ ବୁଝାଯାଇପାରେ । ମାଇକ୍ରୋଫୋନ୍‌ ସାମନାରେ କଥା କହିଲେ କିମ୍ବା ଗୀତ ଗାଇଲେ ବାର୍ତ୍ତାବିଦ୍ୟୁତ୍‌ର (Speech Current) ସୃଷ୍ଟି ହୁଏ । ଆମେ ଯେତେବେଳେ କଥାବାର୍ତ୍ତା କରୁଁ ବାୟୁରେ କମ୍ପନ ସୃଷ୍ଟିହୁଏ–ତା’ ସଙ୍ଗେ ସଙ୍ଗେ ମାଇକ୍ରୋଫୋନ୍‌ର ତନୁପଟ (diaphragm)ର ମଧ୍ୟ କମ୍ପନ ହୁଏ । ଏହି କମ୍ପନ ହେତୁ ଏହା ମାଇକ୍ରୋଫୋନ୍‌ର ସ୍ଥାୟୀ ଅଂଶ ସହିତ ବିଭିନ୍ନ ଦୂରତ୍ୱ ରଖେ । ବିଭିନ୍ନ ଦୂରତ୍ୱ ହେତୁ ଏହା ବିଭିନ୍ନ ବୈଦ୍ୟୁତିକ ପ୍ରତିରୋଧ (electrical resistance) ପ୍ରଦର୍ଶନ କରେ - ତେଣୁ ବିଭିନ୍ନ ଅନୁପାତର ବିଦ୍ୟୁତ୍‌ଧାରା ପ୍ରବାହିତ ହୁଏ । ଏହି ବିଭିନ୍ନ ଅନୁପାତର ବିଦ୍ୟୁତ୍‌ଧାରା (varying current) ବକ୍ତାର କଥା କହିବା ସହିତ ସଂପୃକ୍ତ; ତେଣୁ ଏହାକୁ ବାର୍ତ୍ତାବିଦ୍ୟୁତ୍‌ କୁହାଯାଏ ।

 

ଏହି ବାର୍ତ୍ତାବିଦ୍ୟୁତ୍‌ ତରଙ୍ଗକୁ ବେତାର ତରଙ୍ଗ ସହିତ ଭାଲଭ (valve) ଦ୍ଵାରା ମିଶ୍ରଣ କିମ୍ବା ମୂଚ୍ଛନା (modulation) କରାଯାଏ । ଏହି ମୂର୍ଚ୍ଛନାୟିତ ପରେ ବାର୍ତ୍ତା ବିଦ୍ୟୁତ୍‌ଜନିତ ତରଙ୍ଗ ଏବଂ ବେତାର ତରଙ୍ଗ ଏକତ୍ର ହୋଇ ବିଦ୍ୟୁତ୍‌ ନିକ୍ଷେପକ ଏରିଏଲ୍‌ଦ୍ୱାରା ସର୍ବତ୍ର ନିକ୍ଷିପ୍ତ ହୁଏ ।

 

ଏହି ତରଙ୍ଗ ହେଲା ଆମର ବେତାର ତରଙ୍ଗ; କାରଣ ବିନା ତାର ସାହାଯ୍ୟରେ ଏହା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପଠାଯାଇପାରେ । ଏହା ବିଦ୍ୟୁତ୍‌ର ଗତି ଅର୍ଥାତ୍‌ ସେକେଣ୍ଡକୁ ଏକଶହ ଛୟାଅଶୀ ହଜାର ମାଇଲ ଗତି କରେ ।

 

ବେତାର ତରଙ୍ଗ ସବୁ କୌଣସି ଧାତବ ପଦାର୍ଥରେ ବାଧାପ୍ରାପ୍ତ ହେଲେ ଇଲେକ୍‌ଟ୍ରନ୍‌ର ସଞ୍ଚାର ହୁଏ, ତେଣୁ ବିଦ୍ୟୁତ୍‌ପ୍ରବାହର ସୃଷ୍ଟି ହୁଏ । ଏହି କମ୍ପନଯୁକ୍ତ ବୈଦ୍ୟୁତିକ ତରଙ୍ଗ (oscillating electric wave) ପ୍ରତ୍ୟାବର୍ତ୍ତୀ କିମ୍ବା ଦ୍ୱିଦିଗବାହୀ (alternating) ବିଦ୍ୟୁତ୍‌ ପ୍ରବାହ ସୃଷ୍ଟି କରେ । ଏକା ସାଙ୍ଗରେ ଆସୁଥିବା ବାର୍ତ୍ତାବିଦ୍ୟୁତ୍‌ ତରଙ୍ଗ ଏବଂ ବିଦ୍ୟୁତ୍‌ ଚୁମ୍ବକ ବେତାର ତରଙ୍ଗକୁ ରେଡ଼ିଓର ଭାଲ୍‌ଭ କିମ୍ବା ସ୍ଫଟିକ ସାହାଯ୍ୟରେ ପୃଥକ୍‌ କରାଯାଏ । ଏବେ ସ୍ଫଟିକମାନଙ୍କର ବହୁଳ ବ୍ୟବହାର ଟ୍ରାଞ୍ଜିଷ୍ଟରମାନଙ୍କରେ ପରିଲକ୍ଷିତ ହୁଏ । ଟ୍ରାଞ୍ଜିଷ୍ଟର ବ୍ୟବହାର ଫଳରେ ଅତି ଛୋଟ ଆକାରର ବେତାର ଗ୍ରାହକ ତିଆରି କରିହେଉଛି ଏବଂ ଏହାଦ୍ୱାରା ବିଦ୍ୟୁତ୍‌ ଶକ୍ତିର ଖର୍ଚ୍ଚ ମଧ୍ୟ ଅଳ୍ପ ହେଉଛି ।

 

ଉପରୋକ୍ତ ଭାବରେ ପ୍ରେରକ ପାର୍ଶ୍ୱରେ ଯେପରି ବାର୍ତ୍ତା ବିଦ୍ୟୁତ୍‌ର ସୃଷ୍ଟି ହୋଇଥିଲା, ଗ୍ରାହକ ନିକଟରେ ମଧ୍ୟ ସେପରି ବାର୍ତ୍ତାବିଦ୍ୟୁତ୍ ମିଳିଥାଏ । ଏହାକୁ ପ୍ରବର୍ଦ୍ଧକ (amplifier)ଦ୍ୱାରା ବର୍ଦ୍ଧିତ କରାଯାଇ ଡାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରାଯାଏ । ଏହି ପରିବର୍ତ୍ତନଶୀଳ ବାର୍ତ୍ତାବିଦ୍ୟୁତ୍‌ ଗୋଟିଏ ବିଦ୍ୟୁତ୍‌ ଚୁମ୍ବକରେ (electro-magnet) ଚୁମ୍ବକତ୍ୱ ସୃଷ୍ଟି କରେ । ତେଣୁ କହିବା ଲୋକର କଥା ଅନୁସାରେ ବିଦ୍ୟୁତ୍‌ ଚୁମ୍ବକ ବିଭିନ୍ନ ମାତ୍ରାର ଚୁମ୍ବକତ୍ୱ ପ୍ରାପ୍ତ ହୁଏ । ଏହି ଚୁମ୍ବକଦ୍ୱାରା ଗୋଟିଏ ତନୁପଟରେ କମ୍ପନ ସୃଷ୍ଟି କରାଯାଏ ଏବଂ ଏହି କମ୍ପନ ହେତୁ ଶବ୍ଦର ଉତ୍ପାଦନ ହୁଏ । ଏହିପରି ଭାବରେ ଶବ୍ଦଶକ୍ତି ବିଭିନ୍ନ ରୂପରେ ରୂପାୟିତ ହୋଇ ଶେଷରେ ପୁଣି ଶବ୍ଦ ଆକାରରେ ରେଡ଼ିଓରୁ ବାଜିଉଠେ ।

 

ଆମର ବେତାର ତରଙ୍ଗ ହେଉଛି ଆଲୋକ ଭଳିଆ ବିଦ୍ୟୁତ୍ ଚୁମ୍ବକ ତରଙ୍ଗ, କିନ୍ତୁ ଏହାର ତରଙ୍ଗ ଦୈର୍ଘ୍ୟ ବେଶି, ତେଣୁ ଏହା ଅଦୃଶ୍ୟ । ବେତାର ତରଙ୍ଗର ଦୈର୍ଘ୍ୟ କେତେ ମିଟରରୁ ଆରମ୍ଭ କରି କେତେ କିଲୋମିଟର ପର୍ଯ୍ୟନ୍ତ ଅଟେ । ଯଦି ବେତାର ତରଙ୍ଗକୁ ଦେଖିହେଉଥାନ୍ତା ତାହାହେଲେ ଆଧୁନିକ ବେତାର ଅନୁଷ୍ଠାନର ସଂଖ୍ୟା ଏତେ ବେଶି ଯେ ଆମେମାନେ ବେତାର ତରଙ୍ଗ ଛଡ଼ା ଅନ୍ୟ କିଛି ଦେଖିପାରନ୍ତେ ନାହିଁ । ଆମେ ରେଡ଼ିଓରେ ୧୬ମିଟରରେ ଯଦି କୌଣସି ଷ୍ଟେସନକୁ ଗ୍ରହଣ କରୁଁ, ତାହାହେଲେ ସେହି ଷ୍ଟେସନରୁ ନିର୍ଗତ ହେଉଥିବା ବେତାର ତରଙ୍ଗର ତରଙ୍ଗଦୈର୍ଘ୍ୟ ୧୬ମିଟର ।

 

ବର୍ତ୍ତମାନ ମନରେ ପ୍ରଶ୍ନ ଉଠିପାରେ ଯେ ବାୟୁମଣ୍ଡଳରେ ଅସଂଖ୍ୟ ତରଙ୍ଗ ଥିଲେ ସୁଦ୍ଧା କିପରି ଭାବରେ ଈପ୍‌ସିତ ତରଙ୍ଗକୁ ଗ୍ରହଣ କରାଯାଏ ? ପଦାର୍ଥ-ବିଜ୍ଞାନରେ ଅନୁବାଦ (resonance) ନାମକ ଗୋଟିଏ କ୍ରିୟା ଅଛି । ଯେତେବେଳେ ଦୁଇଟି ସ୍ପନ୍ଦନଯୁକ୍ତ ବସ୍ତୁର ସ୍ପନ୍ଦନହାର ସମାନ ହୁଏ, ସେତେବେଳେ ଅନୁନାଦ ହୁଏ ଏବଂ ଅନୁନାଦ ଯୋଗୁଁ କମ୍ପନମାତ୍ରା ବୃଦ୍ଧିପାଏ । ତେଣୁ ରେଡ଼ିଓର ସମସ୍ୱର ଯନ୍ତ୍ର (tuner)କୁ ବୁଲେଇ ବୁଲେଇ ଆମେ କଟକ, ଦିଲ୍ଲୀ କିମ୍ବା ବିବିଧଭାରତୀ ଖୋଜିବା ହେଉଛି ଏଇ ଅନୁନାଦ ସୃଷ୍ଟି କରିବା । ଗୋଟିଏ ଜାଗାରେ ଗୋଟିଏ ସ୍ପନ୍ଦନହାର ପାଇଁ ବୈଦ୍ୟୁତିକ ଅନୁନାଦର ସୃଷ୍ଟି ହୁଏ, ତେଣୁ ଉକ୍ତ ଜାଗାରେ କେବଳ ସେହି ସ୍ପନ୍ଦନହାର ବିଶିଷ୍ଟ ବେତାର ତରଙ୍ଗକୁ ଗ୍ରହଣ କରିହୁଏ । ଆନ୍ତର୍ଜାତିକ ଆଇନ ଅନୁସାରେ ବିଭିନ୍ନ ରେଡ଼ିଓ ଷ୍ଟେସନର ସ୍ପନ୍ଦନହାର ବିଭିନ୍ନ ଥିବାରୁ ସେଗୁଡ଼ିକୁ ଭିନ୍ନ ଭିନ୍ନ ଜାଗାରେ ରେଡ଼ିଓରେ ଗ୍ରହଣ କରାଯାଇପାରେ । ଅବଶ୍ୟ ଦ୍ୱିତୀୟ ମହାଯୁଦ୍ଧ ସମୟରେ ଗୋଟିଏ ଦେଶର ଖବରକୁ କାଟିବାପାଇଁ ଶତ୍ରୁ ଦେଶରୁ ସେହି ସ୍ପନ୍ଦନ ହାରରେ ଗୋଳମାଳର ସୃଷ୍ଟି କରାଯାଇ ଖବରକୁ ଗ୍ରହଣ ପାଇଁ ଅଯୋଗ୍ୟ କରାଯାଉଥିଲା ।

 

ମୋଟାମୋଟି ଏ ହେଲା ବେତାର ତରଙ୍ଗ ପ୍ରେରଣ ଓ ଗ୍ରହଣ ପ୍ରଣାଳୀ । କିନ୍ତୁ ତା’ ସାଙ୍ଗକୁ ଆଉ କେତେକ କଥା ନ ଜାଣିଲେ ବେତାର ତରଙ୍ଗ ବିଷୟରେ ବିଶେଷ କିଛି ଜାଣିଲା ଭଳିଆ ମନେହେବ ନାହିଁ । କ୍ଷୁଦ୍ର ତରଙ୍ଗ (short wave) ଗ୍ରହଣ କଲାବେଳେ ଦେଖାଯାଏ ଯେ ସମସ୍ୱର ଯନ୍ତ୍ର ଠିକ୍ ଜାଗାରୁ ସାମାନ୍ୟ ଏପଟ ସେପଟ ହେଲେ କିଛି ଶୁଣାଯାଏ ନାହିଁ । କିନ୍ତୁ ମଧ୍ୟମ (medium) ଏବଂ ଦୀର୍ଘ (long) ତରଙ୍ଗ ଗ୍ରହଣ କଲାବେଳେ ଠିକ୍ ଜାଗାରୁ ସାମାନ୍ୟ ଏପଟସେପଟ ହେଲେ ଶବ୍ଦମାତ୍ରା ଟିକିଏ କମିଗଲେ ମଧ୍ୟ ଶୁଣିବାରେ ବିଶେଷ ଅସୁବିଧା ହୁଏ ନାହିଁ-। ଏହାର କାରଣ ହେଉଛି ଯେ କ୍ଷୁଦ୍ର ତରଙ୍ଗ ସମୂହ ସ୍ଥୂଳ ଭାବରେ ସମସ୍ୱରିତ (sharply tuned) ଏବଂ ମଧ୍ୟମ ଓ ଦୀର୍ଘ ତରଙ୍ଗ ସମୂହ ସ୍ଥୂଳ ଭାବରେ ସମସ୍ୱରିତ (flatly tuned) ।

 

କ୍ଷୁଦ୍ର ତରଙ୍ଗ ସମୂହକୁ ବହୁତ ଦୂରକୁ ପଠାଯାଇ ପାରେ, କିନ୍ତୁ ଦୀର୍ଘ ତରଙ୍ଗମାନଙ୍କୁ ବେଶି ଦୂରକୁ ପଠାଯାଇ ପାରେନାହିଁ, କାରଣ କ୍ଷୁଦ୍ର ତରଙ୍ଗମାନ ଅଧିକ ଶକ୍ତିସମ୍ପନ୍ନ । ମଧ୍ୟମ ଓ ଦୀର୍ଘ ତରଙ୍ଗମାନେ ହେଭିସାଇଡ଼ ମଣ୍ଡଳ (Heavy side layer)ରୁ ପ୍ରତିଫଳିତ ହୋଇଯାନ୍ତି । ତେଣୁ ନିକଟ ପ୍ରତିଫଳନ ଫଳରେ ଉପରୋକ୍ତ ତରଙ୍ଗମାନେ ବେଶି ଦୂର ଯାଇପାରନ୍ତି ନାହିଁ । ତେଣୁ ଏ ସବୁ ପୃଥିବୀ ପୃଷ୍ଠରେ ସଞ୍ଚାରିତ ହୁଅନ୍ତି । ପୃଥିବୀ ବର୍ତ୍ତୁଳାକାର ହୋଇଥିବାରୁ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଦୀର୍ଘ ତରଙ୍ଗ ବହୁତ ଦୂର ପର୍ଯ୍ୟନ୍ତ ପ୍ରେରଣ କରିହୁଏ ନାହିଁ । ଅପର ପାର୍ଶ୍ଵରେ କ୍ଷୁଦ୍ର ତରଙ୍ଗ ସମୂହ ହେଭିସାଇଡ଼୍ ମଣ୍ଡଳ ଅତିକ୍ରମ କରି ଏପଲ୍‍ଟନ୍ ମଣ୍ଡଳ (Appleton layer) ପର୍ଯ୍ୟନ୍ତ ପ୍ରାୟ ମାଇଲ ଊର୍ଦ୍ଧ୍ୱକୁ ଯାଇ ପ୍ରତିଫଳିତ ହୁଅନ୍ତି । ତେଣୁ ପ୍ରତିଫଳନ ଯୋଗୁ ଏମାନେ ପୃଥିବୀର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ପହଞ୍ଚିପାରନ୍ତି ।

 

ସ୍ୱଚାଳିତ ଶବ୍ଦମାତ୍ରା ପରିଚାଳନା

(Automatic Volume Control)

 

ରେଡ଼ିଓ ଶୁଣିଲା ବେଳେ, ଶବ୍ଦମାତ୍ରା ପରିଚାଳକ (Volume controller)କୁ ନମୋଡ଼ିଲେ ମଧ୍ୟ ଶବ୍ଦମାତ୍ରାର ତୀବ୍ରତାରେ ତାରତମ୍ୟ ପରିଲକ୍ଷିତ ହୁଏ । ବଦ୍ୟୁତ୍ ଭୋଲ୍‌ଟର ସାମାନ୍ୟ ଏପଟ ସେପଟକୁ ବାଦ୍ ଦେଲେ, ମଧ୍ୟମ ଓ ଦୀର୍ଘ ତରଙ୍ଗ ପାଇଁ ଏହି ତାରତମ୍ୟ ଅନୁମାନ କରିହୁଏନା । କିନ୍ତୁ କ୍ଷୁଦ୍ର ତରଙ୍ଗ ପାଇଁ ଏହି ତାରତମ୍ୟ ବିଶେଷ ଭାବରେ ପରିଲକ୍ଷିତ ହୁଏ । ଏହାର କାରଣ ହେଉଛି ବ୍ୟତୀକରଣ (interference) । ସିଧା ଭାବରେ ଆସୁଥିବା ତରଙ୍ଗ ସହିତ ଆୟନମଣ୍ଡଳ (Ionosphere)ରେ ପ୍ରତିଫଳିତ ତରଙ୍ଗର ବ୍ୟତିକରଣ ହେତୁ ବେଳେବେଳେ ବିଦ୍ୟୁତ୍ ଗ୍ରାହକ (aenal) ବିଦ୍ୟୁତ୍ ପ୍ରବାହର ମାତ୍ରାର କ୍ଷୟ ଓ ବୃଦ୍ଧି ହୁଏ । ତେଣୁ ବାକିସବୁ ପରିସ୍ଥିତି ସମାନ ଥିଲେ ସୁଦ୍ଧା ଶବ୍ଦର ତୀବ୍ରତାର କ୍ଷୟ ଓ ବୃଦ୍ଧି ହେବାରୁ ଶୁଣିବାକୁ ଭଲ ଲାଗେନା । ଏଥିଯୋଗୁଁ ରେଡ଼ିଓ ଖରାପ ବୋଲି ଭାବିବା ଉଚିତ୍ ନୁହେଁ; କାରଣ କ୍ଷୁଦ୍ର ତରଙ୍ଗ ବ୍ୟବହାର କଲେ ବ୍ୟତୀକରଣ ଧର୍ମ ଯୋଗୁଁ ଏହା ଘଟିବା ସ୍ୱଭାବିକ । କିନ୍ତୁ ଭଲ ରେଡ଼ିଓ ସେଟ୍‌ରେ ସ୍ୱଚାଳିତ ଶବ୍ଦମାତ୍ରା ପରିଚାଳନା (automatic volume Control)ର ବ୍ୟବସ୍ଥା ଥିବାରୁ ଏହି ଦୋଷ ଅନେକ ପରିମାଣରେ ଦୂର କରିହୋଇଛି । ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ୍ ଗ୍ରାହକରେ ବିଦ୍ୟୁତ୍‌ମାତ୍ରା କମ୍ ହେଲେ ଆପେ ଆପେ ବେଶି ପ୍ରବର୍ଦ୍ଧିତ ହୁଏ ।

 

ଅତି ଆଧୁନିକ ଏବଂ ଉତ୍ତମ ରେଡ଼ିଓରେ ଶବ୍ଦମାତ୍ରାର ପରିଚାଳନା ଆବଶ୍ୟକ ହୁଏନା । ନିଜ ସାମନାରେ ଜଣେ ଗାୟକ ଗୀତଗାଇଲେ କିମ୍ବା ଜଣେ ବକ୍ତା ବକ୍ତୃତା ଦେଲେ ଯେମିତି ଶୁଣାଯାଏ, ଏହି ରେଡ଼ିଓ ଖୋଲିଦେଲା କ୍ଷଣି ସେମିତି ଶୁଭେ । ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକ କଥାବାର୍ତ୍ତା କଲେ ଜଣେ ଶ୍ରୋତା ଯେମିତି ଶୁଣିବ, ସେହି ରକମର ବେତାର ତରଙ୍ଗ ଗ୍ରହଣ ପ୍ରଣାଳୀ ମଧ୍ୟ ବ୍ୟବହୃତ ହେଲାଣି ।

 

ଏହିପରି ବେତାର ତରଙ୍ଗର ପ୍ରେରଣ ଓ ଗ୍ରହଣରେ ବହୁତ ଉନ୍ନତି ହେବାରେ ଲାଗିଛି । ବି.ବି.ସି, ଲଣ୍ଡନ, ହେଉଛି ପୃଥିବୀର ଏକ ଶକ୍ତିଶାଳୀ ରେଡ଼ିଓ ଷ୍ଟେସନ । ଏହାର ସଞ୍ଚାରଣ ସ୍ତମ୍ଭ (transmitting radiator)ର ଉଚ୍ଚତା ୫୦୦ଫୁଟ । ସଞ୍ଚାରଣ ଯେତେ ଉଚ୍ଚରୁ କରାଯାଏ, ସେହି ତରଙ୍ଗ ସେତେ ଭଲ ଭାବରେ ଗ୍ରହଣ କରାଯାଇ ପାରେ । ଯେତେବେଳେ ଗୋଟିଏ ଅଭୀଷ୍ଟ ଦିଗକୁ ବେତାର ତରଙ୍ଗ ପଠେଇବା ଦରକାର ପଡ଼େ, ବେତାର ତରଙ୍ଗ ସବୁ ଦିଗରେ ସଞ୍ଚାରଣ ନ କରି ସ୍ୱତନ୍ତ୍ର ଧରଣର ସଞ୍ଚାରଣ ଏରିଏଲ ବ୍ୟବହୃତ ହୋଇ ସେହି ଅଭୀଷ୍ଟ ଦିଗରେ ଅପେକ୍ଷାକୃତ ତୀବ୍ର ବେତାର ତରଙ୍ଗମାଳା ପ୍ରେରଣ କରାହୁଏ । ଘରୋଇ ବିଦ୍ୟୁତ୍ ଗ୍ରାହକ ମଧ୍ୟ ଯେତେ ଉଚ୍ଚରେ ରହିବ ଏବଂ ଯେତେ ଲମ୍ବ ହେବ, ସେତେ ସ୍ପଷ୍ଟ ଭାବରେ ଗ୍ରହଣ କରିହେବ । ଏବେ ଅନେକ ରକମର ଟେବୁଲ ଏବଂ ଘରୋଇ ଏରିଏଲ୍‌ର ବ୍ୟବହାର ହେଉଛି ।

 

ବେତାର ତରଙ୍ଗ କେବଳ ବାର୍ତ୍ତାବହର କାର୍ଯ୍ୟ କରେନା–ଏହା ସୁନ୍ଦର ସଙ୍ଗୀତ, ରୋମାଞ୍ଚକାରୀ ନାଟକ ଏବଂ ବିଭିନ୍ନ ଚିତ୍ତାକର୍ଷକ ଜିନିଷ ମଧ୍ୟ ପରିବେଷଣ କରେ । ବେତାର ସାହାଯ୍ୟରେ ଗୋଟିଏ ଜାଗାରୁ ପ୍ରେରିତ ସମ୍ବାଦ କିମ୍ବା ଅନ୍ୟ କୌଣସି ଜିନିଷ ଅକ୍ଳେଶରେ ଅନେକ ଜାଗାରେ ଗ୍ରହଣ କରି ହେଉଥିବାରୁ, ଏହାର ପ୍ରାଧାନ୍ୟ ବେଶି । ରେଡ଼ିଓ ମାଧ୍ୟମରେ ବିଜ୍ଞାପନର ପନ୍ଥା ମଧ୍ୟ ଉତ୍କୃଷ୍ଟ ହୋଇଯାଇଛି । ବେତାର ବିଜ୍ଞାପନ କରି ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ଅନୁଷ୍ଠାନ ବାର୍ଷିକ ଦେଢ଼ଶହ କୋଟିରୁ ଅଧିକ ଟଙ୍କା ଆଦାୟ କରନ୍ତି ।

 

ବେତାର ତରଙ୍ଗ ସାହାଯ୍ୟରେ ସାମରିକ ସମ୍ବାଦ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଶୀଘ୍ର ପଠାଯାଇପାରେ, ତେଣୁ ବହୁତ ଦୂରରେ ଥାଇ ସୁଦ୍ଧା ଗୋଟିଏ ବାହିନୀର ବିଭିନ୍ନ ଅଂଶମାନଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କରିହୁଏ ।

 

ପୁରୁଣା କାଳର ଜାହାଜ ଦୁର୍ଘଟଣାର ପ୍ରାବଲ୍ୟ କମିଯାଇଛି ଏହି ବେତାର ତରଙ୍ଗ ପାଇଁ-। ଏହାଦ୍ୱାରା ସମୁଦ୍ର ମଧ୍ୟରେ ଗୋଟିଏ ଜାହାଜର ସ୍ଥିତି ଅକ୍ଳେଶରେ ନିର୍ଦ୍ଧାରଣ କରିହେଉଛି । ଜାହାଜ ବିପଦର ସମ୍ମୁଖୀନ ହେଲେ ନିଜକୁ ରକ୍ଷା କରିବା ପାଇଁ ବେତାର ତରଙ୍ଗ ପ୍ରେରଣ କରିପାରୁଛି ।

 

ବେତାର ତରଙ୍ଗ ପ୍ରେରଣ କରି ରାଡ଼ାର ସାହାଯ୍ୟରେ ଆକାଶ ମାର୍ଗରେ ବ୍ୟୋମଯାନର ଗତିବିଧି ଏବଂ ସ୍ଥାନ ନିରୂପଣ କରିଥିବାରୁ ଯୁଦ୍ଧ ସମୟରେ ଶତ୍ରୁ ପକ୍ଷର ବ୍ୟୋମଯାନ ବୋମା ବର୍ଷଣ କରିବା ପୂର୍ବରୁ ତାକୁ ଗୁଳି ମାରି ପକେଇ ଦେବା ସମ୍ଭବ ହୋଇପାରିଛି-। ବିଗତ ମହାସମରରେ ଇଂଲଣ୍ଡ ତା’ର ଉପକୂଳରେ ରାଡ଼ାରର ବହୁଳ ବ୍ୟବହାର କରି ଶତ୍ରୁ ପକ୍ଷର ବୋମା ମାଡ଼ରୁ ବହୁ ମାତ୍ରାରେ ରକ୍ଷା ପାଇ ପାରିଥିଲା । ବେତାର ତରଙ୍ଗ କେବଳ ଶତ୍ରୁ, କବଳରୁ ରକ୍ଷା କରୁନାହିଁ, ଶତ୍ରୁକୁ ମଧ୍ୟ ଏହା ବଳିୟାନ୍ କରିଛି । ଏହାଦ୍ଵାରା ବହୁ ପ୍ରକାରର ମାରାତ୍ମକ ବୋମା ଓ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ଅଭୀଷ୍ଟ ସ୍ଥଳ ନିକଟରେ ବିସ୍ଫୋରଣ କରିବା ସମ୍ଭବ ହୋଇପାରିଛି ।

 

ବେତାର ତରଙ୍ଗ ସାହାଯ୍ୟରେ ବ୍ୟୋମଯାନ ଚାଳନା କିମ୍ବା ଅନ୍ୟ କୌଣସି ଯାନ ଚାଳନାପାଇଁ ଚାଳକର ପ୍ରୟୋଜନ ମଧ୍ୟ ପଡ଼ୁନି, କାରଣ ବେତାର ତରଙ୍ଗର ନିର୍ଦ୍ଦେଶରେ ଚାଳକ ବିହୀନ ଯାନ ଅଭୀଷ୍ଟ ପଥରେ ଗତି କରିପାରୁଛି । ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେପଣାସ୍ତ୍ର ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଅଭୀଷ୍ଟ ପଥରେ ପ୍ରେରଣ କରି ସର୍ବନାଶ କରିବାର ବାଟ ମଧ୍ୟ ଖୋଲିଯାଇଛି ।

 

ଏତଦ୍‌ଭିନ୍ନ ପାଣିପାଗର ଖବର ରଖିବା ପାଇଁ ବେଲୁନରେ ବନ୍ଧାହୋଇ ଗୋଟିଏ ବେତାର ତରଙ୍ଗ ପ୍ରେରକ ଯନ୍ତ୍ର ଊର୍ଦ୍ଧ୍ୱ ଆକାଶର ତାପ, ଚାପ ବିଷୟରେ ଖବର ଦେଇପାରୁଛି । କୃତ୍ରିମ ଉପଗ୍ରହରେ ବେତାର ତରଙ୍ଗପ୍ରେରକ ଯନ୍ତ୍ର ପଠାହୋଇ ପୃଥିବୀ ଏବଂ ଆକାଶର ଅତି ଜଟିଳ ପ୍ରଶ୍ନ ଉପରେ ଆଲୋକପାତ କରାଯାଇ ପାରିଛି । ଏହି ପ୍ରଣାଳୀରେ ଗୋଟିଏ ପ୍ରାନ୍ତରୁ ଆଉ ଗୋଟିଏ ପ୍ରାନ୍ତକୁ ଚିତ୍ର ପ୍ରେରଣ କରାଯାଇ ପାରୁଛି ।

 

ଉପରୋକ୍ତ ଦୋଷଗୁଣ ସମ୍ପନ୍ନ ବେତାର ତେରଙ୍ଗ ମଧୁର ସଙ୍ଗୀତ ପ୍ରେରଣ କରି ଆମୋଦର ସାମଗ୍ରୀ ହେବାରେ ଯେତିକି ସଫଳତା ଲାଭ କରିଛି, ଏହାର ସାହାଯ୍ୟରେ କ୍ଷେପଣାସ୍ତ୍ରର ନିର୍ଭୁଲ ବ୍ୟବହାର କରାଯାଇପାରୁଥିବାରୁ ଏହା ଶାନ୍ତି କ୍ଷେତ୍ରରେ ସେତିକି ଅସ୍ଥିରତା ସୃଷ୍ଟି କରିଛି । ରେଡ଼ିଓ ଖୋଲିଦେଇ ସମସ୍ୱର ଯନ୍ତ୍ରକୁ ଏପଟ ସେପଟ କରି ପୃଥିବୀର ବିରାଟ ପରିସରକୁ ରେଡ଼ିଓର ସଂକୀର୍ଣ୍ଣ ଆୟତନରେ ଉପଲବ୍‌ଧି କରିପାରିଲେ ମଧ୍ୟ, ବେତାର ତରଙ୍ଗର ଅପବ୍ୟବହାର କଥା ଭାବିଲେ ମନ ଶୀତେଇ ଉଠେ । ସେଥିପାଇଁ ଏହି ନିରୀହ ବେତାର ତରଙ୍ଗକୁ ରାଜନୈତିକ ବହ୍ନିର ବାର୍ତ୍ତାବହ ନକରି ସମ୍ବାଦ, ନାଟକ ଓ ସଙ୍ଗୀତର ବାର୍ତ୍ତାବହ କରିପାରିଲେ ସୁସ୍ଥିରେ ନିଶ୍ୱାସ ମାରି ଦଣ୍ଡେ ବଞ୍ଚିହୁଅନ୍ତା ଓ ଭାବିବାକୁ ଇଚ୍ଛା ହୁଅନ୍ତା ଯେ ବେତାର ତରଙ୍ଗ ବିଜ୍ଞାନର ଏକ ଅପରୂପ ସୃଷ୍ଟି ।

Image

 

ସୂର୍ଯ୍ୟର ବିଲୟ କେବେ ?

 

(ବିଶ୍ୱ ବ୍ରହ୍ମାଣ୍ଡ ତୁଳନାରେ ସୂର୍ଯ୍ୟ ନଗଣା ହେଲେ ମଧ୍ୟ ଆମ ତୁଳନାରେ ସୂର୍ଯ୍ୟ ଅତି ବିରାଟ – କେବଳ ଆୟତନରେ ନୁହେଁ, ଉପଯୋଗିତାରେ ମଧ୍ୟ । ସୂର୍ଯ୍ୟ ହେତୁ ପୃଥିବୀରେ ଜୀବନ ସମ୍ଭବ ହୋଇପାରିଛି; ତେଣୁ ତା’ର ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧରେ ଜାଣିବାକୁ ସ୍ୱତଃ କୌତୂହଳ ଆସେ । ଏହି ପ୍ରବନ୍ଧରେ ସୂର୍ଯ୍ୟର ବିଲୟ ସମ୍ବନ୍ଧୀୟ ବୈଜ୍ଞାନିକ ତଥ୍ୟ ଉପସ୍ଥାପିତ କରାହୋଇଛି ।)

 

ଶ୍ରାନ୍ତ ପଥିକ ସୂର୍ଯ୍ୟର ଉତ୍ତାପ ସହ୍ୟ କରି ନ ପାରି ବେଳେବେଳେ କଳ୍ପନା କରେ, ସୂର୍ଯ୍ୟ ଯଦି ନଥାନ୍ତା ତା’ହେଲେ ବାଟଚଲା ତାକୁ ବାଧନ୍ତା ନାହିଁ । ସେତେବେଳେ ସେ ଭୁଲିଯାଇଥାଏ ଯେ ମଣିଷ ଜୀବନ କେବଳ ସୂର୍ଯ୍ୟର ଉତ୍ତାପ ପାଇଁ ସମ୍ଭବ ହୋଇପାରିଛି । ଶତାବ୍ଦୀ ଶତାବ୍ଦୀ ଧରି ମଣିଷ ଜାତି ବଞ୍ଚିରହିପାରିଛି ସୂର୍ଯ୍ୟର ସେହି ମହନୀୟ ଦାନ ଗ୍ରହଣ କରି । ମଣିଷ ଆକାଶରେ ଚନ୍ଦ୍ର, ସୂର୍ଯ୍ୟ, ଶତ ସହସ୍ର ତାରକା ଦେଖିଆସିଛି । ସମୁଦ୍ରର ବେଳାଭୂମିରେ ବସି ସେ ବାରବାର ଚନ୍ଦ୍ରର ଅପୂର୍ବ ରୂପରେ ମୁଗ୍‌ଧ ହୋଇ ନିଜର ସତ୍ତା ଭୁଲିଯାଇଛି । ଶୀତଳ ଜ୍ୟୋତ୍ସ୍ନା ଆକଣ୍ଠ ପାନ କରି ସେ ପ୍ରଖର ଉତ୍ତାପକୁ ଅଭିଶାପ ଦେଇଛି ଶତବାର । କିନ୍ତୁ ସେ ତ କାଳ୍ପନିକର ଅଳୀକ କଳ୍ପନା, ବୈଜ୍ଞାନିକର ନୀତିବିରୁଦ୍ଧ ସେ । ଚନ୍ଦ୍ରର ଶୀତଳ କିରଣ ବୈଜ୍ଞାନିକ ମନରେ ଭାବାନ୍ତର ଆଣେ ସତ, କିନ୍ତୁ ସେ ଜାଣେ ଯେ ସେହି ଶୀତଳ କିରଣ ସୂର୍ଯ୍ୟର ଦାନର ଏକ ଅଂଶ ମାତ୍ର । ସେଥିପାଇଁ ସେ ସୂର୍ଯ୍ୟର ବିଲୟ କଳ୍ପନା କରେନା । ଖାଲି ସାଧାରଣ ମଣିଷର କଳ୍ପନାରେ ନୁହେଁ, ଅନେକ ସ୍ୱନାମଧନ୍ୟ ଦାର୍ଶନିକ ମଧ୍ୟ ସୂର୍ଯ୍ୟର ମହତ୍ୱକୁ ତୁଚ୍ଛ ମନେକରନ୍ତି । ଥରେ କୁଜମା ପ୍ରୁତକୋଭ * ପଚାରିଥିଲେ, ‘‘କିଏ ବେଶି ଦରକାରୀ–ସୂର୍ଯ୍ୟ ନା ଚନ୍ଦ୍ର ?’’ କିଛି ସମୟ ଚିନ୍ତା କରି ସେ ନିଜେ ଉତ୍ତର ଦେଲେ, ‘‘ଚନ୍ଦ୍ର-କାରଣ ସେ ରାତିରେ ଆଲୋକ ଦିଏ, ଯେତେବେଳେ ପୃଥିବୀରେ ଅନ୍ଧକାର ଛାଇଯାଇଥାଏ ଏବଂ ସୂର୍ଯ୍ୟ ତା’ର କିରଣ ବିତରଣ କରେ ଯେତେବେଳେ ଆଲୋକ ଥାଏ ।’’ ବୈଜ୍ଞାନିକ ଏସବୁ ଭିତ୍ତିହୀନ କଳ୍ପନାର ଧାର ଧାରେନା ।

 

*

କୁଜମା ପ୍ରୂତକୋଭ କାଉଣ୍ଟ ଏଲେକ୍‌ସି ଟଲଷ୍ଟୟଙ୍କ ଏକ କାଳ୍ପନିକ ଚରିତ୍ର ।

 

ସୂର୍ଯ୍ୟକିରଣ ବୃକ୍ଷର ସବୁଜ ପତ୍ରରେ ପଡ଼େ, ଅଙ୍ଗାରକାମ୍ଳ ଅଙ୍ଗାର ଓ ଅମ୍ଳଜାନରେ ବିଭକ୍ତ ହୁଏ ଏବଂ ଅଙ୍ଗାର ବୃକ୍ଷର ଅନ୍ତର୍ଭୁକ୍ତ ହୋଇଯାଏ । ସେ ତ ଗଲା ଉଦ୍ଭିଦ ବିଜ୍ଞାନର କଥା । କିନ୍ତୁ ଯେଉଁ ସବୁ ଶକ୍ତି ବ୍ୟବହୃତ ହୋଇ ଅଂଗାର ବୃକ୍ଷର ଅନ୍ତର୍ଭୁକ୍ତ ହୁଏ ତାହା ଯାଏ କୁଆଡ଼େ ? ଗଛ ଯେତେବେଳେ ଶୁଖିଯାଏ ଏବଂ ଇନ୍ଧନ ରୂପେ ବ୍ୟବହୃତ ହୁଏ, ସେତେବେଳେ ଯେଉଁ ଶକ୍ତି ବାହାରେ ତାହା ସୂର୍ଯ୍ୟଠୁଁ ପାଇଥିବା ଶକ୍ତିର ରୂପ । କାରଣ ସୂର୍ଯ୍ୟଠୁଁ ଯେତିକି ଶକ୍ତି ପାଇ ଗୋଟିଏ ଗଛ ବଢ଼ିଥାଏ, ତା’ଠୁ ସେ ଅଧିକ ଶକ୍ତି ଦେଇପାରେନା । ସେଥିପାଇଁ ସୂର୍ଯ୍ୟ ନଥିଲେ ବଣ ଜଂଗଲରୁ କୋଇଲା ଓ ତେଲ ଖଣି ସମ୍ଭବ ହୋଇ ପାରନ୍ତା ନାହିଁ । ସୂର୍ଯ୍ୟର ଉତ୍ତାପ ନଥିଲେ ବୃଷ୍ଟିପାତ ହୋଇ ପାରନ୍ତା ନାହିଁ । ଚାଷୀ ତା’ର ସବୁଜ କ୍ଷେତ ଦେଖି ମନ୍ତ୍ରମୁଗ୍‌ଧ ହୋଇ ପାରନ୍ତା ନାହିଁ କି ଖାଦ୍ୟଶସ୍ୟ ବିନା ଜୀବନ ସମ୍ଭବ ହୋଇପାରନ୍ତା ନାହିଁ । ପୃଥିବୀ ପୃଷ୍ଠରେ ସୂର୍ଯ୍ୟର ଉତ୍ତାପର ତାରତମ୍ୟ ଯୋଗୁଁ ପବନ ବାୟୁରେ ପରିଣତ ହୁଏ, ଯାଦ୍ୱାରା ଆମର ପବନକଳ ଚାଲିପାରେ । ଏପରି ଦେଖିବାକୁ ଗଲେ ସମସ୍ତ କ୍ଷେତ୍ରରେ ଆମେ ସୌର-ଶକ୍ତିର ପ୍ରୟୋଗ ଦେଖିବାକୁ ପାଉଁ, ଯାହା ବିନା ଆମ ପୃଥିବୀ ପୃଷ୍ଠ ମୃତ ଓ ନିଶ୍ଚଳ ହୋଇଯା’ନ୍ତା । ଏସବୁ ଭାବିଲେ ମନକୁ କେତେଟା ପ୍ରଶ୍ନ ଆସେ–

 

ସୂର୍ଯ୍ୟ ଏସବୁ ଶକ୍ତି ପାଏ କେଉଁଠୁ ?

 

ସୂର୍ଯ୍ୟର ଶକ୍ତି କ’ଣ ଅସୀମ ?

 

ସୂର୍ଯ୍ୟର ବିଲୟ କେବେ ?

 

ଏସବୁ ପ୍ରଶ୍ନର ସିଧା ସଳଖ ଉତ୍ତର ନଥିଲେ ସୁଦ୍ଧା ସୂର୍ଯ୍ୟ ସମ୍ବନ୍ଧରେ ଅଳ୍ପ କିଛି ଜାଣିଲେ ଉତ୍ତର ସବୁ ସରଳ ଓ ବୋଧଗମ୍ୟ ହେବାର ଆଶା କରାଯାଏ ।

 

ମଣିଷ ସୂର୍ଯ୍ୟ ତୁଳନାରେ ନଗଣ୍ୟ । ବିରାଟ ବିଶ୍ୱ ବ୍ରହ୍ମାଣ୍ଡ ତୁଳନାରେ ସୂର୍ଯ୍ୟ ମଧ୍ୟ ନଗଣ୍ୟ । ଗୋଟିଏ ମଣିଷର ଇତିହାସ ଆଉ ଜଣେ ମଣିଷର ଜୀବନ ପରିସରରେ ଘଟିଯାଏ, ତଥାପି ଅନ୍ୟ ଜଣକର ଇତିହାସ ଜାଣିବାପାଇଁ ମଣିଷର କୌତୂହଳ ହୁଏ । ତାହାହେଲେ ଆମର ଏହି ସୂର୍ଯ୍ୟ ଏବଂ ବିଶ୍ୱ ବ୍ରହ୍ମାଣ୍ଡର ଇତିହାସ କେତେ କୌତୁକପ୍ରଦ ହୋଇ ନ ଥିବ ! ସେହି ଇତିହାସର ପ୍ରତ୍ୟେକ ପୃଷ୍ଠାରେ ଫୁଟି ଉଠିବ ସଂଗ୍ରାମର ଛନ୍ଦ–ସେଇଠୁ ମଣିଷ ଶିଖିପାରିବ ସ୍ୱାଧୀନ ହୋଇ ବଞ୍ଚିରହିବାର ଉପାୟ ।

 

ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟିହୁଏ ଗୋଟିଏ କଳନାତୀତ ପୁରୁଣା ଦିନରୁ । ସେଦିନ ବିଶ୍ୱାକାଶରେ ଛାଇହୋଇଥିଲା ଅଗଣିତ ଉତ୍ତପ୍ତ ରେଣୁ । ଏହି ସୁଦୂର ଐତିହାସିକ ବିଶ୍ୱ ଥିଲା ଅତି ଘନ–ସମସ୍ତ ବସ୍ତୁ ଥିଲା ମୌଳିକ ପଦାର୍ଥ ରୂପରେ । ଅତ୍ୟଧିକ ତାପ ପାଇ ଚାପର ମାତ୍ରା ଥିଲା କଳ୍ପନାତୀତ । ସେହି ଚାପ ଫଳରେ ବିଶ୍ୱ ହେଲା ପ୍ରସାରିତ ଧୀରେ ଧୀରେ କମିଆସିଲା ତା’ର ଗୁରୁତ୍ୱ ଓ ଉତ୍ତାପ । ତା’ପରେ ଆଉ ଗୋଟିଏ ଦିନ ଆସିଲା–ପ୍ରସାରଣର ଗୋଟିଏ ଘଡ଼ିସନ୍ଧିବେଳେ ସେହି ଘନୀଭୂତ ରେଣୁସବୁ ଭାଙ୍ଗିଗଲେ ଶାରଦାକାଶରେ ଖଣ୍ଡ ବଉଦ ପରି । ସେହି ଅଗଣିତ ବଉଦ ଖଣ୍ଡରୁ ଗୋଟିଏ ହେଉଛି ଆମରି ସୂର୍ଯ୍ୟ । ଦିନ ଗଡ଼ି ଚାଲିଲା–ସୂର୍ଯ୍ୟ ତା’ର ପରିବାର ସୃଷ୍ଟି କଲା । ସେଇଠି ଜନ୍ମ ହେଲା ଆମର ପୃଥିବୀ ଏବଂ ସଙ୍ଗେ ସଙ୍ଗେ ତା’ର ଭବିଷ୍ୟତ । ମାଆର ବୁକୁର ଦୁଗ୍‌ଧ ପାନ କରି ଶିଶୁ ଯେମିତି ବଞ୍ଚିରହେ, ସୂର୍ଯ୍ୟର ଉତ୍ତାପ ଗ୍ରହଣ କରି ବଞ୍ଚିରହିଲା ଆମର ଏହି ବସୁନ୍ଧରା ।

 

ସେ ତ ଗଲା ସୂର୍ଯ୍ୟର ଜନ୍ମ ଇତିହାସର ଏକ ଝଲକ । ତାକୁ ଜୀବନ୍ତ ରଖିବା ପାଇଁ ଦରକାର ହେଲା ଶକ୍ତି । ସେ ଶକ୍ତି ହେଉଛି ନାଭିକୀୟ ଶକ୍ତି । ଏଡ଼ିଙ୍ଗଟନ୍‌ଙ୍କ ଗଣନା ଅନୁସାରେ ସୂର୍ଯ୍ୟ ମଧ୍ୟରେ ବର୍ତ୍ତମାନ ଶତକଡ଼ା ୩୫ ଭାଗ ଉଦ୍‌ଜାନ ଅଛି । ଏତଦ୍‌ଭିନ୍ନ ଆହୁରି ଅନେକ ମୌଳିକ ବସ୍ତୁ ମଧ୍ୟ ସୂର୍ଯ୍ୟର ଶରୀର ମଧ୍ୟରେ ବାଷ୍ପାକାରରେ ରହିଛି । ଗଣନା କରି ଜଣାଯାଇଛି ଯେ ସୂର୍ଯ୍ୟର ବାହ୍ୟ ଆବରଣର ଉତ୍ତାପ ପ୍ରାୟ ଛଅ ହଜାର ଡିଗ୍ରୀ ସେଣ୍ଟିଗ୍ରେଡ୍ ଏବଂ ଏହାର ଆଭ୍ୟନ୍ତରିଣ ଉତ୍ତାପ କ୍ରମଶଃ ବୃଦ୍ଧି ପାଇ ଏହାର କେନ୍ଦ୍ରର ଉତ୍ତାପ ପ୍ରାୟ ଦୁଇକୋଟି ଡିଗ୍ରୀ ସେଣ୍ଟିଗ୍ରେଡ୍ । ସୂର୍ଯ୍ୟର ଏହି ଅବସ୍ଥାରେ ଅନେକ ପ୍ରକାରର ପ୍ରତିକ୍ରିୟା ସମ୍ଭବ । କିନ୍ତୁ ସୂର୍ଯ୍ୟ ଯେ କୋଟି କୋଟି ବର୍ଷ ବଞ୍ଚିରହିଛି ସେଥିପାଇଁ ସବୁ ପ୍ରକ୍ରିୟା ପ୍ରଯୁଜ୍ୟ ନୁହେଁ । ଯଦି ଉଦ୍‌ଜାନ–ଲିଥିୟମ ପ୍ରକ୍ରିୟା * ଏହି ଶକ୍ତିର ମେରୁଦଣ୍ଡ ହୋଇଥାଆନ୍ତା, ତାହାହେଲେ ସୂର୍ଯ୍ୟର ଜୀବନ କେଇ ସେକେଣ୍ଡ୍ ପରେ ଲୁପ୍ତ ହୋଇଯାନ୍ତା, କାରଣ ଏହି ପ୍ରକ୍ରିୟା ବହୁତ କ୍ଷିପ୍ର ଏବଂ ସେହି ପ୍ରକ୍ରିୟା ଫଳରେ ସୂର୍ଯ୍ୟର ବିସ୍ଫୋରଣ ଘଟନ୍ତା । ଆଉ ଗୋଟିଏ ଦିଗରୁ ଯଦି ଆମେ ତାପ ନାଭିକୀୟ ଶକ୍ତି (Thermonuclear Energy) ପାଇଁ ପ୍ରୋଟିନ୍ ଏବଂ ଅମ୍ଳଜାନର ପ୍ରକ୍ରିୟା ନେଉଁ, ତାହାହେଲେ ସୂର୍ଯ୍ୟଠୁ ଯେତେ ଶକ୍ତି ବହିର୍ଗତ ହୁଏ, ସେହି ପ୍ରକ୍ରିୟା ସେତିକି ଦେଇପାରନ୍ତା ନାହିଁ ।

 

*

ଉଦ୍‌ଜାନ-ଲିଥିୟମ ପ୍ରକ୍ରିୟାରେ ଗୋଟିଏ ଉଦ୍‌ଜାନ ପରମାଣୁର ନାଭିକ ଲିଥିୟମ ପରମାଣୁର ନାଭିକ ସହିତ ସଂଯୋଜିତ ହୋଇ ହିଲିୟମ ନାଭିକ ସୃଷ୍ଟି କରେ । ଦୁଇ କୋଟି ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ଏହି ପ୍ରକ୍ରିୟା କେଇ ସେକେଣ୍ଡ୍ ଭିତରେ ସମାପ୍ତ ହୁଅନ୍ତା ଏବଂ ବହୁତ ବେଶି ଲିଥିୟମ୍ ଥିଲେ ଏତେ ବେଶି ଶକ୍ତି ଉତ୍ପନ୍ନ ହୁଅନ୍ତା ଯେ ସୂର୍ଯ୍ୟ ଖଣ୍ଡବିଖଣ୍ଡ ହୋଇଯା’ନ୍ତା ।

 

ଏହିପରି ବହୁ ପ୍ରକ୍ରିୟା ପରିହାର କରିବା ପରେ ଆମେରିକାର ଡକ୍‌ଟର ହାନ୍‌ସ ବେଥେ ଘୋଷଣା କଲେ ଯେ ସୂର୍ଯ୍ୟର ଶକ୍ତି ପାଇଁ ଗୋଟିଏ ନାଭିକୀୟ ପ୍ରକ୍ରିୟା ଯଥେଷ୍ଟ ନୁହେଁ । ସେତିକି ବେଳକୁ ଜର୍ମାନ ବିଜ୍ଞାନବିତ୍ ଡକ୍‌ଟର କାର୍ଲ ଭନ୍ ଉଇଜାକର ମଧ୍ୟ ସ୍ୱାଧୀନ ଭାବରେ ଘୋଷଣା କଲେ ଯେ ସୌର ଶକ୍ତି ପାଇଁ ଗୋଟିଏ ପ୍ରକ୍ରିୟା ଯଥେଷ୍ଟ ନୁହେଁ । ଡକ୍‌ଟର ବେଥେଙ୍କ ଏହି ଗଣନା ସମ୍ବନ୍ଧରେ ଗୋଟିଏ ସୁନ୍ଦର ଗଳ୍ପ ଅଛି । ୧୯୩୮ରେ ଓ୍ୱାସିଂଟନ୍‌ଠାରେ ହେଉଥିବା ଥିଓରିଟିକାଲ୍ ଫିଜିକ୍‌ସ କନ୍‌ଫରେନ୍‌ସରେ ଯୋଗଦାନ କରି ନିଜ ଘର କର୍ଣ୍ଣେଲକୁ ଫେରିଲାବେଳେ ଟ୍ରେନ୍‌ରେ ଡକ୍‌ଟର ବେଥେ ସୌରଶକ୍ତିପାଇଁ ଉପଯୁକ୍ତ ପ୍ରକ୍ରିୟା ବିଷୟ ଚିନ୍ତା କରିବସିଲେ । ରାତ୍ର ଭୋଜନ ପୂର୍ବରୁ ଉପଯୁକ୍ତ ପ୍ରକ୍ରିୟା ବାହାର କରିବାପାଇଁ ସେ ଦୃଢ଼ ସଂକଳ୍ପ ହେଲେ । ଖଣ୍ଡେ କାଗଜରେ ଗୋଟିଏ ପରେ ଗୋଟିଏ ସମୀକରଣ ଲେଖି ତାକୁ ପରିହାର କରୁଥାନ୍ତି । ପ୍ରକୋଷ୍ଠର ଅନ୍ୟାନ୍ୟ ଯାତ୍ରୀ ଏହି ବିଜ୍ଞାନବିତ୍‌ଙ୍କ ଅପୂର୍ବ ମନୋନିବେଶ ଦେଖି ଅବାକ୍ । ଦେଖୁ ଦେଖୁ ସୂର୍ଯ୍ୟ ଚକ୍ରବାଳତଳେ ଲୁଚିଗଲେ ଅତି ସାଧାରଣ ଭାବରେ । ଏଆଡ଼େ କିନ୍ତୁ ସୂର୍ଯ୍ୟଙ୍କ ଅସାଧାରଣ ଶକ୍ତି ଉପରେ ଚାଲିଥାଏ ଗବେଷଣା ସୂର୍ଯ୍ୟଙ୍କର ଅତି ଅଜାଣତରେ ନିଶ୍ଚୟ । ରାତ୍ର ଭୋଜନ ସମୟ ପାଖେଇଆସିଲା । ଡାଇନିଂକାରର ଲୋକ ରାତ୍ର ଭୋଜନର ପ୍ରଥମ ଡାକ ଦେଇଗଲା । ଡକ୍‍ଟର ବେଥେ ରାତ୍ର ଭୋଜନ ଛାଡ଼ିବା ଲୋକ ନୁହଁନ୍ତି–ଭାଗ୍ୟ ବି ତାଙ୍କର ବହୁତ ଟାଣ, ବୁଦ୍ଧି ବି ପ୍ରଖର । ଠିକ୍ ସେହି ସମୟରେ ସେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସୌରଶକ୍ତି ପାଇଁ କୌଣସି ଏକ ନାଭିକୀୟ ପ୍ରକ୍ରିୟା ଯଥେଷ୍ଟ ନୁହେଁ । ଏହାପାଇଁ ଦରକାର ହେଲେ ବୃତ୍ତାକାର ନାଭିକୀୟ ପ୍ରକ୍ରିୟା, ଯାହା ଛଅଟା ପ୍ରକ୍ରିୟା ପରେ ପୁଣି ଥରେ ପୂର୍ବାବସ୍ଥାକୁ ଫେରିଆସେ ଏବଂ ପ୍ରତ୍ୟେକ ପ୍ରକ୍ରିୟାରେ ଶକ୍ତିର ଆବିର୍ଭାବ ହୁଏ । କିନ୍ତୁ ଥରେ ବୃତ୍ତାକାର ପ୍ରକ୍ରିୟା ସମାପ୍ତ ହେଲେ ଚାରିଗୋଟି ପ୍ରୋଟିନ୍ କଣିକାର ମୃତ୍ୟୁ ହୁଏ, ଅର୍ଥାତ୍ ତାହା ହିଲିୟମ୍ କଣିକାରେ ପରିଣତ ହୁଏ । ଏହି ପ୍ରକ୍ରିୟାରେ ଅଙ୍ଗାରର ପ୍ରୟୋଜନ ହୁଏ ଏବଂ ସୂର୍ଯ୍ୟର ଶରୀରରେ ପ୍ରାୟ ଶତକଡ଼ା ୧୫ଭାଗ ଅଙ୍ଗାର ଅଛି । ବେଥେଙ୍କ ଗଣନା ଅନୁସାରେ ଦୁଇକୋଟି ଡିଗ୍ରୀ ସେଣ୍ଟିଗ୍ରେଡରେ ଏହି ପ୍ରକ୍ରିୟା ଯେତେ ଶକ୍ତି ଉତ୍ପାଦନ କରିବ ତାହା ସୂର୍ଯ୍ୟଠାରୁ ନିର୍ଗତ ଶକ୍ତି ସହିତ ସମାନ । ଏହା ହେଲା ମୋଟାମୋଟିରେ ଆମର ପ୍ରଥମ ପ୍ରଶ୍ନର ଉତ୍ତର ।

 

ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନର ବିଚାର କରାଯାଉ । ଅର୍ଥାତ୍ ‘ସୂର୍ଯ୍ୟର ଶକ୍ତି କ’ଣ ଅସୀମ ?’ ଆମେ ଜାଣୁ ଯେ ଉଦ୍‌ଜାନ ପାଇଁ ସୂର୍ଯ୍ୟ ମଧ୍ୟରେ ତାପ ନାଭିକୀୟ ପ୍ରକ୍ରିୟା ସମ୍ଭବ; କିନ୍ତୁ ତାହା ଧୀରେ ଧୀରେ ହିଲିୟମ୍‌ରେ ପରିଣତ ହେଉଛି । ତେଣୁ ଚୁଲିରୁ କାଠ ସରିବା ଭଳିଆ ଆମର ଉଦ୍‌ଜାନ ମଧ୍ୟ ସୂର୍ଯ୍ୟର ଶରୀରରୁ ସରି ସରି ଆସୁଛି । ଅତଏବ ଉଦ୍‍ଜାନ ଯେତେଦିନ ପର୍ଯ୍ୟନ୍ତ ସୂର୍ଯ୍ୟରେ ଥିବ ସେତେଦିନ ପର୍ଯ୍ୟନ୍ତ ପ୍ରକ୍ରିୟା ସମ୍ଭବତଃ ଲାଗିଥିବ । ଯେହେତୁ ଉଦ୍‌ଜାନର ପରିମାଣ ଅସୀମ ନୁହେଁ, ସୂର୍ଯ୍ୟର ଶକ୍ତି ମଧ୍ୟ ସୀମାବଦ୍ଧ ।

 

ଉଦ୍‌ଜାନର କ୍ଷୟ ସଙ୍ଗେ ସଙ୍ଗେ ସୂର୍ଯ୍ୟର ଉତ୍ତାପର କ୍ଷୟ ନା ବୃଦ୍ଧି ହେଉଛି ତାହା ଜାଣିବା ନିତାନ୍ତ ଆବଶ୍ୟକ । ଜର୍ମାନ ପଦାର୍ଥ ବୈଜ୍ଞାନିକ ହାରମାନ୍ ଭନ୍ ହେଲମ୍‌ହୋଲ୍‌ଜଙ୍କ ମତରେ ପ୍ରଥମେ ସୂର୍ଯ୍ୟ ବର୍ତ୍ତମାନ ଅବସ୍ଥାଠାରୁ ବହୁତ ଥଣ୍ଡା ଥିଲା । ମାଧ୍ୟାକର୍ଷଣ ହେତୁ ଧୀରେ ଧୀରେ ତାହା ସଙ୍କୁଚିତ ହେବାକୁ ଲାଗିଲା । ଏହି ସଂକୋଚନ ଫଳରେ ଚାପର ବୃଦ୍ଧି ହେଲା– ତା’ ସଙ୍ଗେ ଉତ୍ତାପ ମଧ୍ୟ ବୃଦ୍ଧି ପାଇଲା । ଉତ୍ତାପ ବୃଦ୍ଧି ପାଇଁ ଆହୁରି ଗୋଟିଏ କାରଣ ଅଛି । ତାପ ରଶ୍ମି ପାଇଁ ଉଦ୍‌ଜାନ ଯେତେ ସ୍ୱଚ୍ଛ ହିଲିୟମ ସେତିକି ନୁହେଁ । କ୍ରମେ କ୍ରମେ ସୂର୍ଯ୍ୟର ଉଦ୍‌ଜାନ ମାତ୍ରା କମିଯାଇ ହିଲି୍ୟମ୍‍ର ମାତ୍ରା ବଢ଼ୁଥିବାରୁ ଆଭ୍ୟନ୍ତରୀତ ଉତ୍ତାପ ବୃତ୍ତି ଅବଶ୍ୟମ୍ଭାବୀ । ଉତ୍ତାପର ବୃଦ୍ଧି ସଙ୍ଗେ ସଙ୍ଗେ ଆଭ୍ୟନ୍ତରୀଣ ପ୍ରକ୍ରିୟା ବୃଦ୍ଧି ପାଇଲା ଏବଂ ସୂର୍ଯ୍ୟର ପ୍ରସାରଣ ଆରମ୍ଭ ହେଲା । ଏପରି ଭାବରେ ପ୍ରସାରଣ ଓ ସଂକୋଚନ ମଧ୍ୟରେ ବୈଜ୍ଞାନିକ ସନ୍ଧି ହେଲା ଏବଂ ସୂର୍ଯ୍ୟ ପ୍ରାୟ ଗୋଟିଏ ସ୍ଥାୟୀ ଅବସ୍ଥା ଧାରଣ କଲା । ତଥାପି ଶକ୍ତି ବହିର୍ଗତ ହେବା ଯୋଗୁଁ ସୂର୍ଯ୍ୟର ବ୍ୟାସାର୍ଦ୍ଧ କମିବାକୁ ଲାଗିଲା ଗୋଟିଏ ଶତାବ୍ଦୀରେ କୋଟିଏ ଭାଗରୁ ୩୦ଭାଗ–ଅର୍ଥାତ୍ ପ୍ରାୟ ଦୁଇ କିଲୋମିଟର । ଜଣେ ମଣିଷ ପାଇଁ ଏହି ସଙ୍କୋଚନ ନଗଣ୍ୟ – ହୁଏତ ମଣିଷ ଜାତିର ଇତିହାସ ପାଇଁ ଏହା ଅତି ତୁଚ୍ଛ, କିନ୍ତୁ ସୂର୍ଯ୍ୟର ଇତିହାସ ପାଇଁ ଏହା ଏକ ବିରାଟ ପରିବର୍ତ୍ତନ । ଏହି ସଂକୋଚନ ପାଇଁ ସୂର୍ଯ୍ୟର ପ୍ରଖରତା ଦିନକୁ ଦିନ ବଢ଼ି ଚାଲିଛି । କ୍ରମଶଃ ସୂର୍ଯ୍ୟ ଥଣ୍ଡା ହୋଇଯାଉଛି ବୋଲି ସାଧାରଣ ଲୋକଙ୍କ ଧାରଣା ସେଥିପାଇଁ ଭ୍ରାନ୍ତ । ଏମିତି ଦିନ ଆସିବ ଯେଉଁଦିନ ସୂର୍ଯ୍ୟର ପ୍ରଖରତା ଅସହ୍ୟ ହୋଇପଡ଼ିବ । ଉତ୍ତାପର ବୃଦ୍ଧି ସଙ୍ଗେ ସଙ୍ଗେ ପୃଥିବୀ ପୃଷ୍ଠରେ ଜୀବନ ଶକ୍ତି ଲୋପ ହୋଇଯିବ । ସେଥିପାଇଁ ଆମର କିମ୍ବା ଆମ ଉତ୍ତରାଧିକାରୀମାନଙ୍କର ଭୟର କୌଣସି କାରଣ ନାହିଁ । କାରଣ ଆଜିଠୁ ପ୍ରାୟ ଏକ ହଜାର କୋଟି ବର୍ଷ ପାଇଁ ମଣିଷ ଜୀବନ ଅଳ୍ପବହୁତ ସମ୍ଭବ ।

 

ଏପରି ଧାରା ଚାଲି ରହିବ ଉଦ୍‌ଜାନର ପ୍ରାଚୁର୍ଯ୍ୟ ଥିବା ପର୍ଯ୍ୟନ୍ତ । ତା’ପରେ ତାପ ନାଭିକୀୟ ପ୍ରକ୍ରିୟା କମିଆସିବ । ସୂର୍ଯ୍ୟ ଧୀରେ ଧୀରେ ଥଣ୍ଡା ହୋଇଯିବ । ଥଣ୍ଡା ହେଉଥିବା ଅବସ୍ଥାରେ ପୁଣି ହୁଏତ କେତେ ଲକ୍ଷ ବର୍ଷ ଆସିପାରେ ଯେତେବେଳେ ପୃଥିବୀ ପୃଷ୍ଠରେ ଜୀବନ ସମ୍ଭବ ହୋଇ ପାରିବ । ତା’ପରେ ସୂର୍ଯ୍ୟ ଆହୁରି ଥଣ୍ଡା ହୋଇଯିବ । ସୂର୍ଯ୍ୟକିରଣ ନ ପାଇ ସାରା ପୃଥିବୀ ଜମାଟ ବାନ୍ଧିଯିବ ।

 

ଏଇଥିରୁ ଜଣାପଡ଼େ ଯେ ସୂର୍ଯ୍ୟର ମୃତ୍ୟୁ ଘଟିବ, ନିଶ୍ଚୟ–କିନ୍ତୁ ସେହି ମୃତ୍ୟୁପାଇଁ ପୃଥିବୀ ପୃଷ୍ଠରେ ବୋଧେ ଜୀବନ୍ତ ଶକ୍ତି ନଥିବ ସମବେଦନା ଜଣାଇବାପାଇଁ ।

 

ଏ ହେଉଛି ମଣିଷ ଜାତିର ମୃତ୍ୟୁର ଆଭାସ । କାରଣ ନିଜର ଜୀବନ ପାଇଁ ସେ ସୂର୍ଯ୍ୟ ଉପରେ ନିର୍ଭର କରେ । କିନ୍ତୁ ସୂର୍ଯ୍ୟର ବିଲୟ ପରେ କଅଣ ବଞ୍ଚିରହିବାର ଉପାୟ ନାହିଁ । ଯେତେବେଳେ ସୂର୍ଯ୍ୟ ବାୟୁମଣ୍ଡଳକୁ ଉତ୍ତପ୍ତ କରି ସମଗ୍ର ପୃଥିବୀ ଗ୍ରାସ କରିବାପାଇଁ ତାହାର ଲୋଲିହାନ ଓ ଜିହ୍ୱା ବିସ୍ତାର କରି ବସିବ ସେତେବେଳେ ପୃଥିବୀକୁ ରକ୍ଷା କରିବା ଅନ୍ତତଃ କଳ୍ପନାର ବହିର୍ଭୂତ ନୁହେଁ । ବାୟୁମଣ୍ଡଳକୁ କୃତ୍ରିମ ଉପାୟରେ ସୂର୍ଯ୍ୟତାପରେ ଅର୍ଦ୍ଧସ୍ୱଚ୍ଛ କରିପାରିଲେ ଦଗ୍‌ଧ ହେବାର କୌଣସି ଆଶଙ୍କା ନାହିଁ । କେବଳ ସେତିକି ନୁହେଁ–ତାହାଦ୍ୱାରା ତାପ ବିକିରଣ ହୋଇ ବି ନିୟନ୍ତ୍ରିତ ହୋଇ ପାରିବ ଏବଂ ସୂର୍ଯ୍ୟ ଯେତେବେଳେ ଥଣ୍ଡା ହୋଇ ଆସୁଥିବ ସେତେବେଳେ ବି ପୃଥିବୀ ଉଷ୍ଣତା ପାଇପାରିବ । ତା’ ଉପରକୁ ଅଛି ପରମାଣୁ ଶକ୍ତିର ପ୍ରୟୋଗ, ଯାହା ଫଳରେ ମଣିଷ ଜୀବନ ସମ୍ଭବ ହୋଇଉଠିବ-ପ୍ରକୃତିର ବିନା ସାହାଯ୍ୟରେ ବି ସେ ମୁଣ୍ଡ ଟେକି ପାରିବ । ସେହି ହେବ ମଣିଷ ବୁଦ୍ଧିର ଚରମ ପରୀକ୍ଷା । ସେତେବେଳେ ମଣିଷ କହି ପାରିବ ଯେ ସେ ପ୍ରକୃତରେ ସ୍ୱାଧୀନ-ବଞ୍ଚିରହିବାପାଇଁ ସେ କରିପାରିଛି ନିଜ ବୁଦ୍ଧିର ପ୍ରୟୋଗ । ସୂର୍ଯ୍ୟର ମୃତ୍ୟୁ ହେଉ, ଏ ବ୍ରହ୍ମାଣ୍ଡର ଅସୀମ ପରିବର୍ତ୍ତନ ଘଟୁ, କିନ୍ତୁ ମଣିଷ ମନର କଳ୍ପନା କେବେ ମରଣର ଦାସତ୍ୱ ଗ୍ରହଣ କରିବନି–ମଣିଷର ବୁଦ୍ଧି କେବେ ସ୍ୱୀକାର କରିବନି ପ୍ରକୃତି ନିକଟରେ ନିଜର ନିରୀହ ପରାଜୟ । ସେହି ହେବ ମଣିଷ ସାମର୍ଥ୍ୟର ପ୍ରକୃତ ପରୀକ୍ଷା–ସ୍ୱାଧୀନ ହୋଇ ବଞ୍ଚିବାର ପରମ ସୌଭାଗ୍ୟ ।

Image

 

ସୃଷ୍ଟିର ଅନ୍ତିମ ଯାମିନୀ

 

[କେଉଁ ଏକ ସୃଷ୍ଟିଛଡ଼ା ଭାବନାରେ ଅନୁପ୍ରାଣିତ ହୋଇ ଜଣେ ଆଉ ଜଣକର ମନ୍ଦ ପାଞ୍ଚେ । ସେ ଦୃଷ୍ଟିରୁ ସୃଷ୍ଟିର ଅନ୍ତିମ ଯାମିନୀ ବିଷୟ କଳ୍ପନାରୁ ମଧ୍ୟ ବହୁତ ଦୂରରେ ରହିବା ଉଚିତ୍‌-। କିନ୍ତୁ ଜିଜ୍ଞାସୁ ମନ କିଛି ମାନେନା । ସୃଷ୍ଟିର ପ୍ରଥମ ପ୍ରଭାତ ଠାରୁ ଆରମ୍ଭ କରି ସୃଷ୍ଟିର ଅନ୍ତିମ ଯାମିନୀ ପର୍ଯ୍ୟନ୍ତ କଳ୍ପନା କରେ । ସେହି ଘନ ଅନ୍ଧକାରମୟ ସୃଷ୍ଟିର ଅନ୍ତିମ ଯାମିନୀ ବିଷୟ ଭାବିଲେ ଦେହ ଶୀତେଇଉଠେ । ସୃଷ୍ଟିର ପ୍ରଳୟ ଘଟିବ । ପାପପୁଣ୍ୟ ସବୁ ନୀରବତାର ଗର୍ଭରେ ଲୀନ ହୋଇଯିବ । ଯେଉଁ ଶୂନ୍ୟତାରୁ ଏହାର ସୃଷ୍ଟି ହୋଇଥିଲା, ଆଉ ଥରେ ସେହି ଶୂନ୍ୟତାରେ ଏହା ମିଳେଇଯିବ ।]

 

ସୃଷ୍ଟିକର୍ତ୍ତା ଯେ କେହି ହୁଅନ୍ତୁ ନା କାହିଁକି, ସୃଷ୍ଟି ଯେ ରହସ୍ୟମୟ ଏହା ସମସ୍ତେ ସ୍ୱୀକାର କରିବେ । ଏହି ରହସ୍ୟମୟୀ ବିଶ୍ୱରେ ପ୍ରଥମ ଆଲୋକପାତ କେବେ ହୋଇଥିଲା ତାହା ସାଧାରଣତଃ କଳ୍ପନାର ବହିର୍ଭୂତ । କିନ୍ତୁ ତେଜସ୍କ୍ରିୟ ବସ୍ତୁ ସାହାଯ୍ୟରେ ବିରାଟ ବିଶ୍ୱର ଜାତକ ତିଆରି କରାଯାଇପାରିଛି । ବିଶ୍ୱ ସୃଷ୍ଟିର ଲକ୍ଷ ଲକ୍ଷ ବର୍ଷ ପରେ ଆମର ସୌରମଣ୍ଡଳର ଏବଂ ଏହାର ଅନେକ ବର୍ଷ ପରେ ପୃଥିବୀ ପୃଷ୍ଠରେ ଜୀବନର ସୃଷ୍ଟି ହୋଇଛି । ଏହି ରହସ୍ୟମୟ ଅଥଚ ଅତି ପ୍ରିୟ ବିଶ୍ୱର ସୃଷ୍ଟି ବିଷୟ ଭାବିବା ଯେତିକି ରୋମାଞ୍ଚକର, ତା'ର ଯେ ଦିନେ ନା ଦିନେ ବିଲୟ ଘଟିବ ସେ ବିଷୟ ଭାବିବା ସେତିକି ଭୟାବହ ।

 

ସ୍ୱାମୀ ବିବେକାନନ୍ଦଙ୍କ ମତାନୁସାରେ ସୃଷ୍ଟିର ଆରମ୍ଭ ହୋଇ ନ ଥିଲା, ତେଣୁ ତା’ର ଅନ୍ତିମ ଅବସ୍ଥା ମଧ୍ୟ ଆସି ନ ପାରେ । ସେ ଯୁକ୍ତି ବାଢ଼ିଥିଲେ ଯେ ବୈଜ୍ଞାନିକ ସିଦ୍ଧାନ୍ତ ଅନୁସାରେ ଭର ଏବଂ ଶକ୍ତି ଅକ୍ଷୟ, ତେବେ ଭର ଏବଂ ଶକ୍ତିର ସମଷ୍ଟିରେ ଗଠିତ ବିରାଟ ବିଶ୍ୱର ସୃଷ୍ଟିର ପ୍ରଶ୍ନ ଉଠେନା । କାରଣ ଆବହମାନ କାଳରୁ ଯଦି ଭର ଓ ଶକ୍ତି ନ ଥିଲା, ଏବେ ତାହା ଆସିଲା କେଉଁଠୁ-? ଆଉ ଯଦି ବିଶ୍ୱର ସୃଷ୍ଟି ବେଳକୁ ଶକ୍ତି ସ୍ଥିର ଅବସ୍ଥାରେ ଥିଲା, ତାହା ଥିଲା କେଉଁଠି ?

 

ଏସବୁ ପ୍ରଶ୍ନର ଉତ୍ତରରେ କୁହାଯାଇ ପାରେ ଯେ, ଭର ଏବଂ ଶକ୍ତିର ସୃଷ୍ଟି ସମ୍ବନ୍ଧରେ ବିଚାର କରିବା ନିଷ୍ପ୍ରୟୋଜନ, କାରଣ ବିଶ୍ଵର ଶୈଶବାବସ୍ଥାରେ ତାହା ଏକ ଅତି ଘନ ପେଣ୍ଡୁ ବୋଲି ନିଆଯାଇପାରେ । ସେ ଅବସ୍ଥା ପୂର୍ବରୁ ଅନ୍ୟ କୌଣସି ଅବସ୍ଥା ସମ୍ଭବ ନୁହେଁ ଏବଂ ଯଦିବା କୌଣସି କାଳ୍ପନିକ ଅବସ୍ଥାକୁ ବିଚାର କରାଯାଏ ତାହା ଲାଭପ୍ରଦ ନୁହେଁ । ବର୍ତ୍ତମାନର ବିଶ୍ୱର ଅତୀତ ଇତିହାସକୁ ପଢ଼ିବାକୁ ଗଲେ ସେହି ଅତି ଘନ ଏବଂ ଅତି ଉତ୍ତପ୍ତ ପେଣ୍ଡୁର କ୍ରମବିକାଶ ଅନୁସନ୍ଧାନ କରିବାକୁ ପଡ଼ିବ । ତେଣୁ ବିଶ୍ୱର ସେହି ଅବସ୍ଥାରେ ସୃଷ୍ଟିର ପ୍ରଥମ ଆଲୋକପାତ ହୋଇଥିଲା ବୋଲି କୁହାଯାଇପାରେ ।

 

ଆଜିକାଲି ବିଶ୍ୱର ରୂପ ଦର୍ଶନ କରିବା ପାଇଁ ବହୁତ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହୃତ ହେଉଛି । ତାରକାମାନଙ୍କର ବର୍ଣ୍ଣକ୍ରମ ବିଶେଷଣ କରି ଜଣାଯାଇଛି ଯେ ବର୍ତ୍ତମାନର ବିଶ୍ୱ ଏକ ପ୍ରସାରଣଶୀଳ ବିଶ୍ୱ । ତେଣୁ ଏକ ଅତି କ୍ଷୁଦ୍ର, ଅତି ଘନ ଏବଂ ଅତି ଉତ୍ତପ୍ତ ପେଣ୍ଡୁର ପ୍ରସାରଣ ଫଳରେ ଆଜି ଏହି ବିରାଟ, ଅପେକ୍ଷାକୃତ ଶୀତଳ ବିଶ୍ୱର ସମ୍ଭବ ହୋଇପାରିଛି । ଆଇନଷ୍ଟାଇନ ଜଟିଳ ଗଣିତ ବ୍ୟବହାର କରି ଦେଖାଇଥିଲେ ଯେ ବିଶ୍ୱର ଅବସ୍ଥା ଅଚଳ । କିନ୍ତୁ ୧୯୨୨ରେ ରୁଷୀୟ ବିଜ୍ଞାନବିତ୍‌ ଆଲେକ୍‌ଜାଣ୍ଡାର ଫ୍ରିଡ୍‌ମ୍ୟାନ୍ ଦେଖାଇଦେଲେ ଯେ ଆଇନଷ୍ଟାଇନଙ୍କ ପରି ଜଣେ ବିରାଟ ବ୍ୟକ୍ତି ମଧ୍ୟ ଗଣନାରେ ଭୁଲ୍ କରିଛନ୍ତି । ତାଙ୍କର ଭୁଲ୍ ଏତିକି ଥିଲା ଯେ ସେ ଗୋଟିଏ ଭଗ୍ନାଂଶର ହର ଏବଂ ଲବକୁ ଏମିତି ଏକ ସଂଖ୍ୟାରେ ହରଣ କରିଥିଲେ, ଯାହାର ମୂଲ୍ୟ ବେଳେବେଳେ ଶୂନ୍ୟ ହେଉଥିଲା । ଆଇନଷ୍ଟାଇନ ଏହାକୁ ତାଙ୍କ ଜୀବନର ବୃହତ୍ତମ ଭୁଲ୍ ବୋଲି ସ୍ୱୀକାର କରିଥିଲେ । ଏହା ସଂଶୋଧନ କଲାପରେ ସେ ଦେଖିଲେ ଯେ ବିଶ୍ୱ ସ୍ଥିର ହୋଇ ରହିପାରିବନି । ଏହା ପ୍ରସାରଣଶୀଳ ନ ହେଲେ ସଂକୋଚନଶୀଳ ହେବ । ଆମେରିକାନ୍ ଜ୍ୟୋତିର୍ବିଜ୍ଞାନବିତ୍ ଏଡ଼ଉଇନ୍ ହବଲ୍ ଫଟୋଦ୍ୱାରା ପ୍ରମାଣ କଲେ ଯେ ବିଶ୍ୱର ପ୍ରସାରଣ ଘଟୁଛି । ତଥାପି ମନରେ ପ୍ରଶ୍ନଉଠେ–ଏହି ପ୍ରସାରଣ କ’ଣ ଅସୀମ କାଳ ପର୍ଯ୍ୟନ୍ତ ଚାଲିଥିବ ନା ପୁଣି କେବେ ସଂକୋଚନର ଆରମ୍ଭ ହେବ ? ଜର୍ଜ ଗାମୋଙ୍କ ମତରେ ପ୍ରସାରଣ ଓ ସଙ୍କୋଚନ ଉଭୟ ଗୋଟିଏ ପରେ ଗୋଟିଏ ଲାଗି ରହିବ । ପ୍ରସାରଣ ହେଉଛି ଜୀବନର ଚିହ୍ନ ପୁଣି ଯେବେ ସଂକୋଚନ ହେବ ଜୀବନ ନିଶ୍ଚିହ୍ନ ହୋଇଯିବ ।

 

ବିଶ୍ୱର ଶତକଡ଼ା ୯୯ ଭାଗ ହେଉଛି ଉଦ୍‌ଜାନ ଓ ହିଲିୟମ୍ । ଗାମୋଙ୍କ ମତରେ ବିଭିନ୍ନ ମୌଳିକ ପଦାର୍ଥର ସୃଷ୍ଟି ମାତ୍ର ଅଧଘଣ୍ଟାରେ ହୋଇଥିଲା । ଏହି କ୍ରମବିକାଶଶୀଳ ବିଶ୍ୱର ଇତିହାସ ପଛରେ ଥିଲା ଆଇନଷ୍ଟାଇନ୍‌ଙ୍କ ସଂଶୋଧିତ ସମୀକରଣ ।

 

ତା’ପରେ ବାହାରିଲା କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟର ଫ୍ରେଡ଼ ହୋଏଲଙ୍କ ସ୍ଥିର ବିଶ୍ୱ ମତବାଦ । ତାଙ୍କ ମତରେ ଶକ୍ତିର ରୂପାନ୍ତର ଘଟି ଅନବରତ ଭରର ସୃଷ୍ଟି ହେଉଅଛି । ଫଳତଃ ବିଶ୍ୱର ସାନ୍ଦ୍ରତା ସବୁବେଳେ ସମାନ ରହୁଅଛି । ଏହି ରୂପାନ୍ତରକୁ ବୁଝିବାପାଇଁ ଗୋଟିଏ ଭରର ଝରଣାର ମାନସିକ ଚିତ୍ରାଙ୍କନ କରିବାକୁ ହେବ । ଏହି ଝରଣାରୁ ଅନବରତ ଉଦ୍‌ଜାନର ଆବିର୍ଭାବ ଘଟୁଛି । ହୋଏଲ କହନ୍ତି ଯେ ପ୍ରସାରଣ ଜନିତ ଶକ୍ତି ସୃଷ୍ଟିର ଶକ୍ତି ରୂପେ ନିଆଯାଇ ପାରେ । କାରଣ ଏହି ଶକ୍ତିର ବିନିଯୋଗରେ ଭର ଉତ୍ପନ୍ନ ହେଉଛି । ଏହି ମତଅନୁସାରେ ଉଦ୍‌ଜାନର ପ୍ରାଚୁର୍ଯ୍ୟ ବୁଝାଯାଇପାରେ ବୋଲି ହୋଏଲ ବିଚାର କରନ୍ତି ।

 

ପ୍ରସାରଣଶୀଳ ବିଶ୍ୱବାଦକୁ ନେଲେ, ଦିନେ ଏପରି ଅବସ୍ଥାର ସୃଷ୍ଟି ହେବ, ଯେତେବେଳେ ଶୀତଳତାର ଆତିଶଯ୍ୟ ହେତୁ ବିଶ୍ୱ ଜୀବଶୂନ୍ୟ ହୋଇଯିବ । ବର୍ତ୍ତମାନର ନକ୍ଷତ୍ର ଖଚିତ ସୁନ୍ଦର ବିଶ୍ୱ ଅସୀମତାର ଗର୍ଭକୁ ପ୍ରସାରିତ ହୋଇ କେବଳ ଅଗଣିତ ରେଣୁରେ ପରିଣତ ହେବ । ନ ହେଲେ ପୁଣି ଥରେ ସଂକୋଚନ ଫଳରେ ଆଉ ଥରେ ତା’ର ଶୈଶବାବସ୍ଥାକୁ ଫେରିଆସିବ, ଯେତେବେଳେ ଆମର ପୂର୍ବ ପରିଚିତ ଅତି ଘନ, ଅତି ଉତ୍ତପ୍ତ ପେଣ୍ଡୁର ସନ୍ଧାନ ମିଳିପାରିବ । ହୋଏଲଙ୍କର ମତବାଦକୁ ବିଚାର କଲେ ମଧ୍ୟ ଭରର ଜନ୍ମ ଅନନ୍ତକାଳବ୍ୟାପୀ ଲାଗି ରହିପାରିବନି, କାରଣ ବିଶ୍ୱର ଶକ୍ତିର ସମଷ୍ଟି ଗଣନାର ବହିର୍ଭୂତ ହେଲେ ମଧ୍ୟ ଅସୀମ ନୁହେଁ । ତେଣୁ ଯେଉଁଦିନ ଶକ୍ତିର ବିଲୟ ଘଟିବ ସୃଷ୍ଟିର ଯବନିକାର ଆରମ୍ଭ ହେବ । ତେଣୁ ଯଦି ବିଶ୍ୱର ସୃଷ୍ଟିକୁ ବିଶ୍ୱାସ କରାଯାଏ, ତା’ର ବିଲୟକୁ ମଧ୍ୟ ବିଶ୍ୱାସ କରାଯିବ, କାରଣ ଯାହାର ଆଦି ଅଛି ତା’ର ଅନ୍ତ ଅଛି, ଯା’ର ଜନ୍ମ ଅଛି ତା’ର ମୃତ୍ୟୁ ଅଛି ।

 

ବିଶ୍ୱର ପ୍ରଥମ ଆଲୋକରେଖା ଯେମିତି ଆଶା ଓ ଆନନ୍ଦର ସଞ୍ଚାର କରି ବିଶ୍ୱର ଜନ୍ମୋତ୍ସବ ପାଳନ କରିଥିଲା, କେଉଁ ଏକ ସୁଦୂର ଭବିଷ୍ୟତରେ ସୃଷ୍ଟିର ଅନ୍ତିମ ଆଲୋକରେଖା ତା’ର ମରଣ ଭୈରବୀ ଗାନ କରିବ । ତା’ ପୂର୍ବରୁ ହୁଏତ ପୃଥିବୀର ମୃତ୍ୟୁ ଘଟିଥିବ–ସୂର୍ଯ୍ୟ ମଧ୍ୟ ନିଶ୍ଚଳ ହୋଇ ନୀରବତା ଗର୍ଭରେ ଲୀନ ହୋଇ ଯାଇଥିବ । ତଥାପି ଯଦି ବିଶ୍ୱର କେଉଁ ପ୍ରାନ୍ତରେ ଜୀବନର ସନ୍ଧାନ ଥିବ, ସେ ହୁଏତ ଅନୁଭବ କରିପାରିବ ବିରାଟ ବିଶ୍ୱର ମରଣ ଯନ୍ତ୍ରଣା । ମହାକାଶ ଅଭିଯାନର ସଫଳତା ପରେ ହୁଏତ ଦିନେ ନା ଦିନେ ବିଶ୍ୱର ସର୍ବତ୍ର ମଣିଷ ନିଜର ବିଜୟ ପତାକା ଉତ୍ତୋଳନ କରିବ । ସେହି ବିଜୟର ଉଲ୍ଲାସରେ ସେ ଯେତେବେଳେ ଆତ୍ମହରା ହୋଇପଡ଼ିଥିବ ସେତେବେଳେ ସୃଷ୍ଟିର ଅନ୍ତିମ ଆଲୋକରେଖା ଅସୀମତାର ଗର୍ଭରେ ଲୀନ ହୋଇଯିବ । ତା’ପରେ ଚାରିଆଡ଼େ ଅନ୍ଧକାର-ସମବେଦନା ଜଣାଇବାକୁ କେହି ନ ଥିବେ । ଯେଉଁ ବିଶ୍ୱର ବିରାଟତାର ରହସ୍ୟକୁ ଭେଦ କରିବା ପାଇଁ ଆଜି ଏତେ ଗବେଷଣା ଚାଲିଛି ସୃଷ୍ଟିର ଅନ୍ତିମ ଯାମିନୀ ସଙ୍ଗେ ସଙ୍ଗେ ତା’ର ଯବନିକା ପତନ ହେବ ।

Image

 

ପୃଥିବୀର ଛାତ

 

(ଘରର ଛାତ ଯେପରି ଆମକୁ ଖରା, ବର୍ଷା ଓ ଶୀତର ଦାଉରୁ ରକ୍ଷା କରେ, ପୃଥିବୀର ବାୟୁମଣ୍ଡଳ ମଧ୍ୟ ପୃଥିବୀ ପୃଷ୍ଠକୁ ସୂର୍ଯ୍ୟର ଅତ୍ୟଧିକ ତାପ, ବର୍ଷାବିନ୍ଦୁର କ୍ଷିପ୍ର ଗତି ତଥା ଉଲ୍‌କା ପ୍ରଭୃତି ଓଜନିଆ ବସ୍ତୁର ଦାଉରୁ ରକ୍ଷା କରେ । ପୃଥିବୀର ବାୟୁମଣ୍ଡଳ ଅଧ୍ୟୟନପ୍ରସୂତ ବିଭିନ୍ନ ତଥ୍ୟ ଏହି ପ୍ରବନ୍ଧରେ ପରିବେଷଣ କରାଯାଇଛି ।)

 

ଦିନବେଳେ ମେଘହୀନ ନୀଳ ଆକାଶକୁ କିମ୍ବା ରାତିରେ ସୁଦୂରସ୍ଥ ତାରକାରାଜି ଦେଖି ସାଧାରଣତଃ ମନେହେବ ଯେ, ଯଦି ପୃଥିବୀର କୌଣସି ଛାତ ଅଛି ତା’ହେଲେ ତାହା ପୃଥିବୀ ପୃଷ୍ଠରୁ ଲକ୍ଷାଧିକ ମାଇଲ ଦୂରରେ ଅବସ୍ଥିତ । କିଏ କିଏ ବା କହିବେ ଯେ, ପୃଥିବୀର ଛାତ ଗୋଟାଏ କ’ଣ ? କିନ୍ତୁ ସବୁ ବାସସ୍ଥାନ ପାଇଁ ଯେମିତି ଗୋଟିଏ ଛାତର ଦରକାର, ପୃଥିବୀରେ ଆମମାନଙ୍କ ବଞ୍ଚିରହିବା ସମ୍ଭବପର ହୋଇପାରିଛି ତାର ଛାତପାଇଁ, ଯାହା ଭୂପୃଷ୍ଠରୁ ପ୍ରାୟ ଦଶ ମାଇଲ ଉପରେ ଅବସ୍ଥିତ ଏବଂ ଯାହାକୁ ବୈଜ୍ଞାନିକମାନେ ସମତାପମଣ୍ଡଳ ବା ଷ୍ଟ୍ରାଟୋସ୍ଫିୟର କହନ୍ତି । ଏହି ଛାତ ଆମକୁ କେବଳ ଅତ୍ୟଧିକ ଗରମ ଓ ଥଣ୍ଡାରୁ ରକ୍ଷା କରେନା – ଆକାଶ ମାର୍ଗରେ କ୍ଷିପ୍ରଗତିରେ ଯାଉଥିବା ଉଲ୍‌କାମାନଙ୍କ କବଳରୁ ମଧ୍ୟ ରକ୍ଷା କରେ; ରହସ୍ୟମୟ ଏବଂ ଅହିତକର ନଭୋରଶ୍ମିର ଅତ୍ୟାଚାରରୁ ଆମକୁ ଘୋଡ଼ାଇରଖେ ।

 

ସମତାପମଣ୍ଡଳ ଆବିଷ୍କାର ସମ୍ମୁଖରେ କଲମ୍ବସଙ୍କ ଆମେରିକା ଆବିଷ୍କାର ମଧ୍ୟ ନିସ୍ତେଜ ହୋଇପଡ଼େ । କଲମ୍ବସ ଗୋଟିଏ ନୂତନ ପୃଥିବୀର ଆବିସ୍କାର କରିଥିଲେ । ସମତାପମଣ୍ଡଳର ଆବିଷ୍କାରକମାନେ ଖୋଲିଲେ ଗୋଟିଏ ନୂତନ ବିଶ୍ୱ । ବିଂଶ ଶତାବ୍ଦୀର ପ୍ରତ୍ୟୁଷରେ ପୃଥିବୀର ସମସ୍ତ ସ୍ଥାନ ଆବିଷ୍କୃତ ହୋଇନଥିଲା । ମଣିଷର ଆଶା ଥିଲା ଏକ ଅଜଣା ରାଜ୍ୟ ଆବିଷ୍କାର କରିବାପାଇଁ ଯେଉଁଠି ସେ ସାଧାରଣ ପାର୍ଥିବ ବାତାବରଣରୁ ପୃଥକ୍ ଜିନିଷର ଅନୁସନ୍ଧାନ ପାଇପାରିବ । ବିଂଶଶତାବ୍ଦୀକୁ ତିନିବର୍ଷ ହୋଇଥିବା ସମୟରେ ରାଇଟ୍‌ ଭ୍ରାତୃବୃନ୍ଦ ବ୍ୟୋମଯାନର ଉଦ୍ଭାବନ କରି ପୃଥିବୀର ସବୁସ୍ଥାନ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲେ । ସେତେବେଳେ ପୃଥିବୀର ଏ ପାଖରୁ ସେପାଖକୁ ଗୋଟିଏ ସୁଡ଼ଙ୍ଗ ତିଆରି କରିବାର ପରିକଳ୍ପନାର ବିଲୟ ଘଟିଥାଏ । ସାଗରର ଅନ୍ତର୍ନିହିତ ରହସ୍ୟ ଆବିଷ୍କାର କରିବା ବିପଦସଙ୍କୁଳ ହୋଇଥାଏ । ସେତେବେଳେ ଆବିଷ୍କାର କରିବାପାଇଁ ମଣିଷ ଇଚ୍ଛା ପ୍ରକଟ କଲା । ଏହି ଚେଷ୍ଟାର ଅୟମାରମ୍ଭ ହୋଇଥିଲା ୧୭୪୯ରେ, ଯେତେବେଳେ ଡାକ୍ତର ଆଲେକଜାଣ୍ଡର ଇଉଲସନ୍ ତାପମାନ ଯନ୍ତ୍ର ବନ୍ଧାହୋଇଥିବା ଗୁଡ଼ି ଉଡ଼େଇ ବିଭିନ୍ନ ଉଚ୍ଚତାରେ ଉତ୍ତାପ ମାପିଥିଲେ । ପଇଁତିରିଶ ବର୍ଷ ପରେ ଡାକ୍ତର ଜେଫେରିଜ୍‌ ଏବଂ ଜିନ୍‌ ବ୍ଳେଙ୍କହାର୍ଡ ବେଲୁନ ସାହାଯ୍ୟରେ ଉତ୍ତାପ ମାପିବାର ଚେଷ୍ଟା କଲେ ।

 

ବେଲୁନ୍ ସାହାଯ୍ୟରେ ବାୟୁମଣ୍ଡଳର ବିଭିନ୍ନ ତଥ୍ୟ କ୍ରମଶଃ ଜଣାଗଲା । ଉପରକୁ ଉଠିଲେ ବାୟୁମଣ୍ଡଳ ଧୀରେ ଧୀରେ ଶୀତଳତର, ପତଳା ଏବଂ ହାଲୁକା ଜଣାଗଲା । ୧୮୬୨ରେ ଜେମସ୍‌ ଗ୍ଳେସର ବେଲୁନ୍‌ ସାହାଯ୍ୟରେ ସଇଁତିରିଶ ହଜାର ଫୁଟ ଉପରକୁ ଉଠିଥିଲେ ବୋଲି ଗଣନା କରାଯାଏ; କିନ୍ତୁ ଅଣତିରିଶ ହଜାର ଫୁଟ ଉପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ । ସେତେବେଳେ ମିନିଟ୍‌କୁ ଏକ ହଜାର ଫୁଟ ହାରରେ ବେଲୁନ ଉପରକୁ ଉଠୁଥିଲା ଏବଂ ତେର ମିନିଟ୍‌ ପରେ ତାଙ୍କର ଚେତନା ଫେରିଆସିଲାବେଳକୁ ବେଲୁନ ମିନିଟ୍‌କୁ ଦୁଇ ହଜାର ଫୁଟ ହାରରେ ଅବତରଣ କରୁଥିଲା । ସେଇଠୁ ସେ ଗଣନା କଲେ ଯେ ବେଲୁନ୍‌ ସଇଁତିରିଶ ହଜାର ଫୁଟ ଉପରକୁ ଉଠିଛି । ଗ୍ଳେସର ଉଚ୍ଚ ବାୟୁମଣ୍ଡଳର ତାପ, ଚାପ, ଜଳକଣାର ପରିମାଣ ବୈଦ୍ୟୁତିକ ଅବସ୍ଥା ଇତ୍ୟାଦିର ଅନୁସନ୍ଧାନ କରିଥିଲେ । ୨୦,୦୦୦ ଫୁଟ ଉଚ୍ଚରେ ତାଙ୍କର ହୃତ୍‌କମ୍ପର ହାର ମିନିଟ୍‌କୁ ୭୬ ଜାଗାରେ ୧୧୦ ହୋଇଥିଲା । ବେଲୁନ୍‌ ଯେତେବେଳେ ଆହୁରି ଉପରକୁ ଉଠିଲା ସେ ଧୀରେ ଧୀରେ ଅବଶ ଅନୁଭବ କଲେ ଏବଂ ଅବଶେଷରେ ମୂର୍ଚ୍ଛା ହୋଇଗଲେ ।

 

ଏହାପରେ ଅନେକ ଦିନ ପର୍ଯ୍ୟନ୍ତ ଅତ୍ୟଧିକ ଉଚ୍ଚକୁ ବେଲୁନରେ ଯିବାପାଇଁ ଲୋକେ ସାହସ କଲେ ନାହିଁ । ୧୮୭୫ରେ ଗେସଟନ୍‌ ଟିସାନ୍‌ତିଅର୍‌ ପ୍ୟାରୀ ନଗରୀ ଉପରେ ସତେଇଶ ହଜାର ନ ଶହ ପଚାଶ ଫୁଟ ଉପରକୁ ଉଠିପାରିଥିଲେ । ୧୯୦୧ରେ ଡାକ୍ତର ବେରସନ୍‌ ଏବଂ ସୁଭିଙ୍ଗ ଚଉତିରିଶ ହଜାର ପାଞ୍ଚଶହ ଫୁଟ ଉପରକୁ ଉଠି ପାରିଥିଲେ ।

 

ଏହିସବୁ ଯାତ୍ରା ଫଳରେ ଜଣାଗଲା ବାୟୁମଣ୍ଡଳର ଉତ୍ତାପ ଉଚ୍ଚତା ଅନୁସାରେ କମୁଛି । ବୈଜ୍ଞାନିକ ଡିବର୍ଟଙ୍କ ବିଶ୍ୱାସ ଥିଲା ଯେ ଏମିତି ଅନେକ ଉପରକୁ ଗଲେ ତାପମାତ୍ରା । ଶୀତଳତାର ଚରମ ସୀମାରେ ଅର୍ଥାତ ଶୂନ୍ୟ ଡିଗ୍ରୀ ସେଣ୍ଟିଗ୍ରେଡ୍‌ର ୨୭୩ ଡିଗ୍ରୀ ତଳେ ଉପନୀତ ହେବ । କିନ୍ତୁ ୧୮୯୯ରୁ ୧୯୦୨ ଭିତରେ ତାପମାନ ଯନ୍ତ୍ର ଥିବା ଶତାଧିକ ବେଲୁନ୍‌ ଛାଡ଼ି ଡିବର୍ଟ ସ୍ଥିରକଲେ ଯେ ପ୍ରାୟ ସାତ ମାଇଲ ପର୍ଯ୍ୟନ୍ତ ଉତ୍ତାପର ହ୍ରାସହୁଏ ଏବଂ ତାପରେ ବିଯୁକ୍ତ ପଞ୍ଚାବନ ଡିଗ୍ରୀ ସେଣ୍ଟିଗ୍ରେଡ୍‌ (-୫୫ଂc) ରେ ସ୍ଥିର ରହେ । ଏହି ସମତାପ ମଣ୍ଡଳର ଗଭୀରତା ପ୍ରାୟ ପଚିଶ ମାଇଲ । ସମତାପ ମଣ୍ଡଳରେ ଯଦିଓ ମେଘ କିମ୍ବା କୁହୁଡ଼ିର ଭୟ ନାହିଁ, ଏଠାରେ ପ୍ରଳୟଙ୍କରୀ ଝଡ଼ ଦେଖାଦିଏ, ତେଣୁ ଏହି ମଣ୍ଡଳ ଭିତରକୁ ପଶିବା ବିପଜ୍ଜନକ ।

 

ଡାକ୍ତର ଅଗଷ୍ଟ ପିକାର୍ଡ ନଭୋରଶ୍ମି ସମ୍ବନ୍ଧରେ ଅନୁସନ୍ଧାନ କରିବା ପାଇଁ ସର୍ବପ୍ରଥମେ ଏହି ମଣ୍ଡଳକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ନଭୋରଶ୍ମି ଏତେ ତେଜିୟାନ ଏବଂ ସକ୍ରିୟ ଯେ ବାୟୁମଣ୍ଡଳ ଦେଇ ଆସୁ ନ ଥିଲେ ଆମମାନଙ୍କର ଭୀଷଣ କ୍ଷତି ଘଟାନ୍ତା । ତଥାପି ମଧ୍ୟ ଏହି ରହସ୍ୟମୟ ରଶ୍ମିର ଅଦୃଷ୍ଟ ରେଣୁମାନେ ଆମ ଅଜାଣତରେ ଆମ ଦେହ ଭିତର ଦେଇ ଗତିକରନ୍ତି-

 

୧୯୨୭ ବେଳର କଥା । ସେତେବେଳକୁ ବ୍ୟୋମଯାନ ସାହାଯ୍ୟରେ ବହୁତ ଉପରକୁ ଉଠିବା ସମ୍ଭବପର ହୋଇଥାଏ । ଯୁକ୍ତରାଷ୍ଟ୍ରର ଲେଫ୍‌ଟନେଣ୍ଟ ଚମ୍ପିଆନ୍‌ ଅଠତିରିଶ ହଜାର ଫୁଟ ଉପରକୁ ଉଠିଥିଲେ, ୧୯୩୦ରେ ଲେଫ୍‌ଟନେଣ୍ଟ ସୋକେ ତେୟାଳିଶ ହଜାର ଏକଶହ ଛଅଷଠି ଫୁଟ ଉପରକୁ ଉଠିଥିଲେ । କିନ୍ତୁ ପିକାର୍ଡ ଯନ୍ତ୍ରଚାଳିତ ବ୍ୟୋମଯାନରେ ଉପରକୁ ଉଠିବା ପାଇଁ ବିପଜ୍ଜନକ ମନେ କରୁଥିଲେ ।

 

ପିକାର୍ଡଙ୍କ ଗଣ୍ଡୋଲା (Gondola)ରେ ତାପରୁ ରକ୍ଷା ପାଇବାର ସମସ୍ତ ଆୟୋଜନ କରାଯାଇଥିଲା ଏବଂ ସେ ସାଙ୍ଗରେ ଯଥେଷ୍ଟ ଅମ୍ଳଜାନ ନେଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଥଣ୍ଡା ପରିବର୍ତ୍ତେ ସେ ଏହି ଅଭିଯାନରେ ଅତ୍ୟଧିକ ଉତ୍ତାପ ଅନୁଭବ କରିଥିଲେ । ମେ ୨୭, ୧୯୩୧ରେ ଜର୍ମାନୀର ଅଗସ୍‌ବର୍ଗଠାରୁ ତାଙ୍କର ଅଭିଯାନ ଆରମ୍ଭ କଲେ । ସେ ପ୍ରଥମ ପଚିଶ ମିନିଟରେ ଅଣଞ୍ଚାଶ ହଜାର ଫୁଟ ଉପରକୁ ଉଠି ପାରିଥିଲେ । ଏକାବନ ହଜାର ସାତଶହ ପଞ୍ଚସ୍ତରି ଫୁଟ ଅର୍ଥାତ୍ ୯.୭୫ ମାଇଲ ଉଠିସାରିବା ପରେ ବେଲୁନ୍ ଅନେକ ମାଇଲ୍ ପର୍ଯ୍ୟନ୍ତ ବାୟୁଦ୍ୱାରା ବିତାଡ଼ିତ ହୋଇଥିଲା । ଏହି ସମୟରେ ପିକାର୍ଡ ଏବଂ ତାଙ୍କ ସାଥି ନାନାଦି ପରୀକ୍ଷା ଓ ପର୍ଯ୍ୟବେକ୍ଷଣ କରିଥିଲେ । ଡାକ୍ତର ପିକାର୍ଡ ଦେଖିଲେ ଯେ ଆକାଶ ଗାଢ଼ ନୀଳ ଦିଶୁଥିଲା ଏବଂ ଦିନ ଦ୍ୱିପ୍ରହରରେ ମଧ୍ୟ ଚନ୍ଦ୍ର ତେଜିୟାନ ଭାବରେ ଆଲୋକିତ ହୋଇଥିଲା । ଅଗଷ୍ଟ ୧୦, ୧୯୩୨ରେ ପିକାର୍ଡ ତାଙ୍କର ଦ୍ୱିତୀୟ ଅଭିଯାନ କରିଥିଲେ । ଏଥର କିନ୍ତୁ ଅତ୍ୟଧିକ ଶୀତ ଅନୁଭବ କରିବାରୁ ବିଶେଷ କିଛି ଅନୁସନ୍ଧାନ କରିବାର ସୁଯୋଗ ପାଇପାରିଲେ ନାହିଁ । ସେଥର ତାଙ୍କ ବେଲୁନ ୧୦୫ମାଇଲ ଉପରକୁ ଉଠିଥିଲା । ରୁଷିଆର ବୈଜ୍ଞାନିକ ବିର୍ଣ୍ଣବମ୍‌ ଏବଂ ଗୋଡ଼ୋନଫ୍‌ ୧୯୩୩ରେ ୬୨୩୨୦ ଫୁଟ ଉପରକୁ ଉଠି ପାରିଥିଲେ । ରୁଷିଆର ଅସୋଭିଆତ୍‌ ଖିମ୍ ନାମକ ଏକ ସୁସଜ୍ଜିତ ବେଲୁନ ୧୯୩୪ରେ ୧୩...ମାଇଲ (୭୨୦୦୦ ଫୁଟ) ଉପରକୁ ଉଠି ପାରିଥିଲା; କିନ୍ତୁ ପୃଥିବୀ ପୃଷ୍ଠରେ ବାଡ଼େଇହୋଇ ଚୂନା ହୋଇଗଲା ।

 

ଏହାପରେ ଧୀରେ ଧୀରେ ବେଲୁନରେ ଅଭିଯାନ କରିବାର ଯୁଗ ସରି ଆସିଲା । ଜେଟ୍‌, ଉଡ଼ାଜାହାଜ ସାହାଯ୍ୟରେ ଏବେ ନବେ ହଜାର ଫୁଟରୁ ଅଧିକ ଉଚ୍ଚକୁ ଉଠିବା ସମ୍ଭବ ହେଲାଣି । ତା’ ଉପରକୁ ଆସିଲାଣି ରକେଟ୍‌ ବିଜ୍ଞାନର ସଫଳତା । ରକେଟ ସାହାଯ୍ୟରେ ଏବେ ଶତାଧିକ ମାଇଲ ଉପରକୁ ଉଠି ଏବଂ ବେଳେବେଳେ ବିଭିନ୍ନ ଉଚ୍ଚତାରେ ପୃଥିବୀର ଚାରିପଟରେ ଘୂରିବୁଲି ବିଭିନ୍ନ ପରୀକ୍ଷା କରିବା ସମ୍ଭବପର ହେଲାଣି ।

 

ପୃଥିବୀର ଛାତ ଉପରେ ହେଭିସାଇଡ଼ ମଣ୍ଡଳ ଅବସ୍ଥିତ ଯାହା ବେତାର ତରଙ୍ଗ ସବୁକୁ ପ୍ରତିଫଳିତ କରେ । ରାତିରେ ହେଭିସାଇଡ଼ ମଣ୍ଡଳ ସମତାପ ମଣ୍ଡଳର ଉପରେ ଥାଏ; କିନ୍ତୁ ଦିନବେଳେ ଏହା ସମତାପମଣ୍ଡଳ ଭିତରକୁ ପଶିଆସେ । ବେତାର ଇଞ୍ଜିନିୟରମାନେ ବେଲୁନ ଭିତରେ ବେତାର ଯନ୍ତ୍ର ରଖି ପୃଥିବୀର ଛାତ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରୁଛନ୍ତି ।

 

ଆଜି ପୃଥିବୀର ଛାତ ବୈଜ୍ଞାନିକମାନଙ୍କ କୌତୂହଳ ଅପେକ୍ଷା ରାଜନୈତିକ ଦୃଷ୍ଟିକୋଣରୁ ବେଶି ପ୍ରାଧାନ୍ୟ ଲାଭ କରିଛି । ରୁଷିଆର ପ୍ରଫେସର ପ୍ରକୋଫିଫ୍‌ ଥରେ କହିଥିଲେ, ‘‘ନଭୋରଶ୍ମିର ଗବେଷଣା ଦୃଷ୍ଟିରୁ ସମତାପମଣ୍ଡଳ ଆବିଷ୍କାରର ପ୍ରାଧାନ୍ୟ ଅଛି । କିନ୍ତୁ ଏହାର ଆବିଷ୍କାର ପରେ ପୃଥିବୀର ଯେ କୌଣସି ଜାଗାକୁ ଆକ୍ରମଣ କରିବା ସହଜସାଧ୍ୟ ହୋଇପଡ଼ିବ । ସେଥିପାଇଁ ଆମେ ପୃଥିବୀର ଛାତକୁ ଜୟ କରିବାପାଇଁ ଚେଷ୍ଟିତ ଯେପରି କି ସେଇଠୁ ଆକ୍ରମଣ ଫଳରେ ରୁଷିଆର କିଛି କ୍ଷତି ନହୁଏ ।’’

 

ସାମରିକ ଦୃଷ୍ଟିକୋଣରୁ ଯଦି ପୃଥିବୀର ଛାତର ପ୍ରାଧାନ୍ୟ ରହେ ତାହା ହେଲେ ଯେଉଁ ପୃଥିବୀର ଛାତ ଆମର ରକ୍ଷାକବଚ ହୋଇଆସିଛି, ଦିନେ ଆମ ଉପରେ ଆକ୍ରମଣର ସୁଯୋଗ ଦେଇ କ୍ଷତିକାରକ ହେବ ବୋଲି ଆଶଙ୍କା କରାଯାଏ ।

Image

 

ନକ୍ଷତ୍ର ପର୍ଯ୍ୟବେକ୍ଷଣ

 

(ରାତିରେ ଆକାଶରେ ଅସଂଖ୍ୟ ତାରା ଦେଖି ଭାବୁକ ତନ୍ମୟ ହୋଇଯାଏ । ବୈଜ୍ଞାନିକ ତାରାଗୁଡ଼ିକର ଟିକିନିଖି ଜାଣିବାପାଇଁ ଆଗ୍ରହୀ ହୁଏ । ଏହି ଆଗ୍ରହରୁ ଉଦ୍ଭାବିତ ହୋଇଛି ଦୂରବୀକ୍ଷଣ ଯନ୍ତ୍ର, ଯାହା ନକ୍ଷତ୍ର ପର୍ଯ୍ୟବେକ୍ଷଣର ଏକ ଅପରିହାର୍ଯ୍ୟ ଉପକରଣ । ଦୂରବୀକ୍ଷଣ ଯନ୍ତ୍ରର ତଥ୍ୟ ତଥା ବିଭିନ୍ନ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସମ୍ବନ୍ଧରେ ଆଲୋଚନା କରାଯାଇଛି ଏହି ପ୍ରବନ୍ଧରେ ।)

 

‘‘ଦୂର ପର୍ବତ ସୁନ୍ଦର’’–ଏ କଥା ଜଣେ କଳ୍ପନାପ୍ରିୟ ପାଇଁ ଯେତେ ପ୍ରଯୁଜ୍ୟ, ଜଣେ ବାସ୍ତବବାଦୀ ବୈଜ୍ଞାନିକ ପାଇଁ ସେତେ ପ୍ରଯୁଜ୍ୟ ନୁହେଁ । ସେ ସତ୍ୟର ସନ୍ଧାନରେ ଯେତେ ସୌନ୍ଦର୍ଯ୍ୟ ଅନୁଭବ କରେ, ଦୂରତ୍ୱ ଯୋଗୁଁ ସେତେ ଅନୁଭବ କରିପାରିରେନା । ଆକାଶରେ ତାରାମାନେ ଆଲୋକ ବିନ୍ଦୁ ପରି ଛାଇହୋଇଥାନ୍ତି, ପୂର୍ଣ୍ଣିମା ଚନ୍ଦ୍ର ଗୋଟିଏ ରୁପା ଥାଳିପରି ନିଜର ଆଭା ପ୍ରକଟ କରେ’–ଏ ସବୁ କ’ଣ ପ୍ରକୃତରେ ସତ ? ସେମାନଙ୍କ ପାଖକୁ ଗଲେ ବି କ’ଣ ସେମାନେ ସେମାନଙ୍କର ରହସ୍ୟମୟ କ୍ଷୁଦ୍ରତାକୁ ବଜାୟ ରଖିପାରନ୍ତି ? ଏସବୁ ପ୍ରଶ୍ନ ବୈଜ୍ଞାନିକର ମନରେ ଉଠେ । ସୁଦୂରସ୍ଥ ତାରକାରାଜିକୁ ନିକଟକୁ ଆଣିବାପାଇଁ ସେ ଉପାୟ ପାଞ୍ଚେ । ସେଇଠୁ ହୁଏ ଦୂରବୀକ୍ଷଣ ଯନ୍ତ୍ରର ଆବିଷ୍କାର ଏବଂ ଆକାଶର ବିଭିନ୍ନ ରହସ୍ୟ ଧୀରେ ଧୀରେ ଉନ୍ମୁକ୍ତ ହେବାକୁ ଲାଗେ ।

 

ଚୈତ୍ର ମାସର ଅମାବାସ୍ୟା ରାତିରେ ଆକାଶ ଆଡ଼େ ଖାଲି ଆଖିରେ ନିରୀକ୍ଷଣ କରି ଆପଣମାନେ କେତୋଟି ତାରା ଦେଖିପାରନ୍ତି କହିପାରିବେ କି ? ବୋଧହୁଏ, ନୁହେଁ । ଆମର ଧାରଣା ଯେ ଆକାଶରେ ଅଗଣିତ ତାରା ଦେଖାଦିଅନ୍ତି–ଅବଶ୍ୟ ଏଇଟା ସତ, କିନ୍ତୁ ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର କୌଣସି ଏକ ନିର୍ଦ୍ଦିଷ୍ଟ ଜାଗାରୁ ଖାଲି ଆଖିରେ ଦେଖିଲେ ପ୍ରାୟ ଦୁଇ ହଜାର ତାରା ଦେଖିପାରୁଁ । ଆମେରିକାର ଲୁଇବସ ଏବଂ ବେଞ୍ଜାମିନ୍ ପଇଁତିରିଶ ବର୍ଷ ଅନୁସନ୍ଧାନ ପରେ ୧୯୩୮ରେ ଜଣାଇଲେ ଯେ ପୃଥିବୀର ସମସ୍ତ ଜାଗାରୁ ଖାଲି ଆଖିରେ ଦେଖିଲେ ତାରାମାନଙ୍କ ସଂଖ୍ୟା ଦଶହଜାରରୁ କିଛି କମ୍‌, କିନ୍ତୁ ଗୋଟିଏ ଛୋଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଥରକେ ପ୍ରାୟ ତିରିଶ ହଜାର ତାରା ଦେଖିହୁଏ ।

 

ଆକାଶ ପର୍ଯ୍ୟବେକ୍ଷଣର ସାଥୀ ଏହି ଦୂରବୀକ୍ଷଣ ଯନ୍ତ୍ର ବିଷୟ ଜାଣିବା ଏକାନ୍ତ ଆବଶ୍ୟକ । ଗୋଟିଏ ସରଳ ଦୂରବୀକ୍ଷଣ ଯନ୍ତ୍ରରେ ଦୁଇଟି ଉତ୍ତଳ ଯବକାଚ ଥାଏ । ଗୋଟିଏ ଧାତବୀୟ ନଳୀରେ ଏହି ଯବକାଚ ଦ୍ୱୟକୁ ରଖାଯାଏ ଯେପରିକି ଉଭୟଙ୍କ ଅକ୍ଷ ଗୋଟିଏ ସରଳରେଖାରେ ଅବସ୍ଥିତ ହେବ । ତନ୍ମଧ୍ୟରୁ ବୃହତ୍ତର ଯବକାଚକୁ ବସ୍ତୁ-କାଚ କୁହାଯାଏ । କୌଣସି ବସ୍ତୁ ଦେଖିବାକୁ ଗଲେ ଏହି ଯବକାଚକୁ ସେହି ଦିଗରେ ରଖାଯାଏ । ଉକ୍ତ ବସ୍ତୁରୁ ଆଲୋକ ଆସି ଏହି ବସ୍ତୁ କାଚ ଉପରେ ପଡ଼େ । ଏହି କାଚର ପ୍ରଧାନ କର୍ତ୍ତବ୍ୟ ହେଉଛି ଆଲୋକ ସଂଗ୍ରହ କରିବା-। ଏହା ଫଳରେ ବସ୍ତୁର ଗୋଟିଏ ଛୋଟ ଛବି ହୁଏ ଯାହା ଦ୍ୱିତୀୟ ଯବକାଚ ଦ୍ୱାରା ପରିବର୍ଦ୍ଧିତ ହୁଏ-। ଦ୍ୱିତୀୟ ଯବକାଚକୁ ଚକ୍ଷୁକାଚ କୁହାଯାଏ । କାରଣ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କଲାବେଳେ ଏହି ଯବକାଚ ସଂଲଗ୍ନରେ ଆଖି ରଖାଯାଏ । ବସ୍ତୁକାଚର ଆକାର ଯେତେ ବଡ଼ ତାହା ସେତେ ବେଶି ଆଲୋକ ସଂଗ୍ରହ କରିପାରେ । ଏହି ପଦ୍ଧତିରେ ତିଆରି ହୋଇଥିବା ଦୂରବୀକ୍ଷଣ ଯନ୍ତ୍ରକୁ ପ୍ରତିସରଣ-ଦୂରବୀକ୍ଷଣ ଯନ୍ତ୍ର ବୋଲି କୁହାଯାଏ ଏବଂ ଏହାଦ୍ୱାରା ସିଧାସଳଖ ଦେଖାଯାଇପାରେ ।

 

ବସ୍ତୁଟି ଅଳ୍ପ ଆଲୋକିତ କିମ୍ବା ଅତିଶୟ ନିସ୍ତେଜ ହୋଇଥିଲେ ଉପରୋକ୍ତ ପଦ୍ଧତିରେ ତାହା ଦେଖାଯାଇପାରେ ନାହିଁ । ସେଥିପାଇଁ ଗୋଟିଏ ଭିନ୍ନ ଉପାୟ ଅବଲମ୍ବନ କରାଯାଇଛି । ବସ୍ତୁକାଚ ଜାଗାରେ ଗୋଟିଏ ଉତ୍ତଳ ଯବକାଚ ନ ରଖି ଗୋଟିଏ ଅବତଳ ଦର୍ପଣ ରଖିଲେ ତାହା ବେଶି ଆଲୋକ ସଂଗ୍ରହ କରିପାରେ । ତେଣୁ କ୍ଷୀଣ ଭାବରେ ଆଲୋକିତ ବସ୍ତୁ ଦେଖିବା ପାଇଁ ଏହା ବ୍ୟବହୃତ ହୁଏ । ଏହି ପଦ୍ଧତିରେ ତିଆରି ଦୂରବୀକ୍ଷଣ ଯନ୍ତ୍ରକୁ ପ୍ରତିଫଳନ-ଦୂରବୀକ୍ଷଣ ଯନ୍ତ୍ର କୁହାଯାଏ । ଯେଉଁ ତାରାସବୁକୁ ଖାଲିଆଖିରେ କିମ୍ବା ପ୍ରତିସରଣ-ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖି ହୁଏନା, ପ୍ରତିଫଳନ ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ଖାଲି ଆଖିରେ ଦେଖାଯାଉଥିବା ଅଳ୍ପ ଆଲୋକିତ ତାରକାର ଲକ୍ଷାଧିକ ଭାଗରୁ ଭାଗେ ଆଲୋକିତ ତାରା ମଧ୍ୟ ଦେଖାଯାଇପାରେ ।

 

ବିଭିନ୍ନ ତାରକା ବିଷୟ ଜାଣିବାକୁ ହେଲେ ସେମାନଙ୍କ ଦୂରତ୍ୱ ମଧ୍ୟ ଜାଣିବା ଦରକାର । ସେମାନେ ଆମଠୁ ଏତେ ଦୂରରେ ଅବସ୍ଥିତ ଯେ ସେମାନଙ୍କର ଦୂରତ୍ୱ ସାଧାରଣ ଦୂରତ୍ୱ ମାପିବା ଏକକ ଦ୍ୱାରା ବ୍ୟକ୍ତ କରାଯାଏ ନାହିଁ । ଆଲୋକର ବେଗ ଏକ ସେକେଣ୍ଡକୁ ପ୍ରାୟ ୧୮୬,୦୦୦ ମାଇଲ (୩ x ୧୦’’ମିଟର) । ଏହା ବର୍ଷେ ପର୍ଯ୍ୟନ୍ତ ଗତି କଲେ ୫,୮୮୦,୦୦୦,୦୦୦,୦୦୦ (ପାଞ୍ଚଲକ୍ଷ ଅଠାଅଶୀ ହଜାର କୋଟି) ମାଇଲ ଯାଏ । ଏହି ଦୂରତ୍ୱକୁ ଏକ ‘ଆଲୋକ ବର୍ଷ’ କୁହାଯାଏ । ଏହି ଏକକର ୩.୩ ଗୁଣ ଅନ୍ୟ ଏକ ଏକକର ନାମ ‘ପାର-ସେକ୍‌’ ।

 

ପୃଥିବୀର ନିକଟସ୍ଥ ତାରା ପ୍ରୋକ୍‍ସିମା ସେଞ୍ଚୁରିର ଦୂରତ୍ୱ ଆଲୋକବର୍ଷ । ଖାଲି ଆଖିରେ ଦେଖାଯାଉଥିବା ସବୁଠାରୁ ଦୂରରେ ଥିବା ନିହାରୀକା ‘ଏଣ୍ଡ୍ରୋମେଡ଼ା’ର ଦୂରତ୍ୱ ନଅ ଲକ୍ଷ ଆଲୋକବର୍ଷ । ମହାଶୂନ୍ୟର ବିରାଟତା ତୁଳନାରେ ଏହି ଦୂରତ୍ୱ ଅତି ନଗଣ୍ୟ ମାତ୍ର ।

 

ପ୍ରତିଫଳନ ଦୂରବୀକ୍ଷଣ ଯନ୍ତ୍ରର ପ୍ରଥମ ସଦ୍‌ବ୍ୟବହାର କରିଥିଲେ ସାର୍‌ ଉଇଲିଅମ ହାରସ୍‌ସେଲ । ସେ ୧୭୬୯ରେ ଗୋଟିଏ ଅଠଚାଳିଶ ଇଞ୍ଚିଆ (ପ୍ରାୟ ୧୨୦ ସେଣ୍ଟିମିଟର) ପ୍ରତିଫଳକ ତିଆରି କରିଥିଲେ । କିନ୍ତୁ ସେ କେଉଁ ଉପାୟରେ ଏତେବଡ଼ ଦର୍ପଣ ତିଆରି କରିଥିଲେ ତାହା ଗୋପନରେ ରଖିବାରୁ ପ୍ରାୟ ଷାଠିଏ ବର୍ଷ ପର୍ଯ୍ୟନ୍ତ ସେ ଦିଗରେ ବିଶେଷ ଅଗ୍ରଗତି ହୋଇପାରି ନଥିଲା । ଚାଳିଶ ଇଞ୍ଚ ବ୍ୟାସର ବସ୍ତୁକାଚ ବିଶିଷ୍ଟ ୟର୍କସ୍‌ ମାନମନ୍ଦିରର ପ୍ରତିସରଣ-ଦୂରବୀକ୍ଷଣ ଯନ୍ତ୍ର ଏହି ଜାତୀୟ ବୃହତ୍ତମ ଦୂରବୀକ୍ଷଣ ଯନ୍ତ୍ର । ବର୍ତ୍ତମାନ ନକ୍ଷତ୍ର ପର୍ଯ୍ୟବେକ୍ଷଣ ପାଇଁ ଏପ୍ରକାରର ଯନ୍ତ୍ରର ପ୍ରାଧାନ୍ୟ କମିଗଲାଣି ।

 

ଗୋଟିଏ, ବିରାଟ ପ୍ରତିଫଳକ ତିଆରି କରିବା ବହୁତ କଷ୍ଟସାଧ୍ୟ ଏବଂ ବ୍ୟୟସାଧ୍ୟ । ମାଉଣ୍ଟ ଉଇଲ୍‌ସନ୍‌ ମାନମନ୍ଦିରର ପୃଥିବୀର ଦ୍ୱିତୀୟ ବୃହତ୍ତମ ଦୂରବୀକ୍ଷଣ ଯନ୍ତ୍ରର ପ୍ରତିଫଳକର ବ୍ୟାସ ୧୦୦୪ ଇଞ୍ଚ (୨୫୫ ସେଣ୍ଟିମିଟର) ଏବଂ ଏହାର ତିଆରିରେ ପ୍ରାୟ ସତରଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ଜର୍ଜ ଉଇଲିସ୍‌ରିଚିଙ୍କ ତତ୍ତ୍ୱାବଧାନରେ ତିଆରି ହୋଇଥିଲା । ଏହାର ତିଆରି ୧୯୨୧ରେ ସମାପ୍ତ ହୋଇଥିଲା । ଏହାର ଓଜନ ଶହେ ଟନ୍‌ ଏବଂ ଏହା ଚାଳିଶଟି ବୈଦ୍ୟୁତିକ ମୋଟର ଦ୍ୱାରା ଚାଳିତ । ପ୍ରତି ଛଅ ମାସରେ ଥରେ ଲେଖା ଏହାର ଦର୍ପଣୀକରଣ କରାଯାଏ । ଦିନବେଳେ ପାଣି ଭର୍ତ୍ତିକରି ପ୍ରତିଫଳକ ତିଆରି କରିବା ଅସମ୍ଭବ । ଏହି ଦୂରବୀକ୍ଷଣ ଯନ୍ତ୍ର ଖାଲିଆଖି ତୁଳନାରେ ଅଢ଼େଇ ଲକ୍ଷ ଗୁଣ ଅଧିକ ଆଲୋକ ସଂଗ୍ରହ କରେ । ଏହା ସାହାଯ୍ୟରେ ପଇଁଚାଳିଶ କୋଟି ଆଲୋକ ବର୍ଷ ପର୍ଯ୍ୟନ୍ତ ଦେଖାଯାଏ ଏବଂ ଏହାଦ୍ୱାରା ପ୍ରାୟ ଶହେପଚାଶ କୋଟି ତାରାର ଆଲୋକ ଚିତ୍ର ଉଠେଇବା ସମ୍ଭବପର ।

 

ବୈଜ୍ଞାନିକର କ୍ଷୁଧା କିନ୍ତୁ ଏତିକିରେ ମେଣ୍ଟିଲା ନାହିଁ । ତା’ର ଧାରଣା ହେଲା ଯେ ଆକାଶରେ ପ୍ରାୟ ତିନିହଜାର କୋଟି ତାରକା ଅବସ୍ଥିତ ଏବଂ ବିଶ୍ୱର ବ୍ୟାସ ପ୍ରାୟ ଛଅଶହ କୋଟି ଆଲୋକ ବର୍ଷ । ଏ ସମ୍ବନ୍ଧରେ ସିଦ୍ଧାନ୍ତରେ ଉପନୀତ ହେବାପାଇଁ ଆହୁରି ବଡ଼ ପ୍ରତିଫଳକର ଦରକାର ହେଲା; କାରଣ ମାଉଣ୍ଟ ଉଇଲସନ୍‌ର ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ବିଶ୍ୱର ଆକାର ଏବଂ ପ୍ରସାରଣ ବିଷୟରେ ଅଳ୍ପ କିଛି ଧାରଣା ହୋଇଥିଲା ମାତ୍ର ।

 

ତା’ପରେ ପୁଣି କଳ୍ପନା ଜଳ୍ପନା ଚାଲିଲା । ଏହାଠାରୁ ମଧ୍ୟ ଆହୁରି ବଡ଼ ପ୍ରତିଫଳକ ତିଆରି କରିବାର ଉପାୟ ଚିନ୍ତାରେ ବୈଜ୍ଞାନିକ ନିମଗ୍ନରହିଲା । ୧୯୩୪ରେ ଆରମ୍ଭ ହେଲା ମାଉଣ୍ଟ ପାଲୋମାର୍‌ର ଦୁଇଶତ ଇଞ୍ଚିଆ ପ୍ରତିଫଳକର କାର୍ଯ୍ୟ । ଏହି ପ୍ରତିଫଳକ ତିଆରି କରିବାରେ ଯେଉଁ ଅସୁବିଧା ସବୁର ସମ୍ମୁଖୀନ ହେବାକୁ ପଡ଼ି‌ଥିଲା ତାହା ଦୂରବୀକ୍ଷଣ ଯନ୍ତ୍ରର ଇତିହାସରେ ଲିପିବଦ୍ଧ ହୋଇ ରହିଛି ।

 

ଏଥିରେ ପ୍ରାୟ ଶହେଷାଠିଏ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ଏହାର ଓଜନ ଆଠଶହ ଟନ୍‌ । ମାର୍ଚ୍ଚ ୨୫ ରବିବାର ସକାଳେ ବିଖ୍ୟାତ ବୈଜ୍ଞାନିକମାନଙ୍କ ଗହଣରେ ଗୋଟିଏ ସ୍ୱତନ୍ତ୍ର ନିର୍ମିତ ଛାଞ୍ଚରେ ଦୁଇହଜାର ଆଠଶହ ଡିଗ୍ରୀ ଫାରେନ୍‌ହିଟ୍‌ ଉତ୍ତପ୍ତ ତରଳ କାଚ ଢାଳିବା ଆରମ୍ଭ ହେଲା । ତରଳ ପଦାର୍ଥ ଛାଞ୍ଚର ଗୋଟିଏ ଅଂଶ ଅଳ୍ପ ଭାଙ୍ଗି ଯିବାରୁ ସମସ୍ତଙ୍କ ମନରେ ଆଶଙ୍କାର ଛାୟା ଖେଳିଗଲା, କିନ୍ତୁ ସୌଭାଗ୍ୟକ୍ରମେ ତାହା ମରାମତି କରାଯାଇପାରିଥିଲା ।

 

ଚଞ୍ଚଳ ଥଣ୍ଡା କଲେ କାଚ ଫାଟି ଯାଉଥିବାରୁ ଦିନକୁ ୧୪ଡିଗ୍ରୀ ଫାରେନହିଟ୍ ହାରରେ ଦର୍ପଣକୁ ଥଣ୍ଡା କରାଗଲା । ଏହା ଥଣ୍ଡା କରିବା ପାଇଁ ଦଶମାସ ଲାଗିଲା । ଦୂରବୀକ୍ଷଣ ଯନ୍ତ୍ରର କାମ ସରିବାପରେ ଯନ୍ତ୍ରକୁ ପାଲୋମାର ପାହାଡ଼ ଉପରକୁ ନିଆଗଲା । ପାହାଡ଼ର ଉଚ୍ଚତା ପାଞ୍ଚହଜାର ସାତଶହ ଫୁଟ ଏବଂ ଏଇଠୁ ଅନ୍ୟ ଜାଗା ଅପେକ୍ଷା ଆକାଶ କୃଷ୍ଣତର ଦେଖାଯାଏ । ଏଥିଯୋଗୁଁ ଏଠାରେ ଅନୁସନ୍ଧାନ କରିବାର ସୁଯୋଗ ସବୁଠାରୁ ବେଶି ।

 

ଏହାଦ୍ୱାରା ଫଟୋ ଉଠା ହୋଇ ଆକାଶରେ ତାରାମାନଙ୍କର ସ୍ଥାନ ନିର୍ଦ୍ଦିଷ୍ଟ ରୂପେ ନିରୂପଣ କରିହେଉଛି । ଖାଲି ଆଖି ଅପେକ୍ଷା ଏହା ଦଶ ଲକ୍ଷ ଗୁଣ ବେଶି ଆଲୋକ ସଂଗ୍ରହ କରିପାରେ । ଶୂନ୍ୟରେ ଦଶ ହଜାର ମାଇଲ ଦୂରରେ ଗୋଟିଏ ମହମବତି ରଖିଲେ, ପାଲୋମାରର ଦୂରବୀକ୍ଷଣ ଯନ୍ତ୍ର ସେଇଠୁ ଆଲୋକ ସଂଗ୍ରହ କରି ପାରିବ ।

 

କେବଳ ଯେ ବଡ଼ ପ୍ରତିଫଳକ ଦ୍ୱାରା ସୁଦୂରସ୍ଥ ତାରକା ଦେଖିବାର ସୁଯୋଗ ମିଳିଛି, ତାହା ନୁହେଁ–ନିକଟସ୍ଥ ଗ୍ରହ ଓ ଉପଗ୍ରହର ମଧ୍ୟ ପୁଙ୍ଖାନୁପୁଙ୍ଖ ପର୍ଯ୍ୟବେକ୍ଷଣ କରିହେଉଛି । ମାଉଣ୍ଟ ଉଇଲ୍‌ସନ୍‌ର ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ଚନ୍ଦ୍ରସ୍ଥ ତିନିଶହ ଫୁଟ ବ୍ୟାସର ଯେକୌଣସି ଜିନିଷ ସ୍ପଷ୍ଟ ଦେଖାଯାଏ ଏବଂ ମାଉଣ୍ଟ ପାଲୋମାରର ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ଚନ୍ଦ୍ରସ୍ଥ ତିରିଶ ଫୁଟ ବ୍ୟାସର ଜିନିଷ ପରିଷ୍କାର ଭାବରେ ଦେଖିହୁଏ । ପୃଥିବୀର ଏହି ବୃହତ୍ତମ ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା, କହିବାକୁ ଗଲେ, ଦୁଇଲକ୍ଷ ଚାଳିଶ ହଜାର ମାଇଲ ଦୂରସ୍ଥ ଚନ୍ଦ୍ରକୁ ଅଶୀ ମାଇଲ ଦୂରକୁ ଅଣାଯାଇପାରେ ।

 

୧୯୩୩ର କଥା । ୟକ୍‌ର୍ସ ମାନମନ୍ଦିରରୁ ଚାଳିଶ ଆଲୋକ ବର୍ଷ ଦୂରରେ ଥିବା ଆର୍କଟରସ୍‌ ନକ୍ଷତ୍ରରୁ ଆଲୋକ ସଂଗ୍ରହ କରି ଗୋଟିଏ ବିଦ୍ୟୁତ୍‌ ଆଲୋକ କୋଷରେ ପକାଇ ଯେଉଁ ବିଦ୍ୟୁତ୍‍ ଶକ୍ତି ଉତ୍ପନ୍ନ ହେଲା ସେଥିରେ ଚିକାଗୋରେ ଗୋଟିଏ ପ୍ରଦର୍ଶନୀର ଉଦ୍‌ଘାଟନ କରାହୋଇଥିଲା । ଏହାର ଛଅମାସ ପରେ, ସେ ବର୍ଷ ଅକ୍‌ଟୋବର ମାସରେ ଇଟାଲିର ଫ୍ଳୋରେନ୍‌ସ ନଗରୀରୁ ଚନ୍ଦ୍ରାଲୋକ ସଂଗ୍ରହ କରି ଚିକାଗୋର ଆଉ ଗୋଟିଏ ପ୍ରଦର୍ଶନୀ ଉଦ୍‌ଘାଟନ କରିବା ପାଇଁ ପଠାହୋଇଥିଲା । ଏହାର ବିଶେଷତ୍ୱ ଏହି ଯେ, ଆଲୋକ ସଂଗ୍ରହ କରିବାପାଇଁ ଯେଉଁ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରାଯାଇଥିଲା ତାହା ୧୬୦୯-୧୦ରେ ଗେଲିଲିଓଙ୍କ ଦ୍ୱାରା ଚନ୍ଦ୍ରସ୍ଥ ପାହାଡ଼ ଓ ଉପତ୍ୟକା ଦେଖିବା ପାଇଁ ବ୍ୟବହୃତ ହୋଇଥିଲା । ଏସବୁ କେବଳ ଚିତାକର୍ଷକ ଘଟଣା ନୁହେଁ, ଏହି ପଦ୍ଧତିରେ ଆକାଶର ବିଭିନ୍ନ ଜ୍ୟୋତିଷ୍କର ଶକ୍ତି ଆମର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରାଯାଇପାରେ ।

 

ଏସବୁ ଗବେଷଣା ଫଳରେ ଆମର ନିକଟସ୍ଥ ଗ୍ରହ-ଉପଗ୍ରହମାନଙ୍କ ବିଷୟରେ ଆମର ଜ୍ଞାନ ବୃଦ୍ଧି ହୋଇଛି–ବିଶ୍ୱର ଆକାର, ସୀମା ଏବଂ ପ୍ରସାରଣ ସମ୍ବନ୍ଧରେ ପୂରା ଭାବରେ ଜଣାଯାଇ ନ ଥିଲେ ସୁଦ୍ଧା ନିକଟ ଭବିଷ୍ୟତରେ ସେ ବିଷୟରେ ସଠିକ୍‌ ଖବର ମିଳିବାର ଆଶା କରାଯାଏ । ବିଶ୍ୱର ବିରାଟତା ସମ୍ବନ୍ଧରେ ଆଜି ଆମର ଜ୍ଞାନୋଦୟ ହୋଇଛି । ବିଶ୍ୱର ଶୃଙ୍ଖଳିତ ବିରାଟତା ତୁଳନାରେ ନଗଣ୍ୟ ପୃଥିବୀର ବିଶୃଙ୍ଖଳତା ବିଷୟ ବିଚାର କଲେ ବେଳେବେଳେ ମନରେ ପ୍ରଶ୍ନ ଉଠେ–ଜ୍ଞାନ ରାଜ୍ୟରେ ଯେଉଁ ମଣିଷ ବିରାଟ ବିଶ୍ୱର ସନ୍ଧାନ ପାଇଛି ସେ କ’ଣ ଏହି ନଗଣ୍ୟ ପୃଥିବୀରେ ନିଜ ନିଜ ଭିତରେ କଳହ କରି ଅନ୍ୟର କ୍ଷତି କଲାଭଳି ନୀଚମନା ହୋଇପାରେ ?

Image

 

Unknown

ଆପେକ୍ଷିକତତ୍ତ୍ୱ

 

(ମହାମାନବ ଆଇନ୍‌ଷ୍ଟାଇନ୍‌ଙ୍କ ‘ଆପେକ୍ଷିକତତ୍ତ୍ୱ' ଆଧୁନିକ ଜଗତକୁ ଏକ ଅନବଦ୍ୟ ଏବଂ ଅଭିନବ ଅବଦାନ । ଗତି ସହ ଦୈର୍ଘ୍ୟ, ସମୟ ବ୍ୟବଧାନ ଏବଂ ବସ୍ତୁତ୍ୱର ପରିବର୍ତ୍ତନର ସୂଚନା ଦେଇ ୧୯୦୫ରେ ବିଶେଷ ଆପେକ୍ଷିକ ତତ୍ତ୍ୱ ପ୍ରଥମେ ସୃଷ୍ଟି କରିଥିଲା ଏକ ବୈପ୍ଳବିକ ଆଲୋଡ଼ନ । ଆଲୋକରଶ୍ମି କୌଣସି ଓଜନିଆ ବସ୍ତୁ ଆଡ଼କୁ ବଙ୍କେଇ ଆସିବ ବୋଲି ୧୯୧୬ରେ ତାଙ୍କ ସାଧାରଣ ଆପେକ୍ଷିକ ତତ୍ତ୍ୱରେ ପ୍ରକାଶ କରି ଆଇନ୍‌ଷ୍ଟାଇନ୍‌ ଶୂନ୍ୟର ବକ୍ରତା ବିଷୟ ପ୍ରତିପାଦନ କରିଥିଲେ ଏବଂ ସୃଷ୍ଟି କରିଥିଲେ ଏକ ବିରାଟ ପ୍ରହେଳିକା । ଆପେକ୍ଷିକ ତତ୍ତ୍ୱର ସଂଜ୍ଞା ଓ ସ୍ୱରୂପର ଅତି ସହଜ ସରଳ ପ୍ରକାଶ ଓ ପରିବେଷଣ ହେଉଛି ଏହି ପ୍ରବନ୍ଧର ଲକ୍ଷ୍ୟ ।)

 

ମଣିଷ ପରିବର୍ତ୍ତନପ୍ରିୟ । ତଥାପି ସେ ପରିବର୍ତ୍ତନକୁ ହଠାତ୍ ଗ୍ରହଣ କରେ ନାହିଁ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ‘ଆପେକ୍ଷିକ ତତ୍ତ୍ୱ’ ମଣିଷର ଧାରଣାରେ ଏତେ ପରିବର୍ତ୍ତନ ଦାବି କଲା ଯେ ପ୍ରଥମେ ମଣିଷ ମନରେ ଆନ୍ଦୋଳନର ସୃଷ୍ଟି ହେଲା ।

 

ଯଦିଚ ‘ଆପେକ୍ଷିକ ତତ୍ତ୍ୱ’ କ’ଣ ସାଧାରଣ ଲୋକଙ୍କୁ ଜଣାନାହିଁ, ‘ଆପେକ୍ଷିକ ତତ୍ତ୍ୱ’ ନାଁ ଟା ପ୍ରାୟ ସମସ୍ତଙ୍କୁ ଜଣା । ଜିନିଷକୁ ସରଳ କରିବାକୁ ଗଲେ ବେଳେବେଳେ ଜଟିଳ ଜିନିଷ ମିଥ୍ୟା ହୋଇଯାଏ । ‘ଆପେକ୍ଷିକ ତତ୍ତ୍ୱ’ର ମଧ୍ୟ ସେହି ଦଶା ହେବା ଆଶଙ୍କା କରାଯାଏ ।

 

ଦୁଇଟା ଜିନିଷର ତୁଳନା କରିବା ମଣିଷର ସ୍ୱଭାବ । ସେହି ତୁଳନା ଭିତରେ ହିଁ ନିହିତ ରହିଛି ‘ଆପେକ୍ଷିକ ତତ୍ତ୍ୱ’ । ଆଇନ୍‌ଷ୍ଟାଇନ୍‌ ଥରେ ଜଣେ ଭଦ୍ରମହିଳାଙ୍କୁ ଆପେକ୍ଷିକ ତତ୍ତ୍ୱ ବୁଝାଇବା ପାଇଁ କହିଥିଲେ, ‘‘ଜଣେ ସୁନ୍ଦରୀ ମହିଳା ପାଖରେ ବସିଲେ ଯୁଗେ ମଧ୍ୟ ମୁହୂର୍ତ୍ତେ ଭଳିଆ ଲାଗିବ, କିନ୍ତୁ ଚୁଲି ମୁଣ୍ଡରେ ବସିଲେ ମୁହୂର୍ତ୍ତେ ମଧ୍ୟ ଯୁଗେ ଭଳିଆ ଲାଗିବ ।’’ ପ୍ରକୃତରେ ସମୟର ତାରତମ୍ୟ ଆପେକ୍ଷିକ ତତ୍ତ୍ୱର ଗୋଟିଏ ରୂପ ।

 

ଆମେ ଦୈନନ୍ଦିନ ଜୀବନ ଯାପନ କରି ଅନୁଭବ କରିଆସିଛୁ ଯେ ସୂର୍ଯ୍ୟ ପୂର୍ବ ଦିଗରେ ଉଇଁ ପଶ୍ଚିମ ଦିଗରେ ଅସ୍ତ ହୁଏ ଏବଂ ଆମେ ଦିନରାତି ପାଉଁ । ସେଥିପାଇଁ ସମୟ ଜ୍ଞାନର ଆବଶ୍ୟକ ହୁଏ ଏବଂ ଘଣ୍ଟାର ଦରକାର ହୁଏ । କିନ୍ତୁ ଜଣେ ଲୋକ ଯଦି ସୂର୍ଯ୍ୟୋଦୟ ସମୟରେ ପୃଥିବୀ ପୃଷ୍ଠରେ ପୂର୍ବରୁ ପଶ୍ଚିମକୁ ପୃଥିବୀର ଗତିବେଗରେ ଭ୍ରମଣ କରେ ତାହାହେଲେ ଯେ ଜୀବନବ୍ୟାପୀ ସୂର୍ଯ୍ୟୋଦୟ ଦେଖୁଥିବ । ହୁଏତ ଅନ୍ୟ ଲୋକଙ୍କ ଗଣନାରେ ସେ ବର୍ଷ ବର୍ଷ ଧରି ଘୂରୁଥିବ, କାରଣ ଅନ୍ୟ ଲୋକଙ୍କୁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦିନ ଅତିବାହିତ ହେବାର ଧାରଣା ଦେବ । କିନ୍ତୁ ଯେ ଘୂରୁଥିବ ସେ କିଛି ଅନୁଭବ କରିପାରିବ ନାହିଁ । ଏହି ଉଦାହରଣରୁ ଜଣାପଡ଼େ ଯେ ମଣିଷର ଗତି ସମୟ ଜ୍ଞାନ ସଙ୍ଗେ ସଂପୃକ୍ତ ଏବଂ ସମୟ ନିରାଟ ସତ୍ୟ କିମ୍ବା ପରମ ନୁହେଁ ।

 

ଯେଉଁ ବସ୍ତୁ ଯେତେ ବେଗରେ ଯାଏ, ଗୋଟିଏ ସ୍ଥିର ମାଧ୍ୟମ ତୁଳନାରେ ସମୟ ସେଇଠି ସେତେ ଧୀରେ ଚାଲେ । ଯଦି ଦୁଇଜଣ ଲୋକ ଦୁଇଟି ସମାନ ଘଣ୍ଟା ପିନ୍ଧନ୍ତି, ଏବଂ ପୃଥିବୀ ପୃଷ୍ଠରେ ଜଣେ ୧୦୦ ମାଇଲ ବେଗରେ ଏବଂ ଅନ୍ୟଜଣକ ୫୦ ମାଇଲ ବେଗରେ ଯାଏ, ତାହାହେଲେ ପୁଣି ଥରେ ଯେତେବେଳେ ସେମାନଙ୍କର ଦେଖାହେବ, ଯେ ୧୦୦ ମାଇଲ ବେଗରେ ଗତି କରୁଥିଲା ତା’ର ଘଣ୍ଟା ଅନ୍ୟ ଲୋକର ଘଣ୍ଟା ତୁଳନାରେ ବିଳମ୍ବ (late) ହୋଇଯିବ । ଏହି ସତ୍ୟ ଆମ୍ଭେମାନେ ଅନୁଭବ ପରିପାରୁନାହିଁ । କାରଣ ଉପରଲିଖିତ ଅବସ୍ଥାରେ ସମୟର ଯେଉଁ ତାରତମ୍ୟ ହେବ ତାହା ବହୁତ କମ୍ । ସମୟର ତାରତମ୍ୟ ଆଲୋକର ଗତି ସହିତ ସଂପୃକ୍ତ । ଆଲୋକ ଏକ ସେକେଣ୍ଡରେ ୧୮୬,୦୦୦ ମାଇଲ ଗତି କରେ । ଆଲୋକର ବେଗ ତୁଳନାରେ ପାର୍ଥିବ ବସ୍ତୁର ବେଗ ଏତେ କମ୍ ଯେ ସମୟର ତାରତମ୍ୟ ଜାଣିବା ଅସମ୍ଭବ ହୋଇପଡ଼େ ।

 

ସମୟର ତାରତମ୍ୟ ଆଇନ୍‌ଷ୍ଟାଇନ୍‌ଙ୍କ ‘ଆପେକ୍ଷିକ ତତ୍ତ୍ୱ’ ଜଣେଇବା ବହୁ ବର୍ଷ ପୂର୍ବେ ଭାରତରେ ସେହି ବିଷୟ ଜଣାଥିବାର ଦୃଷ୍ଟାନ୍ତ ଅଛି । ଆମର ପୁରାଣରେ ଭୂଲୋକ, ଦେବଲୋକ, ବ୍ରହ୍ମଲୋକ ପ୍ରଭୃତିର ସମୟ ତାରତମ୍ୟ ବିଷୟ ସମସ୍ତଙ୍କୁ ଜଣା । ‘ଆପେକ୍ଷିକ ତତ୍ତ୍ୱ’ ପୂର୍ବରୁ ପୁରାଣର ଏ ବର୍ଣ୍ଣନାକୁ ସମସ୍ତେ କପୋଳକଳ୍ପିତ ବୋଲି କହୁଥିଲେ । କିନ୍ତୁ ପୁରାଣର ଧାରଣା ଅନୁସାରେ ବିଭିନ୍ନ ଲୋକ ବିଭିନ୍ନ ବେଗରେ ଗତି କରୁଥାନ୍ତି–ତେଣୁ ସମୟର ତାରତମ୍ୟ ଅତି ସ୍ୱାଭାବିକ ।

 

ଯେତେବେଳେ କୌଣସି ବସ୍ତୁ ଗତିକରେ ତା’ର ବସ୍ତୁତ୍ୱ ବା ଭର (mass) ବୃଦ୍ଧି ପାଏ ଏବଂ ଏହି ବସ୍ତୁତ୍ୱ ବା ଭରର ବୃଦ୍ଧି ବସ୍ତୁର ବେଗ ସହିତ ସଂପୃକ୍ତ । ଅର୍ଥାତ୍ ବସ୍ତୁ ଯେତେ ବେଗରେ ଗତି କରିବ ତା’ର ବସ୍ତୁତ୍ୱ ସେହି ଅନୁପାତରେ ବୃଦ୍ଧି ପାଇବ । ଯଦି କୌଣସି ବସ୍ତୁ ଏକ ସେକେଣ୍ଡରେ ପ୍ରାୟ ୧୬୦,୦୦୦ ମାଇଲ ବେଗରେ ଗତିକରେ, ତା’ର ଓଜନ (ଭର) ଗତି କରୁଥିବା ସମୟରେ ଦୁଇଗୁଣ ହୋଇଯିବ ।

 

ଯେତେବେଳେ ଗୋଟିଏ ବସ୍ତୁ ଆଉ ଗୋଟିଏ ବସ୍ତୁ ତୁଳନାରେ ଅଧିକ ବେଗରେ ଗତିକରେ, ଗତି ଦିଗରେ ତା’ର ଲମ୍ବ ଦ୍ୱିତୀୟ ବସ୍ତୁ ଦୃଷ୍ଟିରେ କମିଯାଏ । ସାଧାରଣତଃ ‘ଦୈର୍ଘ୍ୟର ପରିବର୍ତ୍ତନ’ ଏବଂ ‘ସମୟର ତାରତମ୍ୟ’କୁ ଆପେକ୍ଷିକ ତତ୍ତ୍ୱ କୁହାଯାଏ ।

 

ଯଦି ଆଲୋକର ଗତି ଘଣ୍ଟାକରେ ୧୦୦୦ ମାଇଲ ହୋଇଥା’ନ୍ତା, ତାହାହେଲେ ଆମ୍ଭେମାନେ ସମୟ, ଭର, ଦୈର୍ଘ୍ୟ ଇତ୍ୟାଦିର ପରିବର୍ତ୍ତନ ଅନୁଭବ କରିପାରନ୍ତେ । ସେପରି ଅବସ୍ଥାରେ ପୃଥିବୀରେ ଭୀଷଣ ପରିବର୍ତ୍ତନ ହୋଇଯାନ୍ତା । ବିମାନ ଚାଳକର ବୟସ ମୋଟେ ସରନ୍ତା ନାହିଁ–ଅର୍ଥାତ୍ ତା’ର ସମସାମୟିକମାନେ ବୃଦ୍ଧାବସ୍ଥାରେ ପଦାର୍ପଣ କଲାବେଳକୁ ସେ ଯୁବାବସ୍ଥାରୁ ବିଦାୟ ନେଇନଥାନ୍ତା ।

 

ଆପେକ୍ଷିକ ତତ୍ତ୍ୱର ଗଣନା ଅନୁସାରେ କୌଣସି ବସ୍ତୁ ଆଲୋକର ବେଗ ଅପେକ୍ଷା ଅଧିକ ଜୋର୍‌ରେ ଯାଇପାରିବ ନାହିଁ । ଯଦି କୌଣସି ବସ୍ତୁ ଆଲୋକର ବେଗରୁ ଅଧିକ ଜୋର୍‌ରେ ଯାଇପାରନ୍ତା, ତାହାହେଲେ ତା’ ପାଇଁକି ‘ଆଜି’ ପରେ ‘ଆସନ୍ତାକାଲି’ ତ ଆସି ‘ଗତକାଲି’ ଆସନ୍ତା; ଅର୍ଥାତ୍ ସମୟର ଗତି ଆଗକୁ ନହୋଇ ପଛକୁ ହୋଇଯାନ୍ତା ।

 

ଚନ୍ଦ୍ରଲୋକରେ ଯଦି ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଏକା ସାଙ୍ଗରେ ଦୁଇଟି ଆଲୁଅ ଜଳିବ, ତାହାହେଲେ ଚନ୍ଦ୍ରଲୋକରେ ଥିବା ଲୋକଙ୍କୁ ଦୁଇଟା ଆଲୁଅ ଏକା ସଙ୍ଗରେ ଜଳିଲା ଭଳିଆ ଦିଶିବ; କିନ୍ତୁ ସେତେବେଳେ ପୃଥିବୀର ଲୋକମାନଙ୍କୁ ଦୁଇଟା ଆଲୁଅ ଭିନ୍ନ ଭିନ୍ନ ସମୟରେ ଜଳିଲା ଭଳିଆ ଜଣାପଡ଼ିବ । ସେଥିପାଇଁ କୌଣସି ଦୁଇଟା ଜିନିଷ ଏକା ସାଙ୍ଗରେ ଘଟୁଛି କହିବା ନିରାଟ ସତ୍ୟ ନୁହେଁ, ତାହା କେବଳ ନିଜର ଅନୁଭୂତିର ବର୍ଣ୍ଣନା ଏବଂ ଘଟଣାମାନଙ୍କର ସମକ୍ଷଣିକତା ମାଧ୍ୟମ ଉପରେ ନିର୍ଭର କରେ ।

 

ଜ୍ୟୋତିର୍ବିଦ୍ କୁପରନିକସ୍‌ ପୃଥିବୀ ସୂର୍ଯ୍ୟର ଚାରିପଟରେ ଘୂରୁଛି ପ୍ରମାଣ କରି ଭୂଗୋଳ ପାଠରେ ପରିବର୍ତ୍ତନ ଆଣିଛନ୍ତି ସତ; କିନ୍ତୁ ‘ପୃଥିବୀ ସୂର୍ଯ୍ୟର ଚାରିପଟେ ଘୂରୁଛି’ ଏବଂ ‘ସୂର୍ଯ୍ୟ ପୃଥିବୀର ଚାରିପଟରେ ଘୂରୁଛି’ ମଧ୍ୟରେ ଯେଉଁ ପ୍ରାର୍ଥକ୍ୟ ଅଛି ତାହା କେବଳ ଆପେକ୍ଷିକ, ତେଣୁ ଉଭୟ ଉକ୍ତି ଗୋଟିଏ ଭୌତିକ ଅବସ୍ଥାକୁ ବର୍ଣ୍ଣନା କରେ । ସେଥିପାଇଁ ଉପରୋକ୍ତ ଉକ୍ତି ଦୁଇଟି ସମାନ କହିଲେ ଭୁଲ୍ ହେବନାହିଁ । କେବଳ ଆମେ ଯାହା ବର୍ଣ୍ଣନା କରୁ ତାହା ନିଜର ଭୌତିକ ଅବସ୍ଥା ଉପରେ ନିର୍ଭର କରେ । ସେହିପରି ‘ଜଣେ କଲିକତାରୁ ବମ୍ବେ ଗଲା’ କହିଲେ ଯାହା ବୁଝାଏ, ‘ଲୋକ ପାଖରୁ କଲିକତା ଯାଇ ବମ୍ବେ ଆସିଲା’ ମଧ୍ୟ ତାହା ବୁଝାଏ । କେବଳ ଆମର ଧାରଣା ହୋଇଯାଇଛି ଯେ, କଲିକତା ଏବଂ ବମ୍ବେ ପୃଥିବୀ ପୃଷ୍ଠରେ ସ୍ଥିର ଏବଂ ଆମେ ସ୍ଥାନ ପରିବର୍ତ୍ତନ କରିପାରୁଁ- ସେଥିପାଇଁ ବମ୍ବେ ଜଣେ ଲୋକ ପାଖକୁ ଆସିବା କଥା ଅଡ଼ୁଆ ଲାଗେ ।

 

ସାଧାରଣତଃ ଆମେ ଯାହା ଅନୁଭବ କରୁ ତାହାକୁ ତିନିଭାଗରେ ବିଭକ୍ତ କରାଯାଇପାରେ । ଯଥା– (୧) ମନସ୍ତାତ୍ତ୍ୱିକ, (୨) ଶାରୀରିକ, (୩) ଭୌତିକ ।

 

ଜଣେ ପର୍ବତର ସୌନ୍ଦର୍ଯ୍ୟ ଅନୁଭବ କରେ ତ ଆଉ କିଏ ଝରଣା ଦେଖି ଶକ୍ତି ଆହରଣର ଉପାୟ ପାଞ୍ଚେ–ଏହା ହେଲା ମନସ୍ତାତ୍ତ୍ୱିକ ପ୍ରଭେଦ । ମଧୁର ସଙ୍ଗୀତ ମଣିଷକୁ ଭଲଲାଗେ, କାରଣ ସେ ଶୁଣିପାରେ । କିନ୍ତୁ ଜଣେ କାଲ ଶୁଣିପାରେ ନାହିଁ । ତେଣୁ ତାକୁ ସଙ୍ଗୀତ ଭଲ ଲାଗିବାର ପ୍ରଶ୍ନ ଉଠେନାହିଁ । ଏହା ହେଲା ଶାରୀରିକ ପ୍ରଭେଦ । ଏହି ଦୁଇଟି ଅନୁଭବ ଭିତରେ ଯେଉଁ ଆପେକ୍ଷିକ ସମ୍ବନ୍ଧ ଅଛି ତାହା ‘ଆପେକ୍ଷିକ ତତ୍ତ୍ୱ’ର ଅନ୍ତର୍ଭୁକ୍ତ ନୁହେଁ ।

 

କିନ୍ତୁ ଗୋଟିଏ ଝରଣାକୁ ଦେଖି ଜଣେ କ୍ୟାମେରା ସାହାଯ୍ୟରେ ଫଟୋ ଉଠାଇବା ଏବଂ ଆଉଜଣେ ଶବ୍ଦ ରେକର୍ଡ଼ରଦ୍ୱାରା ଝରଣାର ଝରଝର ଶବ୍ଦକୁ ଲିପିବଦ୍ଧ କରିବା ମଧ୍ୟରେ ଯେଉଁ ପାର୍ଥକ୍ୟ ଅଛି ସେ ହେଲା ବସ୍ତୁ ସମ୍ବନ୍ଧୀୟ । ଜଣେ ବକ୍ତାକୁ ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଅନେକେ ଶୁଣିପାରିଲେ ମଧ୍ୟ ଯେ ପାଖରେ ଥାଏ ତାକୁ ଜୋର୍‌ରେ ଶୁଣାଯାଏ–ଏହି ପ୍ରଭେଦ ମଧ୍ୟ ଆପେକ୍ଷିକ ତତ୍ତ୍ୱର ଏକ ସରଳ ରୂପ ।

 

ଏ ସବୁ ଜିନିଷ ଆଲୋକର ବେଗ ସହିତ ସଂପୃକ୍ତ । ସେଥିପାଇଁ ପରମ ସମୟ ପରିବର୍ତ୍ତନରେ ଆପେକ୍ଷିକ ସମୟ ବ୍ୟବହାର ଯୋଗ୍ୟ । ଗୋଟିଏ ଜିନିଷର ଭୌତିକ ବୟାନ ପାଇଁ ସାଧାରଣତଃ ଦୈର୍ଘ୍ୟ, ପ୍ରସ୍ଥ ଏବଂ ବେଧ–ଏହି ତିନୋଟି ପରିସର ବ୍ୟବହାର କରାଯାଏ । କିନ୍ତୁ ପଦାର୍ଥର ଗତି ସମ୍ପର୍କୀୟ ଭିନ୍ନ ଭିନ୍ନ ଅବସ୍ଥାରେ ଏହି ତିନୋଟି ପରିସର ପଦାର୍ଥକୁ ସଂପୂର୍ଣ୍ଣ ଭାବରେ ଅନୁଭବ କରେଇପାରେନାହିଁ । ସେଥିପାଇଁ ସମୟକୁ ଚତୁର୍ଥ ପରିସର ବୋଲି ନିଆଯାଇଛି ।

 

ଯଦିଓ ଆପେକ୍ଷିକ ତତ୍ତ୍ୱ ଗଣିତର କ୍ଳିଷ୍ଟ ସମୀକରଣ ଭିତରେ ଆବଦ୍ଧ, ତାହାର କେତୋଟି ଗଣନାର ଫଳ ପୃଥିବୀର ରାଜନୈତିକ ମଣ୍ଡଳରେ ଟଣାଓଟରା ଲଗେଇ ଦେଇଛି; ସେ ହେଉଛି ‘ଭର’ ଓ ‘ଶକ୍ତି’ର ରୂପାନ୍ତର । ଆଗରୁ ଧାରଣା ଥିଲା ଯେ ଶକ୍ତି ଏବଂ ଭରର କ୍ଷୟ କିମ୍ବା ବୃଦ୍ଧି ହୋଇପାରିବ ନାହିଁ; କିନ୍ତୁ ଆପେକ୍ଷିକ ତତ୍ତ୍ୱର ଗଣନା ଅନୁସାରେ ଭର ଓ ଶକ୍ତି ଗୋଟିଏ ଜିନିଷ–ସେମାନେ କେବଳ ଭିନ୍ନ ଭିନ୍ନ ରୂପ । ସାମାନ୍ୟ ଟିକିଏ ବସ୍ତୁର ନଷ୍ଟ ହେଲେ ପ୍ରଚୁର ଶକ୍ତି ବାହାରେ–ଏହା ହେଉଛି ଆପେକ୍ଷିକ ତତ୍ତ୍ୱର ଗୋଟିଏ ସରଳ ଗଣନା । କିନ୍ତୁ ଏହି ଗଣନାର ସତ୍ୟତା ଉପରେ ଛିଡ଼ାହୋଇଛି ଆଜିର ପରମାଣୁ ବୋମା ଓ ପରମାଣୁ ଶକ୍ତି ।

 

ସେ ତ ଗଲା ପୃଥିବୀର ଘଟଣା । ଆମ ବିଶ୍ୱ ବ୍ରହ୍ମାଣ୍ଡକୁ ଅନେଇଁଲେ ମଧ୍ୟ ଜଣାପଡ଼ିବ ଯେ ଆଇନ୍‌ଷ୍ଟାଇନ୍‌ ଜଣେ ଯାଦୁକର ଏବଂ ଆପେକ୍ଷିକ ତତ୍ତ୍ୱ ହେଉଛି ତାଙ୍କର ଯାଦୁର ମନ୍ତ୍ର ।

 

ବିଶ୍ୱର ଆକାର ଏବଂ ପ୍ରକାଣ୍ଡତା ବିଷୟରେ ସାଧାରଣତଃ କାହାରି ପୂର୍ଣ୍ଣ ଧାରଣା ନାହିଁ, କାରଣ ବିଶ୍ୱ ଏତେ ପ୍ରକାଣ୍ଡ ଯେ ତା’ର ଆକାର କଳନା କରିବା କଳ୍ପନାର ବହିର୍ଭୂତ । ଆଇନ୍‌ଷ୍ଟାଇନ୍‌ଙ୍କ ଗଣନା ଅନୁସାରେ ବିଶ୍ୱ ପ୍ରକୃତରେ ଅସୀମ ନୁହେଁ । ପୃଥିବୀ ଯେପରି ଗୋଟିଏ ତିନି-ପରିସର-ଯୁକ୍ତ ଶୂନ୍ୟରେ ଅବସ୍ଥାନ କରିଛି ବୋଲି ଧାରଣା ଅଛି, ବିଶ୍ୱ ସେହିପରି ଗୋଟିଏ ଚାରି-ପରିସର-ଯୁକ୍ତ ଶୂନ୍ୟରେ ଅବସ୍ଥାନ କରିଛି । ପୃଥିବୀ ସସୀମ ହୋଇଥିଲେ ସୁଦ୍ଧା ପୃଥିବୀ ପୃଷ୍ଠରେ କେଉଁଟା ଆରମ୍ଭ ଏବଂ କେଉଁଟା ଶେଷ ଠିକଣା କରିହୁଏ ନାହିଁ । ସେହିପରି ବିଶ୍ୱ ମଧ୍ୟ ବର୍ତ୍ତୁଳାକାର ଏବଂ ତା’ର ଆଦି ଓ ଅନ୍ତ ଅପରିମେୟ । ପୃଥିବୀ ପୃଷ୍ଠରେ ଯଦି କୌଣସି ବସ୍ତୁ ଗତି କରେ କିଛି ସମୟ ପରେ ତାହା ପୁଣି ନିଜ ଜାଗାକୁ ଫେରିଆସିପାରେ । ସେହିପରି ବିଶ୍ୱ ପୃଷ୍ଠରେ କୌଣସି ଜିନିଷ ଗତିକଲେ ତାହା ନିଜ ସ୍ଥାନକୁ ଫେରିଆସିବ, କାରଣ ଶୂନ୍ୟର ବକ୍ରତା ଅଛି । ଯଦି ବିଶ୍ୱ କୋଠରିଭଳିଆ ଛୋଟ ହୋଇଥାନ୍ତା ଏବଂ କୌଣସି ବସ୍ତୁ ସେହି ବିଶ୍ୱରୁ ବାହାରକୁ ଫିଙ୍ଗି ଦିଆଯାଆନ୍ତା, କିଛି ସମୟ ପରେ ବସ୍ତୁଟା ପଛପଟରୁ ନିଜର ପୂର୍ବ ସ୍ଥାନକୁ ଫେରିଆସନ୍ତା । ସେହିପରି ଗୋଟିଏ ଟର୍ଚ୍ଚ ଲାଇଟରୁ ଯଦି ଗୋଟିଏ ଆଲୁଅ ପକାଯିବ, କିଛି ସମୟ ପରେ ଆଲୁଅ ମଧ୍ୟ ପଛପଟରୁ ଫେରି ଆସିବ । ଆଲୁଅ ଏହି ଜାଗାରେ ପାର୍ଥିବ ବସ୍ତୁ ଭଳିଆ ବ୍ୟବହାର କରେ; କାରଣ ଆଲୋକ ଏକ ଶକ୍ତି ଏବଂ ଶକ୍ତି ଓ ପାର୍ଥିବ ବସ୍ତୁ ମଧ୍ୟରେ ରୂପାନ୍ତର ସମ୍ଭବ । ତେଣୁ ଆଲୋକ ସିଧା ଯାଇ ଅସୀମତାର ଗର୍ଭରେ ଲୀନ ହୁଏନାହିଁ । ବିଶ୍ୱର ଆକାର ବିରାଟ ହୋଇଥିବାରୁ ଆଲୁଅକୁ ପୁଣି ଥରେ ନିଜ ଜାଗାକୁ ଫେରି ଆସିବାକୁ କୋଟି କୋଟି ବର୍ଷ ଲାଗିବ- ଅତଏବ ତାହା ଅନୁଭବ କରାଯାଇପାରେ ନାହିଁ । ଯଦି ବିଶ୍ୱର ଆକାର ଛୋଟ ହୋଇଯାନ୍ତା, ତାହାହେଲେ ବାଳକଟା ସେଲୁନରେ ନିଜର ପଛପଟ ଦେଖିବା ପାଇଁ ପଛ ପଟରେ ଗୋଟିଏ ଦର୍ପଣ ରଖିବାକୁ ପଡ଼ନ୍ତା ନାହିଁ; କାରଣ ପଛପଟରୁ ଆଲୁଅ ଥରେ ବିଶ୍ୱପରିକ୍ରମା କରି ପୁଣି ଥରେ ଆଗରେ ଦେଖାଦିଅନ୍ତା ।

 

ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଗୋଟିଏ ପଦାର୍ଥ ଆଉ ଏକ ପଦାର୍ଥ ପ୍ରତି ଆକୃଷ୍ଟ ହୃଏ; ସେହିପରି ଆଲୋକ ମଧ୍ୟ ବସ୍ତୁ ପ୍ରତି ଆକୃଷ୍ଟ ହୁଏ । ସୂର୍ଯ୍ୟ ନିକଟ ଦେଇ ଯେତେବେଳେ କୌଣସି ତାରକାର ଆଲୋକରଶ୍ମି ଯାଏ, ତାହା ସୂର୍ଯ୍ୟଆଡ଼କୁ ବଙ୍କେଇ ଯାଏ । ଏହା ଆଇନ୍‌ଷ୍ଟାଇନ୍ ତାଙ୍କର ସାଧାରଣ ଆପେକ୍ଷିକ ତତ୍ତ୍ୱ (General theory of relativity)ରେ ୧୯୧୬ରେ ଦର୍ଶାଇଥିଲେ ଏବଂ ୧୯୧୯ରେ ସୂର୍ଯ୍ୟପରାଗ ସମୟରେ ଫଟ ଉଠାହୋଇ ଦେଖାଗଲା ଯେ ସୂର୍ଯ୍ୟଙ୍କ ପାଖ ଦେଇ ଆସୁଥିବା ତାରକାରାଜିଙ୍କ ରଶ୍ମୀ ସୂର୍ଯ୍ୟ ଆଡ଼କୁ ବଙ୍କେଇଆସିଛି ।

 

ଏହା ବୁଝିବା ପାଇଁ ଆମକୁ ଗୋଟିଏ ରକେଟ୍‌ର କଳ୍ପନା କରିବାକୁ ହେବ । ଯଦି ଆମ ରକେଟ୍‌ ‘inter-stellar spice’ରେ ରହେ, ଯେଉଁଠି କୌଣସି ଆକର୍ଷଣ ଶକ୍ତି ନାହିଁ, ତାହାହେଲେ ରକେଟ୍‌ ଭିତରର ଜିନିଷ ସବୁ ଶୂନ୍ୟରେ ରହି ପାରିବ । ଯଦି ଆମ ରକେଟ୍‌ର ଗତି ଧୀରେ ଧୀରେ ବୃଦ୍ଧି ପାଇବ, ତାହାହେଲେ ଜିନିଷ ସବୁ ଧୀରେ ଧୀରେ ରକେଟ୍‌ରେ ଲାଗିଯିବ ଓ ସେଗୁଡ଼ିକ ରକେଟ୍‌ର ତ୍ୱରିତ ବା ବେଗ ବୃଦ୍ଧି ଅବସ୍ଥାରେ ଶୂନ୍ୟରେ ରହିପାରିବ ନାହିଁ । ରକେଟ୍‌ର ଲୋକଙ୍କୁ ଜଣାପଡ଼ିବ ସତେ ଯେପରି ଜିନିଷସବୁ ଉପରୁ ପଡ଼ି ରକେଟ୍‌ର ଭୂମି ସ୍ପର୍ଶ କଲା ଏବଂ କୌଣସି ଏକ ଆକର୍ଷଣ ଦ୍ୱାରା ରକେଟ୍‌ର ଭୂମିରେ ଲାଗିରହିଅଛି । ଏଇଥିରୁ ଜଣାପଡ଼େ ଯେ ତ୍ୱରିତ ଅବସ୍ଥାରେ ମାଧ୍ୟାକର୍ଷଣ ଶକ୍ତି ଦେଖାଯାଏ । ରକେଟ୍‌ ତ୍ୱରିତ ଅବସ୍ଥାରେ ଯାଉଥିବାବେଳ ଯଦି ଗୋଟିଏ ବନ୍ଧୁକ ଗୁଳି ଅତି ଜୋର୍‌ରେ ଗୋଟିଏ କାନ୍ଥରୁ ଆସି ଆଉ ଗୋଟିଏ କାନ୍ଥ ଦେଇ ଚାଲିଯାଏ, ତାହାହେଲେ ରକେଟ୍‌ ଭିତର ଲୋକଙ୍କୁ ଜଣା ପଡ଼ିବ ଯେ ଗୁଳି ବକ୍ର ପଥରେ ଗତି କରୁଛି–ସତେ ଯେପରି କୌଣସି ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ତାହା ଆକୃଷ୍ଟ । ସେହିପରି ରକେଟ୍‌ର ଗୋଟିଏ ପାର୍ଶ୍ୱରୁ ଆଲୋକ ପ୍ରବେଶ କରି ଯଦି ଅନ୍ୟ ପାର୍ଶ୍ୱରେ ବହିର୍ଗତ ହୁଏ ତାହାହେଲେ ରକେଟ୍‌ର ଲୋକଙ୍କୁ ଆଲୋକର ପଥ ବକ୍ର ଜଣାପଡ଼ିବ । ଅତଏବ କୌଣସି ପଦାର୍ଥର ତ୍ୱରିତ ଅବସ୍ଥା ଆଲୋକର ଗତିକୁ ଯେପରି ବକ୍ର କରେ, ସେହିପରି କୌଣସି ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକୃଷ୍ଟ ହେଲେ ମଧ୍ୟ ଆଲୋକର ପଥ ବକ୍ର ହୁଏ ।

 

ଆପେକ୍ଷିକ ତତ୍ତ୍ୱ ଆଲୋକର ବେଗ ସହିତ ଏମିତି ଭାବରେ ସଂପୃକ୍ତ ଏବଂ ଆଲୋକର ବେଗ ଆମମାନଙ୍କ ବେଗ ଅପେକ୍ଷା ଏତେ ବେଶି ଯେ ଆପେକ୍ଷିକ ତତ୍ତ୍ୱ ଅନୁସାରେ ଯେଉଁ ପରିବର୍ତ୍ତନ ହେବା କଥା ତାହା ଆମକୁ ଜଣା ପଡ଼େନାହିଁ । କିନ୍ତୁ ପରମାଣୁ ଭଳିଆ କ୍ଷୁଦ୍ର ସୌରମଣ୍ଡଳରେ ଯେଉଁଠି କି ଇଲେକ୍‌ଟ୍ରନ୍‌ର ବେଗ ବହୁତ ବେଶି, ସେଠାରେ ଆପେକ୍ଷିକତତ୍ତ୍ୱ ଅନୁସାରେ ସିଦ୍ଧ ପରିବର୍ତ୍ତନ ଜଣାଯାଏ । ଯଦି ଆମେ ଆଖି ବନ୍ଦକରି କଳ୍ପନା କରିପାରିବା ଯେ ଆଲୋକର ବେଗ ଖୁବ୍‌ କମିଯାଇଛି, ଆମର କଳ୍ପିତ ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ଭବ ହୋଇପାରିବ–ମନେହେବ ଯେ ଦୁନିଆର ରଙ୍ଗମଞ୍ଚରେ ଅଭିନେତା-ଅଭିନେତ୍ରୀମାନେ ଯାଦୁ ବିଦ୍ୟାରେ ବିଜ୍ଞ ହୋଇ ଯେଉଁ ଯାଦୁମନ୍ତ୍ର ପଢ଼ିଛନ୍ତି ସେହି ଯାଦୁମନ୍ତ୍ରର ସ୍ରଷ୍ଟା ହେଉଛନ୍ତି ମହାମାନବ ଆଇନ୍‌ଷ୍ଟାଇନ୍‌ । ସେହି ଦୁନିଆରେ ଜରା ବ୍ୟାଧି ଲୁପ୍ତ ହୋଇଯିବ–ଦୁଃଖ ଓ ଦୁର୍ଦ୍ଦିନର ଘନଘଟା ମଧ୍ୟରେ ମଣିଷକୁ ଆଉ ଘୂରି ବୁଲିବାକୁ ହେବ ନାହିଁ । ସଫଳତାର ଚରମ ସୋପାନରେ ଉପନୀତ ହୋଇ ବସନ୍ତର ଅସୀମତା ଅନୁଭବ କରି ଶାନ୍ତିପ୍ରିୟ ହୋଇଉଠିବେ ଏହାର ଅଧିବାସୀଗଣ ।

Image

 

ପରମାଣୁର ରୂପ

 

(ପରମାଣୁ ଏଡ଼େ କ୍ଷୁଦ୍ର ଯେ ତା’ର ପ୍ରାଧାନ୍ୟ ସ୍ୱୀକାର କରିବାକୁ ଅଣବୈଜ୍ଞାନିକ କୁଣ୍ଠାବୋଧକରେ । ପରମାଣୁବାଦ ଅତି ପ୍ରାଚୀନ ହେଲେହେଁ ଅନେକ ଦିନ ପର୍ଯ୍ୟନ୍ତ ଏହା ଏକ ନଗଣ୍ୟ ଦର୍ଶନବାଦ ରୂପେ ପରିଗଣିତ ହେଉଥିଲା । ଆଜି କିନ୍ତୁ ଯୁଗ ବଦଳି ଯାଇଛି । ବିଜ୍ଞାନାଭିମୁଖୀ ସମାଜ ଆଜି ସତ୍ୟର ଆଦର କରି ଶିଖିଛି । ଏହି ପ୍ରବନ୍ଧରେ ପରମାଣୁର ରୂପ ଏବଂ ତା’ର କାରସାଦିର ଏକ ଝଲକ ଦିଆଯାଇଛି ।)

 

ବହୁତ ଦିନ ପୂର୍ବରୁ ମଣିଷ ଆକାଶରେ ଇନ୍ଦ୍ରଧନୁ ଦେଖି ଆସିଥିଲା । ବିସ୍ମିତ ହୋଇ ସେ ଇନ୍ଦ୍ରଧନୁର ବିଭିନ୍ନ ରଙ୍ଗଙ୍କୁ ପ୍ରକୃତିର ପ୍ରହେଳିକା ବୋଲି କଳ୍ପନା କରି ଆସିଥିଲା । ଅସରାଏ ବର୍ଷା ଚାଲିଯାଏ, ପୃଥିବୀ ବକ୍ଷ ଶୀତଳ ହୋଇଯାଏ–ତେବେ ଆକାଶରେ ଏ ବିଚିତ୍ର ରଙ୍ଗର ଲୀଳା ଆସେ କେଉଁଠୁ ? ଆଦିମ ମଣିଷ ତା’ର ଉତ୍ତର ପାଇ ନଥିଲା । ଇନ୍ଦ୍ରଧନୁ ଦର୍ଶନରେ କେତେ ସୁନ୍ଦର କଳ୍ପନା ଜାଗିଉଠିଥିଲା ତା’ର ହୃଦୟରେ । କଳ୍ପନାର ପରିସର ଅତିକ୍ରମକରି କେବେ କେବେ ବା ସେ ରଚନା କରିଥିଲା କବିତା । ଆପ୍ୟାୟିତ ହୋଇ ଅନେଇଁ ରହିଥିଲା ଆକାଶକୁ ପ୍ରେରଣା ପାଇବା ପାଇଁ । ସେହି ପ୍ରେରଣାରେ ମଣିଷ ଆଙ୍କି ପାରିଥିଲା କେତେ ରଙ୍ଗୀନ ଛବି । ଭାଷାରେ ତା’ର ଉଛୁଳି ପଡ଼ୁଥିଲା ପ୍ରକୃତିର ବିଚିତ୍ର ବିଭବ । କିନ୍ତୁ ଇନ୍ଦ୍ରଧନୁର ସୃଷ୍ଟି କେଉଁଠୁ ହେଲା, ହଠାତ୍‌ ଆକାଶ ରଙ୍ଗବେରଙ୍ଗ ହୋଇ ଉଠିଲା କାହିଁକି–ଏସବୁ ଭାବିବାର ଧୈର୍ଯ୍ୟ ତା’ର ନଥିଲା ।

 

ସେ ତ ଅତି ପୁରୁଣା କଥା । ଦିନ ଆସିଲା–ମଣିଷ ଚିନ୍ତାଶୀଳ ହୋଇ ଉଠିଲା–ପ୍ରକୃତିର ବୈଚିତ୍ରକୁ ଭେଦ କରିବା ପାଇଁ ତା’ର ସ୍ପୃହା ହେଲା । ସାର୍‌ ଆଇଜାକ୍‌ ନିଉଟନ୍‌ ସୂର୍ଯ୍ୟକିରଣ ପ୍ରିଜମ୍‌ରେ ପକେଇ ପର୍ଦ୍ଦା ଉପରେ ସୃଷ୍ଟି କଲେ ଇନ୍ଦ୍ରଧନୁର ରଙ୍ଗ । ସେଇଠୁ ଜଣା ପଡ଼ିଲା ଯେ ଧଳା ଆଲୁଅ ଇନ୍ଦ୍ରଧନୁ ରଙ୍ଗର ସମନ୍ୱୟ । ତଥାପି ମଧ୍ୟ ବୈଜ୍ଞାନିକର କଳ୍ପନା ସେଇଠି ଶେଷ ହେଲାନି । ସେହି ସବୁ ରଙ୍ଗର ସୃଷ୍ଟିର କାରଣ ଜାଣିବା ପାଇଁ ସେ ଚିନ୍ତାଶୀଳ ହୋଇଉଠିଲା ।

 

ସାଧାରଣଙ୍କର ହୁଏତ ମନେହେବ ଯେ ଏହି ରଙ୍ଗ ସବୁର ସୃଷ୍ଟି ପାଇଁ ପ୍ରକୃତିର କୌଣସି ଏକ ବିରାଟ କାରଖାନା ଅଛି । ଅବଶ୍ୟ ସେଇଟା ସତ; କିନ୍ତୁ ସେହି ବିରାଟତା ଫୁଟିଉଠିଛି ଅଦୃଶ୍ୟ ପରମାଣୁର ଶରୀର ଭିତରେ । ସେହି ଅଦୃଶ୍ୟ ପରମାଣୁ । ଅନୁଚ୍ଚ ସ୍ୱରରେ କହିଛି ବିଭିନ୍ନ ରଙ୍ଗର ସୃଷ୍ଟିର କାରଣ; ସାଧାରଣ ଲୋକକୁ ତାହା ଶୁଭିନି, କିନ୍ତୁ ବୈଜ୍ଞାନିକ ତାହା ଅକ୍ଷରେ ଅକ୍ଷରେ ଲିପିବଦ୍ଧ କରିରଖୁଛି ।

 

ବିଭିନ୍ନ ମଣିଷର ଭାଷାର ଢଙ୍ଗରେ ଯେମିତି ପାର୍ଥକ୍ୟ ଅଛି, ସେମିତି ବିଭିନ୍ନ ପରମାଣୁର ଭାଷାର ଢଙ୍ଗ ମଧ୍ୟ ପୃଥକ । ସ୍ତ୍ରୀ ଲୋକଙ୍କ ଭାଷାରେ ଟିକିଏ ଲାଳିତ୍ୟ ଫୁଟିଉଠେ, ପୁରୁଷ ଲୋକଙ୍କ ଭାଷା ଟିକିଏ କର୍କଶ ହୋଇଯାଏ । କିଏ ହୁଏତ ବାୟୁମଣ୍ଡଳକୁ ସଂଗୀତର ମଧୁର ମୂର୍ଚ୍ଛନାରେ ପ୍ରକମ୍ପିତ କରେ ଆଉ କିଏ ବା ବଜ୍ର ଗମ୍ଭୀର ସ୍ୱରରେ ନିରାଟ ବାସ୍ତବତାର ଘୋଷଣା କରେ । ଏସବୁ ପାର୍ଥକ୍ୟ ମୂଳରେ ଅଛି ମଣିଷର ଗଠନର ବିଭିନ୍ନତା । ସେଥିପାଇଁ ମଣିଷକୁ ନଦେଖି କେବଳ ଶୁଣିକରି ବି ଚିହ୍ନିହୁଏ ।

 

ସେହିପରି ପରମାଣୁର ଭାଷା ତା’ର ଶରୀର ଗଠନ ସହିତ ପୂର୍ଣ୍ଣ ଭାବରେ ସଂଶ୍ଳିଷ୍ଟ । ସେଥିପାଇଁ ପରମାଣୁ ଅଦୃଶ୍ୟ ହେଲେ ମଧ୍ୟ ତା’ର ଭାଷାରେ ଆଧାରରେ ତା’ର ରୂପ ନିର୍ଣ୍ଣୟ କରାଯାଇପାରେ ।

 

ପରମାଣୁ–ଦର୍ଶନବାଦର ଆରମ୍ଭ ହୋଇଛି ବହୁ ପ୍ରାଚୀନ କାଳରୁ । ପ୍ରାକ୍‌ ଐତିହାସିକ ଯୁଗରେ ଭାରତର ମନୀଷୀ କଣାଦ ଏହି ଦର୍ଶନବାଦର ମୂଳଦୁଆ ଦେଇ ସମସ୍ତ ବସ୍ତୁ ଅସଂଖ୍ୟ ପରମାଣୁର ସମଷ୍ଟି ବୋଲି ସୂଚନା ଦେଇଥିବାର ଜଣାଯାଏ । ସେହି ଦର୍ଶନବାଦର ଆଧୁନିକ ମତବାଦ ସଙ୍ଗେ ଯଥେଷ୍ଟ ସାଦୃଶ୍ୟ ଅଛି ।

 

ଖ୍ରୀଷ୍ଟପୂର୍ବ ୪୨୦ରେ ଡେମୋକ୍ରିଟସ୍ କହିଥିଲେ ଯେ, ପୃଥିବୀପୃଷ୍ଠ ଅସଂଖ୍ୟ ପରମାଣୁର ସମଷ୍ଟି । ସେହି ଦର୍ଶନବାଦର ପକ୍ଷପାତିତା କଲେ ଏପିକୁରସ୍ (ଖ୍ରୀପୂ ୩୭୦) ଓ ଲୁକ୍ରେଟିଆସ୍‌ (ଖ୍ରୀ ପୂ ୫୦) ଆଜିର ପରମାଣୁବାଦ ଏବଂ ସେ କାଳର ପରମାଣୁବାଦ ମଧ୍ୟରେ ମୁଖ୍ୟ ପ୍ରଭେଦ ହେଉଛି ଯେ ପୁରାକାଳରେ ତାହା ଥିଲା ଗୋଟିଏ କାଳ୍ପନିକ ଦର୍ଶନବାଦ ଏବଂ ବିଂଶ ଶତାବ୍ଦୀରେ ତାହା ପରୀକ୍ଷାଦ୍ୱାରା ସ୍ଥିରୀକୃତ ଏକ ସିଦ୍ଧାନ୍ତ । ବେକନ୍‌ଙ୍କ ମତରେ ‘‘ଡେମୋକ୍ରିଟସ୍‌ ଜଣେ ମହାମନୀଷୀ, ପ୍ଳେଟୋ ଏବଂ ଏରିଷ୍ଟୋଟଲଙ୍କ ସ୍ତରରୁ ବହୁତ ବଡ଼ । ମଣିଷ ଜାତିର ଶିକ୍ଷାପୋତ ଯେତେବେଳେ ସଂସାର ସାଗରରେ ଭାଙ୍ଗିଯାଇଥିଲା, ଏରିଷ୍ଟୋଟଲ ଏବଂ ପ୍ଳେଟୋଙ୍କ ଦର୍ଶନବାଦ ମଣିଷ ପାଖକୁ ହାଲୁକା ଭେଳା ଭଳିଆ ଭାସିଆସିଥିଲା । କିନ୍ତୁ ଅନ୍ୟସବୁ ଭାବପୂର୍ଣ୍ଣ ଦର୍ଶନବାଦ ଅନ୍ଧକାର ଗର୍ଭରେ ଲୀନ ହୋଇଯାଇଥିଲା ।’’ ସେଥିପାଇଁ ପରମାଣୁବାଦର ବିକାଶ ଘଟିପାରିନଥିଲା ।

 

ଡେମୋକ୍ରିଟସଙ୍କ ନୀତିସବୁ ଟିଣ୍ଡଲଙ୍କ ଭାଷାରେ ନିମ୍ନ ଆକାରରେ ବର୍ଣ୍ଣନା କରାଯାଇପାରେ ।

 

(୧)

ଶୂନ୍ୟରୁ କେବଳ ଶୂନ୍ୟ ମିଳେ । ଯାହାର ଅବସ୍ଥିତି ଅଛି ତାହା ନଷ୍ଟ ହୁଏନା । ସବୁ ପ୍ରକାର ପରିବର୍ତ୍ତନ ଅଣୁପରମାଣୁର ମିଶ୍ରଣ ଓ ବିୟୋଗରେ ଘଟିଥାଏ ।

(୨)

କୌଣସି ଜିନିଷ ଘଟିବା ପାଇଁ ସୁଯୋଗ ଦରକାର ପଡ଼େ ନାହିଁ । ପ୍ରତ୍ୟେକ ଘଟଣାର କାରଣ ଅଛି ।

(୩)

ଯଦି କୌଣସି ଜିନିଷର ସ୍ଥିତି ଅଛି ତାହା ପରମାଣୁ ଓ ଶୂନ୍ୟ - ଅନ୍ୟସବୁ କେବଳ ମତବାଦ ।

(୪)

ଅନେକ ଆକାର ଓ ପ୍ରକାରର ପରମାଣୁ ଅଛି । ସେମାନଙ୍କ ଗତିରେ ହିଁ ସୃଷ୍ଟିର ଆରମ୍ଭ ।

(୫)

ବିଭିନ୍ନ ବସ୍ତୁର ପାର୍ଥକ୍ୟ ସେମାନଙ୍କର ପରମାଣୁର ବିଭିନ୍ନତା ପାଇଁ - ସଂଖ୍ୟାରେ, ଆକାରରେ ଏବଂ ମିଶ୍ରଣରେ ।

(୬)

ଅଗ୍ନିର ରେଣୁ ପରି ସୂକ୍ଷ୍ମ, ଚିକ୍‌କଣ ଏବଂ ଗୋଲାକାର ପରମାଣୁରେ ଆତ୍ମାର ତିଆରି । ସେମାନେ ସବୁଠାରୁ ବେଶି ଗତିଶୀଳ । ସେମାନେ ଶରୀର ମଧ୍ୟରେ ପ୍ରବେଶ କରନ୍ତି ଏବଂ ସେମାନଙ୍କର ଗତି ସୃଷ୍ଟି କରିଛି ଜୀବନୀଶକ୍ତି ।

 

ସାମାନ୍ୟ କିଛି ପରିବର୍ତ୍ତନ କଲେ ଏ ହେଲା ଆଧୁନିକ ପରମାଣୁବାଦର ମେରୁଦଣ୍ଡ ।

 

ତା’ପରେ ଅନେକ ଦିନ ବିତିଗଲା । ଆସିଲା ଡାଲିଟନ୍‌ଙ୍କ ପରମାଣୁବାଦ । ସେ ପରମାଣୁକୁ କ୍ଷୁଦ୍ରତମ ଅବିଭାଜ୍ୟ ରେଣୁ ବୋଲି ସ୍ଥିର କଲେ । ୧୮୬୦ରେ କ୍ଳାକ ମେକସଓ୍ୟେଲ ଗୋଟିଏ ଘନ ସେଣ୍ଟିମିଟରରେ ଥିବା ଅଦୃଶ୍ୟ ପରମାଣୁ ସବୁର ସଂଖ୍ୟା ସ୍ଥିର କରି ପାରିଲେ । ସେହି ଗଣନା ପ୍ରାୟ ନିର୍ଭୁଲ । ତା’ ସଙ୍ଗେ ସଙ୍ଗେ ବଢ଼ିବାକୁ ଲାଗିଲା ପରମାଣୁର ବିଦ୍ୟୁତ୍‌ବାଦ । ଏପରି ଭାବରେ ସ୍ଥିରୀକୃତ ହେଲା ଯେ ପରମାଣୁ ଯଦିଓ ଅଦୃଷ୍ଟ ତଥାପି ତା’ର ପ୍ରାଧାନ୍ୟ ଯଥେଷ୍ଟ ବେଶି ।

 

ସାଧାରଣତଃ ମନେହୁଏ ଯେ, ଯେଉଁ ଜିନିଷ ଯେତେ ଛୋଟ ତାହା ସେତେ ସରଳ; କିନ୍ତୁ ଏହି ସିଦ୍ଧାନ୍ତ ପରମାଣୁ ପାଇଁ ପ୍ରଯୁଜ୍ୟ ନୁହେଁ । ଯଦିଓ ପରମାଣୁ ଆଖିକୁ ଦିଶେ ନାହିଁ, ତା’ର ସତ୍ତା ମଣିଷ ହଠାତ୍‌ ଅନୁଭବ କରିପାରେ ନାହିଁ–ତଥାପି ତାହା ପ୍ରକୃତିର ଜଟିଳ ସୃଷ୍ଟିର ଏକ ନିର୍ଭୁଲ ଅବଦାନ । ବିରାଟ ସୌରମଣ୍ଡଳରେ ସୂର୍ଯ୍ୟର ଚାରିପାଖରେ ଗ୍ରହମାନଙ୍କ ଚକା ଚକା ଭଉଁରୀ ବିଷୟ କଳ୍ପନା କଲେ ମଣିଷ ଟିକିଏ ତନ୍ମୟ ହୋଇଯାଏ । ସେତେବେଳେ ସେ ଭାବି ପାରେ ନାହିଁ ଯେ, ନିଜର ଶରୀର ଭିତରେ, ଆଖି ଆଗରେ ଏବଂ ସମସ୍ତ ବସ୍ତୁ ମଧ୍ୟରେ ଏମିତି ଅସଂଖ୍ୟ ଅଦୃଷ୍ଟ ସୌରମଣ୍ଡଳ ଅଛି । ସେହି ଅଦୃଷ୍ଟ ସୌରମଣ୍ଡଳ ହିଁ ଆମର ପରମାଣୁ ।

 

ଡେନ୍‌ମାର୍କର ବିଖ୍ୟାତ ପଦାର୍ଥବୈଜ୍ଞାନିକ ନିଲ୍‌ସବୋରଙ୍କ ତଥ୍ୟ ଅନୁୟାୟୀ । ପରମାଣୁ ଏତେ କ୍ଷୁଦ୍ର ହେଲେ ବି ମୂଳତଃ ଫମ୍ପା । ପରମାଣୁର ସମସ୍ତ ଭର ତା’ର କେନ୍ଦ୍ରରେ ଜଡ଼ିତ, ଯାର ନାମ ନାଭିକ । ପରମାଣୁକୁ ଗୋଲାକାର ଧରାଗଲେ ତା’ର ହାରାହାରି ବ୍ୟାସାର୍ଦ୍ଧ ପ୍ରାୟ ଏକ ଏଙ୍ଗଷ୍ଟ୍ରମ୍ (ଏକ ସେଣ୍ଟିମିଟରର ଦଶକୋଟି ଭାଗରୁ ଭାଗେ) । ଆହୁରି ମଧ୍ୟ ଜଣାଯାଇଛି ଯେ, ନାଭିକର ବ୍ୟାସାର୍ଦ୍ଧ ପରମାଣୁର ବ୍ୟାସାର୍ଦ୍ଧର ପ୍ରାୟ ଲକ୍ଷେ ଭାଗରୁ ଭାଗେ । ଏଇଥିରୁ ଜଣାପଡ଼େ ଯେ, ପରମାଣୁ ପ୍ରକୃତରେ ଫମ୍ପା । ସେହି ଫମ୍ପା ସ୍ଥାନମାନଙ୍କରେ ବିଭିନ୍ନ କକ୍ଷରେ ଆମ ଗ୍ରହମାନଙ୍କ ଭଳିଆ କେତୋଟି ଇଲେକଟ୍ରନ୍ ନାଭିକର ଚତୁଃପାର୍ଶ୍ୱରେ ଘୂରି ବୁଲନ୍ତି । ଏହି ଇଲେକଟ୍ରନ୍ ପରମାଣୁର ଜିହ୍ୱା–ଯାହାର କମ୍ପନରେ ଭାଷାର ସୃଷ୍ଟି ହୁଏ ଆଲୋକର ତରଙ୍ଗ ଆକାରରେ ।

 

ମୋଟାମୋଟିରେ ପରମାଣୁ ଗଠନ ପାଇଁ କେନ୍ଦ୍ରସ୍ଥ ନାଭିକ ଏବଂ ବିଭିନ୍ନ କକ୍ଷରେ ଘୂରୁଥିବା ଇଲେକଟ୍ରନ୍ ଦରକାର । ଇଲେକଟ୍ରନ୍ ଋଣ ଆବେଶଧାରୀ ଏବଂ ନାଭିକ ଧନଆବେଶଧାରୀ । ଇଲେକଟ୍ରନ ସମୂହର ଏବଂ ନାଭିକର ଆବେଶର ମାତ୍ରା ସମାନ, ତେଣୁ ପରମାଣୁ ବୈଦ୍ୟୁତିକ ନିରପେକ୍ଷତା ପ୍ରଦର୍ଶନ କରେ । ନାଭିକର ରୂପ ମଧ୍ୟ ସରଳ ନୁହେଁ । ଏହା ଦୁଇପ୍ରକାର କଣିକା ଦ୍ୱାରା ଗଠିତ–ପ୍ରୋଟନ୍‌ ଓ ନ୍ୟୁଟ୍ରନ୍ । ପ୍ରୋଟନ୍ ଓ ନ୍ୟୁଟ୍ରନ୍‌ର ଭର ସମାନ, କିନ୍ତୁ ପ୍ରୋଟନ୍‌ ଧନ- ଆବେଶଧାରୀ ଏବଂ ନ୍ୟୁଟ୍ରନ୍‌ ଆବେଶହୀନ । ତେଣୁ ଗୋଟିଏ ପରମାଣୁର ନାଭିକରେ ଯେତେଟା ପ୍ରୋଟନ୍ ଥାଏ ତା’ର ବିଭିନ୍ନ କକ୍ଷରେ ସେତେଟା ଇଲେକଟ୍ରନ୍ ଥାଏ ।

 

ପରମାଣୁର ଏହି ଅଦେଖା ରୂପ ବିଶ୍ୱ ବ୍ରହ୍ମାଣ୍ଡରେ ସୃଷ୍ଟି କିରିଛି ଅସଂଖ୍ୟ ପ୍ରହେଳିକା । ଅବଗୁଣ୍ଠନବତୀର ରୂପ ଦେଖିବା ପାଇଁ ମଣିଷର ଯେମିତି ବିଶେଷ ଆଗ୍ରହ ଓ ସ୍ପୃହା ହୁଏ, ପରମାଣୁର ରୂପ ଉଦ୍‌ଘାଟନ କରିବା ପାଇଁ ଚାଲିଛି ଅବିଶ୍ରାନ୍ତ ଗବେଷଣା । ପରମାଣୁର କକ୍ଷ ପରିତ୍ୟାଗ କରି ବୈଜ୍ଞାନିକ ଆଜି ଆଗେଇ ଯାଇଛି ନାଭିକର ଅଭ୍ୟନ୍ତରକୁ । ଶକ୍ତିର ସେହି ପ୍ରଶାନ୍ତ ସାଗର ଗବେଷଣାର ଝଡ଼ରେ କରିଛି ଅଗଣିତ ଢେଉର ସୃଷ୍ଟି । କେତୋଟି ନଗଣ୍ୟ ନାଭିକର କୋପରେ ଥରିଉଠିଥିଲା ହିରୋସିମା-ନାଗାସାକି । ଆଜି ବି ସେହି ନାଭିକର ଶକ୍ତିଉପରେ ନିର୍ଭର କରୁଛି ରାଜନୈତିକ ବଳ । ଆଜିର ଏ ସଭ୍ୟ ବାୟୁମଣ୍ଡଳ ଧୂସର ହୋଇଉଠିଛି ।

 

ଏସବୁ ଗବେଷଣା ସତ୍ତ୍ୱେ ଆଜି ସୁଦ୍ଧା ପରମାଣୁର ଅବଗୁଣ୍ଠନ ଖୋଲିନି–ଗବେଷଣା ଚାଲିଛି ।

Image

 

ବିଜ୍ଞାନ-ଜଗତର ଭଦ୍ରଚୋର

 

(ପରମାଣୁର ନାଭିକରେ ଅବସ୍ଥାପିତ ନ୍ୟୁଟ୍ରନ୍‌ର କରାମତି ବହୁତ । ଏହା ଇଲେକଟ୍ରନ୍, ପ୍ରୋଟନ୍‌, ଆଲ୍‌ଫା କଣିକା ଭଳିଆ ଆବେଶପୂର୍ଣ୍ଣ ହୋଇନଥିବାରୁ ଏହା ବସ୍ତୁ ମଧ୍ୟରେ ଆପେକ୍ଷିକ ଭାବରେ ଅବାଧରେ ଯାତାୟତ କରିପାରେ । ଏହି ଧର୍ମକୁ ବ୍ୟବହାର କରି ୟୁରାନିୟମ୍ ଭଳି ବିଶାଳ ନାଭିକରେ ନ୍ୟୁଟ୍ରନ୍‌ର ପ୍ରବେଶ କରାଇ ପରମାଣୁ ବୋମାର ସୃଷ୍ଟି ସମ୍ଭବପର ହୋଇଛି । ଏହି ପ୍ରବନ୍ଧରେ ଏହି ନାଭିକୀୟ କଣିକା ନ୍ୟୁଟ୍ରନ୍‌ ସମ୍ବନ୍ଧରେ ଆଲୋକପାତ କରାଯାଇଛି ।)

 

ଏକ ପାର୍ଶ୍ଵରେ ବିଶ୍ୱର ବିରାଟତା ଓ ଅପର ପାର୍ଶ୍ଵରେ ଅଣୁପରମାଣୁର କ୍ଷୁଦ୍ରତାର ବୈଚିତ୍ର୍ୟ ଭିତରେ ବୈଜ୍ଞାନିକ ମନୋଭାବର କ୍ରମବିକାଶ ସ୍ୱତଃପ୍ରବୃତ୍ତ ହେଲେ ହେଁ, ଜଟିଳତର ହୋଇଯାଇଛି । ବିରାଟ ବିଶ୍ୱର ସୀମାରେଖାର ପରିକଳ୍ପନା ସଙ୍ଗେ ସଙ୍ଗେ, ଛୋଟ ଛୋଟ ଅଦୃଷ୍ଟ କଣିକାର ଆବିଷ୍କାର ସମାନ୍ତରାଳ ଭାବରେ ଚାଲି ରହିଛି । ବିଂଶଶତାବ୍ଦୀର ବୈଜ୍ଞାନିକ ଝଡ଼ ଭିତରେ ଏହି କ୍ଷୁଦ୍ର କ୍ଷୁଦ୍ର କଣିକାମାନଙ୍କର ବିଶିଷ୍ଟତା ଆଉ ପ୍ରଶ୍ନବାଚକ ହୋଇ ରହିନି । ହିରୋସିମା ଓ ନାଗାସାକିରେ ପରମାଣୁ ବୋମାର ତାଣ୍ଡବଲୀଳା ଏହାର ପରିଚାୟକ । ଆଜି ବିଶ୍ୱର ବିରାଟତା ଅପସରି ଯାଇଛି ପଶ୍ଚାତ୍‌ ଭାଗକୁ । ମାନସ ପଟରେ ନାଚିଉଠୁଛି କେତୋଟି କ୍ଷୁଦ୍ର କଣିକା ।

 

ପରମାଣୁ ଦର୍ଶନବାଦ ଅତି ପ୍ରାଚୀନ । କିନ୍ତୁ ପରମାଣୁବାଦର ଆରମ୍ଭ ହେଲା ଡାଲ୍‌ଟନଙ୍କ ପରେ । ଡାଲ୍‌ଟନ ପରମାଣୁକୁ କ୍ଷୁଦ୍ରତମ ଅବିଭାଜ୍ୟ ରେଣୁ ବୋଲି ସ୍ଥିର କରିଥିଲେ । ତା’ପରେ ଅଣୁପରମାଣୁ ସମ୍ବନ୍ଧୀୟ ଆଲୋଚନା ଓ ଗବେଷଣା ଚାଲିଲା ଅତି ଜୋରସୋରରେ । କ୍ଷୁଦ୍ରତମ ରେଣୁର କ୍ଷୁଦ୍ରତା ଉପରେ ଆଞ୍ଚ ଆସିଲା ଇଲେକ୍‌ଟ୍ରନ୍‌ର ଆବିଷ୍କାର ପରେ । ପରମାଣୁର କ୍ଷୁଦ୍ରତାକୁ ଭେଦକରି ଡେନ୍‌ମାର୍କର ପଦାର୍ଥ ବୈଜ୍ଞାନିକ ନିଲସ୍‌ବୋର ପ୍ରମାଣ କଲେ ଯେ ପରମାଣୁ ସରଳ ନୁହେଁ–ତାହା ଏକ କ୍ଷୁଦ୍ର ସୌରମଣ୍ଡଳ । ସୌରମଣ୍ଡଳର ଜଟିଳତା ଅପେକ୍ଷା ପରମାଣୁର ଜଟିଳତା ଅଧିକ ।

 

ବିଜ୍ଞାନ ଜଗତର ଭଦ୍ରଚୋର ଆମର ଏହି ପରମାଣୁ ଭିତରେ ଅବସ୍ଥାନ କରେ । ଅତଏବ ଭଦ୍ରଚୋର ବିଷୟରେ ଜାଣିବା ପୂର୍ବରୁ ପରମାଣୁର ଗଠନ ବିଷୟରେ ଜାଣିବା ଏକାନ୍ତ ଆବଶ୍ୟକ । ପରମାଣୁ ଯଦିଓ ଅତିକ୍ଷୁଦ୍ର ଏହା ମୂଳତଃ ଫମ୍ପା । ନାଭିକ ଏବଂ ତା’ର ଚତୁଃପାର୍ଶ୍ୱରେ ଚକାଚକାଭଉଁରୀ ଖେଳୁଥିବା ଇଲେକ୍‌ଟ୍ରନ୍‌ ନେଇ ପରମାଣୁ ଗଠିତ । ନାଭିକ ଧନ-ଆବେଶଧାରୀ ଏବଂ ଇଲେକ୍‌ଟ୍ରନ୍‌ ଋଣ-ଆବେଶଧାରୀ । ନାଭିକର ଯେତେ ପରିମାଣରେ ଧନ-ଆବେଶ ଥାଏ, ଇଲେକ୍‌ଟ୍ରନ୍‌ମାନଙ୍କରେ ଠିକ୍‌ ସେତିକି ପରିମାଣରେ ଋଣ ଆବେଶ ଥାଏ । ତେଣୁ ପରମାଣୁ ବୈଦ୍ୟୁତିକ ନିରପେକ୍ଷତା ପ୍ରଦର୍ଶନ କରେ ।

 

ନାଭିକର ଗଠନ ମଧ୍ୟ ଜଟିଳ; କିନ୍ତୁ ମୋଟାମୋଟିରେ ଏହା ଦୁଇ ପ୍ରକାର କଣିକା ଦ୍ୱାରା ଗଠିତ- ପ୍ରୋଟନ୍‌ ଓ ନ୍ୟୁଟ୍ରନ୍‌ । ପ୍ରୋଟନ୍‌ ଧନ-ଆବେଶଧାରୀ କଣିକା ଏବଂ ନ୍ୟୁଟ୍ରନ୍‌ ଆବେଶହୀନ-। କୌଣସି ପରମାଣୁରେ ନାଭିକ ଭିତରେ ଯେତୋଟି ପ୍ରୋଟନ୍‌ ଥାଏ, ନାଭିକ ଚାରିପାଖରେ ସେତେ ଗୋଟି ଇଲେକ୍‌ଟ୍ରନ୍‌ ଘୂରୁଥାଏ । ଅତଏବ ପରମାଣୁ ଭିତରେ ଇଲେକ୍‌ଟ୍ରନ୍‌, ପ୍ରୋଟନ୍‌ ଓ ନ୍ୟୁଟ୍ରନ୍‌ ନାମକ ତିନି ପ୍ରକାର କଣିକା ଅବସ୍ଥିତ । ଏମାନଙ୍କ ଭିତରୁ ନ୍ୟୁଟ୍ରନ୍‌ ହେଲା ଆମର ଭଦ୍ରଚୋର, ଯାହାପାଇଁ ଆଜି ପୃଥିବୀର ଶାନ୍ତିରକ୍ଷା ସୂତାଖିଅରେ ଝୁଲୁଛି ।

 

ହୁଏତ ଅନେକଙ୍କର ବିସ୍ମୟ ଜାତ ହେବ, କାରଣ ଆବେଶଧାରୀ ପ୍ରୋଟନ୍‌ ଓ ଇଲେକ୍‌ଟ୍ରନ୍‌ ଥାଉଁ ଥାଉଁ ଆବେଶହୀନ ନ୍ୟୁଟ୍ରନ୍‌ର ଗୁରୁତ୍ୱ ଏତେ ବେଶି କାହିଁକି ? କିନ୍ତୁ ପ୍ରକୃତିର ନିୟମ ଉଲଙ୍ଘନୀୟ । ନ୍ୟୁଟ୍ରନ୍‌ର କାର୍ଯ୍ୟ କଳାପ ହେତୁ ତା’ର ନାମକରଣ ହୋଇଛି ଭଦ୍ରଚୋର ।

 

ନ୍ୟୁଟ୍ରନ୍‌ର ଆବିଷ୍କାର ଯେତେ ଗୁରୁତ୍ୱପୂର୍ଣ୍ଣ ସେତେ ରହସ୍ୟପୂର୍ଣ୍ଣ ମଧ୍ୟ । ୧୯୩୨ ପର୍ଯ୍ୟନ୍ତ ସମସ୍ତଙ୍କର ଧାରଣା ଥିଲା ଯେ ପରମାଣୁ କେବଳ ପ୍ରୋଟନ୍‌ ଓ ଇଲେକ୍‌ଟ୍ରନ୍‌ର ସମଷ୍ଟି । ବୋଥେ ଓ ବେକର ନାମକ ଦୁଇଜଣ ବୈଜ୍ଞାନିକ କେତେକ ହାଲୁକା ମୌଳିକ ପଦାର୍ଥ ଉପରେ ଆଲ୍‌ଫାରଶ୍ମି ପାତ କରି ଦେଖିଲେ ଯେ ଆଉ ଏକ ଶକ୍ତିଶାଳୀ ରଶ୍ମି କିମ୍ବା ରେଣୁର ଉତ୍ପତ୍ତି ହେଉଛି-। ଏହା ପୂର୍ବରୁ ଜଣାଥିଲା ଯେ ଗାମାରଶ୍ମି ସବୁଠୁ ଶକ୍ତିଶାଳୀ । ତେଣୁ ଅନେକଙ୍କର ଧାରଣା ହେଲା ଯେ ଏହି ନୂତନ ବିକିରଣ ଛୋଟ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆହୁରି ଶକ୍ତିଶାଳୀ ଗାମାରଶ୍ମି ହୋଇଥିବ-। ଆହୁରି ମଧ୍ୟ ଜଣାଗଲା ଯେ ଏହି ନୂତନ ବିକିରଣ ଆବେଶହୀନ ।

 

କେତେକ ଗାଣିତିକ ଗଣନାରୁ ଜଣାପଡ଼ିଲା ଯେ ଏହି ନୂତନ ବିକିରଣକୁ ଶକ୍ତିଶାଳୀ ଗାମାରଶ୍ମି ବୋଲି ଧାରଣା କଲେ ଶକ୍ତି ଦୃଷ୍ଟିରୁ ଯଦିଓ ବିଶେଷ ମନ୍ଦ ନୁହେଁ, ଏହି ରଶ୍ମିର ଶକ୍ତି ବିଭିନ୍ନ ପାରମାଣବିକ ସଂଘର୍ଷରେ ବିଭିନ୍ନ ପରିମାଣ ବୋଲି ଧରିବାକୁ ହେବ । ଆହୁରି ମଧ୍ୟ ନାଭିକ ଓ ରଶ୍ମିର ସଂଘର୍ଷ ଏବଂ ଶକ୍ତି ଓ ଭରବେଗର ଅବିନାଶିତା ଦୃଷ୍ଟିରୁ ନୂତନ ବିକିରଣ ସମ୍ବନ୍ଧୀୟ ଧାରଣା ସମ୍ପୂର୍ଣ୍ଣ ଓ ପରିପକ୍ୱ ବୋଲି ଜଣାପଡ଼ିଲା ନାହିଁ ।

 

ସୌଭାଗ୍ୟବଶତଃ ବୈଜ୍ଞାନିକ ଚାଡ଼ଉଇକ୍‌ ଏହି ସମସ୍ୟାର ସମାଧାନ କରିଥିଲେ ଏବଂ ନୋବେଲ ପୁରସ୍କାର ପାଇଥିଲେ । ସେ ପ୍ରମାଣକରି ଦେଖାଇଲେ ଯେ ଏହି ନୂତନ ବିକିରଣକୁ ଏକ ଆବେଶହୀନ କଣିକା ବୋଲି ଗଣନା କଲେ ସବୁ ସମସ୍ୟାର ସମାଧାନ ହୋଇଯାଉଛି । ଏହା ହେଲା ନ୍ୟୁଟ୍ରନ ଆବିଷ୍କାରର ଏକ କ୍ଷୁଦ୍ର ଇତିହାସ । ଏହା ଆବେଶହୀନ ହୋଇଥିବାରୁ ଏହାର ଆବିଷ୍କାର ଏତେ ପଛରେ ହେଲା । ଏହାର ଭର ପ୍ରାୟ ପ୍ରୋଟନ୍‌ର ଭର ସଙ୍ଗେ ସମାନ ।

 

ନାଭିକ ଭିତରେ ଅବସ୍ଥାନ କରୁଥିବା ନ୍ୟୁଟ୍ରନ ତା’ର ସ୍ୱାଭାବିକ ଲକ୍ଷଣ ପ୍ରଦର୍ଶନ କରେ-। କୌଣସି ପାରମାଣବିକ ସଂଯୋଗ କିମ୍ବା ସଂଘର୍ଷ ଫଳରେ ଯେତେବେଳେ ଏହା ନାଭିକର କବଳରୁ ମୁକ୍ତ ହୁଏ, ଏହାର ଦୌରାତ୍ମ୍ୟ ବଢ଼ିଚାଲେ । ଧୋତିପଞ୍ଜାବୀଧାରୀ ହେଉ କିମ୍ୱା ସୁଟ୍-ବୁଟ୍‍ଧାରୀ କେହିଜଣେ ବ୍ୟକ୍ତି ଯଦି ଭଦ୍ରଲୋକ ଭଳିଆ ଜଣାଯାଏ, ତାକୁ ସାଧାରଣତଃ ସମସ୍ତେ ବିଶ୍ୱାସ କରିଥାନ୍ତି । କୌଣସି ଲୋକକୁ ଅବିଶ୍ୱାସ କଲେ ଘରକବାଟ ବନ୍ଦ କରିଦିଆଯାଏ ଯେମିତିକି ସେ ଘର ଭିତରକୁ ପ୍ରବେଶ କରିପାରିବନି । କିନ୍ତୁ ଭଦ୍ରଲୋକର ସ୍ଥାନ ସବୁଠି ଅଛି । ସେହିପରି ପ୍ରୋଟନ୍‌, ଇଲେକ୍‌ଟ୍ରନ୍‌ ଆଲଫା କଣିକା ଇତ୍ୟାଦି ଆବେଶଧାରୀ କଣିକା ସବୁ ବିଶ୍ୱାସଯୋଗ୍ୟ ନୁହନ୍ତି, କାରଣ ସେମାନଙ୍କର ଆବେଶ ସେମାନଙ୍କର ପ୍ରବେଶଦ୍ୱାର ରୁଦ୍ଧ କରେ; କିନ୍ତୁ ଆବେଶହୀନ ନ୍ୟୁଟ୍ରନ ବସ୍ତୁ ମଧ୍ୟରେ ସ୍ୱାଧୀନ ଭାବରେ ଯାତାୟାତ କରିପାରେ । ବୈଜ୍ଞାନିକ ଭାଷାରେ କହିବାକୁ ଗଲେ, ଆବେଶ ଯୋଗୁଁ ଆବେଶଧାରୀ କଣିକାମାନଙ୍କୁ ବସ୍ତୁ ଭିତର ଦେଇ ଗତିକରିବା କଷ୍ଟକର ହୋଇପଡ଼େ; କାରଣ ବସ୍ତୁ ଋଣ ଓ ଧନ ଉଭୟ ଆବେଶର ଆଧାର । ବିପରୀତ ଆବେଶଯୁକ୍ତ କଣିକାର ଆକର୍ଷଣ ଏବଂ ସମାନ ଆଧାରଯୁକ୍ତ କଣିକାର ବିକର୍ଷଣ ହେତୁ ଆବେଶଧାରୀ କଣିକାର ଶକ୍ତି କ୍ଷୟ ହୁଏ ଏବଂ ଏହା ବସ୍ତୁ ଭିତରକୁ ବହୁତ ଦୂର ଗତି କରିପାରେ ନାହିଁ ।

 

ବର୍ତ୍ତମାନ ନ୍ୟୁଟ୍ରନର ଭଦ୍ରଚୋର ଲକ୍ଷଣ ବିଚାର କରାଯାଉ । ଏହାର ଅବାଧ ପ୍ରବେଶ ଅଧିକାର ହେଲା ସବୁ ବିଭ୍ରାଟର ମୂଳ । ଭଦ୍ରଲୋକଙ୍କ ଭଳିଆ ଘର ଭିତରକୁ ପ୍ରବେଶ କରି, ପରେ ଘରଭିତରେ ତୁମୁଳ ସଂଗ୍ରାମ ସୃଷ୍ଟି କରିବା ହେଲା ଏହାର କାର୍ଯ୍ୟ । ଏହା ହାଲୁକା ବସ୍ତୁମାନଙ୍କର ନାଭିକ ଭିତରେ ପ୍ରବେଶ କରି ନାଭିକର ସ୍ଥାୟିତ୍ୱରେ ବ୍ୟାଘାତ ଆଣେ । ଅନେକ ସ୍ଥାୟୀ ବସ୍ତୁ ତେଜସ୍କ୍ରିୟା ହୋଇଯାନ୍ତି ଏବଂ ଶେଷରେ ନିଜର ଅସ୍ତିତ୍ୱ ଲୋପକରି ଅନ୍ୟ ବସ୍ତୁରେ ପରିଣତ ହୁଅନ୍ତା କିନ୍ତୁ ଏସବୁ ହେଲା ନ୍ୟୁଟ୍ରନ୍‌ର ଛୋଟକାଟିଆ ବଦମାସୀ, ଯାହାଦ୍ୱାରା କୌଣସି ଏକ ନିର୍ଦ୍ଦିଷ୍ଟ ବସ୍ତୁ ଯାହା ହେଉନା କାହିଁକି, ମଣିଷ ଜାତିର କ୍ଷତି ପରିବର୍ତ୍ତେ ଲାଭ ବେଶି । କାରଣ ଏହି କୃତ୍ରିମ ତେଜସ୍କ୍ରିୟ ବସ୍ତୁମାନଙ୍କର ବହୁତ ଉପକାରିତା ଅଛି । ସେ ଦୃଷ୍ଟିରୁ ନ୍ୟୁଟ୍ରନ୍ ଆମର ଧନ୍ୟବାଦାର୍ହ ।

 

ୟୁରାନିୟମ୍–୨୩୫ ପ୍ରତି ବୋଧହୁଏ ନ୍ୟୁଟ୍ରନ୍‌ର ଶତ୍ରୁତା ବହୁତ ବେଶି । ଯୁରାନିୟମ୍ ଏକ ତେଜସ୍କ୍ରିୟ ବସ୍ତୁ ହେଲେ ମଧ୍ୟ ଏହା ଯଥେଷ୍ଟ ମାତ୍ରାରେ ସ୍ଥାୟୀ । ଏହି ୟୁରାନିୟମ୍–୨୩୫ର ନାଭିକ ଭିତରକୁ ନ୍ୟୁଟ୍ରନ୍ ପ୍ରବେଶ କରି ୟୁରାନିୟମ୍–୨୩୬ର ସୃଷ୍ଟି କରେ । ଯୁରାନିୟମ୍–୨୩୬ ଅତି ଅସ୍ଥାୟୀ, ତେଣୁ ଏହା ଭାଙ୍ଗିଯାଇ ଛୋଟ ଛୋଟ କଣିକାରେ ପରିଣତ ହୁଏ । ଏହା ଘଟିବା ଫଳରେ ସାମାନ୍ୟ କିଛି ଭରର ନଷ୍ଟ ହୁଏ । ଭର ସାମାନ୍ୟ ପରିମାଣରେ ନଷ୍ଟ ହେଲେ ପ୍ରଚୁର ଶକ୍ତି ଉତ୍ପନ୍ନ ହୁଏ । କେବଳ ସେତିକି ନୁହେଁ, ୟୁରାନିୟମ୍ ଖଣ୍ଡବିଖଣ୍ଡ ହେଲାବେଳେ କୋତୋଟି ନ୍ୟୁଟ୍ରନ୍‌ର ଉତ୍ପତ୍ତି ହୁଏ । ଏମାନେ ପୁଣି ୟୁରାନିୟମ୍–୨୩୫ର ନାଭିକ ଭିତରେ ପ୍ରବେଶ କରି ଧ୍ୱସଂଲୀଳା ସୃଷ୍ଟି କରନ୍ତି ।

 

ଏହା ହେଲା ମୋଟାମୋଟିରେ ବିଜ୍ଞାନ ଜଗତର ଭଦ୍ରଚୋର ବା ନ୍ୟୁଟ୍ରନ୍‌ର ଜୀବନୀର କିୟଦଂଶ । ଆବେଶହୀନ ବୋଲି ପ୍ରକୃତି ଏହାକୁ ଅବାଧ ପ୍ରବେଶର ଯେଉଁ ଅଧିକାର ଦେଇଛି, ତାହା ହେଉଛି ସବୁ ଗଣ୍ଡଗୋଳର ମୂଳ । ଏହି ଛୋଟ କଣିକାର ବୈଜ୍ଞାନିକ ପ୍ରାଧାନ୍ୟ ଅନ୍ୟ ଦୃଷ୍ଟିକୋଣରୁ ଯଥେଷ୍ଟ ଥିଲେ ମଧ୍ୟ, ସାଧାରଣ ମଣିଷ ଜୀବନରେ ଆତଙ୍କ ସୃଷ୍ଟି କରୁଥିବାରୁ ଏହାର ‘ଭଦ୍ରଚୋର’ ନାମକରଣ କରାଯାଇଛି । ଅତି କ୍ଷୁତ୍ର ଏହି ନ୍ୟୁଟ୍ରନ୍ ଆନ୍ତର୍ଜାତିକ କ୍ଷେତ୍ରରେ ଅତି ବିରାଟ ପ୍ରଶ୍ନବାଚୀ ଚିହ୍ନର ସୃଷ୍ଟି କରିଛି । ହିରୋସିମା–ନାଗାସାକିର ସେହି ଜଘନ୍ୟ ଲୀଳା ଆଜି ବି ଆଖି ସାମନାରେ ନାଚିଉଠୁଛି । ତା’ ପରେ ପରେ ପରମାଣୁ ଏବଂ ଉଦ୍‌ଜାନ ବୋମାର ଘନ ଘନ ପରୀକ୍ଷା ମାନବ ସମାଜକୁ ଭୟଭୀତ କରାଉଛି ।

 

ଏସବୁ ଦୃଷ୍ଟିରୁ ବେଳେବେଳେ ମନେହୁଏ, ବିଜ୍ଞାନାଗାରର ନିରୀହ ଅତିକ୍ଷୁଦ୍ର ନ୍ୟୁଟ୍ରନ୍‌ ଯଦି ବାହାରିନଥାନ୍ତା, ହୁଏତ ବିଜ୍ଞାନର ଅଗ୍ରଗତିରେ କିଞ୍ଚିତ୍ ବାଧା ଆସିଥାନ୍ତା; କିନ୍ତୁ ମାନବ ସମାଜ ତ ଟିକିଏ ଶାନ୍ତି ଓ ସୁଖରେ ରହିପାରନ୍ତା । ଦୁର୍ବଳ ପ୍ରତି ସବଳର ଅତ୍ୟାଚାର ଟିକିଏ କମି ତ ଯାଆନ୍ତା । ସେଥିପାଇଁ ବେଳେବେଳେ କହିବାକୁ ଇଚ୍ଛାହୁଏ, ‘‘ହେ ନ୍ୟୁଟ୍ରନ୍ ! ତୁମେ କ୍ଷାନ୍ତ ହୁଅ, ପୃଥିବୀ ଶାନ୍ତ ହେବ ।’’

 

ରେଣୁ ନା ତରଙ୍ଗ ?

 

(ରେଣୁବାଦ ଏବଂ ତରଙ୍ଗବାଦ କେବଳ ବିଜ୍ଞାନଜଗତରେ ନୁହେଁ, ଦାର୍ଶନିକ ଦୃଷ୍ଟିଭଙ୍ଗୀରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ରେଣୁର ଅଜସ୍ରତା ଏବଂ ତରଙ୍ଗର ଅସଂଖ୍ୟତା ଭାବୁକ ମନରେ କୌତୂହଳ ଜାତକରେ । ରେଣୁ ହେଲା ଭୌତିକ, ତରଙ୍ଗ ଅଭୌତିକ, କାରଣ ଏହା ଶକ୍ତିର ଏକ ଅନୁରୂପ । ମହାମାନବ ଆଇନ୍‌ଷ୍ଟାଇନ୍ ପଦାର୍ଥ ଏବଂ ଶକ୍ତିର ରୂପ ପରିବର୍ତ୍ତନ ବିଷୟ ତାଙ୍କର ଆପେକ୍ଷିକ ତତ୍ତ୍ୱରେ ଲିପିବଦ୍ଧ କରିଯାଇଥିଲେ । ତଥାପି ରେଣୁବାଦ ଓ ତରଙ୍ଗବାଦ ମଧ୍ୟରେ ତୁମୁଳ ସଂଗ୍ରାମ ଲାଗିଥିଲା । ସେହି ବାଦଦ୍ୱୟର ବିଭିନ୍ନତା ଏବଂ ଐକ୍ୟ ଉପସ୍ଥାପନ କରିବା ଏହି ପ୍ରବନ୍ଧର ଲକ୍ଷ୍ୟ)

 

ସମୁଦ୍ରର ବେଳାଭୂମିରେ ବସି ମଣିଷ ତରଙ୍ଗର ତାଣ୍ଡବ ନୃତ୍ୟ ଦେଖିଲାବେଳେ କଳ୍ପନା କରିପାରେନା ଯେ ସାଗରର ଅସଂଖ୍ୟ ବୀଚିମାଳା ସହିତ ବେଳାଭୂମିର ଅସଂଖ୍ୟ ରେଣୁ ମଧ୍ୟରେ କିଛି ସମ୍ପର୍କ ଅଛି । ରେଣୁ ଓ ତରଙ୍ଗର ପାର୍ଥକ୍ୟ ଏତେ ସ୍ପଷ୍ଟ ଯେ ସେମାନଙ୍କ ସାମଞ୍ଜସ୍ୟ ବିଷୟ ଚିନ୍ତା କରିବା ଦୂରୁହ ବ୍ୟାପାର ହୋଇପଡ଼େ । ଏହି ଅବିଶ୍ୱାସଯୋଗ୍ୟ ସାମଞ୍ଜସ୍ୟକୁ ପ୍ରତିପାଦନ କରିବା ପାଇଁ ବିଜ୍ଞାନ ଜଗତରେ ତୁମୁଳ ମତଭେଦର ସୃଷ୍ଟି ହୋଇଥିଲା । ଆଜି ସେହି ବିରାଟ ଝଡ଼ଝଞ୍ଜାକୁ ଅତିକ୍ରମ କରି ବିଜ୍ଞାନ କହୁଛି ରେଣୁ ଓ ତରଙ୍ଗ ମଧ୍ୟରେ ମୂଳତଃ କିଛି ପ୍ରଭେଦ ନାହିଁ ।

 

ବିଜ୍ଞାନର ଇତିହାସ ପୃଷ୍ଠା ଓଲଟାଇଲେ ଏ ବିଷୟ ଜାଣିବା ପାଇଁ ନ୍ୟୁଟନ୍‌ଙ୍କ ଯୁଗକୁ ଯିବାକୁ ପଡ଼େ । ଆଲୋକ ସମ୍ବନ୍ଧୀୟ ସିଦ୍ଧାନ୍ତରେ ନ୍ୟୁଟନ୍ କହିଥିଲେ ଯେ, ଆଲୋକ କେତେକ ବେଗମାନ କ୍ଷୁଦ୍ର କଣିକାର ସମଷ୍ଟି । ଏହି ବେଗମାନ କଣିକା ଚକ୍ଷୁରେ ପତିତ ହେଲେ କୌଣସି ବସ୍ତୁ ଆଲୋକିତ ହୋଇ ଦୃଷ୍ଟିଗୋଚର ହୁଏ । ତାହାକୁ ସାଧାରଣତଃ ରେଣୁବାଦ ବା କଣିକାବାଦ କୁହାଯାଏ । ସେହି ଆଲୋକ ରେଣୁକୁ ନେଇ ନ୍ୟୁଟ୍ରନ ପ୍ରତିଫଳନ; ପ୍ରତିସରଣ ପ୍ରଭୃତି ଆଲୋକର ବିଭିନ୍ନ ଧର୍ମ ବୁଝାଇଥିଲେ । କିନ୍ତୁ ଏହି ରେଣୁବାଦ ଦ୍ୱାରା ବ୍ୟତିକରଣ (Interference), ଧାରନମନ (Diffraction) ଇତ୍ୟାଦି ଜିନିଷ ବୁଝେଇ ହେଲାନାହିଁ । ହାଇଜିନ୍ ପ୍ରଭୃତି ଅନ୍ୟାନ୍ୟ ବୈଜ୍ଞାନିକ ସେ ସବୁ କାରଣରୁ ଆଲୋକ ପାଇଁ ତରଙ୍ଗବାଦର ଆରମ୍ଭ କରିଥିଲେ । ନ୍ୟୁଟନ୍‌ଙ୍କ ବିରାଟ ଏବଂ ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ମୁଖରେ ତରଙ୍ଗବାଦ ମୁଣ୍ଡ ଟେକି ପାରିଲା ନାହିଁ । କିନ୍ତୁ ନ୍ୟୁଟ୍ରନଙ୍କ ମୃତ୍ୟୁପରେ ଆଲୋକର ଧର୍ମ ସମୂହକୁ ବୁଝେଇବା ପାଇଁ ତରଙ୍ଗବାଦ ହିଁ ଏକମାତ୍ର ସିଦ୍ଧାନ୍ତ ହୋଇ ରହିଲା । ସେହି ଦୃଷ୍ଟିକୋଣରୁ ପ୍ରକାରାନ୍ତରେ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ଆଲୋକ ସମ୍ବନ୍ଧୀୟ ଅଗ୍ରଗତିରେ ବାଧା ସୃଷ୍ଟି କରିଥିଲେ ବୋଲି କହିବା ଅବାନ୍ତର ହେବନାହିଁ ।

 

ସେଦିନରୁ ତରଙ୍ଗବାଦଦ୍ୱାରା ଆଲୋକ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ବୈଜ୍ଞାନିକ ପ୍ରଣାଳୀରେ ବୁଝେଇବା ପାଇଁ ସମସ୍ତେ ମନନିବେଶ କଲେ । ଆଲୋକ ଯେ ତରଙ୍ଗମାଳାର ସମଷ୍ଟି–ବର୍ତ୍ତମାନ ଏହା ସନ୍ଦେହର ସୀମା ବାହାରେ । ଏହି ତରଙ୍ଗମାଳା ପ୍ରକୃତିର ବିରାଟ ଉଦ୍ୟାନକୁ ବିଭିନ୍ନ ରଙ୍ଗରେ ରଞ୍ଜିତ କରିଛି । ଇନ୍ଦ୍ରଧନୁର ବିଭିନ୍ନ ରଙ୍ଗ ଏହି ଆଲୋକ ତରଙ୍ଗମାଳାର ବିରାଟ ପରିବାରର ବିଭିନ୍ନ ତରଙ୍ଗର ରୂପ ମାତ୍ର । ମୋଟାମୋଟି ଭାବରେ କହିବାକୁ ଗଲେ, ଆଲୋକ ତରଙ୍ଗମାଳା ବିଦ୍ୟୁତ୍‌ ଚୁମ୍ବକଧର୍ମୀ । ଏହି ତରଙ୍ଗ ସେକେଣ୍ଡକୁ ଛୟାଅଶୀ ହଜାର ମାଇଲ ଗତି କରେ । ତରଙ୍ଗର ଦୈର୍ଘ୍ୟ ଯେତେ କମ୍, ତା’ର ଶକ୍ତି ସେତେ ବେଶି । ଆଲୋକ ତରଙ୍ଗମାଳାର ବିଭିନ୍ନ ରଙ୍ଗକୁ ‘ବାଘନିଶହନାଲା’ ବୋଲି କୁହାଯାଏ । ଏ ସବୁର ସମନ୍ୱୟ ହେଲେ ଆଲୋକ ଧଳା ଦିଶେ । ବାଇଗଣୀ ରଙ୍ଗର ଶକ୍ତି ସବୁଠୁ ବେଶି ଏବଂ ଏହାର ତରଙ୍ଗ ଦୈର୍ଘ୍ୟ ସବୁଠୁ କମ୍‌ । ଲାଲ୍ ରଙ୍ଗର ଶକ୍ତି ସବୁଠୁ କମ୍‌ ଏବଂ ତରଙ୍ଗ ଦୈର୍ଘ୍ୟ ସବୁଠୁ ବେଶି । ତେଣୁ ସାମାଜିକ ଜୀବନର ନାଲି ନେଳି ରଙ୍ଗ ବୈଜ୍ଞାନିକ ମାପକାଠିରେ କେବଳ ବିଭିନ୍ନ ତରଙ୍ଗ ଦୈର୍ଘ୍ୟ ।

 

ଗଛର ପତ୍ର ସବୁଜ ଦିଶେ, କାରଣ ଧଳା ଆଲୁଅ ପଡ଼ିଲେ ଗଛର ପତ୍ର ବାକି ସବୁ ରଙ୍ଗକୁ ଅବଶୋଷଣ କରି କେବଳ ସବୁଜ ରଙ୍ଗ ପ୍ରତିଫଳନ କରେ । ନାଲି, ନେଳି କିମ୍ବା ଅନ୍ୟକୌଣସି ରଙ୍ଗର ଆଲୁଅରେ ଦେଖିଲେ ଗଛର ପତ୍ର କଳା ଦିଶେ । ଏହିପରି ବିଚାର କଲେ କୌଣସି ବସ୍ତୁର ରଙ୍ଗ ବୋଲି କିଛି ନାହିଁ – ବିଭିନ୍ନ ବସ୍ତୁ କେତୋଟି ରଙ୍ଗ ଶୋଷଣ କରି ଅନ୍ୟ କେତେକ ରଙ୍ଗ ପ୍ରତିଫଳନ କରନ୍ତି ମାତ୍ର । ଯେଉଁ ବସ୍ତୁ ଯେଉଁ ରଙ୍ଗ ପ୍ରତିଫଳନ କରେ ତାହା ସେହି ରଙ୍ଗରେ ରଞ୍ଜିତ ବୋଲି ଜଣାଯାଏ । ସେହିପରି ବିଭିନ୍ନ ରଙ୍ଗର ସ୍ୱଚ୍ଛ ପଦାର୍ଥ ଦେଇ ଦେଖିଲେ ବିଭିନ୍ନ ବସ୍ତୁ ସ୍ୱଚ୍ଛ ପଦାର୍ଥର ରଙ୍ଗରେ ରଞ୍ଜିତ ପରି ଜଣାଯାଏ । ଗୋଟିଏ ନାଲି ରଙ୍ଗର କାଚ ଦେଇ ଦେଖିଲେ ସବୁ ଜିନିଷ ନାଲିଆ ଦିଶେ, କାରଣ ନାଲି କାଚ ନାଲି ରଙ୍ଗକୁ ସଞ୍ଚାରଣ କରି ଅନ୍ୟସବୁ ରଙ୍ଗକୁ ଅବଶୋଷଣ କରେ ।

 

ଆଲୋକ ତରଙ୍ଗମାଳା ବିଦ୍ୟୁତ୍‌ ଚୁମ୍ବକଧର୍ମୀ ତରଙ୍ଗମାଳାର ବିରାଟ ପରିସରର ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର । ବେତାର ତରଙ୍ଗ, ଉତ୍ତାପ ତରଙ୍ଗ, ରଞ୍ଜନ ରଶ୍ମି, ଗାମା ରଶ୍ମି ପ୍ରଭୃତି ସମସ୍ତେ ବିଦ୍ୟୁତ୍‌ ଚୁମ୍ବକଧର୍ମୀ । ଏହିସବୁ ତରଙ୍ଗମାଳାର ବିଭିନ୍ନ ଧର୍ମ ସଠିକ୍ ଭାବରେ ପରୀକ୍ଷା ଦ୍ୱାରା ନିରୂପଣ କରାଯାଇସାରିଛି ଏବଂ ବିଭିନ୍ନ ତରଙ୍ଗର ଉପାଦେୟତା ମଧ୍ୟ ଅନୁଭବ କରାହୋଇଛି ।

 

ଏସବୁ ଦୃଷ୍ଟିରୁ ତରଙ୍ଗବାଦ ଏକ ନିର୍ଭୁଲ ସିଦ୍ଧାନ୍ତ ବୋଲି ବିବେଚିତ ହେବାକୁ ଲାଗିଲା । ୧୮୮୮ ଖ୍ରୀଷ୍ଟାବ୍ଦରେ ହଲ୍‌ଓ୍ୟାଚସ୍‌ ନାମକ ଜଣେ ବିଜ୍ଞାନବିତ୍‌ ଏକ ନୂତନ ପ୍ରଭାବ ଆବିଷ୍କାର କଲେ । ଏହା ସାଧାରଣତଃ ଆଲୋକ ବିଦ୍ୟୁତ୍‌ ପ୍ରଭାବ (photoelectric effect) ନାମରେ ପରିଚିତ । କୌଣସି ଧାତୁ ପଟ୍ଟିକାରେ ଆଲୋକ ନିପତିତ ହେଲେ, ତାହା ଋଣାତ୍ମକ ବିଦ୍ୟୁତ୍‌ ଉତ୍‌ସର୍ଜନ କରେ । ଆଲୋକର ତରଙ୍ଗବାଦ ଏହି ପ୍ରଭାବକୁ ବୁଝେଇ ପାରିଲା ନାହିଁ । ତେଣୁ ବୈଜ୍ଞାନିକ ମାନଚିତ୍ରରେ ରେଣୁବାଦର ପୁନର୍ଜନ୍ମ ହେବାକୁ ଲାଗିଲା ।

 

୧୯୦୦ ଖ୍ରୀଷ୍ଟାବ୍ଦରେ ଆବିଷ୍କୃତ ହେଲା ‘ମାକ୍‌ସ ପ୍ଳାଙ୍କ’ଙ୍କର କ୍ୱାଣ୍ଟମ୍‌ ବାଦ । ଏହି ନୂତନ ବାଦ ଅନୁସାରେ ବିଭିନ୍ନ ବିକିରଣ ରଶ୍ମିର ଶକ୍ତି ଛୋଟ ଛୋଟ ଶକ୍ତିମୁଣି ହୋଇ ଉତ୍ସର୍ଜିତ ହୁଏ-। ଯେଉଁ ଶକ୍ତିମୁଣିର ଶକ୍ତି ବେଶି ତା’ର ସ୍ପନ୍ଦନ ହାର ସେତେ ବେଶି ଏବଂ ଫଳତଃ ତାହାର ତରଙ୍ଗ ଦୈର୍ଘ୍ୟ ସେତେ କମ୍‌ । ଏହି ଶକ୍ତିମୁଣି ସମୂହ ଆଲୋକର ବେଗର ସଞ୍ଚାଳିତ । କାଣ୍ଟମ୍‌ବାଦ ଏକ ନୂତନ ସିଦ୍ଧାନ୍ତ ସତ; କିନ୍ତୁ ଏହାକୁ ରେଣୁବାଦର ଆଧୁନିକ ରୂପ କହିଲେ ଅବାନ୍ତର ହେବନାହିଁ । ନ୍ୟୁଟ୍ରନଙ୍କ ମତରେ ବିଭିନ୍ନ କଣିକାର ଶକ୍ତି ଭିନ୍ନ ଭିନ୍ନ, ତେଣୁ ସେମାନେ ବିଭିନ୍ନ ରଙ୍ଗ ପ୍ରଦର୍ଶନ କରନ୍ତି । କ୍ୱାଣ୍ଟମ୍‍ବାଦରେ କଣିକା ପରିବର୍ତ୍ତେ ଶକ୍ତିମୁଣିର ବ୍ୟବହାର ହୋଇଛି । ତରଙ୍ଗବାଦକୁ ଛାଡ଼ିଦେଲେ ପୂର୍ବଆଲୋଚିତ ବିଭିନ୍ନ ଧର୍ମକୁ ବୁଝେଇ ହେବ ନାହିଁ ବୋଲି, କ୍ୱାଣ୍ଟମ୍‍ବାଦରେ ସ୍ପନ୍ଦନହାର ଓ ତରଙ୍ଗ ଦୈର୍ଘ୍ୟ ନିହିତ । ଅର୍ଥାତ୍‌ କ୍ୱାଣ୍ଟମ୍‌ବାଦ ଅନୁସାରେ ଶକ୍ତି ବିକିରଣ ଶକ୍ତିମୁଣି ସାହାଯ୍ୟରେ ହେଉଥିବାରୁ ତାକୁ ରେଣୁ ବୋଲି ଗଣନା କରିବା ସଙ୍ଗେ ସଙ୍ଗେ ଶକ୍ତିମୁଣିର ଶକ୍ତିମାତ୍ରା ଅନୁସାରେ ଏହାର ବିଭିନ୍ନ ସ୍ପନ୍ଦନହାର ଥିବାରୁ ତାକୁ ବିଭିନ୍ନ ଦୈର୍ଘ୍ୟର ତରଙ୍ଗ ବୋଲି ଗଣନା କରାଯାଇପାରେ ।

 

ଏହି ଦ୍ୱିଗୁଣସମ୍ପନ୍ନ ଆଲୋକବାଦକୁ ହୃଦୟଙ୍ଗମ କରିବା ପାଇଁ ବେଳେବେଳେ କଠିନ ଲାଗେ । ଗାଣିତିକ ଗଣନାରେ ଯଦିଓ ବୁଝିବା ବିଶେଷ କଷ୍ଟକର ନୁହେଁ, ତେବେ ନିଜର ମନକୁ ବୁଝେଇବା ଗୋଟିଏ କଷ୍ଟକର ବିଷୟ ହୋଇପଡ଼େ । ଆଲୋକ କେତେବେଳେ ରେଣୁ ଏବଂ କେତେବେଳେ ତରଙ୍ଗ ଭାବରେ ଗଣିତ ହୋଇ ବିଜ୍ଞାନ ଜଗତରେ ଏକ ବିରାଟ ପ୍ରଶ୍ନବାଚକ ଚିହ୍ନର ସୃଷ୍ଟି କରିଥିଲା ।

 

ମନରେ ପ୍ରଶ୍ନଉଠେ– ଯଦି ତରଙ୍ଗ ବେଳେବେଳେ କଣିକାପରି ବ୍ୟବହାର କରେ, କଣିକା କ’ଣ ତରଙ୍ଗ ପରି ବ୍ୟବହାର କରିପାରିବ ? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ କ୍ୱାଣ୍ଟମ୍‌ବାଦ ପରେ ପ୍ରାୟ ପଚିଶ ବର୍ଷ ଲାଗିଥିଲା । ଫରାସୀ ପଦାର୍ଥବିଜ୍ଞାନବିତ୍‌ ଡିବ୍ରରାଲି ଗତିଶୀଳ ଇଲେକ୍‌ଟ୍ରନ୍‌ର ତରଙ୍ଗ ଦୈର୍ଘ୍ୟ ଗଣନାକରି ପ୍ରମାଣ କରିଥିଲେ ଯେ ବସ୍ତୁ ମଧ୍ୟ ତା’ର ଗତିଶୀଳ ଅବସ୍ଥାରେ ତରଙ୍ଗ ପରି ବ୍ୟବହାର କରେ । ଏହି ସିଦ୍ଧାନ୍ତ ପାଇଁ ସେ ନୋବେଲ ପୁରସ୍କାର ପାଇଥିଲେ । ଡିବ୍ରଗ୍‌ଲିଙ୍କ ସିଦ୍ଧାନ୍ତକୁ ପରୀକ୍ଷା ଦ୍ୱାରା ପ୍ରମାଣିତ କରିଥିଲେ ଡେଭିଡ୍‌ସନ୍‌ ଓ ଜାର୍‌ମର । ସେମାନେ ଦ୍ରୁତଗାମୀ ଇଲେକ୍‌ଟ୍ରନ୍‌ର ଧାରନମକ ପ୍ରଦର୍ଶନ କରି ପ୍ରମାଣ କଲେ ଯେ ଦ୍ରୁତଗାମୀ ଇଲେକ୍‌ଟ୍ରନ୍‌କୁ ଅଳ୍ପ ଦୈର୍ଘ୍ୟ ବିଶିଷ୍ଟ ତରଙ୍ଗ ବୋଲି ଗଣନା କରାଯାଇପାରେ ।

 

ବସ୍ତୁର ତରଙ୍ଗ ଗୁଣ କେବଳ ବିଜ୍ଞାନ ଜଗତରେ ନୁହେଁ, ସାମାଜିକ ଜୀବନରେ ମଧ୍ୟ ବିଦିତ । ଇଲେକ୍‌ଟ୍ରନ୍‌ ଅଣୁବୀକ୍ଷଣ ଯନ୍ତ୍ରରେ ଇଲେକ୍‌ଟ୍ରନ୍‌ ତରଙ୍ଗ ବ୍ୟବହୃତ ହୋଇ ଅନେକ ପ୍ରାୟ ଅଦୃଶ୍ୟ ବସ୍ତୁ ବିଷୟରେ ଅନୁସନ୍ଧାନ କରାଯାଇ ପାରୁଛି । ଦ୍ରୁତଗାମୀ ଇଲେକ୍‌ଟ୍ରନ୍‌ ରଞ୍ଜନରଶ୍ମିଠାରୁ ମଧ୍ୟ କ୍ଷୁଦ୍ର ତରଙ୍ଗ ପ୍ରେରଣ କରେ । କ୍ଷୁଦ୍ରବସ୍ତୁର ଅନୁସନ୍ଧାନ ପାଇଁ ବେଳେବେଳେ ରଞ୍ଜନରଶ୍ମି ଉପଯୋଗୀ ହୋଇପାରେନା, କାରଣ ତାହା ଅତି ସହଜରେ ବସ୍ତୁ ଭିତର ଦେଇ ସଞ୍ଚାରିତ ହେଉଥିବାରୁ ତାହା ଯେଉଁ ବସ୍ତୁ ଭିତରେ ସଞ୍ଚାରିତ ହୋଇପାରେ, ତା’ର ଅନୁସନ୍ଧାନରେ କାର୍ଯ୍ୟକାରୀ ହୋଇପାରେନା । ଇଲେକ୍‌ଟ୍ରନ୍‌ ତରଙ୍ଗମାନଙ୍କର କିନ୍ତୁ ଏ ଅସୁବିଧା ନ ଥିବାରୁ ଏହି କ୍ଷେତ୍ରରେ ଏହାର ଉପାଦେୟତା ବହୁତ ବେଶି । ଇଲେକ୍‌ଟ୍ରନ୍‌ ଅଣୁବୀକ୍ଷଣ ଯନ୍ତ୍ରରେ ସାଧାରଣ ଯବକାଚ ବ୍ୟବହୃତ ନ ହୋଇ ଚୁମ୍ବକ କିମ୍ବା ବିଦ୍ୟୁତ୍‌ କ୍ଷେତ୍ର ବ୍ୟବହୃତ ହୁଏ ।

 

ଏହିପରି ଦେଖିବାକୁ ଗଲେ ଯେକୌଣସି ତରଙ୍ଗର ଭର ଅଛି ଏବଂ ଏହା ପରୀକ୍ଷା ଦ୍ଵାରା ଗଣନା କରାଯାଇପାରେ । ପ୍ରତ୍ୟେକ ଗତିଶୀଳ ବସ୍ତୁ ମଧ୍ୟ ତରଙ୍ଗ ପରି ବ୍ୟବହାର କରନ୍ତି । ସାଧାରଣ ବିଚାର ଦୃଷ୍ଟିରେ ରେଣୁ ଓ ତରଙ୍ଗ ବସ୍ତୁତଃ ଭିନ୍ନ ହୋଇଥିଲେ ମଧ୍ୟ ସୂକ୍ଷ୍ମ ବିଚାର ଦୃଷ୍ଟିରୁ ସେମାନଙ୍କର ସମ୍ପର୍କ ଘନିଷ୍ଠ–ସେମାନେ ପୃଥକ୍ ହୋଇଥିଲେ ମଧ୍ୟ ସେମାନେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ–ଯେଉଁ ମୁଦ୍ରା ଚକାଚକା ଭଉଁରୀ ଖେଳୁଛି ଏବଂ ରେଣୁ ଓ ତରଙ୍ଗ ନିଜନିଜର ପାର୍ଶ୍ୱ ପରିବର୍ତ୍ତନ କରୁଛନ୍ତି ।

 

ତେଣୁ ଯେ ରେଣୁ, ସେ ତରଙ୍ଗ ନ ହେଲେ ବି ତା’ର ତରଙ୍ଗତ୍ୱ ଅଛି ଏବଂ ଯେ ତରଙ୍ଗ ସେ ରେଣୁ ନ ହେଲେ ବି ତା’ର ରେଣୁତ୍ୱ ଅଛି ।

Image

 

ଏଲକେମିଷ୍ଟର ସ୍ୱପ୍ନ

 

(ଗୋଡ଼ି ପଥରକୁ ସୁନା ରୁପା କରିବାର ବାସନା ଅନେକ ଦିନରୁ ମଣିଷକୁ ଗବେଷଣାରତ କରିଛି । ପ୍ରାୟ ଦୁଇ ହଜାର ବର୍ଷ ତଳେ ଏଲ୍‌କେମିଷ୍ଟ ଏହି ସ୍ୱପ୍ନରେ ବିଭୋର ହୋଇ ଅନେକ ରାସାୟନିକ ପରୀକ୍ଷା ନିରୀକ୍ଷା କରିଛି । ଧାତୁ ରୂପାନ୍ତର ପ୍ରଥମ କରି ପ୍ରତିପାଦନ କଲେ ବିଖ୍ୟାତ ବିଜ୍ଞାନବିତ୍‌ ରୁଦରଫୋର୍ଡ ୧୯୧୯ରେ । ଏହା ସାଧାରଣ ରାସାୟନିକ ପ୍ରକ୍ରିୟାରେ ସଂଘଟିତ ନ ହୋଇ ହୋଇଥାଏ ନାଭିକୀୟ ପ୍ରକ୍ରିୟାରେ । ସେ ସମ୍ବନ୍ଧରେ ଏକ ସମ୍ୟକ୍‌ ଆଲୋଚନା କରାଯାଇଛି ଏହି ପ୍ରବନ୍ଧରେ ।)

 

ଆଧୁନିକ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ମଣିଷ ସ୍ୱପ୍ନ ଦେଖିବା ସ୍ୱାଭାବିକ । ସ୍ୱପ୍ନ ସତ୍ୟ ହେଉ ବା ଅସତ୍ୟ ହେଉ, ଅନେକ ସମୟରେ ସ୍ୱପ୍ନ ଦେଖିବାକୁ ଭଲଲାଗେ । ସ୍ୱପ୍ନ ଓ ସତ୍ୟର ପାର୍ଥକ୍ୟ ବିଷୟରେ ପୁରାତନ ଏବଂ ଆଧୁନିକ ଅନେକ ମୁନି ଓ ଋଷି, କବି ଓ ଲେଖକ କହିଯାଇଛନ୍ତି ଏବଂ ଲେଖିଯାଇଛନ୍ତି । ପ୍ରାୟ ଦୁଇ ହଜାର ବର୍ଷ ତଳେ ଏଲ୍‌କେମିଷ୍ଟ ବି ସ୍ୱପ୍ନ ଦେଖିଥିଲେ । ସେ ସ୍ୱପ୍ନ ସାଧାରଣ ସ୍ୱପ୍ନ ନୁହେଁ–ଏକ ଯୁଗ ପ୍ରବର୍ତ୍ତକ ସ୍ୱପ୍ନ । ସ୍ୱପ୍ନରେ ମଜ୍ଜିଯାଇ ସେ ଏକ ବିରାଟ ବିଜ୍ଞାନର ଅୟମାରମ୍ଭ କରିଥିଲା । ଗୋଡ଼ି ମାଟି ପରି ଇତର ଦ୍ରବ୍ୟକୁ ସୁନା ରୁପା ପରି ସମ୍ଭ୍ରାନ୍ତଶ୍ରେଣୀୟ ଦ୍ରବ୍ୟରେ ପରିଣତ କରିବାର ସ୍ୱପ୍ନ ତଳେ ମିଜାସ୍‌ର ମେଜିକ ସ୍ପର୍ଶ ନ ଥିଲା । ସେ ସ୍ୱପ୍ନକୁ ସତ୍ୟର ରୂପରେଖ ଦେବାପାଇଁ ଏଲ୍‌କେମିଷ୍ଟ କରିଥିଲେ ସାଧନା । ତା’ର ସାଧନା ଓ ପରିଶ୍ରମ ତା’ର ସ୍ୱପ୍ନକୁ ସତ୍ୟରେ ପରିଣତ କରିପାରିଲାନାହିଁ ସତ, କିନ୍ତୁ ତା’ର ପରିବର୍ତ୍ତନରେ ତିଆରି କଲା ଆଧୁନିକ ରସାୟନ ବିଜ୍ଞାନର ମୂଳଦୁଆ । ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରି, ନିଜର ସମସ୍ତ ବୁଦ୍ଧିର ପ୍ରୟୋଗ କରି, ଗୋଟିକ ପରେ ଗୋଟିଏ ଏଲ୍‌କେମିଷ୍ଟ ପରାସ୍ତ ମାନିଲେ ଗୋଡ଼ିମାଟି ଆଉ ସୁନା ହୋଇପାରିଲା ନାହିଁ । ତଥାପି ଏହି ପରିଶ୍ରମ ତଳେ ଗଢ଼ିଉଠିଲା ରସାୟନ ବିଜ୍ଞାନ-ଆଜି ଯାହା ମଣିଷ ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ ।

 

ଏଲ୍‌କେମିଷ୍ଟର ସ୍ୱପ୍ନ ଆଜି ସତ୍ୟ ହୋଇଛି । ପଦାର୍ଥ ବିଜ୍ଞାନ ଗବେଷଣାଗାରରେ ଆଜି ମୌଳିକ ବସ୍ତୁର ରୂପ ପରିବର୍ତ୍ତନ କରାଯାଇ ପାରୁଛି । ତେଣୁ ଏଲ୍‌କେମିଷ୍ଟର ସ୍ୱପ୍ନ ସାଧାରଣ ସ୍ୱପ୍ନ ନୁହେଁ । ଦୀର୍ଘ ଊଣେଇଶ ଶହ ବର୍ଷ ପରେ ତା’ର ସ୍ୱପ୍ନ ସତ୍ୟ ହୋଇଛି ଯୁଗସ୍ରଷ୍ଟା ରୁଦରଫୋର୍ଡଙ୍କ ଗବେଷଣାଗାରରେ । ସେହି ସ୍ୱପ୍ନର ସାଧନାରେ ଅନେକ ପରିବର୍ତ୍ତନ ଆସିଛି । ବସ୍ତୁ ରୂପାନ୍ତର ପଦ୍ଧତି ଆଜି ନିରାଟ ବାସ୍ତବରେ ପରିଣତ ହୋଇଛି ।

 

ନୀଚଶ୍ରେଣୀୟ ଧାତୁକୁ ସୁନା-ରୁପା ଭଳିଆ ସମ୍ଭ୍ରାନ୍ତ ଶ୍ରେଣୀୟ ଧାତୁରେ ପରିଣତ କରିବାର ଶୈଳୀକୁ ଏଲ୍‌କେମି (alchemy) କୁହାଯାଏ । କିନ୍ତୁ ଉପରୋକ୍ତ ପରିଚୟ ଏଲ୍‌କେମିର ଏକ ସ୍ଥୂଳ ବିଶ୍ଳେଷଣ । ପ୍ରକୃତରେ ଦେଖିବାକୁ ଗଲେ ମଧ୍ୟଯୁଗ ରସାୟନ ବିଜ୍ଞାନ ଏଲ୍‌କେମିର ଅନ୍ତର୍ଭୁକ୍ତ । ସେଥିପାଇଁ ଧାରାବାହିକ ରସାୟନ ଶାସ୍ତ୍ରର କ୍ରମବିକାଶର ପ୍ରଥମ ସୋପାନ ହେଲା ଏଲ୍‌କେମି । ଲାଇବିଗ୍‌ଙ୍କ ଭାଷାରେ ଏଲ୍‌କେମି ରସାୟନ ଶାସ୍ତ୍ରଠାରୁ କେବେ ଭିନ୍ନ ନଥିଲା ।

 

ଏଲକେମି ଶବ୍ଦର ଆରମ୍ଭ ଆରବୀୟ ଭାଷାରୁ ହୋଇଥିବାର ଅନୁମାନ କରାଯାଏ । କାରଣ ‘‘ଏଲ’’ ଏକ ଆରବୀୟ ଶବ୍ଦ । ଅନେକଙ୍କ ଧାରଣା ଯେ ‘କେମି’ର ଉତ୍ପତ୍ତି ଗ୍ରୀସ୍ ଦେଶରେ ହୋଇଥିଲା । ଆଉ କେତେକଙ୍କ ଧାରଣା ଅନୁସାରେ ଏଲକେମିର ଅର୍ଥ ହେଉଛି ମିଶର ଦେଶର କଳା କିମ୍ବା କୃଷ୍ଣ ଦେଶର କଳା । ବିଭିନ୍ନ ଦେଶର ଲିଖିତ ଗ୍ରନ୍ଥର ତୁଳନାତ୍ମକ ପଠନରେ ଜଣାଯାଇଛି ଯେ ଧାତୁ ରୂପାନ୍ତର ପଦ୍ଧତି ପ୍ରଥମେ ଆଲେକଜାଣ୍ଡ୍ରିୟ ଗ୍ରୀକ୍‌ମାନଙ୍କ ମଧ୍ୟରେ ଦେଖାଯାଇଥିଲା । ତା’ପରେ ଏହା ଆରବକୁ ଆସିଲା ଏବଂ ପରିଶେଷରେ ଆସିଲା ପଶ୍ଚିମ ୟୁରୋପୀୟ ରାଜ୍ୟମାନଙ୍କୁ ।

 

ଏଲକେମି (ଧାତୁ ରୂପାନ୍ତର ପଦ୍ଧତି)ର ଉତ୍ପତ୍ତି ସମ୍ବନ୍ଧରେ ଅନେକ ମନୋରଞ୍ଜକ ଗଳ୍ପ ଅଛି । କଳା ଓ ବିଜ୍ଞାନର ସୃଷ୍ଟିକର୍ତ୍ତା ମିଶରୀୟ ଦେବତା ହେରମସ (Hermes) ଏହି ବିଦ୍ୟାର ପିତା ବୋଲି ଅନେକେ ଭାବନ୍ତି । ଆଉ କେତେକ ଭାବନ୍ତି ଯେ, ଅଭିଶପ୍ତ, ଗିନ୍ଧର୍ବମାନେ ପୃଥିବୀରେ ଅବତୀର୍ଣ୍ଣ ହୋଇ ପୃଥିବୀର ସୁନ୍ଦରୀମାନଙ୍କୁ ବିବାହ କରି ଏହି ବିଦ୍ୟା ଶିକ୍ଷା ଦେଇଥିଲେ । ଆଉ ଏକ ଗଳ୍ପରେ କୁହାଯାଇଛି ଯେ କେତେକ ଖଳ ଏବଂ ଦୁଷ୍ଟ ପ୍ରକୃତିର ଗନ୍ଧର୍ବ ପୃଥିବୀର ଲୋକଙ୍କୁ ସୁବର୍ଣ୍ଣ ରୌପ୍ୟ ତଥା ମଣିମୁକ୍ତା ବିଷୟରେ ଶିଖେଇଥିଲେ ଏବଂ ମ୍ୟାଜିକ ବିଦ୍ୟା ଶିକ୍ଷା ଦେଇଥିଲେ-। ଦେଖିବାକୁ ଗଲେ ଆଧୁନିକ ରଙ୍ଗବେରଙ୍ଗ ରସାୟନ ଶାସ୍ତ୍ର ମେଜିକ ନୁହେଁକି ? ଆରବୀୟ ଗଳ୍ପ ଅନୁସାରେ ଭଗବାନ ମୋଜେସ (Moses) ଏବଂ ଆରନ୍‌ (Aron) ଏଲକେମି ବିଦ୍ୟା ଶିଖେଇଥିଲେ । ବେରଥେଲଟ (Berthelot) କହନ୍ତି ଯେ, ଧାତୁ ରୂପାନ୍ତର ବିଦ୍ୟା କେବଳ ପୁରୋହିତ ଶ୍ରେଣୀୟ ଏବଂ ଊଚ୍ଚବଂଶଜ ଲୋକଙ୍କ ଏକଚାଟିଆ ଅଧିକାର ଥିଲା । ଯଦିଓ ସେମାନେ ଅନ୍ୟ ଇତର ଜାତୀୟ ଧାତୁକୁ ସୁନା ଏବଂ ରୁପା ପରି ସମ୍ଭ୍ରାନ୍ତଜାତୀୟ ପଦାର୍ଥରୂପରେ ପରିବର୍ତ୍ତନ କରିଥିବାର କୌଣସି ପ୍ରମାଣ ନାହିଁ, ତଥାପି ସେମାନେ ନିଜର ମିଥ୍ୟା ସଫଳତାର ପ୍ରଚାର କରିଥିଲେ । ପୁରାକାଳର ଦାର୍ଶନିକମାନଙ୍କ ମତରେ ସବୁ ବସ୍ତୁର ଗୋଟିଏ ମୂଳ ଉପାଦାନ (prima material) ଅଛି । ଏରିଷ୍ଟୋଟଲୀୟ ମାଟି, ପବନ, ନିଆଁ ଓ ପାଣିର ସଂଯୋଗରେ ବିଭିନ୍ନ ବସ୍ତୁ ବିଭିନ୍ନ ରୂପ ପରିବର୍ତ୍ତନ କରିଥାନ୍ତି ।

 

ଏହି ମୂଳ ଉପାଦାନକୁ ପାରଦ ବୋଲି କୁହାଯାଉଥିଲା । ଏହା ସାଧାରଣ ପାରଦ ନୁହେଁ–ଦାର୍ଶନିକର ପାରଦ (Mercury of the philosophers) କିମ୍ବା ପାରଦର ଆତ୍ମା (soul of mercury) । ସାଧାରଣ ପାରଦର ମାଟି କିମ୍ବା ପାର୍ଥିବତ୍ୱ, ପାଣି କିମ୍ବା ତରଳତ୍ୱ ଏବଂ ପବନ କିମ୍ବା ବାଷ୍ପତ୍ୱକୁ ନିଷ୍କାସନ କରି ମୂଳ ଉପାଦାନ ତିଆରି ହୋଇପାରିବ ବୋଲି କୁହାଯାଉଥିଲା । ଏହି ମୂଳ ଉପାଦାନକୁ ମୂଳଦୂଆ କରି ଏଲକେମିଷ୍ଟ ତା’ର ସ୍ୱପ୍ନକୁ ସତ୍ୟରେ ପରିଣତ କରିବାକୁ ଲାଗିଲା । ମୂଳ ଉପାଦାନ ସହିତ ଗନ୍ଧକର ସମନ୍ୱୟରେ ସୁନା ଓ ରୁପା ପାଇବାପାଇଁ ସେ ଚେଷ୍ଟିତ ହୋଇପଡ଼ିଲା । ଏହା ସାଧାରଣ ଗନ୍ଧକ ନୁହେଁ–ଗନ୍ଧକରୁ ଜାତ ଦାର୍ଶନିକର ପ୍ରସ୍ତର (Philosopher’s stone) । ଧଳା ବର୍ଣ୍ଣ ବ୍ୟବହାର କରି ରୁପା ଏବଂ ହଳଦିଆ କିମ୍ବା ଲାଲ୍ ବର୍ଣ୍ଣ ବ୍ୟବହାର କରି ରୁପା ଏବଂ ହଳଦିଆ କିମ୍ବା ଲାଲ୍ ବର୍ଣ୍ଣ ବ୍ୟବହାର କରି ସୁନା ତିଆରି କରିବାରେ ଏଲ୍‌କେମିଷ୍ଟ ମନୋନିବେଶ କଲା ।

 

ଧୀରେ ଧୀରେ ଏଲ୍‌କେମିଷ୍ଟଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଲା । ଷୋଡ଼ଶ ଶତାବ୍ଦୀରେ ପାରସେଲ୍‌ସସ (Paracelsus) କହିଲେ ଯେ, ଏଲ୍‌କେମିର ନୂତନ ଦିଗ ହେଉଛି ଔଷଧ ତିଆରି କରିବା । ହେଲମଣ୍ଟ ଏଲ୍‌କେମିଷ୍ଟ ଶ୍ରେଣୀର ଶେଷ ବିଜ୍ଞାନବିତ୍‌ । ସପ୍ତଦଶ ଶତାବ୍ଦୀରେ ସେ ଦାବି କରିଥିଲେ ଯେ ସେ ପାରଦକୁ ସୁନାରେ ପରିଣତ କରିଛନ୍ତି । ତାଙ୍କ ପୂର୍ବରୁ ମଧ୍ୟ ଅନେକ ବିଜ୍ଞାନବିତ୍‌ ସଫଳତା ଲାଭ କରିଛନ୍ତି ବୋଲି ପ୍ରଚାର କରିଥିଲେ । ପଦାର୍ଥବିଜ୍ଞାନ ଏବଂ ରସାୟନ ବିଜ୍ଞାନର ସହଯୋଗରେ ଜଣାପଡ଼ିଲା ଯେ ଏଲ୍‌କେମିଷ୍ଟର ସୁନା ତିଆରି ଉପାୟ ବିଜ୍ଞାନ ଅନୁମୋଦିତ ନୁହେଁ । ନ୍ୟୁଟ୍ରନ୍‌, ଲିବ୍‌ନିଜ୍‌ ପ୍ରଭୃତି ବିଖ୍ୟାତ ବିଜ୍ଞାନବିତ୍‌ମାନେ ମଧ୍ୟ ଧାତୁ ରୂପାନ୍ତର ବିଦ୍ୟା ଉପରେ ଆସ୍ଥା ରଖିଥିଲେ । ସେ ଆସ୍ଥା ବିଂଶଶତାବ୍ଦୀରେ ପୂରଣ ହେଲା । ଧାତୁରୂପାନ୍ତର ପ୍ରଣାଳୀ ସମ୍ବନ୍ଧରେ ଜାଣିବା ପୂର୍ବରୁ ଧାତୁରୂପାନ୍ତର ସ୍ୱପ୍ନର ସଫଳତା ପଛରେ ଯେଉଁ ବୈଜ୍ଞାନିକ କ୍ରମବିକାଶ ନିହିତ ରହିଛି ସେ ବିଷୟରେ ପ୍ରଥମେ ସଂକ୍ଷିପ୍ତ ଭାବରେ ଜାଣିବା ଉଚିତ୍‌ ବୋଲି ମନେହୁଏ ।

 

ବହୁ ପୁରାକାଳରୁ ପରମାଣୁ ଉପରେ ଆଲୋକପାତ କରିବାର ପ୍ରଚେଷ୍ଟା ଥିଲେ ସୁଦ୍ଧା ପରମାଣୁର ରୂପ ନିଧାର୍ଯ୍ୟ କରିବାପାଇଁ ଅନେକ ଦିନ ଲାଗିଲା । ଡାଲ୍‌ଟନ୍‌ଙ୍କ ପାରମାଣବିକ ମତବାଦ ଏବଂ ନିଲସ୍‌ ବୋରଙ୍କ ପାରମାଣବିକ ନମୁନା ମଧ୍ୟରେ ପାରମାଣବିକ ବିଜ୍ଞାନ ଅନେକ ପରୀକ୍ଷାର ସମ୍ମୁଖୀନ ହୋଇଛି । ପଦାର୍ଥବିଜ୍ଞାନବିତ୍‌ ନିଲସ୍‌ବୋରଙ୍କ ଅନୁସାରେ ମଧ୍ୟବର୍ତ୍ତୀ ନାଭିକ ଏବଂ ତା’ର ଚାରିପଟରେ ଚକାଚକା ଭଉଁରୀ ଖେଳୁଥିବା ଇଲେକ୍‌ଟ୍ରନ୍‌ରୁ ନେଇ ପରମାଣୁର ଗଠନ-। ଧାତୁ ରୂପାନ୍ତର ବିଷୟରେ ଜାଣିବାକୁ ହେଲେ ଏହି କ୍ଷୁଦ୍ରାତିତମ ନାଭିକ ବିଷୟରେ ଜାଣିବା ଉଚିତ । ନାଭିକ ବିଷୟରେ ଅନେକ ଗବେଷଣା ପରେ ସ୍ଥିର ହେଲା ଯେ ଏହା ଅତି ଜଟିଳ । ଏହି ଜଟିଳତାର ସଂପୂର୍ଣ୍ଣ ସମାଧାନ ହୋଇନି । ମୂଳତଃ ନାଭିକ ପ୍ରୋଟନ୍‌ ଏବଂ ନ୍ୟୁଟ୍ରନ୍‌ ଦ୍ୱାରା ଗଠିତ । ପ୍ରୋଟନ୍‌ ଧନଆବେଶଧାରୀ ଏବଂ ନ୍ୟୁଟ୍ରନ୍‌ ଆବେଶହୀନ । ଦୁହିଁଙ୍କ ଓଜନ ପ୍ରାୟ ସମାନ । ଗୋଟିଏ ମୌଳିକ ବସ୍ତୁର ପ୍ରୋଟନ୍‌ ସଂଖ୍ୟା ନିର୍ଦ୍ଦିଷ୍ଟ । ନାଭିକ ମଧ୍ୟସ୍ଥିତ ପ୍ରୋଟନ୍‌ର ସଂଖ୍ୟାକୁ ପାରମାଣବିକ ସଂଖ୍ୟା (atomic number) କୁହାଯାଏ । ଉଦାହରଣ ସ୍ୱରୂପ–ସ୍ଥାୟୀ ଯବକ୍ଷାରଜାନର ପାରମାଣବିକ ସଂଖ୍ୟା ୭ ଏବଂ ପାରମାଣବିକ ଓଜନ ୧୪ । ଅର୍ଥାତ୍‌ ଯବକ୍ଷାରଜାନର ନାଭିକରେ ସାତୋଟି ପ୍ରୋଟନ୍‌ ଓ ସାତୋଟି ନ୍ୟୁଟ୍ରନ୍‌ ଅବସ୍ଥିତ । ସେହିପରି ହିଲିୟମର ପାରମାଣବିକ ସଂଖ୍ୟା ୨, ଅର୍ଥାତ୍‌ ଦୁଇଟି ପ୍ରୋଟନ୍‌ ଏବଂ ପାରମାଣିବିକ ଓଜନ ୪ ଅର୍ଥାତ୍‌ ପ୍ରୋଟନ ଓ ନ୍ୟୁଟ୍ରନ୍‌ର ସଂଖ୍ୟା ଚାରି । ସମାନ ପାରମାଣବିକ ସଂଖ୍ୟା ଏବଂ ବିଭିନ୍ନ ପାରମାଣବିକ ଓଜନ ବିଶିଷ୍ଟ ବସ୍ତୁମାନଙ୍କୁ ସମସ୍ଥାନୀ (Isotope) କୁହାଯାଏ । କାରଣ ବିଭିନ୍ନ ଓଜନ ବିଶିଷ୍ଟ ହେଲେ ମଧ୍ୟ ସେମାନେ ଗୋଟିଏ ମୌଳିକ ବସ୍ତୁ ଏବଂ ସେମାନଙ୍କ ରାସାୟନିକ ଗୁଣ ସମାନ । ତେଣୁ ଆବର୍ତ୍ତ ସାରଣୀ (Periodic table)ରେ ସେମାନଙ୍କୁ ଗୋଟିଏ ସ୍ଥାନରେ ରଖାହୋଇଛି ।

 

ଉପର୍ଯ୍ୟୁକ୍ତ ଜ୍ଞାନ ହାସଲ ପରେ ଆମେ ଏତିକି ଜାଣିପାରୁ ଯେ ଗୋଟିଏ ବସ୍ତୁକୁ ଆଉ ଗୋଟିଏ ବସ୍ତୁରେ ପରିଣତ କରିବାକୁ ହେଲେ ତା’ର ନାଭିକରେ ଥିବା ପ୍ରୋଟନ୍‌ର ସଂଖ୍ୟାରେ ପରିବର୍ତ୍ତନ ଆଣିବାକୁ ହେବ । ଏ ହେଲା ଆଧୁନିକ ବସ୍ତୁ ରୂପାନ୍ତର ପଦ୍ଧତିର ମୂଳମନ୍ତ୍ର । ଏହି ପରିବର୍ତ୍ତନ ଆଣିବା ଅତି ସହଜ ନୁହେଁ । କାରଣ ନାଭିକର କଣିକାଗୁଡ଼ିକ ଶକ୍ତ ଭାବରେ ଆବଦ୍ଧ । ହାରାହାରି ଭାବରେ ଗୋଟିଏ ପ୍ରୋଟନ କିମ୍ବା ନ୍ୟୁଟ୍ରନ୍‌ର ଆବଦ୍ଧ ଶକ୍ତି (binding energy) ପ୍ରାୟ ୮୦ଲକ୍ଷ ଇଲେକଟ୍ରନ୍ ଭୋଲ୍‍ଟ । ତଥାପି ନାଭିକର ବ୍ୟୁହ ଭେଦ କରିବା ଅସମ୍ଭବ ନୁହେଁ, କାରଣ ତେଜସ୍କ୍ରିୟ ବସ୍ତୁରୁ ଉଦ୍‌ଗାରିତ ଆଲଫା କଣିକାର ଶକ୍ତି ବେଶି–ତେଣୁ ଏହାକୁ ଅସ୍ତ୍ରରୂପେ ବ୍ୟବହାର କରି କୌଣସି ପଦାର୍ଥର ନାଭିକର ପରିବର୍ତ୍ତନ କରିବା ସମ୍ଭବପର ।

 

ଦେଖିବାକୁ ଗଲେ ପ୍ରାକୃତିକ ତେଜସ୍କ୍ରିୟତା (natural radioactivity) ବସ୍ତୁ ରୂପାନ୍ତର ପଦ୍ଧତିର ପର୍ଯ୍ୟାୟଭୁକ୍ତ । କାରଣ ରେଡ଼ିୟମ, ୟୁରାନିୟମ ପ୍ରଭୃତି ତେଜସ୍କ୍ରିୟ ମୌଳିକ ପଦାର୍ଥ ଆପେ ଆପେ ରୂପାନ୍ତରିତ ହୋଇ ସୀସାରେ ପରିଣତ ହୁଅନ୍ତୁ । କିନ୍ତୁ କୃତ୍ରିମ ଉପାୟରେ ବସ୍ତୁର ରୂପାନ୍ତର ପଛରେ ଯେଉଁ ଆନନ୍ଦ ଓ ଉତ୍ସାହ ଥିଲା ତାହା ପ୍ରଥମେ ପ୍ରତିପାଦନ କଲେ ରୁଦରଫୋର୍ଡ ୧୯୧୯ରେ । ରେଡ଼ିୟମରୁ ନିଃସୃତ ଆଲଫା କଣିକାର ଆଧାରରେ ଯବକ୍ଷାରଜାନକୁ ଅମ୍ଲଜାନରେ ପରିଣତ କରି ସେ ଏଲକେମିଷ୍ଟର ସ୍ୱପ୍ନକୁ ସତ୍ୟ କଲେ । ଯବକ୍ଷାରଜାନ ୧୪(୭ଟା ପ୍ରୋଟନ ଓ ୭ଟା ନ୍ୟୁଟ୍ରନ) ଏବଂ ଆଲଫା କଣିକା (ଦୁଇଟା ପ୍ରୋଟନ୍‌ ଓ ଦୁଇଟା ନ୍ୟୁଟ୍ରନ୍‌)ର ମିଶ୍ରଣ ଫଳରେ ଅମ୍ଳଜାନ ୧୭ (ଆଠଟା ପ୍ରୋଟନ୍‌ ଓ ନଅଟା ନ୍ୟୁଟ୍ରନ) ଏବଂ ଉଦ୍‌ଜାନ (ଗୋଟିଏ ପ୍ରୋଟନ୍‌)ର ସୃଷ୍ଟି ହେଲା । ଏହି ପ୍ରତିକ୍ରିୟା ସାଧାରଣ ରାସାୟନିକ ପ୍ରତିକ୍ରିୟା ଅପେକ୍ଷା ଭିନ୍ନ । ନାଭିକୀୟ କଣିକାମାନେ ଭାଗ ନେଉଥିବାରୁ ଏହାକୁ ନାଭିକୀୟ ପ୍ରତିକ୍ରିୟା କୁହାଯାଏ ।

 

ଏହା ପରେ ବିଭିନ୍ନ ମୌଳିକ ପଦାର୍ଥକୁ ଆଲଫା କଣିକା, ପ୍ରୋଟନ୍‌ ଏବଂ ନ୍ୟୁଟ୍ରନ୍‌ ସାହାଯ୍ୟରେ ରୂପାନ୍ତରିତ କରିବାର ପନ୍ଥା ସୁଗମ ହୋଇଗଲା । ଏହି ରୂପାନ୍ତର ପଦ୍ଧତିରେ ନୀଚଶ୍ରେଣୀର ବସ୍ତୁକୁ ସମ୍ଭ୍ରାନ୍ତ ଶ୍ରେଣୀକୁ ଉନ୍ନତ କରାହୋଇ ଏଲକେମିଷ୍ଟର ସ୍ୱପ୍ନକୁ କେବଳ ସତ୍ୟରେ ପରିଣତ କରାହୋଇନାହିଁ, ଏହା ସାହାଯ୍ୟରେ ଦୁନିଆର ଅତୁଳନୀୟ ଉପକାର କରାଯାଇପାରୁଛି । ପାରମାଣବିକ ପୁଞ୍ଜ (atomic pile)ରେ ବିଭିନ୍ନ ବସ୍ତୁର ରୂପାନ୍ତରରେ ତେଜସ୍କ୍ରିୟ ସମସ୍ଥାନୀ ତିଆରି କରାଯାଇ ଗବେଷଣାଗାର ତଥା ସାମାଜିକ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯାଇପାରୁଛି । କୃଷିକ୍ଷେତ୍ରରେ, ଶିଳ୍ପକ୍ଷେତ୍ରରେ ଏବଂ ସର୍ବୋପରି ଚିକିତ୍ସା କ୍ଷେତ୍ରରେ ଏହି ରୂପାନ୍ତରିତ ପଦ୍ଧତିରେ ତିଆରି ହେଉଥିବା ତେଜସ୍କ୍ରିୟ ମୌଳିକ ପଦାର୍ଥ ସୁନା କାହିଁକି, ହୀରାଠୁଁ ମଧ୍ୟ ମୂଲ୍ୟବାନ୍ । ଜନହିତକର କାର୍ଯ୍ୟରେ ବ୍ୟବହୃତ ଏହି ରୂପାନ୍ତରିତ ବସ୍ତୁ ସମୂହ ସମକ୍ଷରେ ପୃଥିବୀର ସମସ୍ତ ରତ୍ନଭଣ୍ଡାର ମଧ୍ୟ ନିସ୍ତେଜ ହୋଇପଡ଼ିବ । ଏ ଦିଗରେ ଗବେଷଣା ଏବେବି ଚାଲିଛି । ଏଲ୍‌କେମିଷ୍ଟର ସ୍ୱପ୍ନ ପରୋକ୍ଷରେ ମାନବ ସମାଜର ମଙ୍ଗଳ କରିଛି ।

Image

 

ରକେଟ୍‌-ବିଜ୍ଞାନ ଓ ସମରସଜ୍ଜା

 

(ରକେଟ୍‌-ବିଜ୍ଞାନର ସଫଳତା ସଙ୍ଗେ ସଙ୍ଗେ ଅନେକ ନୂତନ ଧରଣର ଯୁଦ୍ଧ ସାମଗ୍ରୀର ଉଦ୍ଭବ ହୋଇଛି । ଆଉ ସେହି ବିଜ୍ଞାନର ଚରମ ସୀମାରେ ପହଞ୍ଚି ମଣିଷ ଯେତେବେଳେ ପୃଥିବୀର ଚାରିପଟରେ ବୁଲିପାରୁଛି, ଚନ୍ଦ୍ରକୁ ରକେଟ୍‌ ପ୍ରେରଣ କରିପାରୁଛି, ସୂର୍ଯ୍ୟର ଚାରିପଟରେ କୃତ୍ରିମ ଗ୍ରହର ସୃଷ୍ଟି କରିପାରୁଛି ଏବଂ ସର୍ବୋପରି ମଙ୍ଗଳ ଗ୍ରହ ଅଭିମୁଖରେ ଯାତ୍ରା କରିବା ପାଇଁ ସଜ୍ଜିତ ହେଉଛି, ସେତେବେଳେ ବିଭିନ୍ନ ରାଜନୈତିକ ମହଲରେ କୃତ୍ରିମ ଉପଗ୍ରହର ସାମରିକ ଉପାଦେୟତା ସମ୍ବନ୍ଧରେ ଚର୍ଚ୍ଚା ମଧ୍ୟ ଚାଲିଛି । ମଙ୍ଗଳ ଗ୍ରହରେ ଉପନିବେଶ ସ୍ଥାପନ କରିବାର ଲାଳସା ଯଦି ବିଭିନ୍ନ ଗୋଷ୍ଠୀରେ ବଳବତ୍ତର ହୋଇଉଠେ କିମ୍ବା କୃତ୍ରିମ ଉପଗ୍ରହର ସଫଳତା ପ୍ରତିଯୋଗିତା ପରିବର୍ତ୍ତେ ପ୍ରତିଦ୍ୱନ୍ଦ୍ୱିତାର ସୂତ୍ରପାତ କରେ, ତାହାହେଲେ କୃତ୍ରିମ ଉପଗ୍ରହ ଗୋଟିଏ ସାମରିକ ଉପାଦାନ ହୋଇ ବ୍ୟବହୃତ ହେବ–ଏଥିରେ କୌଣସି ସନ୍ଦେହ ନାହିଁ ।)

 

ବିରାଟ ବିଶ୍ୱର ବିରାଟତାକୁ ଉପଲବ୍‌ଧି କରିବା ପାଇଁ ମଣିଷ ବିଶ୍ୱ ପରିକ୍ରମା କରିବାର ସ୍ୱପ୍ନ ଦେଖିଆସିଛି । ସେ ସ୍ୱପ୍ନ ହୁଏତ ନିକଟ ଭବିଷ୍ୟତରେ ସତ୍ୟ ହୋଇପାରେ । କିନ୍ତୁ ଯେଉଁ ଉପାଦାନ ବଳରେ ସେ ଏହି ଅସାଧ୍ୟକୁ ସାଧନ କରିବା ଦିଗରେ ଅଗ୍ରଗତି କରିପାରିଛି, ସେହି ରକେଟ୍‌ର ଅପବ୍ୟହାର କଲେ ସମଗ୍ର ମାନବ ସମାଜ ଧ୍ୱଂସ ମୁଖରେ ପତିତ ହେବାର ଆଶଙ୍କା ମଧ୍ୟ ରହିଛି ।

 

ରକେଟ୍‌ର ଗତିବିଧି ପ୍ରାୟ ସମସ୍ତଙ୍କୁ ଜଣା । ନ୍ୟୁଟ୍ରନୀୟ ପ୍ରତିକ୍ରିୟା ନିୟମ ମାନି ଏହା ଗତିକରେ, ଆମର ଅତି ପରିଚିତ ହାବେଳି ବାଣ ଭଳିଆ । ପଛପଟରୁ ବାଷ୍ପ ଭୁଷ୍‌ ଭୁଷ୍‌ ବାହାରୁଥାଏ ଏବଂ ନିର୍ଗତ ବାଷ୍ପର ପ୍ରତିକ୍ରିୟାରେ ରକେଟ୍ ଆଗେଇ ଚାଲେ । ଏହି ବିଜ୍ଞାନର ଯଥେଷ୍ଟ ଉନ୍ନତି ହୋଇସାରିଛି । କିନ୍ତୁ ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ ଜଣାଯିବ ଯେ ଏହି ବିଜ୍ଞାନର ଉନ୍ନତିର ପଛରେ ଅଛି ମଣିଷର ଏକ ପାଶବିକ ତୃଷା- ଯୁଦ୍ଧରେ ଜୟଲାଭ କରିବାର ଲାଳସା । ଶାନ୍ତି ଉଦ୍ଦେଶ୍ୟରେ ରକେଟର ବ୍ୟବହାର ହେଲେ ମଧ୍ୟ ଏହାର ବିଶେଷ ଅଗ୍ରଗତି ଘଟିଛି ଯୁଦ୍ଧ ଦୃଷ୍ଟିକୋଣରୁ । ରକେଟ୍‌ ବିଜ୍ଞାନର ଚରମ ସଫଳତାର ଜୟଗାନ ଆଜି କୃତ୍ରିମ ଉପଗ୍ରହ କଲେ ମଧ୍ୟ ବେଳେବେଳେ ସେହି ଜୟଗାନରୁ ଶାନ୍ତିର ସନ୍ଧାନ ନ ମିଳି ଯୁଦ୍ଧର ପ୍ରତିବିମ୍ବ ପ୍ରତୀୟମାନ ହେଉଛି ।

 

ଚୀନ୍‌ ଦେଶରେ ଏକ ହଜାର ବର୍ଷ ପୂର୍ବେ ଏବଂ ୟୁରୋପରେ ପଞ୍ଚଦଶ ଶତାବ୍ଦୀରେ ଏହି ପଦ୍ଧତିରେ ଛୋଟକାଟିଆ କ୍ଷେପଶାସ୍ତ୍ର ବ୍ୟବହୃତ ହେଇଥିବାର ଦୃଷ୍ଟାନ୍ତ ଅଛି । କିନ୍ତୁ ଭାରତରେ ବହୁ ପ୍ରାଚୀନ କାଳରୁ ଏହା ବାର୍ତ୍ତା ପ୍ରେରଣ ଇତ୍ୟାଦି ମଙ୍ଗଳଜନକ କାର୍ଯ୍ୟରେ ବ୍ୟବହୃତ ହେଇଥିଲା-। ଊନବିଂଶ ଶତାବ୍ଦୀରେ ରକେଟ୍ ପଦ୍ଧତିରେ ପ୍ରାୟ ସବୁ ଦେଶରେ କ୍ଷେପଣାସ୍ତ୍ର ବ୍ୟବହୃତ ହେବାକୁ ଲାଗିଲା ।

 

ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ୧୯୩୫ ପର୍ଯ୍ୟନ୍ତ ରୁଷ ବିଜ୍ଞାନବିତ୍‌ ଜିଓଲ୍‌କୋଭସ୍କି (Ziolkovsky), ଜର୍ମାନ ବିଜ୍ଞାନବିତ୍‌ ଗେନ୍‌ସଉଇଟ୍‌ (Ganswidt), ଆମେରିକାନ୍‌ ବିଜ୍ଞାନବିତ୍‌ ଗଡ଼ାର୍ଡ଼ (Goddard) ଏବଂ ଅନ୍ୟାନ୍ୟ ବିଜ୍ଞାନବିତ୍‌ଙ୍କ ଅନବରତ ପରିଶ୍ରମ ଫଳରେ ରକେଟ୍‌ ଜ୍ଞାନର ଯେତିକି ଅଗ୍ରଗତି ହୋଇନାହିଁ, କେବଳ ଦ୍ୱିତୀୟ ମହାଯୁଦ୍ଧର ପାଞ୍ଚ ବର୍ଷ ମଧ୍ୟରେ ତା’ଠାରୁ ବହୁତ ଅଧିକ ଅଗ୍ରଗତି ଘଟିଛି । ଏହି କଥନରୁ ଏହା ଅତି ସହଜରେ ଅନୁମେୟ ଯେ ରକେଟ୍ ବିଜ୍ଞାନର ସଫଳତା ଦ୍ୱିତୀୟ ମହାସମର ଉପରେ ଅନେକାଂଶରେ ନିର୍ଭର କରିଛି । ତେଣୁ ରକେଟ୍ ବିଜ୍ଞାନର ସଫଳତାକୁ ଏକ ପାଶବିକ ତୃଷାର ଫଳାଫଳ କହିଲେ ଅବାନ୍ତର ହେବନାହିଁ । ତା’ ସଙ୍ଗେ ସଙ୍ଗେ ଆକାଶରେ ରକେଟ୍‌ମାନଙ୍କରେ ତାର ବାନ୍ଧି ବୋମାବାହୀ ବ୍ୟୋମଯାନମାନଙ୍କ କବଳରୁ ରକ୍ଷା ମଧ୍ୟ କରାଯାଇପାରୁଛି ।

 

ଦ୍ୱିତୀୟ ମହାଯୁଦ୍ଧବେଳେ ବିଭିନ୍ନ ଦେଶର ରକେଟ୍ ଅସ୍ତ୍ର ବିଷୟରେ ଚର୍ଚ୍ଚା କରିବା ଅସଙ୍ଗତ ହେବନାହିଁ । ସେତେବେଳେ ଆମେରିକାର ବୃହତ୍ତମ ରକେଟ୍‌ର ଲମ୍ବ ଦଶଫୁଟ୍ ଏବଂ ବ୍ୟାସ ଏକଫୁଟ୍ ଥିଲା । ଏହାର ଓଜନ ଦେଢ଼ଟନ୍‌ ଏବଂ ୧୫୦ ପାଉଣ୍ଡ ଟି ଏନ୍‌ ଟି ବିଷ୍ଫୋରକ ବୋଝେଇଥିଲା । ରକେଟ୍ ବିଜ୍ଞାନର ଶ୍ରେଷ୍ଠ ଅଗ୍ରଗତି କିନ୍ତୁ ହୋଇଥିଲା ଜର୍ମାନୀରେ । ବଲ୍‌ଟିକ୍‌ ଉପକୂଳରେ ପିନେମୁଣ୍ଡେ (Peenemunde) ରେ ଜର୍ମାନ ବିଜ୍ଞାନବିତ୍‌ ଓ୍ୟେର୍ନହର ଭନ ବ୍ରନ (Werner Von Braun) ପ୍ରଥମେ ଗୋଟିଏ ରକେଟକୁ ଭୂପୃଷ୍ଠରୁ ୪୦,୦୦୦ ଫୁଟ୍ ଉପରକୁ ଉଠେଇ ପାରିଥିଲେ ଏବଂ ୧୧ ମାଇଲ ଦୂରକୁ ପଠେଇ ପାରିଥିଲେ । ଭି-୨ (V-2) ରକେଟ୍ ବ୍ୟବହାର କରି ୬୦ ମାଇଲ ଉପରକୁ ଏବଂ ୨୦୦ ମାଇଲ ଦୂରକୁ ରକେଟ୍ କ୍ଷେପଣ କରିବାରେ ସେ ସମର୍ଥ ହୋଇଥିଲେ । ଦ୍ୱିତୀୟ ମହାଯୁଦ୍ଧବେଳେ ଏହି ଭି-୨ ରକେଟ୍ ସାହାଯ୍ୟରେ ବୋମା ବର୍ଷଣ କରି ଜର୍ମାନୀ ଇଂଲଣ୍ଡ ଓ ଫ୍ରାନସରେ ଆତଙ୍କ ସୃଷ୍ଟି କରିଥିଲା । ଜର୍ମାନୀର ପତନ ପରେ ଭି-୨ ରକେଟର ବିଭିନ୍ନ ଅଂଶ ବହୁ ସଂଖ୍ୟାରେ ଆମେରିକାକୁ ଜାହାଜ ଯୋଗେ ପଠାହୋଇଥିଲା ଏବଂ ପିନେମୁଣ୍ଡେର ରକେଟ୍ ଗବେଷଣାଗାର ରୁଷିଆର ହାତରେ ପଡ଼ିଲା । ସେହି କାରଣରୁ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ରକେଟ୍-ବିଜ୍ଞାନରେ ଅଗ୍ରଗତି କରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ବର୍ତ୍ତମାନ ରାଜନୈତିକ କ୍ଷେତ୍ରରେ ଧମକ ଦେଲାବେଳେ ବାରମ୍ବାର କଥିତ ହେଉଥିବା କ୍ଷେପଣାସ୍ତ୍ର (missile) ମଧ୍ୟ ରକେଟ୍‍ଶ୍ରେଣୀୟ । ଏହି ଶ୍ରେଣୀୟ ରକେଟ୍‍ର ଅଗ୍ରଭାଗରେ ବିଷ୍ଫୋରକ ଥାଏ । ପୂର୍ବକାଳର ତୋପ ଭଳିଆ ଏହା ବ୍ୟବହୃତ ହୁଏ । କିନ୍ତୁ ରକେଟ୍ ସାହାଯ୍ୟରେ ବହୁତ ଦୂରକୁ ଏହା ଫିଙ୍ଗାଯାଇପାରେ । ଯେଉଁ କ୍ଷେପଣାସ୍ତ୍ରକୁ ବେତାରଯନ୍ତ୍ରଦ୍ୱାରା ଚାଳନ କରାଯାଇ ଭୂପୃଷ୍ଠରୁ କ୍ଷେପଣାସ୍ତ୍ରର ଗତିପଥକୁ ଆୟତ୍ତରେ ରଖାଯାଇପାରେ ତାକୁ ଚାଳିତ କ୍ଷେପଣାସ୍ତ୍ର (guided missile) କହନ୍ତି । ଅନ୍ୟ ଜାତୀୟ କ୍ଷେପଣାସ୍ତ୍ର ଗୋଟିଏ ପୂର୍ବ ନିୟନ୍ତ୍ରିତ ଗତିପଥରେ ଗତି କରେ । ତାହାକୁ ପ୍ରକ୍ଷିପ୍ତ କ୍ଷେପଣାସ୍ତ୍ର (ballistic missile) କହନ୍ତି । ଏହି ପ୍ରକ୍ଷିପ୍ତ କ୍ଷେପଣାସ୍ତ୍ର ଥରେ ଫିଙ୍ଗା ହୋଇସାରିଲା ପରେ ଆଉ ପରିଚାଳନା କରିହୁଏ ନାହିଁ, କିନ୍ତୁ ଏହା ତା’ର ଗନ୍ତବ୍ୟ ପଥରୁ ଅନ୍ୟତ୍ର ଯାଇ ବସିଲେ ନଷ୍ଟ ହୋଇଯାଏ । ଯେଉଁ ପ୍ରକ୍ଷିପ୍ତ କ୍ଷେପଣାସ୍ତ୍ରର ପରାସ (range) ୫୦୦୦ ମାଇଲରୁ ଅଳ୍ପ ତାକୁ ମଧ୍ୟମ ପରାସ ପ୍ରକ୍ଷିପ୍ତ କ୍ଷେପଣାସ୍ତ୍ର କିମ୍ବା Intermediate range ballistic missile, (IRBM) କୁହାଯାଏ । ଏହି ପରାସରୁ ଊର୍ଦ୍ଧ୍ୱ ହେଲେ ତାକୁ ଆନ୍ତର୍ମହାଦେଶୀୟ ପ୍ରକ୍ଷିପ୍ତ କ୍ଷେପଣାସ୍ତ୍ର କିମ୍ବା Intercontinental ballistic missile (ICBM) କୁହାଯାଏ । ଏହି ସବୁ କ୍ଷେପଣାସ୍ତ୍ର ଦ୍ୱାରା ବହୁତ ଦୂରରୁ ପରମାଣୁ କିମ୍ବା ଉଦଜାନ ବୋମା ନିକ୍ଷେପ କରାଯାଇ ଯଥାସ୍ଥାନରେ ବିଷ୍ଫୋରଣ କରାଯାଇପାରେ-। ସୁଦୂର ଚାଳିତ ବ୍ୟବସ୍ଥା ଥିବାରୁ ଏହା ବିଶେଷ ଭୟାବହ କାରଣ ନିଜ ଦେଶରେ ବସି ଅକ୍ଳେଶରେ ଅନ୍ୟ ଦେଶର କ୍ଷତି କରିବା ସମ୍ଭବ । ସେହି ଦୃଷ୍ଟିରୁ ବର୍ତ୍ତମାନର ଯୁଦ୍ଧ ସଜ୍ଜାରେ ଯେଉଁ ଦେଶ ପରମାଣୁ ବୋମା ଏବଂ କ୍ଷେପଣାସ୍ତ୍ରଦ୍ଵାରା ଯେତେ ସଜ୍ଜିତ ସେ ଦେଶ ସେତେ ଶକ୍ତିଶାଳୀ । ସୈନ୍ୟ ସଂଖ୍ୟା କିମ୍ବା ରଣକୌଶଳ ବର୍ତ୍ତମାନ ସାମରିକ ଦକ୍ଷତାର ମାପକାଠି ନୁହେଁ ।

 

ତା’ ଉପରକୁ କୃତ୍ରିମ ଉପଗ୍ରହର ଏବଂ ବିଭିନ୍ନ ମହାକାଶ ତୋପର ସଫଳତାରେ ଯୁଦ୍ଧର ଆଶଙ୍କା ସଙ୍କୁଚିତ ନହୋଇ ବିଷ୍ଫାରିତ ହୋଇପଡ଼ିଛି । ବିଭିନ୍ନ ଗ୍ରହ ଉପଗ୍ରହରେ ନିଜର ଜାତୀୟ ପତାକା ପ୍ରଥମେ ଉତ୍ତୋଳନ କରିବା ପାଇଁ ଲାଳାୟିତ ହୋଇ କିମ୍ବା ସୁଦୂର ମହାକାଶରେ ଉପନିବେଶବାଦର ସୃଷ୍ଟି କରିବାର ଲାଳସା ନେଇ ଯଦି ବିଭିନ୍ନ ଶକ୍ତିଗୋଷ୍ଠୀର ପ୍ରତିଦ୍ୱନ୍ଦ୍ୱିତା ଚାଲେ, ତାହାହେଲେ କୃତ୍ରିମ ଉପଗ୍ରହ ଏକ ଚରମ ବିଫଳତାର ପ୍ରତୀକ ହୋଇ ରହିବ । ନିଜ ନିଜ ମଧ୍ୟରେ କେବଳ ପୃଥିବୀ ପୃଷ୍ଠରେ ସମରସଜ୍ଜା ନକରି ମହାକାଶରେ ମଧ୍ୟ ସୈନ୍ୟ ଛାଉଣୀ ବିଚ୍ଛୁରିତ ହୋଇଯିବ । ସେତେବେଳେ ବିଶ୍ୱର ଅନ୍ୟ କେଉଁ କୋଣରେ ଯଦି ସଭ୍ୟ ଜୀବନର ସନ୍ଧାନ ଥାଏ, ସେମାନେ ଭାବିବେ ଯେ ପୃଥିବୀର ମନୁଷ୍ୟମାନେ ସ୍ୱାର୍ଥପର, ନିଜ ନିଜ ମଧ୍ୟରେ ଅବିବେକୀ ପରି ଯୁଦ୍ଧ କରୁଛନ୍ତି ।

 

ସେଥିପାଇଁ ସଫଳତାର ନୂତନ ଅଧ୍ୟାୟ ଖୋଲିଥିଲେ ମଧ୍ୟ ରକେଟ୍ ବିଜ୍ଞାନ ମଣିଷର ପାଶବିକ ପ୍ରକୃତିକୁ ପୁଷ୍ଟ କରିବାପାଇଁ ସାମରିକ ଉପାଦାନ ଯୋଗାଇଛି । କେବଳ ଏତିକି ରକ୍ଷା ଯେ, ପୃଥିବୀର ବିଭିନ୍ନ ଶକ୍ତି ଗୋଷ୍ଠୀ ଏହି ଅଭିନବ ଅସ୍ତ୍ରରେ ସଜ୍ଜିତ, ନ ହେଲେ ସାରା ପୃଥିବୀ ଜଣକର ଉପନିବେଶ ହୋଇଯାଆନ୍ତା । ତଥାପି ସାମରିକ ଦୃଷ୍ଟିକୋଣରୁ ବାଦ୍‌ ଦେଲେ ରକେଟ୍ ବିଜ୍ଞାନ ବର୍ତ୍ତମାନର ସଭ୍ୟତାର ମାପକାଠି । ତେଣୁ ମହାକାଶ ଯାତ୍ରାର ସଫଳତାରେ ଯେଉଁ ନୂତନ ଯୁଗର ସୃଷ୍ଟି ହୋଇଛି, ତାହାର ନାମ ହେଉଛି କୃତ୍ରିମ ଉପଗ୍ରହର ଯୁଗ । ଏ ଯୁଗରେ ଭାରସାମ୍ୟରୁ ସାମାନ୍ୟ ସ୍ଖଳିତ ହେଲେ ଧ୍ୱଂସ ଅବଶ୍ୟମ୍ଭାବୀ ।

Image

 

ପରିତ୍ୟକ୍ତା ପୃଥିବୀ

 

(ମାଟି ପ୍ରତି ମଣିଷର ପ୍ରଗାଢ଼ ମମତା ରହିଛି । ପୃଥିବୀ ପୃଷ୍ଠର ଟିକିଏ ମାଟି ପାଇଁ ଦେଶ ଦେଶ, ଗୋଷ୍ଠୀ ଗୋଷ୍ଠୀ ଏବଂ ମଣିଷ ମଣିଷ ଭିତରେ ଅନବରତ ସଂଘର୍ଷ ଲାଗିଛି । ଏହାର କାରଣ ହେଉଛି, ପୃଥିବୀ ଏକ ବାସୋପଯୋଗୀ ଗ୍ରହ । ଯେଉଁଦିନ ଏହି ରମଣୀୟ ପୃଥିବୀ ବସବାସ କରିବାର ଅନୁପଯୋଗୀ ହୋଇପଡ଼ିବ, ସେଦିନ ଏହି ମଣିଷ ସମାଜ ପୁଣି ଧାଡ଼ିବାନ୍ଧିବ ଅନ୍ୟତ୍ର ଯିବାପାଇଁ । ମହାକାଶ ଯାତ୍ରାର ସଫଳତା ଏ ଦିଗରେ ମଣିଷ-ଜାତିର ଆଗ୍ରହକୁ ତ୍ୱରାନ୍ୱିତ କରିଛି । ପୃଥିବୀ ପରିତ୍ୟାଗ କରିବା ପରିକଳ୍ପନାର ଅନ୍ତର୍ନିହିତ ବୈଜ୍ଞାନିକ ତଥ୍ୟ ଏହି ପ୍ରବନ୍ଧରେ ସନ୍ନିବେଶିତ ।)

 

ଶସ୍ୟ-ଶ୍ୟାମଳା, ବିବିଧ ଗୁଣସମ୍ପନ୍ନା ପୃଥିବୀ ପ୍ରତି ମଣିଷ ସମାଜର ଅଗାଧ ମମତା ରହିଛି, ତେଣୁ ପୃଥିବୀକୁ ପରିତ୍ୟାଗ କରିବାର କଳ୍ପନା ସାଧାରଣତଃ ସମ୍ଭବପର ନୁହେଁ । କିନ୍ତୁ ଏହି କେତେବର୍ଷ ଭିତରେ ମହାଶୂନ୍ୟ ଅଭିଯାନର ସଫଳତା ପରେ ମଣିଷ ତା’ର ଅତି ପ୍ରିୟ ଏହି ପୃଥିବୀକୁ ପରିତ୍ୟାଗ କରିବାର ବାସନାକୁ ବଳବତ୍ତର କରିଛି । ‘‘ବିନା ଯୁଦ୍ଧେ ନ ଦେବାର ସୂଚ୍ୟଗ୍ର ମେଦିନୀ’’ ଯେଉଁ ପୃଥିବୀ ବକ୍ଷରେ ସମ୍ଭବପର ହୋଇ ବିରାଟ ମହାଭାରତ ଯୁଦ୍ଧ ଘଟାଇଥିଲା, ମାଟିର ଲାଳସା ପାଇଁ ଦେଶ ଦେଶ ଭିତରେ, ଗୋଷ୍ଠୀ ଗୋଷ୍ଠୀ ଭିତରେ ଏବଂ ସର୍ବୋପରି ମଣିଷ ମଣିଷ ଭିତରେ ସଂଘର୍ଷ ଯେଉଁ ପୃଥିବୀ ବକ୍ଷରେ ଚିରନ୍ତନ–ହଠାତ୍‌ ସେହି ସୁଖ ଦୁଃଖ ହର୍ଷବିଷାଦମୟ ପୃଥିବୀକୁ ପରିତ୍ୟାଗ କରିବାର ବାସନା ମନରେ ପ୍ରହେଳିକା ସୃଷ୍ଟି କରେ ।

 

ମଣିଷ ଚଢ଼େଇର ଉଡ଼ିବା ଶକ୍ତିକୁ ସବୁବେଳେ ଈର୍ଷା କରିଆସିଛି । ଉଡ଼ିବାର ଇଚ୍ଛା ଅତି ପ୍ରାଚୀନ କାଳରୁ ତାକୁ ଅସ୍ଥିର କରି ଗବେଷଣାରତ କରିଛି । ସେହି ଗବେଷଣା ଫଳରେ ମହାଶୂନ୍ୟ ବିଜ୍ଞାନ ଧୀରେ ଧୀରେ ବଳିଷ୍ଠ ହୋଇ ଆଜି ସଫଳତାର ଜୟଗାନ କରୁଛି । ପୁରାଣରେ ଅଛି–ତ୍ରେତୟା ଯୁଗରେ ପୁଷ୍ପକ ବିମାନ ଥିଲା, ନାରଦ ମନପବନ କଠଉ ପିନ୍ଧି ଢିଙ୍କିରେ ବସି ଅକ୍ଳେଶରେ ଶୂନ୍ୟରେ ଗତି କରିପାରୁଥିଲେ, ଅପ୍‌ସରାମାନେ ପୃଥିବୀ ପୃଷ୍ଠକୁ ଅବତରଣ କରି ପ୍ରହେଳିକା ସୃଷ୍ଟି କରୁଥିଲେ । ଏସବୁ ସତ ନା କେବଳ କବିର କଳ୍ପନା ହଠାତ୍‌ କହିହୁଏନା । କାରଣ ଯଦି ପୁରାକାଳରେ ଭାରତୀୟ ସଭ୍ୟତା ସେତେଦୂର ଅଗ୍ରଗତି କରିଥିଲା ତା’ର କୌଣସି ପ୍ରମାଣ ନାହିଁ । ସମ୍ଭବତଃ ସେହି ସଭ୍ୟତା ଏମିତି ଭାବରେ ଲୁପ୍ତ ହୋଇଯାଇଛି ଦୁର୍ଭାଗ୍ୟବଶତଃ ଯାହାର କୌଣସି ଚିହ୍ନ ନାହିଁ ।

 

ପୁରାଣ ଛାଡ଼ି ଇତିହାସକୁ ଆସିଲେ ମଧ୍ୟ ଉଡ଼ିବାର ଇଚ୍ଛା ଏବଂ ତତ୍‌ସମ୍ବନ୍ଧୀୟ ଗବେଷଣା ଆଖିରେ ପଡ଼େ । ବେଲୁନ୍ ଉଦ୍ଭାବନ ପରେ ମଣିଷର ଉଡ଼ିବା ଇଚ୍ଛା ସଫଳ ହୋଇଥିଲା; କିନ୍ତୁ ବେଲୁନରେ ନିର୍ଦ୍ଦିଷ୍ଟ ଦିଗରେ ଗତି କରିବାର ସୁବିଧା ନଥିବାରୁ ମଣିଷ ମନ ସନ୍ତୁଷ୍ଟ ହେଲାନି । ରାଇଟ୍ ଭ୍ରାତୃବୃନ୍ଦ ବିଂଶ ଶତାବ୍ଦୀକୁ ସ୍ୱାଗତ ଜଣାଇ ଏରୋପ୍ଲେନ ଉପହାର ଦେଇଥିଲେ । ମଣିଷ ଇଚ୍ଛା ଅନୁସାରେ ଉପରକୁ ଉଠିଲା । ତା’ର ଇଚ୍ଛାହେଲା ଆହୁରି ଉପରକୁ ଉଠିବାପାଇଁ । ଜେଟ୍ ପ୍ଲେନ୍‌ର ଉଦ୍ଭାବନ ହୋଇ ଆହୁରି ଉପରକୁ ଉଠିବା ସମ୍ଭବ ହେଲା । ମଣିଷ ଚାହିଁଲା ଆହୁରି ଉପରକୁ ଯିବାପାଇଁ । ଏହି ଆହୁରି ଉପରକୁ ଉଠିବାର ବାସନା ପ୍ରକୃତରେ ରକେଟ୍ ବିଜ୍ଞାନର ସଫଳତାର ମୂଳ କାରଣ ହାବେଳି ବାଣ ଯେପରି ନ୍ୟୁଟନୀୟ ପ୍ରତିକ୍ରିୟା ବଳରେ ଆଗକୁ ଛୁଟେ, ରକେଟ୍ ମଧ୍ୟ ପଛପଟରୁ ଧୂଆଁ ଛାଡ଼ି ଧୂଆଁର ପ୍ରତିକ୍ରିୟାରେ ଆଗକୁ ଚାଲେ । ପ୍ରଥମେ ପାଉଡ଼ର ଇନ୍ଧନ ବ୍ୟବହୃତ ହେଉଥିଲା, କିନ୍ତୁ ପାଉଡ଼ର ଇନ୍ଧନରେ ବିଷ୍ଫୋରଣର ଆଶଙ୍କା ଏବଂ ପରିଚାଳନାର ଅସୁବିଧା ହେତୁ ତରଳ ଇନ୍ଧନର ବ୍ୟବହାର ହେଲା । ତା’ପରେ ସୌର ଇନ୍ଧନର ବ୍ୟବହାର ହେଲା ଏବଂ ଆଣବିକ ଇନ୍ଧନ ବ୍ୟବହୃତ ହେଉଛି । ୧୯୨୬ରେ ତରଳ ଇନ୍ଧନଯୁକ୍ତ ପ୍ରଥମ ସଫଳ ରକେଟ୍ ପ୍ରେରଣ କରି ଡକ୍‌ଟର ରବର୍ଟ ଗଡାର୍ଡ ରକେଟ୍ ବିଜ୍ଞାନର ନୂତନ ଆଭିମୁଖ୍ୟ ସୃଷ୍ଟି କଲେ । ଏହି ରକେଟ୍ ୭୫୦୦ ଫୁଟ୍ ଉପରକୁ ଉଠିଥିଲା ଘଣ୍ଟାକୁ ୭୦୦ ମାଇଲ ବେଗରେ । ତା’ପରେ ପୁଣି ଗବେଷଣାର ସୁଅ ଛୁଟିଲା । ପୃଥିବୀର ଅନେକ ଉପରକୁ ଗଲେ ରକେଟ୍‍ର ବେଗ ବଢ଼ାଇବା ଦରକାର ପଡ଼ିଲା, ତା’ ସଙ୍ଗେ ସଙ୍ଗେ ଅସୁବିଧା ବି ଦେଖାଦେଲା । ପୃଥିବୀର ଘନବାୟୁମଣ୍ଡଳରେ ବେଶି ଜୋର୍‌ରେ ଯିବା ଫଳରେ ଯେଉଁ ଘର୍ଷଣ ହୁଏ, ତା’ ଫଳରେ ରକେଟ୍ ପୋଡ଼ିଯିବାର ଆଶଙ୍କା ରହିଲା । ଏହି ଅସୁବିଧାକୁ ଦୂର କରି ବାହାରିଲା ବହୁସୋପାନ ରକେଟ୍, ଯାହା ଫଳରେ ଘନ ବାୟୁମଣ୍ଡଳ ପାର ହେବା ପରେ ରକେଟର ବେଗ ବୃଦ୍ଧି କରିବାର ସୁବିଧା ରହିଲା । ୧୯୪୯ରେ ଏକ ଦୁଇ-ସୋପାନ ବିଶିଷ୍ଟ ରକେଟ ଯେତେବେଳେ ୨୫୦ ମାଇଲ ଉପରକୁ ଉଠିପାରିଲା, ରକେଟ୍‌ ବିଜ୍ଞାନ ସମସ୍ତଙ୍କର ଆଦରର ବସ୍ତୁ ହୋଇପଡ଼ିଲା । ମହାଶୂନ୍ୟକୁ ଯାତ୍ରା କରିବାର ବାସନା ବଳବତ୍ତର ହୋଇଉଠିଲା । ତା’ପରେ ଆସିଲା ରକେଟ୍ ବିଜ୍ଞାନର ଏକ ଅଭୁଲା ଦିନ–ଅକ୍‌ଟୋବର ୪, ୧୯୫୭ ଯେଉଁଦିନ ମଣିଷ ନିର୍ମିତ ରକେଟ ପୃଥିବୀର ଚାରିପଟରେ ଚକାଚକା ଭଉଁରୀ ଖେଳିଲା । ୟେ ହେଲା ରୁଷିଆର ପ୍ରଥମ ସ୍ପୁଟନିକ । ତା’ପରେ ରୁଷିଆ-ଆମେରିକା ଭିତରେ ପ୍ରତିଯୋଗିତା ଚାଲିଲା, ଟଣାଓଟରା ଚାଲିଲା । ରୁଷିଆ ଗୋଟିଏ ରକେଟ ଛାଡ଼ିଲା ତ ଆଉ କେତେଦିନ ପରେ ଆମେରିକା ଆଉ ଗୋଟିଏ ଛାଡ଼ିଲା ।

 

ମଣିଷର ସୁଦୂର ଅଭିଯାନର ବାସନାକୁ ଜୀବନ୍ତ ରୂପରେଖ ଦେଇ ରୁଷିଆ ଛାଡ଼ିଲା ଏକ ନବୀନ ରକେଟ ଅପ୍ରେଲ ୧୨,୧୯୬୧ରେ । ୟୁରି ଗାଗାରିନ ପୃଥିବୀ ଚାରିପଟରେ ୧୦୮ମିନିଟ ଘୂରି ବୁଲିଲେ । ଆମେରିକା ପଛରେ ପଡ଼ିଲା ନାହିଁ । ମେ ୫,୧୯୬୧ରେ ଆମେରିକାର ଆଲାନ ମେପାର୍ଡ ବି ୧୫ମିନିଟ ଧରି ପୃଥିବୀ ପ୍ରଦକ୍ଷିଣ କଲା । ତା’ପରେ ରୁଷିଆ ଓ ଆମେରିକାରୁ ଗୋଟିଏ ପରେ ଗୋଟିଏ ମହାଶୂନ୍ୟ ଯାତ୍ରୀ ପୃଥିବୀ ଚାରିପଟରେ ଘୂରି ବୁଲି ନିରାପଦରେ ପୃଥିବୀ ପୃଷ୍ଠକୁ ଫେରି ଆସିଲେ ନୂତନ ଆଶାର ସମ୍ଭାର ନେଇ । ଏ ସବୁ ସଙ୍ଗେ ସଙ୍ଗେ ସେପ୍‌ଟେମ୍ବର ୧୨, ୧୯୫୯ରେ ରୁଷିଆର ଦ୍ୱିତୀୟ ଲୁନିକ୍ ଚନ୍ଦ୍ରାଲୋକରେ ପହଞ୍ଚି ମଣିଷର ଆକାଙ୍‌କ୍ଷାକୁ ଜାଗୃତ କଲା ଚନ୍ଦ୍ରାଲୋକରେ ପହଞ୍ଚିବାପାଇଁ । * ମହାଶୂନ୍ୟ ତୋପର କଳ୍ପନା ଏବଂ ଏହାର ବ୍ୟବହାର କରି ବିଭିନ୍ନ ଗ୍ରହ ନକ୍ଷତ୍ରକୁ ଯିବାର ବାସନା ଆଜି ବଳବତ୍ତର ହୋଇଉଠିଛି ଏବଂ ଏ ଦିଗରେ ଗବେଷଣାରତ ବୈଜ୍ଞାନିକମାନଙ୍କର ସଫଳତା ଦିନକୁ ଦିନ ଆଗେଇ ଚାଲିଛି ।

 

ଆଜିର ଯୁଗ କୃତ୍ରିମ ଉପଗ୍ରହର ଯୁଗ । ମଣିଷର ବାସନାକୁ ଦମନ କରିବା ପରିବର୍ତ୍ତେ ମହାଶୂନ୍ୟ ବିଜ୍ଞାନର ସଫଳତା ଦେଇଛି ନୂତନ କ୍ଷୁଧା । ଜୀବନର ଅନୁସନ୍ଧାନରେ ସେ ଆଜି ମହାଶୂନ୍ୟକୁ ଯାତ୍ରା କରିବାକୁ ବାହାରିଛି–ମହାଯାତ୍ରା ନୁହେଁ ।

 

ଆଜିର ଏହି ବିପଦସଙ୍କୁଳ ବାତାବରଣ ବୋଧହୁଏ ପୃଥିବୀ ପରିତ୍ୟାଗ କରିବାକୁ ମଣିଷର ଆଗ୍ରହ ବୃଦ୍ଧି କରୁଛି । ପୃଥିବୀର ରାଜନୀତି ଆଜି ଅସ୍ଥିର । ମଣିଷ ସଭ୍ୟତା ଖଣ୍ଡାଧାରରେ ଚାଲିଛି । ଟିକିଏ ଏପଟ ସେପଟ ହେଲେ ହୁଏତ ପରମାଣୁ ବୋମାର ବିଷ୍ଫୋରଣ ଘଟିବ, ଉଦ୍‌ଜାନ ବୋମାବାହୀ ଆନ୍ତର୍ଜାତିକ କ୍ଷେପଣାସ୍ତ୍ର ବୋଧହୁଏ ବାୟୁମଣ୍ଡଳକୁ ଘନୀଭୂତ କରିଦେବ । ଜୀବନ ଅତି ପ୍ରିୟ ହେଲେ ମଧ୍ୟ ଚାରିଆଡ଼େ ଚାଲିଛି ମୃତ୍ୟୁର ନଗ୍ନ ତାଣ୍ଡବ–ସେହି ଜୀବନକୁ ରକ୍ଷା କରିବାପାଇଁ ବୋଧହୁଏ ମାନବଜାତି ତା’ର ଅତି ପ୍ରିୟ ପୃଥିବୀ-ମାତାକୁ ପରିତ୍ୟାଗ କରିବାକୁ ଯାଉଛି । ଏସବୁ ପରିସ୍ଥିତି ସୃଷ୍ଟି କରିଛି ମଣିଷ । ଆଜି ସେହି ପରିସ୍ଥିତିର ଶିକାର ହୋଇ ସେ ପଳାୟନପନ୍ଥୀ ହୋଇଯାଇଛି ।

 

ତା’ ଉପରକୁ ଅଛି ଜନସଂଖ୍ୟା ବୃଦ୍ଧି । ଯେଉଁ ବେଗରେ ଜନସଂଖ୍ୟା ବୃଦ୍ଧିପାଉଛି, ଆଉ କେତେଦିନ ପରେ ମଣିଷର ଅବସ୍ଥା ବୋଧହୁଏ ପିମ୍ପୁଡ଼ିମାନଙ୍କ ଅବସ୍ଥାଠାରୁ ହୀନ ହୋଇଯିବ । ସେଥିପାଇଁ ଚାରିଆଡ଼େ ସ୍ଲୋଗାନ୍–ପରିବାର ନିୟନ୍ତ୍ରଣ କର । କିନ୍ତୁ ମଣିଷର ଏହି ଆଦିମ ପ୍ରବୃତ୍ତିର ପ୍ରାକୃତିକ ରୂପରେ କୌଣସି ପରିବର୍ତ୍ତନ ଆଣିବା ପାଇଁ ଆଡ଼ାମ୍ ଏବଂ ଇଭ୍‌ର ବଂଶଧରମାନେ ବୋଧହୁଏ ବୀତସ୍ପୃହ । ତାହାହେଲେ–ଏକମାତ୍ର ଉପାୟ ଅଛି–ପୃଥିବୀକୁ ପରିତ୍ୟାଗ କର–ମହାଯାତ୍ରା କରି ନୁହେଁ, ମହାଶୂନ୍ୟ ଯାତ୍ରା କରି । ଏମିତି ହେଲେ ଅନ୍ତତଃ ଜନସଂଖ୍ୟା କମିଯିବ । ମାନବ ଜାତି ହୁଏତ ବିଭିନ୍ନ ଗ୍ରହ ନକ୍ଷତ୍ରରେ ବସବାସ କରି ମାନବ ସଭ୍ୟତାର ପ୍ରଚାର କରିପାରିବ-। ତାହାହେଲେ ଗାଁ ଗାଁ ଭିତରେ କିମ୍ବା ଦେଶ ଦେଶ ଭିତରେ ଯେଉଁ ମତଭେଦର ଆଶଙ୍କା ଅଛି ତାହା ବୋଧହୁଏ ରହିବ ନାହିଁ, କାରଣ ମାନବ ଜାତିର ମହାକାଶ ଦିଗ୍‌ବିଜୟ ତୁଳନାରେ ପୃଥିବୀ ଅତି କ୍ଷୁଦ୍ର ପ୍ରତୀୟମାନ ହେବ । ବିଶ୍ୱ ଜାତିସଂଘ ସେତେବେଳେ ହୁଏତ ଗାଁ ପଞ୍ଚାୟତ ପରି କାମ କରିବ । ପ୍ରକୃତ ଜାତିସଂଘ ହୁଏତ କେଉଁ ସୁଦୂର କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବ । ଏହି ଦୃଷ୍ଟିରୁ ପୃଥିବୀକୁ ପରିତ୍ୟାଗ କରିବାର ଇଚ୍ଛା ଯେ ପ୍ରକଟ କରିବ ତାକୁ ପୁରସ୍କାର ଦେବା ଉଚିତ, ଠିକ୍ ପରିବାର ନିୟନ୍ତ୍ରଣ ପାଇଁ ଅସ୍ତ୍ରୋପଚାରକଲେ ପୁରସ୍କାର ମିଳିଲା ଭଳି । ଗ୍ରହ ଗ୍ରହ ମଧ୍ୟରେ କିମ୍ବା ନକ୍ଷତ୍ର ନକ୍ଷତ୍ର ମଧ୍ୟରେ ବିଭେଦ ରହିଲେ ମଧ୍ୟ ଅନ୍ତତଃ ପୃଥିବୀରେ ଏକତା ଆସିବାର କ୍ଷୀଣ ଆଶାର ଆଲୋକ ସତେଜ ହୋଇଉଠିବ ।

 

*

ଏହାପରେ ଆମେରିକାର ମହାକାଶଯାତ୍ରୀ ଚନ୍ଦ୍ରରେ ଓହ୍ଲାଇ ପୃଥିବୀକୁ ଫେରିଆସିପାରିଛନ୍ତି ।

 

ଏସବୁ କଳ୍ପନା ଜଳ୍ପନା ସତ୍ତ୍ୱେ ମନକୁ ତଥାପି ପ୍ରଶ୍ନ ଆସେ–ପୃଥିବୀକୁ ପରିତ୍ୟାଗ କରି ଯାଇହେବ କି ? ବିଭିନ୍ନ ଗ୍ରହ ନକ୍ଷତ୍ରରେ ବସବାସର ସୁବିଧା ହୁଏତ ସୃଷ୍ଟି କରାଯାଇପାରେ–ତଥାପି ପୃଥିବୀର ମମତା ଛାଡ଼ି ଏଠାକାର ମଣିଷ ସମାଜ ଚାଲିଯିବାକୁ ପ୍ରସ୍ତୁତ ହେବେ କି ? ଆଉ ଯେଉଁମାନେ ଏହି ବିପଦସଙ୍କୁଳ ପୃଥିବୀକୁ ଛାଡ଼ି ଚାଲିଯିବାର ପ୍ରୟାସ କରିବେ ସେମାନେ କ’ଣ ପଳାୟନପନ୍ଥୀ ବୋଲି ବିବେଚିତ ହେବେ କି ?

 

ଏସବୁ ପ୍ରଶ୍ନର ଉତ୍ତର ଅତି ଜଟିଳ । ବିପଦସଙ୍କୁଳ ଏହି ପୃଥିବୀ ପୃଷ୍ଠରେ ବିପଦର ହ୍ରାସ ପାଇଁ ଯଦି ମଣିଷର ଚେତନା ଆସେ ଏବଂ ମଣିଷ ଜାତିର ଶ୍ରମର ଅଳ୍ପାଂଶ ଯଦି ଶାନ୍ତି ଏବଂ ପ୍ରେମର ବାଣୀ ପ୍ରଚାର କରିବାରେ ଉଦ୍ଦିଷ୍ଟ ହୁଏ, ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିବାପାଇଁ ବୋଧହୁଏ ପୃଥିବୀକୁ ପରିତ୍ୟାଗ କରିବାକୁ ପଡ଼ିବନାହିଁ । ଲୋକସଂଖ୍ୟା ବୃଦ୍ଧିର ତିକ୍ତ ପରିଣାମ ଉପଲବ୍‌ଧି କରି ପରିବାର ନିୟନ୍ତ୍ରଣ ପ୍ରତି ମଣିଷ ଯଦି ଟିକିଏ ନଜର ଦିଏ, ବୋଧହୁଏ ଜନସଂଖ୍ୟାର ସମତା ରକ୍ଷା କରିବା ପାଇଁ ସାମୟିକ ଯୁଦ୍ଧ ଏବଂ ଆଣବିକ ବିସ୍ଫୋରଣର ଆବଶ୍ୟକତା ରହିବ ନାହିଁ, ନ ହେଲେ ଯଦୁବଂଶ ଧ୍ୱଂସ ହେବା ଅବଶ୍ୟମ୍ଭାବୀ ।

 

ମହାଶୂନ୍ୟ ବିଜ୍ଞାନର ଅଗ୍ରଗତି ଘଟିଛି–ଭଲକଥା । ବିଜ୍ଞାନ ଆଜି ଆଗେଇ ଚାଲିଛି–ସୁଖର କଥା । ତା’ ସଙ୍ଗେ ସଙ୍ଗେ ମଣିଷକୁ କିନ୍ତୁ ଚେତନାଶୀଳ କରିବାକୁ ହେବ । ଅର୍ଦ୍ଧଚେତନ ମଣିଷର ଆଦିମ ଆକାଙ୍‌କ୍ଷାକୁ ପରିଚାଳିତ କରି ତାକୁ ସଚେତନ ମଣିଷ ପରି ବ୍ୟବହାର କରିବାକୁ ହେବ । ଶାନ୍ତି ଓ ମୈତ୍ରୀର ଦୀକ୍ଷା ଯଦି ଆଧୁନିକ ସଭ୍ୟତାର ପ୍ରତୀକ ହୁଏ, ତାହାହେଲେ ଯାଇ ଜଣାପଡ଼ିବ ଯେ ଆମେ ସଭ୍ୟ ସଚେତନ । ନେହେଲେ ଆଦିମ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଦ୍ୱନ୍ଦ୍ୱ ଚାଲିବ, ପୃଥିବୀକୁ ଧ୍ୱଂସ କରିବାର ଚକ୍ରାନ୍ତ ଚାଲିବ, ଅବସ୍ଥାର ଦାସ ହୋଇ ପୃଥିବୀକୁ ପରିତ୍ୟାଗ କରିବାର ବାସନା ଜାଗି ଉଠିବ । ସେତେବେଳେ ଜଣାଯିବ ଯେ ମଣିଷ ଅତି ସ୍ୱାର୍ଥପର–ନିଜର ଜନ୍ମଦାତ୍ରୀ ପୃଥିବୀ ପ୍ରତି ସତେ ଯେମିତି ତା’ର କୌଣସି କର୍ତ୍ତବ୍ୟ ନାହିଁ ।

 

ଏ ତ ଗଲା ପୃଥିବୀକୁ ପରିତ୍ୟାଗ କରିବାର ନୈତିକ ଦୃଷ୍ଟିକୋଣର ପ୍ରଶ୍ନୋତ୍ତର । ଆଉ ଗୋଟିଏ ଦରକାରୀ କଥା ବିଚାର କରିବାକୁ ହେବ । ପୃଥିବୀ ପୃଷ୍ଠରେ ସବୁବେଳେ କ’ଣ ଜୀବନଧାରଣ ସମ୍ଭବ ? ଏ ପ୍ରଶ୍ନର ଉତ୍ତରରେ କୁହାଯାଇପାରେ ଯେ ପୃଥିବୀ ଜୀବନ ଧାରଣ ପାଇଁ ସୂର୍ଯ୍ୟ ଉପରେ ନିର୍ଭର କରେ । ଜୀବନରକ୍ଷା ପାଇଁ ଯେହେତୁ ଗୋଟିଏ ନିର୍ଦ୍ଦିଷ୍ଟ ସୀମାର ତାପମାତ୍ରା ଆବଶ୍ୟକ, ପୃଥିବୀ ପୃଷ୍ଠରେ ଜୀବନର ସମ୍ଭବତା ବିଚାରକଲାବେଳେ ସୂର୍ଯ୍ୟର ତାପମାତ୍ରା ସମ୍ବନ୍ଧେ ଜାଣିବା ଆବଶ୍ୟକ ।

 

ଜର୍ମାନ୍ ପଦାର୍ଥବିଜ୍ଞାନବିତ୍ ହାରମନ୍ ଭନ୍ ହେଲମହୋଲ୍‌ଜଙ୍କ ମତରେ ସୂର୍ଯ୍ୟର ତାପମାତ୍ରା ଅତୀତରେ ବର୍ତ୍ତମାନ ତୁଳନାରେ ବହୁତ କମ୍ ଥିଲା । ମାଧ୍ୟାକର୍ଷଣ ହେତୁ ସୂର୍ଯ୍ୟର ସଙ୍କୋଚନ ଘଟିବା ଫଳରେ ତା’ର ଆଭ୍ୟନ୍ତରୀଣ ଚାପ ଓ ତାପ ବୃଦ୍ଧି ପାଇଲା । ଚାପର ବୃଦ୍ଧି ହେତୁ ସୂର୍ଯ୍ୟର ପ୍ରସାରଣ ଘଟିଲା । ସର୍ବଶେଷରେ ସଙ୍କୋଚନ ଏବଂ ପ୍ରସାରଣ ଫଳରେ ପ୍ରାୟ ଏକ ସ୍ଥାୟୀ ଅବସ୍ଥା ଆସିଲା । ତଥାପି ସୂର୍ଯ୍ୟର ସଙ୍କୋଚନ ଘଟୁଛି–ଏହାର ବ୍ୟାସାର୍ଦ୍ଧ ଏକ ଶତାବ୍ଦୀରେ ପ୍ରାୟ ଦୁଇ କିଲୋମିଟର କମୁଛି । ତା’ ସାଙ୍ଗକୁ ଅଛି ସୂର୍ଯ୍ୟର ଅଭ୍ୟନ୍ତରରେ ଥିବା ଉଦ୍‌ଜାନ ମାତ୍ରାର ହ୍ରାସ ଏବଂ ହିଲିୟମର ମାତ୍ରା ବୃଦ୍ଧି ସଙ୍ଗେ ସଙ୍ଗେ ସୂର୍ଯ୍ୟର ଆଭ୍ୟନ୍ତରୀଣ ତାପର ବୃଦ୍ଧି ହେଉଛି । ତେଣୁ ସୂର୍ଯ୍ୟର ସଙ୍କୋଚନ ଏବଂ ହିଲିୟମର ମାତ୍ରା ବୃଦ୍ଧି ହେତୁ ସୂର୍ଯ୍ୟର ତାପମାତ୍ରା ବୃଦ୍ଧିପାଉଛି ।

 

ସୂର୍ଯ୍ୟର ତାପମାତ୍ରାର ବୃଦ୍ଧି ସଙ୍ଗେ ସଙ୍ଗେ ପୃଥିବୀର ତାପମାତ୍ରାର ବୃଦ୍ଧି ହେଉଛି । କେଇବର୍ଷ ପରେ ତାପମାତ୍ରାର ବୃଦ୍ଧି ଏତେ ହେବ ଯେ କେବଳ ମେରୁ ଅଞ୍ଚଳରେ ଜୀବନରକ୍ଷଣ ସମ୍ଭବ ହୋଇପାରିବ । ଆଉ କିଛି ଦିନ ପରେ ପୃଥିବୀରେ ଜୀବନରକ୍ଷଣ ଅସମ୍ଭବ ପ୍ରାୟ ହୋଇପଡ଼ିବ ।

 

ଅବଶ୍ୟ ଏହି ପରିସ୍ଥିତି ଘଟିବା ପାଇଁ କୋଟି କୋଟି ବର୍ଷ ଲାଗିବ । ତେଣୁ ଆମ୍ଭମାନଙ୍କର ଭୟ କରିବାର କୌଣସି କାରଣ ନାହିଁ । ତଥାପି ଏହା ସ୍ୱତଃସିଦ୍ଧ ଯେକୌଣସି କୃତ୍ରିମ ଉପାୟ ଅବଲମ୍ବନ ନ କଲେ ଧୀରେ ଧୀରେ ପୃଥିବୀ ବକ୍ଷରୁ ଜୀବନ ଶକ୍ତି ଲୋପ ପାଇବ । ଏହି ଭୟରେ ବୋଧହୁଏ ମଣିଷର ଅନ୍ୟ ଜାଗାରେ ବାସ କରିବାର ଆକାଙ୍‌କ୍ଷା ଉତ୍ତରୋତ୍ତର ବୃଦ୍ଧି ଲାଭ କରୁଛି, ଏ ବିଷୟ ବିଚାର କଲାବେଳେ ମହାକାଶଯାତ୍ରାର ସଫଳତା ଜୀବନରକ୍ଷକର କାର୍ଯ୍ୟ କରିବ କୁହାଯାଇପାରେ ।

 

ତା’ ସଙ୍ଗେ ସଙ୍ଗେ ଆମର ଅନ୍ୟାନ୍ୟ କର୍ତ୍ତବ୍ୟ ମଧ୍ୟ ରହିଛି । ପୃଥିବୀର ବାୟୁମଣ୍ଡଳକୁ କୃତ୍ରିମ ଉପାୟରେ ଅର୍ଦ୍ଧ ସ୍ୱଚ୍ଛ ପଦାର୍ଥ ଦ୍ୱାରା ଆବୃତ କରି ତାପବର୍ଦ୍ଧିଷ୍ଣୁ ସୂର୍ଯ୍ୟର ଅଗ୍ନ୍ୟୁଦ୍‌ଗାରକୁ ଚନ୍ଦନ ପରି ଶୀତଳ ଏବଂ ଆରାମଦାୟକ କରାଯାଇପାରେ । ତାହାହେଲେ ସୂର୍ଯ୍ୟର ତାପ ବୃଦ୍ଧି ହେଲେ ମଧ୍ୟ ପୃଥିବୀ ପୃଷ୍ଠରେ ଜୀବନରକ୍ଷଣର କୌଣସି ଅସୁବିଧା ହେବନାହିଁ ।

 

ତା’ପରେ ଆଉ ଏକ ପ୍ରଶ୍ନ ମନକୁ ଆସେ–ସୂର୍ଯ୍ୟର କ’ଣ ସବୁଦିନ ତାପମାତ୍ରାର ବୃଦ୍ଧି ଘଟୁଥିବ ? ସୂର୍ଯ୍ୟର ଯୌବନର ପ୍ରଖର ତେଜର ପରିସମାପ୍ତି ପରେ ବାର୍ଦ୍ଧକ୍ୟର ଶୀତଳତା କ’ଣ ଆସିବ ନାହିଁ ? ଏହାର ଉତ୍ତର ଅତି ସରଳ । ସୂର୍ଯ୍ୟର ଇନ୍ଧନ ଉଦ୍‌ଜାନର ଧୀରେ ଧୀରେ କ୍ଷୟ ଘଟୁଛି ତାପନାଭିକୀୟ ପ୍ରତିକ୍ରିୟା ଯୋଗୁଁ । ଦିନ ଆସିବ ଯେତେବେଳେ ସବୁ ଉଦ୍‌ଜାନ ଉପରୋକ୍ତ ପ୍ରତିକ୍ରିୟା ଦ୍ୱାରା ହିଲିୟମରେ ପରିଣତ ହେବ । ସେତେବେଳେ ସୂର୍ଯ୍ୟର ଉତ୍ତାପ ହ୍ରାସ ଘଟିବ ଏବଂ ଏହା ଅତି ଶୀତଳ ହୋଇଯିବ । ଏହି ସମୟ ପର୍ଯ୍ୟନ୍ତ ଯଦି କୃତ୍ରିମ ଉପାୟରେ ଜୀବନରକ୍ଷଣ କରାଯାଇଥାଏ, ତାହାହେଲେ ଅତ୍ୟଧିକ ଶୀତଳତା ହେତୁ ଜୀବନର ବିଲୟ ଘଟିବାର ସମ୍ଭାବନା ଅଛି । ଅବଶ୍ୟ ବାୟୁମଣ୍ଡଳକୁ ଧୀରେ ଧୀରେ ଅସ୍ୱଚ୍ଛ କରି ତାପ ବିକିରଣର ମାତ୍ରା କମାଇ ପାରିଲେ ଆଉ କେତେ ଲକ୍ଷ ବର୍ଷ ଜୀବନ ଧାରଣ ସମ୍ଭବ ହୋଇପାରେ । ତା’ ପରେ ଅତି ଶୀତଳ ସୂର୍ଯ୍ୟର ଯେତେବେଳେ ବୈଜ୍ଞାନିକ ମୃତ୍ୟୁ ଘଟିବ, ପୃଥିବୀର ପରମାଣୁ ଶକ୍ତି ବ୍ୟବହାର କରି ଆଉ କେତେହଜାର ବର୍ଷ ଜୀବନରକ୍ଷଣ ସମ୍ଭବପର ହେବ । କିନ୍ତୁ ଏସବୁ ହେଲା ରୋଗୀକୁ ଔଷଧ ଦେଇ ବଞ୍ଚେଇବା ସଙ୍ଗେ ସମାନ । ଯଦି ବିଶ୍ୱର ଯେକୌଣସି ପ୍ରାନ୍ତରୁ ଶକ୍ତି ଆହରଣ କରି ତା’ର ବ୍ୟବହାର କରଯାଇପାରେ, ତାହାହେଲେ ପୃଥିବୀକୁ ବଞ୍ଚାଇ ରଖିବାର ଆଶା ଅଛି ଅନ୍ତତଃ ସୃଷ୍ଟିର ଲୟ ପର୍ଯ୍ୟନ୍ତ ।

 

ଏଣୁ ପୃଥିବୀ ପୃଷ୍ଠରେ ଜୀବନକୁ ରକ୍ଷା କରିବାକୁ ହେଲେ ଯେଉଁ ବିରାଟ ବୈଜ୍ଞାନିକ ବିପ୍ଳବ ଓ ସଂଗ୍ରାମ କରିବାକୁ ହେବ ଅନ୍ୟ କୌଣସି କ୍ଷେତ୍ରରେ ତା’ର ପଟାନ୍ତର ନାହିଁ । ଆଜିଠୁ ମଣିଷ ଜାତିକୁ ଅନାଗତ ବିଧାତା ହେବାକୁ ହେବ, ନଚେତ୍ ଦୀର୍ଘସୂତ୍ରୀ ହୋଇ କେଉଟ ଜାଲରେ ପଡ଼ିଲା ପରି ସୂର୍ଯ୍ୟର ଅସୀମ ତାପରେ ଜୀବନ ଲୋପପାଇଯିବ । ମଣିଷ ମଣିଷ ଭିତରେ, ସଂସ୍କୃତି ସଂସ୍କୃତି ଭିତରେ, ଦେଶ ଦେଶ ଭିତରେ ବୈରଭାବ ପରିତ୍ୟାଗ କରି ସମସ୍ତେ ସମ୍ମିଳିତ ଭାବରେ ପୃଥିବୀ ଏବଂ ଜୀବନର କଲ୍ୟାଣ ପାଇଁ ମନୋନିବେଶ କରିବା ଉଚିତ । ନଚେତ୍ ଶରଣାର୍ଥୀ ଟ୍ରେନ୍‌ରେ ଯେମିତି ଭିଡ଼ ହୁଏ, ଏହି ଅତ୍ୟାଚାରିତ ପୃଥିବୀର ସେହି ଘଡ଼ିସନ୍ଧି ବେଳରେ ମଣିଷ ଜାତି ଧାଡ଼ିବାନ୍ଧି ଛିଡ଼ା ହେବ ଶରଣାର୍ଥୀ ରକେଟ୍‌ରେ ଭିଡ଼ ବଢ଼େଇ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ରକୁ ପଳାୟନ କରିବା ଉଦ୍ଦେଶ୍ୟରେ, ଅତି ଅସହାୟ ଅବସ୍ଥାରେ ।

Image

 

ତେଜଷ୍କ୍ରିୟତା ଓ ବିଶ୍ୱଶାନ୍ତି

 

[ପାରମାଣବିକ ଅସ୍ତ୍ରର ମାରାତ୍ମକ ଗୁଣ ବିଶେଷ ଭାବରେ ଏହାର ବିସ୍ଫୋରଣ ଜନିତ ତେଜସ୍କ୍ରିୟ ବିକିରଣ ଉପରେ ନିର୍ଭର କରେ । ତେଣୁ ତେଜସ୍କ୍ରିୟ ବିକିରଣ ଭେଷଜ ବିଜ୍ଞାନରେ ଜନକଲ୍ୟାଣ ନିମନ୍ତେ ବ୍ୟବହୃତ ହେଉଥିଲେ ସୁଦ୍ଧା ସାଧାରଣତଃ ଏହା ଭୟ ଏବଂ ମୃତ୍ୟୁର ଚିତ୍ରାଙ୍କନ କରେ । ଭୟ ଏବଂ ମୃତ୍ୟୁର ଆଧାର ଏହି ତେଜସ୍କ୍ରିୟ ବିକିରଣ ବିଶ୍ୱଶାନ୍ତି ସହିତ କିପରି ଜଡ଼ିତ, ତାହା ଏହି ପ୍ରବନ୍ଧରେ ବର୍ଣ୍ଣିତ ।]

 

ସୃଷ୍ଟି ରହସ୍ୟମୟ । ଏକ ପକ୍ଷରେ ସମୃଦ୍ଧିର ଭଣ୍ଡାର ଖୋଲି ତେଜସ୍କ୍ରିୟ ବିକିରଣ ବିରାଜମାନ – ଅନ୍ୟ ଦିଗରେ ଭାସିଉଠୁଛି ହିରୋସିମା -ନାଗାସାକିର ନଗ୍ନ ତାଣ୍ଡବଲୀଳା । ପଦାର୍ଥର ସୃଷ୍ଟି ସମୟରୁ କୋଟି କୋଟି ବର୍ଷ ଧରି ତେଜସ୍କ୍ରିୟ ବସ୍ତୁ ବିଭିନ୍ନ ରଶ୍ମି ବିକିରଣ କରି ଆସିଛନ୍ତି ମଣିଷର ଅତି ଅଜ୍ଞାତରେ । ଊନବିଂଶ ଶତାବ୍ଦୀରେ ହିଁ ତେଜସ୍କ୍ରିୟତାର ଆବିଷ୍କାର ହୋଇଛି । ହେନରୀ ବିକେରେଲ (Henri Bequerel) ନାମକ ଜଣେ ଫରାସୀ ବିଜ୍ଞାନବିତ୍ ତେଜସ୍କ୍ରିୟ ବିକିରଣର ପ୍ରଥମ ପ୍ରମାଣ ପାଇଥିଲେ । ତା’ପରେ ଛୁଟିଲା ଗବେଷଣାର ସୁଅ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ତେଜସ୍କ୍ରିୟତା ସମ୍ବନ୍ଧୀୟ ଅନେକ ରହସ୍ୟ ଉପରେ ଆଲୋକପାତ ହେଲା । ବିଜ୍ଞାନ ଜଗତର ଅମର ଶହୀଦ ମାଡାମ୍ କ୍ୟୁରୀ ତେଜସ୍କ୍ରିୟତା ସମ୍ବନ୍ଧୀୟ ନୂତନ ତଥ୍ୟ ସନ୍ଧାନରେ ନିଜର ଜୀବନ ଉତ୍ସର୍ଗ କରିଥିଲେ । ସେତେବେଳକୁ ଆପେକ୍ଷିକ ତଥ୍ୟ ମାଧ୍ୟମରେ ଆଇନ୍‌ଷ୍ଟାଇନ୍ ଭରର ଅବିନାଶିତା ଉପରେ ଆଞ୍ଚ ଆଣିଲେ । ସେ ଗାଣିତିକ ସୂତ୍ରରେ ଦେଖେଇ ଦେଲେ ଯେ ଭର ଏବଂ ଶକ୍ତି ମଧ୍ୟରେ ରୂପାନ୍ତର ଘଟିପାରେ । ଏହି ତଥ୍ୟ ସାହାଯ୍ୟରେ ନାଭିକୀୟ ପ୍ରକ୍ରିୟା ସମ୍ବନ୍ଧରେ ବୈଜ୍ଞାନିକମାନଙ୍କର ସମ୍ୟକ୍‌ ଧାରଣା ଆସିଲା । ସେତେବେଳେ ଗଣନା କରି ଦେଖାଗଲା ଯେ ୟୁରେନିୟମ ଭଳିଆ ଓଜନିଆ ନାଭିକର ବିଭାଜନରେ ପ୍ରଚୁର ଶକ୍ତି ଉତ୍ପନ୍ନ ହୋଇପାରେ । ଜର୍ମାନ ବିଜ୍ଞାନବିତ୍‌ ଅଟୋହାନ୍‌ ଗବେଷଣାଗାରରେ ଏହି ନାଭିକୀୟ ବିଭାଜନ ପ୍ରକ୍ରିୟାରେ ପଥମେ ପାଇପାରିଥିଲେ ଏକ ବିରାଟ ଶକ୍ତିର ସନ୍ଧାନ । ଏହି ଶକ୍ତିର ଉତ୍ସ ସଙ୍ଗେ ସଙ୍ଗେ ତେଜିୟାନ୍ ତେଜସ୍କ୍ରିୟ ବିକିରଣ ମଧ୍ୟ ପରିଦୃଷ୍ଟ ହେଲା । ଏହା ସଙ୍ଗେ ସଙ୍ଗେ ଆରମ୍ଭ ହେଲା ଅନେକ ଧରଣର ସମସ୍ୟାବହୁଳ କଳ୍ପନା ଜଳ୍ପନା ।

 

ହିଟଲରଙ୍କ ଇହୁଦୀ ଦମନର ଶିକାର ହୋଇ ୧୯୩୩ରେ ପୃଥିବୀ ବିଖ୍ୟାତ ବୈଜ୍ଞାନିକ ମହାମାନବ ଆଇନଷ୍ଟାଇନ ଜର୍ମାନୀରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲିଆସିଲେ । ତା’ପରେ ଆସିଲା ୧୯୩୯ର ଦ୍ୱିତୀୟ ମହାଯୁଦ୍ଧ । ଜର୍ମାନୀର ଇହୁଦୀ ଦମନ ନୀତି ମଧ୍ୟ ପ୍ରଖର ହୋଇଉଠିଲା । ଅନେକ ଇହୁଦୀ ପରମାଣୁ ବୈଜ୍ଞାନିକ ଜର୍ମାନୀରୁ ପଳାୟନ କରି ଯୁକ୍ତରାଷ୍ଟ୍ର ଆମେରିକାରେ ଆଶ୍ରୟ ନେଲେ ।

 

ଜର୍ମାନୀରେ ପରମାଣୁ ବିଜ୍ଞାନର ଅଗ୍ରଗତି ଏବଂ ଅଟୋହାନଙ୍କ ନାଭିକୀୟ ବିଭାଜନର ସଫଳତା ଜର୍ମାନୀ ବିପକ୍ଷରେ ମିଳିତଶକ୍ତି ମଧ୍ୟରେ ଭୟ ଏବଂ ଆଶଙ୍କାର ସୂତ୍ରପାତ କଲା । ନାଭିକୀୟ ବିଭାଜନ ଏବଂ ଭର ଓ ଶକ୍ତିର ରୂପାନ୍ତର ଆଇନ୍‌ଷ୍ଟାଇନ୍‌ଙ୍କ ମନକୁ ଆଲୋଡ଼ିତ କଲା । ତାଙ୍କର ଆଶଙ୍କା ହେଲା, ହିଟଲର ହୁଏତ ଜର୍ମାନୀର ବୁଦ୍ଧିମାନ୍‌ ବୈଜ୍ଞାନିକମାନଙ୍କ ଜରିଆରେ ନାଭିକୀୟ ବିଭାଜନ ପ୍ରକ୍ରିୟାର ଦୁରୁପଯୋଗ କରି ସମଗ୍ର ମାନବ ଜାତିକୁ ଧ୍ୱଂସ କରିବାପାଇଁ ଲାଳାୟିତ ହେବ ।

 

ଆଇନ୍‌ଷ୍ଟାଇନ ଥିଲେ ଅହିଂସାର ପୂଜାରୀ । ବିଜ୍ଞାନର ଶାନ୍ତିପୂର୍ଣ୍ଣ ବ୍ୟବହାର ଥିଲା ତାଙ୍କ ଜୀବନର ବ୍ରତ । ନିଜର ଜୀବନକୁ ବିପଦରେ ପକାଇ ପ୍ରଥମ ମହାସମର ବେଳେ ସେ ଜର୍ମାନୀରେ ଅବସ୍ଥାନ କରୁଥିଲେ ମଧ୍ୟ ଜର୍ମାନୀର ସମରସଜ୍ଜା ଏବଂ ଯୁଦ୍ଧାଭିଳାଷ ବିରୁଦ୍ଧରେ ଜନସାଧାରଣଙ୍କ ଆଗରେ ନିର୍ଭୀକ ଭାବରେ ବକ୍ତୃତା ଦେଇଥିଲେ । କିନ୍ତୁ ଜର୍ମାନୀରେ ପରମାଣୁ ବିଜ୍ଞାନର ଅଗ୍ରଗତି ଏବଂ ହିଟଲରଙ୍କର ପାଶବିକ ପ୍ରକୃତିର ସମନ୍ୱୟ ତାଙ୍କୁ ଅଥୟ କରିପକାଇଲା । ସେଥିପାଇଁ ସେ ଏକ ଦୀର୍ଘ ଇତିହାସ ପ୍ରସିଦ୍ଧ ତାରବାର୍ତ୍ତା ପଠାଇ ଯୁକ୍ତରାଷ୍ଟ୍ର ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ଫ୍ରେଙ୍କଲିନ୍ ରୁଜଭେଲ୍‌ଟଙ୍କୁ ଅନୁରୋଧ କରିଥିଲେ ପରମାଣୁ ଆବିଷ୍କାର ଦିଗରେ ସଚେଷ୍ଟ ହେବାପାଇଁ । ଏ ଦିଗରେ ଅନେକ ଇହୁଦୀ ଶରଣାର୍ଥୀ ବୈଜ୍ଞାନିକ ସାହାଯ୍ୟ କରିଥିଲେ । ଆଇନ୍‌ଷ୍ଟାଇନ୍‌ଙ୍କ ଏହି ଅନୁରୋଧ ମୂଳରେ ହିଂସାଭାବ ନ ଥିଲା । ତାଙ୍କର ଧାରଣା ଥିଲା ଯେ ଯୁକ୍ତରାଷ୍ଟ୍ର ଆମେରିକା ପରମାଣୁ ବୋମାରେ ସଜ୍ଜିତ ହେଲେ, ହିଟଲର ପରମାଣୁ ଶକ୍ତିର ଅପବ୍ୟବହାର କରିବାରୁ ପଛଘୁଞ୍ଚା ଦେବେ ଏବଂ ପୃଥିବୀର ନିରୀହ ଜନତା ପରମାଣୁ ବୋମା ବିସ୍ଫୋରଣଜନିତ ଉତ୍ତାପ ଓ ତେଜସ୍କ୍ରିୟ ବିକିରଣର କବଳରୁ ରକ୍ଷାପାଇବେ ।

 

ଜର୍ମାନୀରେ ପରମାଣୁ ବୋମାର ଆବିଷ୍କାର ସମ୍ବନ୍ଧରେ ଅଟୋହାନଙ୍କ ନେତୃତ୍ୱରେ ଗବେଷଣା ଚାଲିଲା । କିନ୍ତୁ ହିଟଲର ଥିଲେ ଧୈର୍ଯ୍ୟହୀନ ବ୍ୟକ୍ତି । ପରମାଣୁ ବୋମା ତିଆରିରେ ଡେରି ହେବାର ଦେଖି ସେ ସେହି ଦିଗରେ ମନୋନିବେଶ କରିନଥିଲେ । ଅପର ପକ୍ଷରେ ପଳାତକ ଜର୍ମାନ୍‌ ଇହୁଦୀ ବୈଜ୍ଞାନିକମାନଙ୍କ ବୁଦ୍ଧି ଏବଂ ଯୁକ୍ତରାଷ୍ଟ୍ରର ଧନର ବ୍ୟବହାର ହୋଇ ଆମେରିକାରେ ତିଆରି ହେଲା ସର୍ବପ୍ରଥମ ପରମାଣୁ ବୋମା ଓପେନ୍‌ ହେମ୍‌ରଙ୍କ ନେତୃତ୍ୱରେ ।

 

ତା’ପରେ ହୋଇଥିଲା ବୈଜ୍ଞାନିକ ଇତିହାସର ଏକ ଶୋଚନୀୟ ପରୀକ୍ଷା । ଆଇନ୍‌ଷ୍ଟାଇନ୍, ନିଲସ୍ ବୋର, ଓପେନ୍ ହେମର ପ୍ରମୁଖ ଶାନ୍ତିକାମୀ ବିଜ୍ଞାନବିତ୍ ପରମାଣୁ ବୋମାର ବ୍ୟବହାର ବିରୁଦ୍ଧରେ ଜନମତ ସୃଷ୍ଟି କଲେ, ପରମାଣୁ ବୋମାର ବ୍ୟବହାର ବନ୍ଦ କରିବାପାଇଁ ଏକ ସନନ୍ଦ ସ୍ୱାକ୍ଷର କରି ବିଭିନ୍ନ ରାଷ୍ଟ୍ରର ଜନମତକୁ ଅନୁରୋଧ କଲେ ।

 

୧୯୪୫ର ଘଟଣା । ଜର୍ମାନୀ ମେ’ରେ ପରାଜିତ ହୋଇ ଆତ୍ମସମର୍ପଣ କରିଥାଏ–ଜାପାନ କିନ୍ତୁ ଆତ୍ମସମର୍ପଣ କରି ନଥାଏ । ରାଷ୍ଟ୍ରପତି ଟ୍ରୁମେନ୍ ଏବଂ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ପୋର୍ଟସଡେମ କନ୍‌ଫରେନ୍‌ସରେ ଜାପାନ ବିରୁଦ୍ଧରେ ପରମାଣୁ ବୋମା ବ୍ୟବହାର କରିବା ପାଇଁ ସ୍ଥିର କଲେ, ପରମାଣୁ ଶକ୍ତିର ଉତ୍ସ ପାଇଥିବା ଶାନ୍ତିକାମୀ ବିଜ୍ଞାନବିତ୍‌ମାନଙ୍କ ମତ ବିରୁଦ୍ଧରେ । ଜୁଲାଇ ୧୬ରେ ପରମାଣୁ ବୋମାର ସଫଳ ପରୀକ୍ଷା ମିଳିତ ଶକ୍ତିର ଆଶାରେ ଉଦ୍ଦୀପନା ଆଣିଲା-। ସେତେବେଳକୁ ସେମାନଙ୍କ ହାତରେ ଥାଏ ମାତ୍ର ଦୁଇଟି ପରମାଣୁ ବୋମା । ସେହି ଅବସ୍ଥାରେ ଆଉ ଗୋଟିଏ ବୋମା ତିଆରି କରିବାକୁ ଅନେକ ଦିନ ଲାଗିଥାନ୍ତା ।

 

ଅଗଷ୍ଟ ୬, ୧୯୪୫ର କରୁଣ ପ୍ରଭାତ । ପ୍ରଥମ ପରମାଣୁ ବୋମା ହିରୋସିମା ଉପରେ ଆଠଟାବେଳେ ନିପତିତ ହେଲା । ଆଖି ପିଛୁଳାକେ ହଜାର ହଜାର ସଂଖ୍ୟାରେ ଆବାଳବୃଦ୍ଧବନିତା ମୃତ୍ୟୁମୁଖରେ ପତିତ ହେଲେ । ତେଜସ୍କ୍ରିୟ ବିକିରଣ ଏବଂ ଉତ୍ତାପର ଆଧିକ୍ୟରେ ମରଣର ତାଣ୍ଡବଲୀଳା ଅସହ୍ୟ ହୋଇପଡ଼ିଲା । ସୁନ୍ଦର ହିରୋସିମା ସହର ଦେଖୁ ଦେଖୁ ମାଟିରେ ମିଶିଗଲା । ତଥାପି ଜାପାନ ଆତ୍ମସର୍ପଣ କଲାନାହିଁ । ତା’ପରେ ଅଗଷ୍ଟ ୯ରେ ଜାପାନର ନାଗାସାକି ସହରରେ ଦ୍ୱିତୀୟ ପରମାଣୁ ବୋମା ନିକ୍ଷେପ କରାଗଲା । ଶେଷରେ ଅଗଷ୍ଟ ୧୦ରେ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କଲା ।

 

ଏ ତ ଗଲା ଇତିହାସ ପୃଷ୍ଠାର କେଇଟା ଅଂଶ, କିନ୍ତୁ ଏହି ଅବିସ୍ମରଣୀୟ କରୁଣ ଘଟଣା, ରାଜନୈତିକ କୂଟନୀତିର ଏହି ଅମାନୁଷିକ ମରଣଲୀଳା ମଣିଷକୁ ସଚେତନ କରିଦେଲା । ନିଜର ଶ୍ରେଷ୍ଠ ଆବିଷ୍କାର ଯେ ମାନବ ଜାତିର ଅପରିମିତ କ୍ଷତି କରିପାରେ ସେ ବିଷୟରେ ସମସ୍ତଙ୍କ ମନରେ ଆଲୋଡ଼ନ ସୃଷ୍ଟି ହେଲା ।

 

ହିରୋସିମା–ନାଗାସାକିର କରୁଣ କାହାଣୀ ମଣିଷ ଜାତି ମଧ୍ୟରେ ସୃଷ୍ଟି କଲା ଏକ ଭୟାବହ ଆଶଙ୍କା । ତେଜସ୍କ୍ରିୟତାର ପ୍ରାଦୁର୍ଭାବ ଶାନ୍ତିକାମୀ ମଣିଷ ମନରେ ସୃଷ୍ଟି କଲା ଆତଙ୍କ । ଅନେକଙ୍କର ଧାରଣା ହେଲା, ତେଜସ୍କ୍ରିୟତାର ଆଧିକ୍ୟ ରାହୁ ପରି ପୃଥିବୀର ଶାନ୍ତିକୁ ଗ୍ରାସ କରିଦେବ ।

 

ଏ ବିଷୟରେ ଅନେକ ଚର୍ଚ୍ଚା ଚାଲିଲା । ଟ୍ରୁମେନ ଓ ଚର୍ଚ୍ଚିଲଙ୍କ ଏହି ସିଦ୍ଧାନ୍ତର ରାଜନୈତିକ ଅଭିସନ୍ଧିର ଟିକିନିଖି ବିଚାର କରି ଅନେକେ ମତ ଦେଲେ ଯେ ଜାପାନକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ପରମାଣୁ ବୋମାର ପ୍ରୟୋଗ କରାଯାଇ ନ ଥିଲା, କାରଣ ଜର୍ମାନୀର ଆତ୍ମସମର୍ପଣ ପରେ ଜାପାନର ପତନ ପାଖେଇ ଆସିଥିଲା । ଜର୍ମାନୀକୁ ପଦାନତ କରିଥିବା ବିଜୟରେ ଗୌରବାନ୍ୱିତ ରୁଷିଆ ମିଳିତ ଶକ୍ତିର ଅନ୍ୟତମ ସଭ୍ୟ ହେଲେ ସୁଦ୍ଧା, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇଂଲଣ୍ଡ ତାକୁ ହୁଏତ ସୂଚେଇ ଦେବାକୁ ଚାହୁଁଥିଲେ ଯେ, ଯୁକ୍ତରାଷ୍ଟ୍ର ହିଁ ଦ୍ୱିତୀୟ ମହାସମରର ସର୍ବଶ୍ରେଷ୍ଠ ଶକ୍ତି । ଆଉ ଏହା ବୋଧହୁଏ ୧୯୪୫ ଅଗଷ୍ଟରେ ହୋଇଥିବା ବୋମାବର୍ଷଣର ରାଜନୈତିକ ଦୁରଭିସନ୍ଧି ।

 

ତେଜସ୍କ୍ରିୟତାର ବିଭିନ୍ନ ଗୁଣର ପୁଙ୍ଖାନୁପୁଙ୍ଖ ଗବେଷଣା ପରେ ତେଜସ୍କ୍ରିୟ ବିକିରଣର ଆଧିକ୍ୟ ଜୀବଜଗତର ଯେଉଁ ସବୁ କ୍ଷତି କରିପାରେ ସେ ବିଷୟରେ ଜ୍ଞାନ ଅର୍ଜନ କରି ମଣିଷ ମନରେ ଆତଙ୍କ ଖେଳିଗଲା । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ, ଅଜ୍ଞାନକ୍ରମେ, ରଞ୍ଜନ ରଶ୍ମିରେ ଶରୀରର ବିଭିନ୍ନ ଅଂଶ ଦେଖାଇ ନିଜର ଅସ୍ଥିର ଫଟୋ ପ୍ରଦର୍ଶନ କରି ପଇସା ରୋଜଗାର ପନ୍ଥା ଅନୁସରଣ କରି ଅନେକ ମେଜିସିଏନ୍ ରଞ୍ଜନରଶ୍ମିର ଆଧିକ୍ୟରେ ମୃତ୍ୟୁବରଣ କରିଛନ୍ତି । ତେଜସ୍କ୍ରିୟ ବିକିରଣର ଗାମାରଶ୍ମି ହେଉଛି ରଞ୍ଜନରଶ୍ମିଠାରୁ ଅଧିକ ଶକ୍ତିଶାଳୀ । ମାଡ଼ାମ କ୍ୟୁରୀ ସାରା ଜୀବନ ତେଜସ୍କ୍ରିୟତା ସମ୍ୱନ୍ଧୀୟ ଗବେଷଣା କରି ମାନବ ଜାତିର ଉପକାର କରିବା ସମୟରେ ତେଜସ୍କ୍ରିୟ ବିକିରଣର ଶିକାର ହୋଇ ଶହୀଦ ପାଲଟି ଯାଇଛନ୍ତି । ତେଜସ୍କ୍ରିୟ ବିକିରଣର ସାନ୍ଦ୍ରତା ବୃଦ୍ଧି ମଣିଷ ଜାତିର ଯେଉଁ କ୍ଷତି କରିପାରିବ ସେ ବିଷୟରେ ମଣିଷ ମନରେ ଚେତନା ଆସିଥିଲେ ସୁଦ୍ଧା ରାଜନୈତିକ ଅଭିସନ୍ଧି ସାଧନ କରିବା ପାଇଁ ଏବେବି ପରୀକ୍ଷାମୂଳକ ବିସ୍ଫୋରଣ ଚାଲିଛି ।

 

ଭାଗ୍ୟ ଭଲ, ରୁଷିଆ ଓ ଆମେରିକା ଉଭୟେ ପରମାଣୁ ଅସ୍ତ୍ରର ସାଜସଜ୍ଜାରେ ସମାନ୍ତର ଭାବରେ ଅଗ୍ରସର କରୁଛନ୍ତି । ତା’ ପଛକୁ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ପରମାଣୁ ଦୌଡ଼ରେ ଭାଗ ନେଇ ସାରିଲେଣି । ସେଥିପାଇଁ କୌଣସି ଗୋଟିଏ ଦେଶ ଅନ୍ୟ କାହା ଉପରେ ବୋମା ନିକ୍ଷେପ କରିବାର ଆଶଙ୍କା କମିଗଲାଣି ।

 

ପରମାଣୁ ବୋମାଜନିତ ତେଜସ୍କ୍ରିୟତାର ରୁଦ୍ର ରୂପ ମଣିଷକୁ ଅନେକ ଶିକ୍ଷା ଦେଇଛି । ଆଜି ମେଗାଟନ ବୋମା ତିଆରି ହେଲାଣି । ମାରଣାସ୍ତ୍ର ବୋହିବା ପାଇଁ ଆଜିକାଲି ଆନ୍ତର୍ଜାତିକ କ୍ଷେପଣାସ୍ତ୍ରର ଉନ୍ନତି ସାଧନ ହେଲାଣି । ମାରଣାସ୍ତ୍ର ବୋହିବା ପାଇଁ ଆଜିକାଲି ଆନ୍ତର୍ଜାତିକ କ୍ଷେପଣାସ୍ତ୍ରର ଉନ୍ନତି ସାଧନ ହେଲାଣି । କେତେବେଳେ କେଉଁ ମୁହୂର୍ତ୍ତରେ ପରମାଣୁ କିମ୍ବା ଉଦ୍‌ଜାନ ବୋମାର ପ୍ରୟୋଗରେ ଯେଉଁ ବିଷମୟ ପରିଣତି ଅଛି ସେହି ଆଶଙ୍କାରେ ଆଜି ମଣିଷ ବଞ୍ଚିରହିଛି । ଆଜି ଖଣ୍ଡାଧାରରେ ଶାନ୍ତି ଚାଲିଛି ଟିକିଏ ଏପଟ ସେପଟ ହେଲେ ମୃତ୍ୟୁର ବିଭୀଷିକା-। ଆଜିକାଲି ପୃଥିବୀର ବିଭିନ୍ନ ଅଞ୍ଚଳରେ ଦେଶ ଦେଶ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଛି । ପରମାଣୁ ଅସ୍ତ୍ରର ଉନ୍ନତି ସାଧନ ହୋଇଥିଲେ ସୁଦ୍ଧା ତାହା ଯୁଦ୍ଧରେ ବ୍ୟବହାର କରାଯାଉନାହିଁ । ପରମାଣୁ ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ତେଜସ୍କ୍ରିୟ ବିକିରଣର ଆଧିକ୍ୟରେ ମଣିଷର ଯେଉଁ ଅପରିମିତ କ୍ଷତି ହୋଇପାରେ ସେ ଦିଗରେ ମଣିଷ ସଜାଗ ରହିଛି । ପରମାଣୁ ବୋମା ଏବଂ ଉଦ୍‌ଜାନ ବୋମା ଥିଲେ ସୁଦ୍ଧା ଆଜି କେହି ତା’ର ଅପବ୍ୟବହାର କରିବାକୁ ସାହସ କରୁନାହିଁ, କାରଣ ଆଶଙ୍କା ଅଛି ପ୍ରତି ଆକ୍ରମଣର ଭୀଷଣ ପରଣତି । ଏ ତ ଆଉ ଲାଠି ଯୁଦ୍ଧ ନୁହେଁ ଯେ ସାମାନ୍ୟ ଖଣ୍ଡିଆଖାବରା ହୋଇ ସଂଘର୍ଷର ଅବସାନ ଘଟିବ ? ଏ ତ ବନ୍ଧୁକ ଆଉ ତୋପର ଯୁଦ୍ଧ ନୁହେଁ ଯେ କେଇ ହଜାର ଲୋକ ମଲା ପରେ ସନ୍ଧିର ସୂତ୍ରପାତ ହେବ । ପୁରାକାଳରେ ଅନେକ ମହାସମର ଝିମିଟି ଖେଳରୁ ହୋଇଆସିଛି । ଚଳିତ ଶତାବ୍ଦୀର ଦୁଇଟି ମହାସମର ମଧ୍ୟ ଖାମଖିଆଲି ଭାବରେ ହୋଇଯାଇଛି । କିନ୍ତୁ ଭବିଷ୍ୟତର ମହାସମରରେ ଖାମଖିଆଲି ଆଉ ଚଳିବ ନାହିଁ ।

 

ପରମାଣୁ ବୋମା ଏବଂ ତେଜସ୍କ୍ରିୟତାର ସାନ୍ଦ୍ରତା ବୃଦ୍ଧି ମଣିଷକୁ ଆତଙ୍କିତ କରୁଛି ସତ; କିନ୍ତୁ ସେହି ଆତଙ୍କର ଆଢ଼ୁଆଳରେ ପରିବେଷଣ କରିଛି ଶାନ୍ତି । ପରମାଣୁ ଏବଂ ଉଦ୍‌ଜାନ ବୋମା ଯେତିକି ଶକ୍ତିଶାଳୀ ହେବ, ମଣିଷର ଆଶଙ୍କା ସେତିକି ଭୟାବହ ହେବ ସତ–କିନ୍ତୁ ବଞ୍ଚିରହିବାର ବାସନା ତ ସମସ୍ତଙ୍କର ଅଛି । ସେଥିପାଇଁ ପରମାଣୁ ବୋମା ବ୍ରହ୍ମାସ୍ତ୍ର ହୋଇ ବିଭିନ୍ନ ଦେଶର ହାତରେ ଥିଲେ ମଧ୍ୟ ତାହା ବ୍ୟବହୃତ ହୋଇପାରିବ ନାହିଁ । ତା’ ସଙ୍ଗେ ସଙ୍ଗେ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟ ଅପସରି ଯାଇଛି ପଶ୍ଚାତ୍‌ଭାଗକୁ ।

 

ସେଥିପାଇଁ ପରମାଣୁ ଏବଂ ଉଦ୍‌ଜାନ ବୋମାଜନିତ ଅସୀମ କ୍ଷତିର ଆଶଙ୍କାରେ ମଣିଷ ମନ ସବୁବେଳେ ଆଲୋଡ଼ିତ ସତ; କିନ୍ତୁ ବଞ୍ଚିରହିବାର ବାସନା ସବୁଠୁ ପ୍ରବଳ । ତେଣୁ ପରମାଣୁ ବୋମାକୁ ମାନବ ସମାଜ ବିଶେଷ ଭୟ କରିବାର କାରଣ ନାହିଁ । ପରମାଣୁ ବୋମା ଅଛି–ଆଉ ୧୯୪୫ରେ ତାହା ମଣିଷ ଜାତିର ଅନେକ କ୍ଷତି କରିଥିଲା–ସେ ହୋଇଛି ଆମର ଶିକ୍ଷକ । ବିଶ୍ୱଶାନ୍ତି ତେଣୁ ଆଜି ବିପନ୍ନ ନୁହେଁ । ପରମାଣୁ ବୋମାର ଛାୟା ତେଣୁ ଆଜି ରାହୁର ଛାୟା ହୋଇ ରହିନି । ପରମାଣୁ ବୋମାର ବାହୁଛାୟା ତଳେ ଆଜି ମଣିଷର ହିଂସାତ୍ମକ ଆଦିମ ପ୍ରବୃତ୍ତି ଏକ ଗେଟାପାର୍ଚାର କଣ୍ଢେଇ । ସେହି ବାହୁଛାୟା ତଳେ ଶାନ୍ତି ଆଜି ସୁରକ୍ଷିତ ।

Image

 

ଆଶାର ଆଲୋକ ନା ମୃତ୍ୟୁର ରଶ୍ମି ?

 

[ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ମହାଦେବଙ୍କ ତୃତୀୟ ନେତ୍ରରୁ ନିର୍ଗତ ରଶ୍ମି କାମଦେବଙ୍କୁ ଭସ୍ମୀଭୂତ କରିଥିଲା । ଯେଉଁ ଆଲୋକ ଇନ୍ଦ୍ରଧନୁ ରଙ୍ଗର ବିଭିନ୍ନ ଆଲୋକ ଗୁଚ୍ଛ ହୋଇ କବିତାର ଉତ୍ସ ସୃଜନ କରେ, ତାହା ଯେ ଏତିକି ମାରାତ୍ମକ ହୋଇପାରିବ, ତାହା ବିଶ୍ୱାସ ଲାଗେନା । ତେଣୁ ଲୋକେ ଭାବନ୍ତି ପୁରାଣ ସଂପୂର୍ଣ୍ଣ ମିଥ୍ୟା । କିନ୍ତୁ ଏପରି ଏକ ଶକ୍ତିଶାଳୀ ଆଲୋକ ଗୁଚ୍ଛର ଏବେ ଉଦ୍ଭାବନ ହୋଇଛି, ଯାହା ପୁରାଣ ବର୍ଣ୍ଣିତ ରଶ୍ମି ସଙ୍ଗେ ସମାନ । ଏହି ବୈଚିତ୍ରାମୟ ଆଲୋକ ଗୁଚ୍ଛର ଏକ ନୂତନ ରୂପ ଏହି ପ୍ରବନ୍ଧରେ ବର୍ଣ୍ଣିତ, ଯାହା ଆଧୁନିକ ଯୁଗରେ ଲେସର (laser) ନାମରେ ପରିଚିତ । ଏହି ନବୀନତମ ଆଲୋକ ଗୁଚ୍ଛ ବେଳେବେଳେ ମଣିଷର ବହୁବିଧ ଉପକାର କରି ଆଶାର ସଞ୍ଚାର କରେ, ଆଉ କେବେ ବା ଉନ୍ମତ୍ତ ହୋଇ ରଚିଯାଏ ମୃତ୍ୟୁର ବିଭୀଷିକା ।]

 

ଘନ ସାନ୍ଦ୍ରତା ବିଶିଷ୍ଟ ଆଲୋକ ରଶ୍ମିର ପ୍ରଭାବ ସମସ୍ତଙ୍କୁ ବିଦିତ । ଗୋଟିଏ ଉତ୍ତଳ ଯବକାଚ କିମ୍ୱା ଅବତଳ ଫଳକ ସାହାଯ୍ୟରେ ଆଲୋକରଶ୍ମିକୁ ସଂଗମ (focus)ରେ ଏକତ୍ର କରି ଅଭିଷ୍ଟ ସ୍ଥାନରେ ଆଲୋକର ସାନ୍ଦ୍ରତାର ବୃଦ୍ଧି କରାଯାଇପାରେ । ଏହି ସାନ୍ଦ୍ରିତ ରଶ୍ମିର ପ୍ରଭାବରେ ଅଗ୍ନୀତ୍ପାତ ମଧ୍ୟ କରାଯାଇଥାଏ । ସାନ୍ଦ୍ରିତ ଏବଂ ପ୍ରତିଫଳିତ ରଶ୍ମିର ବ୍ୟବହାର କରି ଶତ୍ରୁର ଦୃଷ୍ଟିଶକ୍ତି ହ୍ରାସ କରିବାର ମଧ୍ୟ ଦୃଷ୍ଟାନ୍ତ ଅଛି । ତେଣୁ ସାନ୍ଦ୍ରିତ ଅବସ୍ଥାରେ ଆଲୋକଗୁଚ୍ଛ ଏକ ଅସ୍ତ୍ର ରୂପରେ ମଧ୍ୟ ବ୍ୟବହୃତ ହୋଇପାରେ ।

 

ଉପର୍ଯ୍ୟୁକ୍ତ ପ୍ରଣାଳୀରେ ସାନ୍ଦ୍ରତା ବୃଦ୍ଧି କଲେ କେବଳ ଗୋଟିଏ ବିନ୍ଦୁରେ ସାନ୍ଦ୍ରତା ବୃଦ୍ଧି ହୋଇଥାଏ । କିନ୍ତୁ ଅନେକ ଦୂର ବ୍ୟାପୀ ସାନ୍ଦ୍ରତା ବୃଦ୍ଧି ସେସବୁ ଉପାୟରେ ସମ୍ଭବ ନୁହେଁ । ୧୯୫୧ ମସିହାରେ ସର୍ବପ୍ରଥମେ କଲମ୍ବିଆ ବିଶ୍ୱବିଦ୍ୟାଳୟର ଡକ୍‌ଟର ଚାର୍ଲସ୍ ଟାଉନ୍‌ସ ମାଇକ୍ରୋ ତରଙ୍ଗକୁ ସାନ୍ଦ୍ରିତ କରି ମେସର (maser) ନାମକ ଯନ୍ତ୍ରର ମୂଳଦୁଆ ଦେଇଥିଲେ । ମେସର ପ୍ରକୃତରେ ଏକ ସଂକ୍ଷିପ୍ତ ଶବ୍ଦ, ଯାହାର ପୂରା ନାମ ହେଉଛି ବିକିରଣର ଉତ୍ତେଜିତ ଉତ୍ସର୍ଜନ ଦ୍ୱାରା ସୂକ୍ଷ୍ମତରଙ୍ଗର ପ୍ରବର୍ଦ୍ଧନ–microwave amplification by stimulated emission of radiation । ଏହି ଭିତ୍ତିରେ ଆଲୋକକୁ ମଧ୍ୟ ପ୍ରବର୍ଦ୍ଧିତ କରାଯାଇଛି । ହ୍ୟୁଜସ୍ ବ୍ୟୋମଯାନ କମ୍ପାନୀର ଡକ୍‌ଟର ଥିଓଡ଼ର ମଇମାନ ପ୍ରଥମ ଲେସରର ନିର୍ମାତା । ଲେସରର ସମ୍ପୂର୍ଣ୍ଣ ବ୍ୟାଖ୍ୟା ହେଲା–ବିକିରଣ ଉତ୍ତେଜିତ ଉତ୍ସର୍ଜନ ଦ୍ୱାରା ଆଲୋକର ପ୍ରବର୍ଦ୍ଧନ–light amplification by stimulated emission of radiation.

 

ଲେସର ଏପରି ଏକ ଯନ୍ତ୍ର ଯେଉଁଠୁ ଏକ ସଂକୀର୍ଣ୍ଣ ଅଥଚ ଅତି ଶକ୍ତିଶାଳୀ ଆଲୋକଗୁଚ୍ଛ ଉତ୍ସର୍ଜିତ କରାଯାଇପାରେ । ସାଧାରଣ ସନ୍ଧାନୀ ଆଲୁଅ (search light)ରେ ଚନ୍ଦ୍ରକୁ ଲକ୍ଷ୍ୟ କଲେ ତା’ର ଆଲୋକ ଚନ୍ଦ୍ରାଲୋକରେ ପ୍ରାୟ ୨୫୦୦ ମାଇଲ ବ୍ୟାସ ବିଶିଷ୍ଟ ଏକ ବୃତ୍ତରେ ପତିତ ହେବ ଏବଂ ସେହି ଆଲୋକର ପ୍ରତିଫଳିତ ଅଂଶ ପୃଥିବୀ ପୃଷ୍ଠରେ ଗ୍ରହଣ କରିବା ଅସମ୍ଭବ ପ୍ରାୟ । କିନ୍ତୁ ମାସାଚ୍ୟୁସେଟ୍‌ସର କାରିଗରି ସଂସ୍ଥାର ଲିଙ୍କନ ଗବେଷଣାଗାରରୁ ପଠାଯାଇଥିବା ଏକ ସଂକୀର୍ଣ୍ଣ ଲୋହିତ ରଶ୍ମିଗୁଚ୍ଛ ଚନ୍ଦ୍ରାଲୋକରେ ପ୍ରତିଫଳିତ ହୋଇ ପୁଣିଥରେ ଗବେଷଣାଗାରକୁ ଫେରିଆସି ଆଲୋକଗୁଚ୍ଛର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା । ଏହି ପ୍ରତିଫଳିତ ରଶ୍ମିକୁ ଗ୍ରହଣ କରିବା ପାଇଁ କୌଣସି ଅସୁବିଧା ହୋଇନଥିଲା । ଏହି ନୂତନ ଧରଣର ସଂକୀର୍ଣ୍ଣ ରଶ୍ମି ଗୁଚ୍ଛ ଲେସର ନାମକ ଏକ ନବୀନତମ ଯନ୍ତ୍ରରୁ ନିର୍ଗତ କରାଯାଇପାରେ । ଲେସର ରଶ୍ମି ଦୁଇମାଇଲ ଦୂରରେ ଏକ ବିନ୍ଦୁ ଆକାରରେ ଗ୍ରହଣ କରାଯାଇପାରେ ।

ଲେସର ହେଉଛି ବିଂଶଶତାବ୍ଦୀର ଅପରାର୍ଦ୍ଧର ଏକ ପ୍ରଧାନ ଉଦ୍ଭାବନ । ୧୯୬୦ବେଳୁ ଏହି ଯନ୍ତ୍ର ପ୍ରଥମେ କାର୍ଯ୍ୟକାରୀ ରୂପେ ପ୍ରସ୍ତୁତ ହେଲା ଦିନରୁ ଶତାଧିକ ଗବେଷଣାଗାରରେ ଲେସର ଉପରେ କୋଟି କୋଟି ଟଙ୍କା ବ୍ୟୟରେ ଗବେଷଣା ଚାଲିଛି ଏବଂ ଏହାର ଭଲମନ୍ଦ ଗୁଣାବଳୀ ଅନୁଧ୍ୟାନ କରାଯାଉଛି ।

ଗୋଟିଏ ସାଧାରଣ ଲେସରକୁ ନିମ୍ନଲିଖିତଭାବରେ ବର୍ଣ୍ଣନା କରାଯାଇପାରେ । ଗୋଟିଏ ଛୋଟ ରୁବି ଯଷ୍ଟିର ଉଭୟ ପାର୍ଶ୍ୱକୁ ଆଂଶିକ ଦର୍ପଣ ରୂପେ ପରିଣତ କରାହୁଏ । ଜେନନ୍‌ ଫ୍ଲାସ୍‌ ଲେମ୍ପ୍‌ (xenon flash lamp)ଦ୍ୱାରା ତାହାକୁ ଆବୃତ କରାଯାଏ । ଫ୍ଳାସ୍‌ ଲେମ୍ପର ଆଲୋକ ଯଷ୍ଟି ଭିତରକୁ ପ୍ରବେଶ କରେ ଏବଂ ଭିତରେ ଥିବା କ୍ରୋମିୟମ ପରମାଣୁକୁ ମୁହୂର୍ତ୍ତକ ପାଇଁ ଅତିମାତ୍ରାରେ ଉତ୍ତେଜିତ କରେ । ଏହି ଉତ୍ତେଜିତ ପରମାଣୁରୁ ଆଲୋକ ମୁଣି ନିର୍ଗତ ହୁଏ, ଏବଂ ତାହା ପୁଣିଥରେ ଅନ୍ୟାନ୍ୟ ପରମାଣୁ ସହିତ ବାଧାପ୍ରାପ୍ତ ହୋଇ ଉତ୍ତେଜନା ସୃଷ୍ଟି କରେ । ଏପରି ଭାବରେ ଗୋଟିଏ କ୍ରିୟାଶୃଙ୍ଖଳା (chain reaction)ର ସୃଷ୍ଟି ହୁଏ । ଯଷ୍ଟି ଭିତରେ ନିଃସୃତ ଆଲୋକ ରଶ୍ମି ଉଭୟ ପାର୍ଶ୍ୱରେ ପ୍ରତିଫଳିତ ହୋଇଥାଏ ଏବଂ ଲକ୍ଷ ଲକ୍ଷ ପରମାଣୁ ଏହି ପ୍ରକ୍ରିୟାରେ ଭାଗ ନିଅନ୍ତି । ତା’ପରେ ପରିଣମିତ ଶକ୍ତିଶାଳୀ ରଶ୍ମୀ ନିର୍ଗତ ହୁଏ । ଏହା ଦୂରବୀକ୍ଷଣ ଯବକାଚ ଦ୍ୱାରା ଏକ ସଂକୀର୍ଣ୍ଣ ଏବଂ ଆକାଶଭେଦୀ ରଶ୍ମିରୂପେ ସଙ୍ଗମିତ ହୁଏ ।

ଅତି ଛୋଟ ଧରଣର ଲେସର ତିଆରି ହେଲାଣି–ଯାହା ଲେସର ଛୁରି ନାମରେ ବିଦିତ-। ଏହାକୁ ବ୍ୟବହାର କରି ରୋଗୀର ଆଖି ଭିତରେ ଥିବା ଅନେକ ଛୋଟ ଆବୁକୁ ନଷ୍ଟ କରାଯାଇପାରେ । ଏହା ସାହାଯ୍ୟରେ ଶରୀର ଭିତରେ ଥିବା ଅନେକ ଅସ୍ୱାଭାବିକ ଅଂଶକୁ ବିନା ଅସ୍ତ୍ରୋପଚାରରେ ଆରୋଗ୍ୟ କରିବାର ଆଶା ଅଛି । ଏହା କାର୍ଯ୍ୟକାରୀ ହେଲେ ତେଜସ୍କ୍ରିୟ ଛୁଞ୍ଚି ଅପେକ୍ଷା ଏହା ଅଧିକ ଦକ୍ଷତାର ସହିତ ଏବଂ କ୍ଷତିର ଆଶଙ୍କା ନଥାଇ ବ୍ୟବହାର କରାଯାଇପାରିବ ବୋଲି ଆଶା କରାଯାଏ । ଆଲୋକ ବିନ୍ଦୁକୁ ଅତି କ୍ଷୁଦ୍ର କରି ପ୍ରୋଟିନ୍ ଅଣୁ ଉପରେ ମଧ୍ୟ ବ୍ୟବହାର କରାଯିବାର ଚେଷ୍ଟା କରାହେଉଛି । ଏପରି ହେଲେ ଅଣୁର ଗଠନକୁ ପରିବର୍ତ୍ତନ କରାଯିବାର ଆଶା କରାହୁଏ । କେବଳ ସେତିକି ନୁହେଁ-ଜୀବବିତ୍‌ମାନେ ଆଶା କରନ୍ତି ଯେ, ଯେକୌଣସି ଜୀବକୋଷ ଉପରେ ଲେସର ରଶ୍ମି ଦକ୍ଷତାର ସହିତ ବ୍ୟବହାର ହୋଇପାରିବ । ତେଣୁ ଅନେକ ଏହିସବୁ ଛୋଟ ଲେସରକୁ କ୍ଷୁଦ୍ର ଡାକ୍ତର ବୋଲି କହନ୍ତି ।

ଛୋଟ ଧ୍ୱଂସକାରୀ ଲେସର ମଧ୍ୟ ବିଭିନ୍ନ ଗବେଷଣାଗାରମାନଙ୍କରେ ପ୍ରଦର୍ଶିତ ହେଲାଣି । ଲେସର ରଶ୍ମିକୁ ସୂର୍ଯ୍ୟଠୁ ବି ଲକ୍ଷାଧିକ ଗୁଣ ଅଧିକ ଉତ୍ତପ୍ତ କରାଯାଇପାରେ । ଏହାଦ୍ୱାରା ଗୋଟିଏ ଲୁହା ପାତିଆରେ ଅକ୍ଳେଶରେ କଣା କରାଯାଇପାରେ । ସବୁ ବସ୍ତୁ ଭିତରେ ଶକ୍ତ ହୀରାରେ ମଧ୍ୟ ଏହି ଉପାୟରେ କଣା କରାଯାଇପାରେ । ଏହି ସବୁ ଦୃଷ୍ଟିରୁ ବର୍ତ୍ତମାନ ବିଚାର କରାଯାଉଛି ଯେ ଗୋଟିଏ ବିରାଟକାୟ ଲେସର ବ୍ୟବହାର କରି ଶହ ଶହ ମାଇଲ ଦୂରରେ ଥିବା ଧାତୁଖଣ୍ଡକୁ ବାଷ୍ପରେ ପରିଣତ କରାଯାଇପାରିବ । ଏହାକୁ ଉପାଦାନ କରି ସାମରିକ କଳ୍ପନା ଜଳ୍ପନା ମଧ୍ୟ ଆଗେଇ ଚାଲିଛି । କିଛିଦିନ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକାର ବିମାନ ବାହିନୀର ପ୍ରଧାନ ସେନାପତି ଜେନେରେଲ କରଟିସ୍‌ ଲେମେ ଏହି ସଂକୀର୍ଣ୍ଣ ଅଥଚ ଶକ୍ତିଶାଳୀ ଏବଂ ଆକାଶଭେଦୀ ଆଲୋକଗୁଚ୍ଛର ସାମରିକ ପ୍ରାଧାନ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ଘଣ୍ଟାକୁ ୧୫୦୦୦ମାଇଲ ଗତିଶୀଳ ଆନ୍ତର୍ଜାତିକ କ୍ଷେପଶାସ୍ତ୍ର, ସେକେଣ୍ଡକୁ ୧୮୬୦୦୦ ମାଇଲ ଗତିଶୀଳ ଏହି ଶକ୍ତିଶାଳୀ ଆଲୋକଗୁଚ୍ଛ ତୁଳନାରେ ଅତି ଧୀର ଗତିର କ୍ଷେପଣାସ୍ତ୍ର ବୋଲି ମନେହୁଏ । ତେଣୁ ଭବିଷ୍ୟତରେ ଏହି ସବୁ ଅମୋଘ ମାରଣାସ୍ତ୍ରକୁ ବାଷ୍ପୀକୃତ କରିବାପାଇଁ ଶିବଙ୍କର ତୃତୀୟ ଚକ୍ଷୁର ଆକାଶଭେଦୀ ଆଲୋକ ଯେ ବ୍ୟବହୃତ ହେବ ଏଥିରେ ସନ୍ଦେହ ନାହିଁ । ଅବଶ୍ୟ ଏହି ଆଲୋକପାତ କରି ଗୋଟିଏ ଦେଶର କ୍ଷତି ମଧ୍ୟ କରାଯାଇପାରେ ଏବଂ ମେରୁ ପ୍ରଦେଶର ବରଫକୁ ତରଳେଇ ତାକୁ ଏକ ଶସ୍ୟଶ୍ୟାମଳା ଅଞ୍ଚଳ କରାଯାଇପାରେ ।

ଏକ ଅପ୍ରଶସ୍ତ କମ୍ପନ ପଟ୍ଟ (narrow frequency band) ବ୍ୟବହାର କରିବା ହେଲା ଲେସର୍‌ର ଏକ ଗୁପ୍ତ ତଥ୍ୟ । ତେଣୁ ରେଡ଼ିଓ ତରଙ୍ଗ ଭଳି ଏହି ଆଲୋକଗୁଚ୍ଛ ନିୟନ୍ତ୍ରଣ କରିବା ସହଜସାଧ୍ୟ–ସାଧାରଣ ଆଲୋକ ଭଳି ଏହା ଏକ ବାରମଜା ମିକ୍‌ଶ୍ଚର ନୁହେଁ । ଲେସରର ଏହି ଅପ୍ରଶସ୍ତ କମ୍ପନପଟ୍ଟ ବିଶିଷ୍ଟ ତରଙ୍ଗକୁ ରେଡ଼ିଓ, ଟେଲିଫୋନ୍ ଏବଂ ଟେଲିଭିଜନରେ ବ୍ୟବହାର କରିବାରେ ବର୍ତ୍ତମାନ ସମସ୍ତେ ମନୋନିବେଶ କରିଛନ୍ତି । ଏହା ସାହାଯ୍ୟରେ ଶବ୍ଦ କିମ୍ବା ଚିତ୍ର ଅତି ଦୂରକୁ ପଠେଇବାର ଅନେକ ସୁବିଧା ଅଛି । ଗୋଟିଏ ସଂକୀର୍ଣ୍ଣ ଆଲୋକଗୁଚ୍ଛର ବିଭିନ୍ନ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ତରଙ୍ଗକୁ ବିଭିନ୍ନ ଶବ୍ଦ ପାଇଁ ବ୍ୟବହାର କଲେ, ଏହା ଏକାସାଙ୍ଗରେ ଲକ୍ଷାଧିକ ଟେଲିଫୋନ ତାରର କାମ କରିବାର ଗଣନା କରାଯାଇଛି ଏବଂ ସେ ଦିଗରେ ବ୍ୟବହାର କରିବାର ପ୍ରଚେଷ୍ଟା ଚାଲିଛି । ତେଣୁ ଗୋଟିଏ ଆଲୋକଗୁଚ୍ଛ ଲକ୍ଷାଧିକ ଟେଲିଫୋନ ତାରର କାମ କରିପାରିବାର ଆଶା ଧୀରେ ଧୀରେ ଉଜ୍ଜ୍ୱଳତର ହେଉଛି । ଲେସର ଆଲୋକ ସାଧାରଣ କୁହୁଡ଼ିରେ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ପାଇପ୍ ଭିତରେ ନେଇ ଟେଲିଫୋନ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାର କଳ୍ପନା ଚାଲିଛି । ସେପରି ଗୋଟିଏ ଆଲୋକଗୁଚ୍ଛ ସହସ୍ରାଧିକ ଟେଲିଭିଜନ ପ୍ରୋଗ୍ରାମ ଏକା ସାଙ୍ଗରେ ପ୍ରେରଣ କରିବାର ଚେଷ୍ଟା ଚାଲିଛି ।

ଲେସର ଆଲୋକ ରାଡ଼ାର ପରିବର୍ତ୍ତରେ ବ୍ୟବହୃତ ହେବାର ବହୁତ ସମ୍ଭାବନା ଅଛି । ଏହି ସଂକୀର୍ଣ୍ଣ ଆଲୋକଗୁଚ୍ଛ କୌଣସି ଗତିଶୀଳ ବସ୍ତୁରୁ ପ୍ରତିଫଳିତ ହୋଇ ସେହି ବସ୍ତୁର ଗତି ଓ ସ୍ଥିତି ଉପରେ ସମ୍ୟକ୍‌ ଜ୍ଞାନ ଦେଇପାରିବ କେବଳ ସେତିକି ନୁହେଁ, ଏହା ରାଡ଼ାର ତୁଳନାରେ ଦଶ ହଜାର ଗୁଣ ଦକ୍ଷ ବୋଲି ଜଣାପଡ଼ିଛି । ଏହା ଏପରି ଏକ ସୂକ୍ଷ୍ମ ଯନ୍ତ୍ର ଯାହା ଗୋଟିଏ ଶାମୁକାର ଗତି ମଧ୍ୟ ସଠିକ ଭାବରେ କହିପାରିବ । ସେଥିପାଇଁ ଗୋଇନ୍ଦାଗିରି କରିବାପାଇଁ ଏହା ଏକ ଉତ୍କୃଷ୍ଟ ଯନ୍ତ୍ର ।

ସର୍ବପ୍ରଥମେ ଲେସର ନିଃସୃତ ଆଲୋକଗୁଚ୍ଛ ନୀଳ ଲୋହିତୋତ୍ତର ହୋଇଥିବାରୁ ଏହା ଆଖିକୁ ଦିଶୁନଥିଲା; କିନ୍ତୁ ଏବେ ବିଭିନ୍ନ ରଙ୍ଗର ଲେସର ଆଲୋକ ମଧ୍ୟ ନିର୍ଗତ କରାଯାଇପାରୁଛି । ସେଥିପାଇଁ ଏହା ଇଲେକ୍‌ଟ୍ରିକ୍‌ ବଲ୍‌ବକୁ ଧୀରେ ଧୀରେ ଲଣ୍ଠନର ଯୁଗକୁ ନେଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ । ଏହା ସମ୍ଭବ ହେଲେ ଆମର ବ୍ୟାବହାରିକ ଆଲୋକ ହେବ ଗୋଟିଏ ପେନ୍‌ସିଲ ମୁନର ଆକୃତି ବିଶିଷ୍ଟ ଲେସର ଯାହା କେବେ ବି ପୋଡ଼ିବ ନାହିଁ ।

ଏହି ବହୁଗୁଣସମ୍ପନ୍ନ ସଂକୀର୍ଣ୍ଣ ଅଥଚ ଶକ୍ତିଶାଳୀ ଆକାଶଭେଦୀ ଆଲୋକରଶ୍ମି ବର୍ତ୍ତମାନ ବିଜ୍ଞାନଜଗତରେ ଯେତିକି କୌତୂହଳ ସୃଷ୍ଟି କରିଛି, ସାମରିକ ଏବଂ ସାମାଜିକ ଜୀବନରେ ସେତିକି ଆଶା ଓ ଆଶଙ୍କା ସୃଷ୍ଟି କରିଛି । ଗୋଟିଏ ଦିଗରେ ଏହା ଆଶାର ଆଲୋକ - ଅନ୍ୟ ଦିଗରେ ମୃତ୍ୟୁର ରଶ୍ମି ।

Image

 

ସର୍ବେ ଭବନ୍ତୁ ସୁଖିନଃ

 

ଦୁନିଆଁରେ ଯେତେବେଳେ ଶାନ୍ତିର ବାୟୁମଣ୍ଡଳକୁ ବିଷାକ୍ତ କରିବା ପାଇଁ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ତେଜସ୍କ୍ରିୟ ପଦାର୍ଥ ପର୍ଯ୍ୟନ୍ତ ମୁଣ୍ଡ ଟେକି ରହିଛନ୍ତି, ସେତେବେଳେ ମଣିଷ ମନରେ ପ୍ରଶ୍ନ ଉଠେ–ଦୁନିଆରେ ଆଉ ଶାନ୍ତି ଓ ସୁଖ ମିଳିବ କି ? ସାଧାରଣ ମଣିଷ ମନରେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ । କିନ୍ତୁ ଯେ ଏହାର ଉତ୍ତର ଦେଇ କହେ–ବର୍ତ୍ତମାନ ଦୁନିଆରେ ସୁଖ ଏବଂ ଶାନ୍ତି ନାହିଁ, ସେ ହୁଏତ ଗଭୀର ଚିନ୍ତା କରିନାହିଁ ।

 

ଦେଶ ଦେଶ ଭିତରେ ମନୋମାଳିନ୍ୟ, ଆନ୍ତର୍ଜାତିକ ରାଜନୀତିରେ ଶୀତଳ ଯୁଦ୍ଧର ଲୁକ୍‌କାୟିତ ଧାରା ଏବଂ ସର୍ବୋପରି ପାରମାଣବିକ ଅସ୍ତ୍ର ଓ କୃତ୍ରିମ ଉପଗ୍ରହର ଅପବ୍ୟବହାର ଆଶଙ୍କା ସାଧାରଣ ମଣିଷ ମନରେ ଆଲୋଡ଼ନ ସୃଷ୍ଟି କରିବା ସୁନିଶ୍ଚିତ ହେଲେ ମଧ୍ୟ, କୌଣସି ମଣିଷ ମୃତ୍ୟୁବରଣ କରିବାକୁ ଚାହେଁନା । କିନ୍ତୁ ବର୍ତ୍ତମାନ ଗୁରୁତର ପରିସ୍ଥିତିଗୁଡ଼ିକ କ’ଣ ପ୍ରକୃତରେ ଶାନ୍ତି ଓ ସୁଖର ଅନ୍ତରାୟ ? ପୂର୍ବକାର ପରିବେଷ୍ଟନୀ ଅପେକ୍ଷା ଆଧୁନିକ ପରିବେଶ କ’ଣ ବିଶେଷ ଗୁରୁତର ? ଯଦିବା ଅଶାନ୍ତିର ପ୍ରଶ୍ନଉଠିଛି ଏଥିପାଇଁ କ’ଣ ବୈଜ୍ଞାନିକ ଅନୁସନ୍ଧାନ ଦାୟୀ-?

 

ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଗଲେ ଧାରାବାହିକ ଭାବରେ କେତୋଟି ଘଟଣାର ବିଚାର କରିବାକୁ ହେବ । ବହୁ ପୁରାକାଳରେ ମଣିଷର ଜ୍ଞାନର ପରିସର ଖୁବ୍‌ କ୍ଷୁଦ୍ର ଥିଲା । ତା’ପରେ ଧୀରେ ଧୀରେ ଅନୁସନ୍ଧିଚ୍ଛୁ ମନ ନେଇ ମଣିଷ ପ୍ରକୃତିର ଗୋଟିଏ ପରେ ଗୋଟିଏ ରହସ୍ୟର ଉଦ୍‌ଘାଟନ କରିବାକୁ ଲାଗିଲା । ସେତେବେଳେ ବ୍ୟବହାର କରିବାପାଇଁ କୌଣସି ବୈଜ୍ଞାନିକ ଉପକରଣ ନଥିଲା କିମ୍ବା ବିଶେଷ କ୍ଷତିକାରକ ମାରଣାସ୍ତ୍ର ନଥିଲା । ଆବାହମାନ କାଳରୁ ଜରା ଓ ବ୍ୟାଧି ମଣିଷର ଶତ୍ରୁ ହୋଇ ରହିଆସିଛି, ଏବେ ଅଛି, ସେବେ ବି ଥିଲା । ଦୁଇ ଚାରିଜଣ ରୁଣ୍ଡ ହେଲେ ଯୁକ୍ତି ହେବାର ସମ୍ଭାବନା ଥିଲା । ସାଧାରଣ ପରିଣତି ଥିଲା ବିବାଦ ଓ ଲଢ଼େଇ, କାରଣ ସେବେ ଲୌକିକ ଦୃଷ୍ଟୀଭଙ୍ଗୀ ନ ଥିଲା । ଦୁର୍ଭିକ୍ଷ, ବନ୍ୟା, ମରୁଡ଼ି ସବୁ ଥିଲା - ତଥାପି ଲୋକେ କହନ୍ତି ପୁରାକାଳରେ ଶାନ୍ତି ଥିଲା, ସୁଖର ପ୍ରାଚୁର୍ଯ୍ୟ ଥିଲା ।

 

ସାଧାରଣତଃ ସୁଖ ଓ ଶାନ୍ତି ଶାରୀରିକ କିମ୍ବା ମାନସିକ ହୋଇଥାଏ । ବିଚାରକର ଦୃଷ୍ଟି କୋଣରୁ ଦେଖାଯାଉ ପ୍ରକୃତରେ ପୁରାକାଳରେ ଶାରୀରିକ ଏବଂ ମାନସିକ ସୁଖ ଓ ଶାନ୍ତି ରହିବା ସମ୍ଭବ କି ନାହଁ । ପୁରାକାଳରେ ଜନସଂଖ୍ୟା କମ୍ ଥିଲା । କୃଷି ଥିଲା ଲୋକଙ୍କର ପ୍ରଧାନ ଅବଲମ୍ବନ । ସେଥିପାଇଁ ଅନାବୃଷ୍ଟି କିମ୍ବା ବନ୍ୟା ନହେଲେ ଖାଦ୍ୟାଭାବ ହେଉନଥିଲା । ରହିବାପାଇଁ ବହୁତ ଜାଗା ଥିଲା, କିନ୍ତୁ ଉତ୍ତମ ଗୃହ ନିର୍ମାଣ ପ୍ରଣାଳୀ ଜଣାନଥିଲା । ତେଣୁ ସମସ୍ତେ ରହିଯାଉଥିଲେ–ନିଶ୍ଚୟ କିନ୍ତୁ ସ୍ୱାଚ୍ଛନ୍ଦ୍ୟ ନଥିଲା । ଗ୍ରୀଷ୍ମ ଋତୁରେ ସୂର୍ଯ୍ୟର ପ୍ରଚଣ୍ଡ ରୌଦ୍ର ଏବଂ ଶୀତ କାଳରେ ହାଡ଼ଭଙ୍ଗା ଶୀତ ସହିବାକୁ ପଡ଼ୁଥିଲା । ବର୍ଷାଦିନେ ଚଳାଚଳ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଥିଲା । ଆଧୁନିକ ମାପକାଠିରେ ହେଉ ବା ନିରାଟ ବାସ୍ତବତାରେ ହେଉ, ଉପରୋକ୍ତ ଅବସ୍ଥା କ’ଣ ସୁଖ ନା ଶାନ୍ତି ?

 

ଯେକୌଣସି ସମାଜରେ ହେଉନା କାହିଁକି, ସାଧାରଣ ମଣିଷର ପରମାୟୁ ମଣିଷର ଶାରୀରିକ ସୁଖ ଓ ସ୍ୱାସ୍ଥ୍ୟର ମାପକାଠି । କହିବା ବାହୁଲ୍ୟ ଯେ ବର୍ତ୍ତମାନ ମନୁଷ୍ୟର ହାରାହାରି ପରମାୟୁ ପୂର୍ବାପେକ୍ଷା ଢେର ବେଶି । ତତ୍‌ ସଙ୍ଗେ ସଙ୍ଗେ ବର୍ତ୍ତମାନର ସାଧାରଣ ସ୍ୱାସ୍ଥ୍ୟ ମଧ୍ୟ ପରକାଳର ହାରାହାରି ସ୍ୱାସ୍ଥ୍ୟ ଅପେକ୍ଷା ଉତ୍ତମ । ଅତି ପୁରାକାଳ ତ ଦୂରର କଥା, ପଚାଶ ବର୍ଷ ତଳେ ଶିଶୁ ମୃତ୍ୟୁର ସଂଖ୍ୟା ଆମ ଦେଶରେ ଏତେ ବେଶି ଥିଲା ଯେ, ସେ ଦିଗରେ ଆଜିକାଲି ଅବସ୍ଥା ବହୁତ ଉନ୍ନତ । ଘରେ ଘରେ ଶିଶୁ ମୃତ୍ୟୁର ପ୍ରାବଲ୍ୟରେ ଯେଉଁ ଅଶାନ୍ତିର ଢେଉ ଖେଳିଯାଉଥିଲା ଆଜିକାଲିର ବୈଜ୍ଞାନିକ ଉଦ୍ଭାବନ ଦ୍ୱାରା ସେ ଅଶାନ୍ତି ଦୂର ହୋଇନାହିଁ କି ? ବୈଜ୍ଞାନିକ ଯନ୍ତ୍ରପାତି, ରାସାୟନିକ ଔଷଧ ପ୍ରଣାଳୀ ଏବଂ ତେଜସ୍କ୍ରିୟ ବସ୍ତୁର ଉପଯୁକ୍ତ ବ୍ୟବହାର ମଣିଷ କ’ଣ ଜୀବନକୁ ବ୍ୟାଧିର କବଳରୁ ଅହରହ ରକ୍ଷା କରୁନାହିଁ ? ତେଣୁ ପୁରାକାଳରେ ଯଦି ଶାନ୍ତି ଥିଲା, ସୁଖ ଥିଲା, ଏବେ ସେହି ଶାନ୍ତି ଓ ସୁଖର ପ୍ରାଚୁର୍ଯ୍ୟରେ ମଣିଷ ଭାସୁଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
 

ଅସନ୍ତୋଷର ବାସସ୍ଥଳୀ ହେଲା ମଣିଷର ମନ । ଯେତେବେଳେ ବିଜ୍ଞାନର ବିକାଶ ହୋଇନଥିଲା ସେତେବେଳେ ମଣିଷ ମନର ଅସନ୍ତୋଷ ହେଉଛି ବୈଜ୍ଞାନିକ ଉଦ୍ଭାବନର କାରଣ । କିନ୍ତୁ ଅସନ୍ତୁଷ୍ଟ ହୋଇ ରହିଲେ ସାମାଜିକ ଜୀବନରେ ସଂଗ୍ରାମର ସୃଷ୍ଟି ହୁଏ–ଆଜି ବି ହେଉଛି, ଆଗେ ବି ହେଉଥିଲା । ପଞ୍ଚମକାର ସେବେ ବି ଥିଲା, ଏବେବି ଅଛି । ସାମାଜିକ ଜୀବନରେ ଗଣ୍ତଗୋଳ, ହଣାକଟା, ଲାଞ୍ଛନା, ଅବମାନନା ସବୁ ଥିଲା । ଦଳଗତ ସଂଘର୍ଷ ଥିଲା, ଯୁଦ୍ଧ ଥିଲା, ଯୁଦ୍ଧ ପରେ ସନ୍ଧି ବି ଥିଲା । ଚୋର ଡକାୟତ ଭୟ ଆଗେ ଥିଲା–ଏବେ ବି ଅଛି । କୌଣସି ସ୍ଥାନରେ ଅଶାନ୍ତି ଉପୁଜିଲେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବାପାଇଁ ଆଗ ଅପେକ୍ଷା ଏବେ ନିଶ୍ଚୟ ବେଶି ସୁବିଧା ଅଛି । ଯୁଦ୍ଧବେଳେ ସେବେ ହୁଏତ ହଜାର ହଜାର ଲୋକ ମରୁଥିଲେ ଆଉ ଏବେ ଲକ୍ଷ ଲକ୍ଷ ଲୋକ ମରିବାର ଆଶଙ୍କା ଅଛି । କିନ୍ତୁ ପୃଥିବୀର ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ମୃତାହତ ସଂଖ୍ୟା ବଢ଼ିବା ଅତି ସ୍ୱାଭାବିକ । ହୁଏତ କିଏ କହିପାରେ, ପରମାଣୁ ଏବଂ ଉଦ୍‌ଜାନ ବୋମା ପୃଥିବୀର ଅଶେଷ କ୍ଷତି କରିପାରେ । କିନ୍ତୁ ନୈତିକ ଦୃଷ୍ଟିରୁ ଦେଖିବାକୁ ଗଲେ ଖଣ୍ଡା କିମ୍ବା ବନ୍ଧୁକ ଦ୍ୱାରା ଜଣେ ଲୋକକୁ ମାରିଲେ ଯେମିତି ଅପରାଧ ହୁଏ, ପାରମାଣବିକ ଅସ୍ତ୍ର ବ୍ୟବହାର କରି ଲକ୍ଷ ଲକ୍ଷ ଲୋକଙ୍କୁ ମାରିଲେ ସେମିତି ଅପରାଧ ହୁଏ । କାରଣ ନ୍ୟୂନ ଧରଣର ଅସ୍ତ୍ର ପ୍ରୟୋଗ କରି ଜଣକୁ ମାରିବା ପାଇଁ ତ କାହାରି ଅଧିକାର ନାହିଁ । ତେଣୁ ଉଭୟ କ୍ଷେତ୍ରରେ ଅନଧିକାର ଚର୍ଚ୍ଚା ହେଉଛି । ତେବେ ଏ ଯେଉଁ ସମସ୍ୟାର ସୃଷ୍ଟି ହୁଏ–ଏଥିପାଇଁ ଦାୟୀ କିଏ ? ମଣିଷର ମନ ତ ! ନିଜର ଆଧିପତ୍ୟ ଅନ୍ୟ ଉପରେ ବିସ୍ତାର କରିବାର ମନୋଭାବ ତ ! ତା’ ସଙ୍ଗେ ସଙ୍ଗେ ଆଉ ଗୋଟିଏ କଥାର ବିଚାର କରିବାକୁ ହେବ, ତାହା ହେଉଛି ବିଭିନ୍ନ ପରିସ୍ଥିତିରେ ମଣିଷ ମନର ଦୌଡ଼ ।

 

ଏହା ଅତି ସ୍ୱାଭାବିକ କଥା ଯେ, ଦୁଇଜଣ ଅସ୍ତ୍ରଶସ୍ତ୍ର ହୀନ ବ୍ୟକ୍ତିଙ୍କ ମଧ୍ୟରେ ମନୋମାଳିନ୍ୟର ଆଶଙ୍କା ବେଶି, କାରଣ ଉଭୟେ ଜାଣନ୍ତି ଯେ ସଂଘର୍ଷ ହେଲେ ବି ଅପରପକ୍ଷ ବିଶେଷ କ୍ଷତି କରିପାରିବ ନାହିଁ । ଉଭୟକୁ ଯଦି ସମାନ ଧରଣର ନ୍ୟୂନ ଅସ୍ତ୍ର ଦିଆଯାଏ ସେମାନଙ୍କ ମଧ୍ୟରେ ଆକ୍ରମଣ କରିବାପାଇଁ ସାମାନ୍ୟ ଭୟ ହେବ, କାରଣ ପ୍ରତିଆକ୍ରମଣର ଆଶଙ୍କା ଅଛି । ତେଣୁ ପରିସ୍ଥିତିରେ ପଡ଼ି ଯଦି ସଂଘର୍ଷ ହୁଏ, ଯାହାର ରଣକୌଶଳ ଉତ୍କୃଷ୍ଟ ଧରଣର ସେ ବିଜୟୀ ହେବ । ଶେଷରେ ପରମାଣୁ ବୋମା ଓ କ୍ଷେପଣାସ୍ତ୍ର ବିଷୟ ବିଚାର କରାଯାଉ । ଯଦି ବିଭିନ୍ନ ଶକ୍ତି ଗୋଷ୍ଠୀ ନିଜ ନିଜ ଭିତରେ ଶତହୁଙ୍କାର କରୁଥିଲେ ମଧ୍ୟ କେହି କାହାରି ଉପରେ ଆକ୍ରମଣ କରିପାରିବେ ନାହିଁ–କାରଣ ନିଜର ବଞ୍ଚି ରହିବାର ଲାଳସା ସମସ୍ତଙ୍କର ଅଛି । ଉପରୋକ୍ତ ଦୃଷ୍ଟିରୁ ଦେଖିବାକୁ ଗଲେ ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱଯୁଦ୍ଧର ସମ୍ଭାବନା ଅତ୍ୟନ୍ତ କ୍ଷୀଣ-ଆଉ ଯଦି ବା ବିଶ୍ୱଯୁଦ୍ଧ ହୁଏ, ସମବେଦନା ଜଣେଇବାକୁ ବି କେହି ବଞ୍ଚିନଥିବେ । ତେଣୁ ବର୍ତ୍ତମାନର ଆନ୍ତର୍ଜାତିକ ପରିସ୍ଥିତି ପୂର୍ବବର୍ତ୍ତୀ ପରିସ୍ଥିତି ତୁଳନାରେ ଗୁରୁତର କେଉଁ କାରଣରୁ ? ଯଦି ବର୍ତ୍ତମାନର ପରିସ୍ଥିତି ପୂର୍ବ ପରିସ୍ଥିତି ଅପେକ୍ଷା ଲଘୁ ଓ ସରଳ, ତେବେ ପରମାଣବିକ ଅସ୍ତ୍ରର ଉପସ୍ଥିତି ପରୋକ୍ଷରେ ଶାନ୍ତିର ବାଣୀ ପ୍ରଚାର କରୁନାହିଁ କି ? ଶିକ୍ଷା ଓ ସଭ୍ୟତାର ମାଦକତାରେ ମଣିଷ ଜାତିର ଯେତିକି ଆତ୍ମପ୍ରସାଦ ହୋଇଛି, ସେଇଠୁ ଯଦି ଆତ୍ମଗାରିମାର କିଞ୍ଚିତ୍‌ ଉଦ୍ଭବ ହୁଏ ତାହା ନିଶ୍ଚୟ କ୍ଷମଣୀୟ ।

 

ମରୀଚିକାସମ ଆଦର୍ଶବାଦକୁ ଛାଡ଼ି ବିରାଟ ବାସ୍ତବ ଦୁନିଆ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଜଣାଯିବ ଯେ ପୂର୍ବାପେକ୍ଷା ଆମେ ଅଧିକ ସୁଖୀ । ସ୍ପନ୍ଦନହୀନ ନିଶ୍ଚଳ ପାରିପାର୍ଶ୍ୱିକ ଅବସ୍ଥା କେବେହେଲେ ଶାନ୍ତିର ଉପାଦାନ ନୁହେଁ । ବୈରାଗ୍ୟ ସାଧନରେ ମୁକ୍ତି ମଣିଷର ଧର୍ମ ନୁହେଁ । ଦୁନିଆର ଜଞ୍ଜାଳଠାରୁ ଦୂରରେ ରହି ଶାନ୍ତିର ମନ୍ତ୍ରରେ ଗଗନପବନ ପ୍ରକମ୍ପିତ କରିବା ବେଳେ ପଳାୟନପନ୍ଥୀ ମାନବର କାର୍ଯ୍ୟ । ଦୁନିଆର ହସକାନ୍ଦ, ହର୍ଷ ବିଷାଦ, ରୋଗ ସ୍ୱାସ୍ଥ୍ୟ, ଅଭାବ-ପ୍ରାଚୁର୍ଯ୍ୟ ଭିତରେ ରହି ସୁଖର ସନ୍ଧାନ ହେଲା ଆଧୁନିକ ମଣିଷର ଆଦର୍ଶ । ମଣିଷ ନିଜର କୌଶଳ ବଳରେ ଜଳ ସ୍ଥଳ ଆକାଶ ଉପରେ ଆଧିପତ୍ୟ ବିସ୍ତାର କରିଛି, ଆଖି ପିଛୁଳାକେ ଗୋଟିଏ ପ୍ରାନ୍ତରୁ ଆଉ ଗୋଟିଏ ପ୍ରାନ୍ତକୁ ବାର୍ତ୍ତା ପ୍ରେରଣ କରି ବ୍ୟବଧାନର ଦୂରତ୍ୱକୁ ସମୟର ନିକଟତ୍ୱରେ ପରିଣତ କରିପାରିଛି, ଆମୋଦ ପ୍ରମୋଦର ଅସରନ୍ତି ଭଣ୍ଡାର ଖୋଲି କର୍ମକ୍ଳାନ୍ତ ମନକୁ ଆନନ୍ଦର ଅବକାଶ ଦେଇପାରୁଛି, ବ୍ୟାଧିଗ୍ରସ୍ତ ଆବାଳ ବୃଦ୍ଧ ବନିତାଙ୍କୁ ରାସାୟନିକ ଅମୃତ ସେବନ କରାଇ ମୃତ୍ୟୁର କରାଳ ବିଭୀଷିକାରୁ ରକ୍ଷାକରି ଶତସହସ୍ର ଲୋତକାର୍ଦ୍ର ଚକ୍ଷୁରେ ହସର ପାରିଜାତ ଫୁଟାଇ ପାରୁଛି–ତଥାପି ଯଦି କିଏ କହିବ ଏ ଦୁନିଆଁରେ ଶାନ୍ତି ନାହିଁ, ସୁଖ ନାହିଁ–ତେବେ ଥିଲା କେବେ ଓ କେଉଁଠି ? ଜ୍ଞାନର ସୀମିତ ପରିସର ମଧ୍ୟରେ ଅଣନିଶ୍ୱାସୀ ହୋଇ ‘ମୋତେ ଉଦ୍ଧାର କର, ମୋତେ ଉଦ୍ଧାର କର’ ବୋଲି ମନୁଷ୍ୟ ଯେତେବେଳେ ଚିତ୍କାର କରୁଥିଲା, ଶିଶୁ ଓ ମୃତ୍ୟୁ ଓ ଅପମୃତ୍ୟୁର ପ୍ରାବଲ୍ୟରେ ଯେତେବେଳେ ବାୟୁମଣ୍ଡଳ ଲଳନାମାନଙ୍କର କରୁଣ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଥିଲା–କିଛି ନ ଥିଲେ ବି ମୋର ସବୁ ଅଛି ବୋଲି ମଣିଷ ମନରେ ସେତେବେଳେ ମରୀଚିକା ସୃଷ୍ଟି ହୋଇଥିଲା । ସେତେବେଳେ ଯଦି ସୁଖ ଓ ଶାନ୍ତି ରାଜତ୍ୱ କରୁଥିଲା, ସେ ସୁଖ ନିଷ୍ପ୍ରୟୋଜନ, ସେ ଶାନ୍ତି ମୂଲ୍ୟହୀନ । ଦୁନିଆଁର ଜଟିଳତା ଭିତରେ ବିଜଡ଼ିତ ହୋଇ ଆମେ ବାହାର କରିବାକୁ ଚାହୁଁ ଶାନ୍ତିର ଝରଣା । ପାରପାର୍ଶ୍ୱିକ ଅସ୍ଥିରତା ମଧ୍ୟରେ ବି ଭାସିଉଠିବ ସୁଖ ଓ ଶାନ୍ତିର ଢେଉ । ଏ ସବୁକୁ ତ ନେଇ ମଣିଷ ବଞ୍ଚିବାକୁ ଚାହେଁ ! ସେଥିପାଇଁ ବିଜ୍ଞାନ ବିଜୟଦୁନ୍ଦୁଭି ବାଦନ କରି କହୁଛି, ‘ସର୍ବେ ଭବନ୍ତୁ ସୁଖିନଃ’ ।

Image